ପ୍ରସ୍ତାବିତ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟକୁ ବିରୋଧ

0
13

ରେଙ୍ଗାଳି ନଦୀବନ୍ଧ ଯୋଜନାରେ ଭିଟାମାଟି ହରାଇଥିଲୁ, ଆଉ କେତେଥର ବିସ୍ଥାପିତ ହେବୁ?

ଦେବଗଡ଼,୨୮।୧୦(ଏସଜେସି): ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ୍‌ର ଛେପିଲିପାଲି, ରତନପୁର, ରଙ୍ଗମାଟିଆ, ଆମ୍ବପାଳ, ଧରଣୀଧରପୁର, ଧୋବଲିପଥର, ଗାଡ଼ପାଳ, କଦଳୀପାଳ, କୁଶପଙ୍ଗା, କଣ୍ଠିମାଳ, ବାଉରିପାଲି, ବୁଢ଼ିବିଲ, ରେଙ୍ଗାଳପାଲି, ଶ୍ରୀନିବାସପୁର, ପୁରୁଣାପାଣି ଗ୍ରାମବାସୀଙ୍କୁ ପୁଣି ବିସ୍ଥାପନର ଭୟ ଘାରିଛି। ପୂର୍ବରୁ ରେଙ୍ଗାଳି ନଦୀବନ୍ଧ ଯୋଜନା ଯୋଗୁଁ ସେମାନେ ବିସ୍ଥାପିତ ହୋଇଥିଲେ। ଏବେ ଏହି ଅଞ୍ଚଳରେ ପ୍ରସ୍ତାବିତ ଆଣବିକ ଶକ୍ତି କେନ୍ଦ୍ର (ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ) ପାଇଁ ବିସ୍ଥାପିତ ହେବେ। ତେଣୁ ଏହି ପ୍ରକଳ୍ପକୁ ଗ୍ରାମବାସୀମାନେ ବିରୋଧ କରିଛନ୍ତି। 

ବର୍ତ୍ତମାନ ପର୍ଯ୍ୟନ୍ତ ସରକାର ରେଙ୍ଗାଳି ବିସ୍ଥାପିତ ପରିବାରଗୁଡ଼ିକର ଉଚିତ କ୍ଷତିପୂରଣ ତଥା ବିଭିନ୍ନ ସମସ୍ୟା ସମାଧାନ କରି ନାହାଁନ୍ତି। ଅନ୍ୟପଟେ ପ୍ରସ୍ତାବିତ ଆଣବିକ ଶକ୍ତି କେନ୍ଦ୍ର ପାଇଁ ଉକ୍ତ ଅଞ୍ଚଳରେ ସର୍ବେକ୍ଷଣ ଚାଲିଥିବା ବେଳେ ଗ୍ରାମବାସୀମାନେ ଏହାକୁ ବିରୋଧ କରୁଛନ୍ତି। ପୂର୍ବରୁ ବିସ୍ଥାପିତ ହୋଇଥିଲେ, ଏବେ ଆଉଥରେ ବିସ୍ଥାପିତ ହେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଏନେଇ ଛେପଲିପାଲି ଗ୍ରାମର ଖେଳପଡ଼ିଆରେ ତୀର୍ଥବାସୀ ଗଡ଼ନାୟକଙ୍କ ସଭାପତିତ୍ବରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ରାଜନୈତିକ ଦଳର ନେତା, ନିର୍ବାଚିତ ଜନପ୍ରତିନିଧି, ସଚେତନ ନାଗରିକ ଓ ସମ୍ପୃକ୍ତ ଗାଁର ଲୋକେ ଉପସ୍ଥିତ ଥିଲେ।

ଏହା ସହିତ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ରେଙ୍ଗାଳି ବିସ୍ଥାପିତଙ୍କ ସମସ୍ୟା ସମାଧାନ କରିପାରି ନଥିବା‌ ବେଳେ ଗୋଟିଏ ବିସ୍ଥାପନର ଦୁଃଖ ନ ସରୁଣୁ ଆଉ ଗୋଟିଏ ବିସ୍ଥାପନ ଦୁଃଖ ବର୍ତ୍ତମାନ ଅଂଚଳବାସୀଙ୍କୁ ଘାରିଛି। ଉକ୍ତ ଅଞ୍ଚଳରେ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ବଦଳରେ କୃଷିଭିତ୍ତିକ ଶିଳ୍ପର ବିକାଶ ଓ ଜଳସେଚନରୁ ସୁବ୍ୟବସ୍ଥା କରିବା ପାଇଁ ଦାବି କରାଯାଇଛି। ସଭାକୁ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ପରିଚାଳନା କରିଥିଲେ। ଉକ୍ତ ପ୍ରକଳ୍ପ ହେଲେ ଅଞ୍ଚଳବାସୀଙ୍କ ମେରୁଦଣ୍ଡ ଭାଙ୍ଗିଯିବା ସହ ପରିବେଶ ପ୍ରଦୂଷିତ ଏବଂ ଜଙ୍ଗଲ ନଷ୍ଟ ‌ହେବାର ଆଶଙ୍କା ପ୍ରକାଶ ପାଇଛି। ଲୋକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଲୋକେ ଦାବି କରିଛନ୍ତି। 

ଏହି ଦାବି ସଂକ୍ରାନ୍ତରେ ଅଞ୍ଚଳବାସୀ ରାଜସ୍ବ ମନ୍ତ୍ରୀଙ୍କୁ ମଧ୍ୟ ଦାବିପତ୍ର ଦେଇ ସାରିଛନ୍ତି। ନିକଟରେ ଏହି ପଞ୍ଚାୟତର ସରପଞ୍ଚ ଓ ୱାର୍ଡ ସଦସ୍ୟ, ସଦସ୍ୟାଙ୍କ ସମେତ ଗ୍ରାମବାସୀ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଶକ୍ତିମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି। ଯାହାବି ହେଉ ଆଉ ବିସ୍ଥାପିତ ହେବୁ ନାହିଁ ବୋଲି ସେମାନେ ରୋକଠୋକ ଶୁଣାଇ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here