୫ ଖରାପ ଅଭ୍ୟାସ ଆଣେ ଦାରିଦ୍ର୍ୟତା

    0
    269

    ଗରୁଡ଼ ପୁରାଣ’ ହେଉଛି  ସନାତନ ଧର୍ମର ଅଷ୍ଟାଦଶ ପୁରାଣ ମଧ୍ୟରୁ ଅନ୍ୟତମ। ଏହି ପୁରାଣରେ ମୁଖ୍ୟ ଦେବତା ହେଉଛନ୍ତି ଭଗବାନ ବିଷ୍ଣୁ। ଲୋକେ କୁହନ୍ତି ଯେ, ଗରୁଡ଼ ପୁରାଣରେ ବ୍ୟକ୍ତି ଜୀବନକୁ ସରଳ ଏବଂ ସୁନ୍ଦର ରଖିବା ପାଇଁ ବହୁ ଉପାୟ ଉଲ୍ଲେଖ ରହିଛି ଏବଂ ଯେଉଁ ବ୍ୟକ୍ତି ଏହାକୁ ପାଳନ କରନ୍ତି, ସେମାନେ ଜୀବନରେ ସଫଳତା ପ୍ରାପ୍ତ ହୋଇଥାନ୍ତି।

    ଗରୁଡ଼ ପୁରାଣରେ ଭଗବାନ ବିଷ୍ଣୁଙ୍କ ବାହନ ଗରୁଡ଼ ଏବଂ ନାରାୟଣଙ୍କ ମଧ୍ୟରେ ହୋଇଥିବା କଥୋପକଥନ ସଂପର୍କରେ ବର୍ଣ୍ଣନା ହୋଇଛି। ଏହି ପୁରାଣରେ ଅନେକ କଥା ରହିଛି, ଯାହାକି ମନୁଷ୍ୟ ଜୀବନରେ ବ୍ୟବହାର କରାଯାଇପାରିବ। ମୁତ୍ୟୁ ପରେ ମଧ୍ୟ ସ୍ବର୍ଗରେ ସ୍ଥାନ ପାଇପାରିବେ। ତେବେ ଗରୁଡ଼ ପୁରାଣରେ ବର୍ଣ୍ଣିତ ୫ଟି ନୀତିଦିନିଆ ଚଲଣୀ ଉପରେ ଜାଣିବା।

    ମଇଳା କପଡ଼ା ପିନ୍ଧିବା ନାହିଁ

    ପରିଷ୍କାର ରହିବା ଓ ସଫା କପଡ଼ା ପିନ୍ଧିଲେ ମନରେ ସବୁବେଳେ ସକରାତ୍ମକ ଚିନ୍ତାଧାରା ଆସିଥାଏ। ମନ ପ୍ରଫୁଲ୍ଲ ରହିଥାଏ। କିନ୍ତୁ ଅନେକ ଜାଣି ନ ଥାନ୍ତି ଯେ, ମଇଳା କପଡ଼ା ପରିଧାନ ଯୋଗୁଁ ବ୍ୟକ୍ତି ଜୀବନରେ ଖରାପ ପ୍ରଭାବ ପଡ଼ିଥାଏ। ଗରୁଡ଼ ପୁରାଣ ଅନୁସାରେ ଯଦି କୌଣସି ବ୍ୟକ୍ତି ସବୁବେଳେ ମଇଳା କପଡ଼ା ପିନ୍ଧନ୍ତି, ତାଙ୍କ ଉପରେ ମା’ ଲକ୍ଷ୍ମୀ ଅସନ୍ତୋଷ ଦେଖାଯାଆନ୍ତି। ମା’ ଲକ୍ଷ୍ମୀଙ୍କୁ ସଫା ତଥା ପରିଷ୍କାର ପସନ୍ଦ। ପରିଷ୍କାର ଘରେ ସେ ରହିବାକୁ ପସନ୍ଦ କରନ୍ତି।

    ଅନ୍ୟର ଦୁର୍ବଳତା ଖୋଜିବା ନାହିଁ

    ଗରୁଡ଼ ପୁରାଣ ଅନୁସାରେ ଯେଉଁ ଲୋକମାନେ ନିଜ ଚିନ୍ତା ଛାଡ଼ି ଅନ୍ୟ ସଂପର୍କରେ ଅଧିକ ଆଲୋଚନା କରିଥାନ୍ତି, ତାଙ୍କ ଜୀବନରେ ଦରିଦ୍ରତା ଆସିଥାଏ। ତେଣୁ ଅନ୍ୟର ଖରାପ ସଂପର୍କରେ ଆଲୋଚନା କରାଯିବା ଅନୁଚିତ। ଅନ୍ୟର ଦୁର୍ବଳତା ସଂପର୍କରେ ଅଧିକ ଚିନ୍ତା ନକରି ବରଂ ସୁଯୋଗ ମିଳିଲେ ସହଯୋଗର ହାତ ବଢ଼ାଇଲେ ଭଲ।

    ସୂର୍ଯ୍ୟୋଦୟ ପରେ ଶୋଇବା ମନା

    ଆଜିକାଲି ଲୋକଙ୍କର ଜୀବନ ଶୈଳୀରେ ଘୋର ପରିବର୍ତ୍ତନ ଦେଖାଯାଇଛି। ଲୋକଙ୍କର ଜୀବନ ଶୈଳୀ ବିଚିତ୍ର। ରାତିରେ ଖାଇବା ସମୟ ହେଉଛି ୮ଟାରୁ ସାଢ଼େ ୯ଟା ମଧ୍ୟରେ। କିନ୍ତୁ ଅନେକ ରାତ୍ରୀ ଭୋଜନ ୧୧ଟାରୁ ୧୨ଟା ଯାଏଁ ମଧ୍ୟ କରୁଛନ୍ତି। ବିଳମ୍ବିତ ରାତିରେ ଖାଉଥିବା ଲୋକେ ପରଦିନ ଠିକ ସମୟରେ ଉଠିପାରନ୍ତି ନାହିଁ। ଅଧିକ ସମୟ ପର୍ଯ୍ୟନ୍ତ ଶୋଉଥିବା ଲୋକଙ୍କୁ ଅଳସୁଆ କୁହାଯାଇଥାଏ। ଗରୁଡ଼ ପୁରାଣରେ ଏହା ଉଲ୍ଲେଖ ରହିଛି। ଏହି ପ୍ରକାରର ମନୁଷ୍ୟ ଭବିଷ୍ୟତରେ ଅନେକ ଅସୁବିଧାର ସାମ୍ନା କରିଥାନ୍ତି।

    ଧନଗର୍ବୀ ହେବା ଅନୁଚିତ

    ଆଜିକାଲି ଅନେକ ଲୋକ ଦେଖାଯାଉଛନ୍ତି ଯେ, ତାଙ୍କ ପାଖରେ ଯେତେବେଳେ ଧନସଂପତ୍ତି ଟିକିଏ ଅଧିକ ହୋଇଯାଉଛି। ସେମାନେ ଆଉ ଇନ୍ଦ୍ର-ଚନ୍ଦ୍ର ମାନୁନାହାନ୍ତି। ତାଙ୍କ ଠାରୁ କମ ଧନ ସଂପତ୍ତି ଥିବା ଲୋକଙ୍କୁ ହୀନ ଭାବରେ ଦେଖନ୍ତି। ତାଙ୍କର ଗର୍ବ ବଢ଼ିଯାଇଥାଏ। ଏପରିକି କିଛି ଲୋକ ଅଛନ୍ତି, ଅନ୍ୟମାନଙ୍କୁ ମନୁଷ୍ୟ ଭଳି ଦେଖନ୍ତି ନାହିଁ। ଏହି ପ୍ରକାରର ଲୋକଙ୍କୁ ମା’ ଲକ୍ଷ୍ମୀ ପସନ୍ଦ କରନ୍ତି ନାହିଁ।

    ପରିଶ୍ରମ କରି ବଞ୍ଚିବା

    ଗରୁଡ଼ ପୁରାଣ ଅନୁସାରେ ଯଦି କୌଣସି ବ୍ୟକ୍ତି ପରିଶ୍ରମ କରିବାକୁ ଭଲ ପାଆନ୍ତି ନାହିଁ। ଅର୍ଥାତ ବିନା ପରିଶ୍ରମରେ ରାତାରାତି ବଡ଼ ଲୋକ ହେବାକୁ ଚାହାନ୍ତି, ମା’ ଲକ୍ଷ୍ମୀ ତାଙ୍କ ଉପରେ ପ୍ରସନ୍ନ ହୁଅନ୍ତି ନାହିଁ। ସେହିପରି ଦିଆଯାଇଥିବା ଦାୟିତ୍ବରେ ଅବହେଳା କରୁଥିବା ମନୁଷ୍ୟକୁ ମା’ ଲକ୍ଷ୍ମୀ ଭଲ ପାଆନ୍ତି ନାହିଁ। ମା’ ଲକ୍ଷ୍ମୀ ତାଙ୍କର ଉପରେ ଅସନ୍ତୋଷ ଦେଖାଯାଆନ୍ତି। ସେହିପରି ବିନା ପରିଶ୍ରମରେ ଅନ୍ୟର ଖରାପ ଚିନ୍ତା କରନ୍ତି, ସେମାନଙ୍କୁ ମଧ୍ୟ ମା’ ଲକ୍ଷ୍ମୀ ଆଶୀର୍ବାଦ କରନ୍ତି ନାହିଁ।

    LEAVE A REPLY

    Please enter your comment!
    Please enter your name here