କଳାହାଣ୍ଡି ଜିଲ୍ଲାରେ ପ୍ରାଥମିକ ଶିକ୍ଷା ବିପର୍ଯ୍ୟସ୍ତ

0
44

କଳାହାଣ୍ଡି ଜିଲ୍ଲାର ୩୫ଟି ସ୍କୁଲରେ ଜଣେ ମାତ୍ର ଶିକ୍ଷକରେ ଚାଲିଛି

କଳାହାଣ୍ଡି , ୧୦।୭ : କଳାହାଣ୍ଡି ଜିଲ୍ଲାରେ ପ୍ରାଥମିକ ଶିକ୍ଷା ବିପର୍ଯ୍ୟସ୍ତ ହେବାରେ ଲାଗିଛି । ଜିଲ୍ଲାର ୩୫ଟି ସ୍କୁଲରେ ଜଣେମାତ୍ର ଶିକ୍ଷକରେ ଚାଲିଥିବା ଯୋଗୁଁ ଶିକ୍ଷକ ଅନୁପସ୍ଥିତ ରହିଲେ ସ୍କୁଲ ପାଠପଢା ଠପ ହେଉଥିବା ଘଟଣା ଅଭିଭାବକ ମହଲରେ ଉଦବେଗ ପ୍ରକାଶ ପାଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସଦରବ୍ଳକରେ ଗୋଟିଏ ସ୍କୁଲ, ଧର୍ମଗଡ ବ୍ଲକରେ ୨ଟି ସ୍କୁଲ, ଗୋଲାମୁଣ୍ଡା ବ୍ଲକରେ ୨ଟି ସ୍କୁଲ, ଜୟପାଟଣା ବ୍ଲକରେ ଗୋଟିଏ ସ୍କୁଲ, ଜୁନାଗଡ ବ୍ଲକରେ ୬ଟି ସ୍କୁଲ, କର୍ଲାମୁଣ୍ଡା ବ୍ଲକରେ ଗୋଟିଏ ସ୍କୁଲ, କେସିଙ୍ଗା ବ୍ଲକରେ ୩ଟି ସ୍କୁଲ, କୋକସରା ବ୍ଲକରେ ୫ଟି ସ୍କୁଲ, ଲାଞ୍ଜିଗଡ ବ୍ଲକରେ ୩ଟି ସ୍କୁଲ, ମ. ରାମପୁର ବ୍ଲକରେ ୬ଟି ସ୍କୁଲ, ନର୍ଲା ବ୍ଲକରେ ଗୋଟିଏ ସ୍କୁଲ, ଥୁଆମୂଳ ରାମପୁର ବ୍ଲକରେ ୪ଟି ସ୍କୁଲ ସମେତ ଜିଲ୍ଲାର ୩୫ଟି ପ୍ରାଥମିକ ବିଦ୍ୟାଳୟରେ ଜଣେ ମାତ୍ର ଶିକ୍ଷକରେ ପାଠପଢା ଚାଲିଛି । ଜଣେ ଥିବା ସ୍କୁଲର ଶିକ୍ଷକମାନେ କୈାଣସି ସରକାରୀ କାମରେ ବିଇଓ କାର୍ଯ୍ୟାଳୟକୁ ଆସୁଥିଲେ କିମ୍ବା ଛୁଟିରେ ରହିଲେ ସେହି ସ୍କୁଲ ଗୁଡିକରେ ପାଠପଢା ଠପ ହେବାରେ ଲାଗିଛି । ଗୋଟିଏ ମାତ୍ର ଶିକ୍ଷକ ଥିବା ଯୋଗୁଁ ମଧ୍ୟାହ୍ନ ଭୋଜନଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ କାର୍ଯ୍ୟରେ ନିୟୋଜିତ ରହୁଥିବା ଯୋଗୁଁ ଏହି ସ୍କୁଲମାନଙ୍କର ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇ ଯାଉଛି । ବ୍ଲକଠାରୁ ଜିଲ୍ଲା ପର୍ଯ୍ୟନ୍ତ ଗ୍ରାମବାସୀମାନେ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ କୈାଣସି ପଦକ୍ଷେପ ନିଆଯାଉନାହିଁ । ଅନ୍ୟପକ୍ଷରେ ନିର୍ବାଚିତ ପ୍ରତିନିଧିମାନେ ଏଥିପ୍ରତି ଗୁରୁତ୍ବ ଦେଉ ନଥିବା ଯୋଗୁଁ ପ୍ରାଥମିକ ଶିକ୍ଷା ବିପର୍ଯ୍ୟସ୍ତ ହେବାରେ ଲାଗିଛି । ସେହିଭଳି ଜିଲ୍ଲାର ବହୁ ସ୍କୁଲର ଶିକ୍ଷକ ରୋଗୀଣା ଦର୍ଶାଇ ଜିଲ୍ଲା ବାହାରକୁ ଚାଲି ଯାଉଥିବା ଯୋଗୁଁ ଶିକ୍ଷକ ପଦବୀ ଗୁଡିକ ଖାଲି ପଡୁଛି । ଚଳିତବର୍ଷ ୧୪୮ ଜଣ ରୋଗୀଣା ଶିକ୍ଷକ ଜିଲ୍ଲା ବାହାରକୁ ବଦଳି ପାଇଁ ଆବେଦନ କରିଛନ୍ତି । ଜିଲ୍ଲାର ଜଣେ ମାତ୍ର ଶିକ୍ଷକ ଥିବା ସ୍କୁଲମାନଙ୍କର ଖାଲି ଥିବା ପଦବୀ ଗୁଡିକ ଗ୍ରହଣ କରାଯିବା ପାଇଁ ବାରମ୍ବାର ପଞ୍ଚାୟତ ସମିତି ବୈଠକଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ ବ‌ୈଠକ ପର୍ଯ୍ୟନ୍ତ ଦାବି ହୋଇଥିଲେ ମଧ୍ୟ ଏନେଇ ଶିକ୍ଷା ବିଭାଗ ତତ୍ପରତା ଦେଖାଉ ନଥିବା ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତୁରନ୍ତ ଏହି ପଦବି ଗୁଡିକ ପୁରଣ କରିବାକୁ ଅଭିଭାବକ ମହଲରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here