ମାଟ୍ରିକ୍‌ ପରୀକ୍ଷା: ଛାତ୍ରଛାତ୍ରୀ-ଅଭିଭାବକ ଖୁସି!

    0
    405

    ଭୁବନେଶ୍ୱର: ବହୁ ଅଶା ଓ ଆଶଙ୍କା ଦୂର ହୋଇଛି। ଦେଶର କିଛି ରାଜ୍ୟରେ କରୋନା ଭାଇରସ ପୁଣି ଥରେ ମୁଣ୍ଡ ଟେକିଥିବା ବେଳେ, ଓଡ଼ିଶାରେ ମାଟ୍ରିକ୍‌ ପରୀକ୍ଷା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା, ସେଥିରେ ବିରାମ ପଡ଼ିଛି। ଏବେ ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରିତ ଅବସ୍ଥାରେ ଥିବା ବେଳେ ଏପ୍ରିଲ ୨୯ ତାରିଖ ଠାରୁ ରାଜ୍ୟରେ ଦଶମ ଶ୍ରେଣୀ ପରୀକ୍ଷା ହୋଇଯାଇଛି। ଦଶମ ଶ୍ରେଣୀ ପରୀକ୍ଷା ଆରମ୍ଭ ହୋଇଯାଇଥିବାରୁ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକଙ୍କୁ ଆଶ୍ୱସ୍ତି ଲାଗୁଛି। ଏହାର କାରଣ ହେଲା ଯେ, ବିଗତ ୨ ବର୍ଷରେ କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ରାଜ୍ୟରେ ଦଶମ ଶ୍ରେଣୀ ପରୀକ୍ଷା ହୋଇପାରି ନଥିଲା। ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ବିକଳ୍ପ ମାଧ୍ୟମରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଫଳ ପ୍ରକାଶ କରିଥିଲେ।

    ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ଵାରା ପରିଚାଳିତ ମାଟ୍ରିକ୍‌, ମଧ୍ୟମା, ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷା ଆରମ୍ଭ ହୋଇଥିବାରୁ ପରୀକ୍ଷାର୍ଥୀଙ୍କ ଭିତରେ ଉତ୍ସାହ ଅନୁଭୂତ ହେବା ସ୍ୱାଭାବିକ। ମାଟ୍ରିକ୍‌ ପରୀକ୍ଷା ହେଉଛି ଛାତ୍ରଛାତ୍ରୀଙ୍କ କ୍ୟାରିୟରର ମୂଳଦୁଆ। ଏହି ଠାରୁ ସେମାନେ ଅସଲ କ୍ୟାରିୟର ଆରମ୍ଭ କରିଥାନ୍ତି। ପିଲାମାନେ ମାଟ୍ରିକ୍‌ ପରୀକ୍ଷାରେ ସାମିଲ ହୋଇ ନିଜର ଦକ୍ଷତା ମାପିପାରିବେ। ମାଟ୍ରିକ୍‌ ପରୀକ୍ଷାରେ ଯେଉଁ ଛାତ୍ରଛାତ୍ରୀ କମ୍‌ ନମ୍ବର ଆଣିବେ, ସେମାନେ ଆଗାମୀ ଦିନରେ ନିଜର ତ୍ରୁଟି ସଂଶୋଧନ କରି ଭବିଷ୍ୟତ ପାଇଁ ପ୍ରସ୍ତୁତ ହେବେ। ଅଭିଭାବକମାନେ ମଧ୍ୟ ନିଜ ପିଲାର ଦକ୍ଷତା ଅନୁସାରେ ଆଗାମୀ କ୍ୟାରିୟର ପ୍ରତି ଆଗକୁ ବଢ଼ାଇବା ନେଇ ଚିନ୍ତା କରିବେ।

    ୩୦୦୦୦ ଛାତ୍ରୀ ପରୀକ୍ଷାରେ ଅନୁପସ୍ଥିତ!

    ପିଲାମାନେ ଦୀର୍ଘ ୨ ବର୍ଷ ହେବ ବାଷିର୍କ ପରୀକ୍ଷା ଦେଇ ନଥିଲେ ବି ୨୦୨୧ ଜୁଲାଇରେ ସ୍କୁଲ ଖୋଲିବା ପରେ ବିଭିନ୍ନ ସମୟରେ ସମେଟିଭ୍‌ ପରୀକ୍ଷାରେ ସାମିଲ ହୋଇଥିଲେ। ତେଣୁ ବାର୍ଷିକ ପରୀକ୍ଷା ସେତେ କଷ୍ଟ ହୋଇ ନଥିଲା। ସେମାନେ ଖୁସିର ସହିତ ପରୀକ୍ଷା ଦେଇଥିଲେ। ତେବେ ରାଜ୍ୟର ହଜାର ହଜାର ଛାତ୍ରଛାତ୍ରୀ ପ୍ରଥମ ଦିନର ପରୀକ୍ଷାରେ ଅନୁପସ୍ଥିତ ଜଣାଯାଇଛି। କୋରାପୁଟ ଜିଲ୍ଲାରେ ୧୪୦୫ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିବା କହିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାହାକ। ‌ଖୋର୍ଦ୍ଧା ଜିଲ୍ଲାରେ ପ୍ରଥମ ଦିନରେ ମୋଟ ୨୭,୬୨୨ ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୨୯୮ଜଣ ଅନୁପସ୍ଥିତ ରହିଛନ୍ତ। ମାଲକାନଗିରି ଜିଲ୍ଲାରେ ମଧ୍ୟ ୧୧୨୮ ଜଣ ଛାତ୍ରଛାତ୍ରୀ ପ୍ରଥମ ଦିନ ପରୀକ୍ଷା ଦେଇନାହାନ୍ତି। ଏହି ହସାବରେ ଦେଖିବାକୁ ମାଟ୍ରିକ୍‌ ପରୀକ୍ଷାରେ ଅନୁପସ୍ଥିତ ପିଲାଙ୍କ ସଂଖ୍ୟା ୩୦ ହଜାରରୁ ଊର୍ଦ୍ଧ୍ୱ ହୋଇପାରେ।

    ପରୀକ୍ଷା କେନ୍ଦ୍ରରେ ଅବ୍ୟବସ୍ଥା

    ଓଡ଼ିଶାରେ ପ୍ରଥମ ଥର ପାଇଁ ମାଟ୍ରିକ୍‌ ପରୀକ୍ଷା ଏପ୍ରିଲ ମାସର ଶେଷ ସପ୍ତାହରେ ଅନୁଷ୍ଠିତ ହୋଇଛି। ଭୀଷଣ ଗରମରେ ପିଲାମାନଙ୍କୁ ପରୀକ୍ଷା ହଲରେ ବସିବାକୁ ପଡ଼ିଛି। କିନ୍ତୁ ମାଟ୍ରିକ୍‌ ପରୀକ୍ଷାକୁ ନେଇ ନାନା ଅବ୍ୟବସ୍ଥା ଦେଖାଦେଇଛି। ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ବିଦ୍ୟୁତ୍‌ ସମସ୍ୟା ରହିଛି। ସେହିପରି ଯେଉଁ ପରୀକ୍ଷା କେନ୍ଦ୍ରରେ ବିଦ୍ୟୁତ୍‌ ବ୍ୟବସ୍ଥା ଅଛି, ସେଠାରେ ସବୁ ଫ୍ୟାନ୍‌ ଚାଲୁ ନାହିଁ।। ସେହିପରି ଅନେକଗୁଡ଼ିଏ ପରୀକ୍ଷା କେନ୍ଦ୍ରରେ ଉପଯୁକ୍ତ ପାନୀୟ ଜଳର ବ୍ୟବସ୍ଥା ହୋଇପାରି ନାହିଁ। ଯେଉଁ ଅଭିଭାବକମାନେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରକୁ ଆଣୁଛନ୍ତି, ସେମାନେ ପରୀକ୍ଷା ଶେଷ ଯାଏ ଖରାରେ ଅପେକ୍ଷା କରିବାରେ ନାକେଦମ ହେଉଛନ୍ତି।  

    ମା’-ପୁଅ ଦେଲେ ମାଟ୍ରିକ୍‌ ପରୀକ୍ଷା

    ମାଟ୍ରିକ୍‌ ପରୀକ୍ଷାର ମୂଲ୍ୟ କୋରାପୁଟ ଜିଲ୍ଲା  ଜୟପୁରରେ ଜଣେ ମହିଳା ବୁଝିପାରିଛନ୍ତି। ସେ ପ୍ରଥମ ଦିନରେ ପୁଅ ସହିତ ମାଟ୍ରିକ ପରୀକ୍ଷା ଦେଇଛନ୍ତି। ନିଜ ସ୍କୁଲ ଜୀବନରେ କୌଣସି କାରଣରୁ ପାଠ ଛାଡ଼ି ଦେଇଥିଲେ। ଏବେ କିନ୍ତୁ ସେ ପାଠ ପଢ଼ିବା ପାଇଁ ମନ ବଳାଇଛନ୍ତି।  ଜୟପୁର ବ୍ଲକର ପୁଜାରୀପୁଟ ଗାଁର ତ୍ରିନାଥ ପ୍ରସାଦ ପାତ୍ରଙ୍କ ପତ୍ନୀ ଜ୍ୟୋତ୍ସ୍ନା ଜୟପୁର ସରକାରୀ ବିଦ୍ୟାଳୟରେ ପତ୍ର ବିନୀମୟରେ ମାଟ୍ରିକ ପରୀକ୍ଷା ଦେଇଛନ୍ତି। ତାଙ୍କ ପୁଅ ଆଲୋକନାଥ ପାତ୍ର ପୁଜାରୀପୁଟ ସରକାରୀ ହାଇସ୍କୁଲରେ ପରୀକ୍ଷା ଦେଇଛି। ତ୍ରିନାଥ ଉଭୟ ମା’ ଓ ପୁଅଙ୍କୁ ସହଯୋଗ କରିଛନ୍ତି। 

    LEAVE A REPLY

    Please enter your comment!
    Please enter your name here