ପଦ୍ମପୁର ଚାହୁଁଛି କି ପରିବର୍ତ୍ତନ?

    0
    278

    ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ପାଇଁ ଆଗାମୀ ଡିସେମ୍ବର ୫ ତାରିଖରେ ମତଦାନ ହେବ। ଏହି ନିର୍ବାଚନ ମଣ୍ଡଳୀର ମତଦାତା ସେମାନଙ୍କର ନୂଆ ବିଧାୟକ ବାଛିବେ। ଉପନିର୍ବାଚନ ପାଇଁ ୧୧ ଜଣ ପ୍ରାର୍ଥୀ ନିର୍ବାଚନ ପଡ଼ିଆରେ ଅବତୀର୍ଣ୍ଣ ହୋଇଛନ୍ତି। କିନ୍ତୁ ମୁଖ୍ୟତଃ ୩ ଜଣ ପ୍ରାର୍ଥୀଙ୍କ ଭିତରେ ଅସଲ ମୁକାବିଲା ହେବ ବୋଲି ଚର୍ଚ୍ଚା ହେଉଛି। ନିର୍ବାଚନରେ ଅସଲ ଟକ୍କର ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ହେବ ବୋଲି ଆଲୋଚନା ହେଉଛି। ସ୍ବର୍ଗତ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିଜୟ ରଂଜନ ସିଂ ବରିହାଙ୍କ ପରଲୋକ ପରେ ପଦ୍ମପୁରରେ ଉପନିର୍ବାଚନ ହେଉଛି।

    ପଦ୍ମପୁର ଉପନିର୍ବାଚନ ଓଡ଼ିଶାର ଆଗାମୀ ରାଜନୈତିକ ଧାରାରେ ପରିବର୍ତ୍ତନ କରିପାରେ  ବୋଲି ଚର୍ଚ୍ଚା ହେଉଛି। ଧାମନଗର ଉପନିର୍ବାଚନରେ ଶାସକ ଦଳର ପ୍ରାର୍ଥୀ ପରାଜିତ ହୋଇଥିବାରୁ ପଦ୍ମପୁରରୁ ନେଇ ଅନେକ ଆଶା ଉପୁଜିଛି। ପଦ୍ମପୁର ଆସନକୁ ବଞ୍ଚାଇବା ପାଇଁ ବିଜେଡି  ଜୋରଦାର ଉଦ୍ୟମ କରିଛି। ଦଳୀୟ ସୁପ୍ରିମୋ ପଶ୍ଚିମ ଓଡ଼ିଶାର ଟାଣୁଆ ନେତାଙ୍କୁ ବଡ଼ ଦାୟିତ୍ବ ଦେଇଛନ୍ତି। ଏପେ ପଦ୍ମପୁରରେ ଜାତୀୟ ଓ ରାଜ୍ୟସ୍ତରୀୟ ନେତାମାନେ ଆଡ୍ଡା ଜମାଇଛନ୍ତି।

    ୧୧ ଜଣ ପ୍ରାର୍ଥୀଙ୍କ ଭିତରେ ଲଢ଼େଇ

    ସ୍ବର୍ଗତ ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କ ସୁକନ୍ୟା ବର୍ଷାରାଣୀ ସିଂ ବରିହା ବିଜେଡିର ଟିକେଟରେ ନିର୍ବାଚନକୁ ଓହ୍ଲାଇଛନ୍ତି। ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ବିଜେପି ଟିକେଟ ଦେଇଥିବା ବେଳେ ୩ଥର ବିଧାୟକ ହୋଇଥିବା ସତ୍ୟଭୂଷଣ କଂଗ୍ରେସ ଟିକେଟରେ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ଓଜିପିର ମୁକ୍ତେଶ୍ୱର ଦାଶ, ଅଖିଳ ଭାରତ ହିନ୍ଦୁ ମହାସଭା ତରଫରୁ ବିଦ୍ୟାଧର ପାଣ୍ଡବ, ସ୍ବାଧୀନରୁ ଶେଷଦେବ ସାହୁ, ବୃନ୍ଦାବନ ପୁରୋହିତ, ରେବତୀ ଗିରି, ଉଦିତ ବଣ୍ଡିଆ, ଦେବାର୍ଚ୍ଚନ ନାଏକ, ଗଙ୍ଗାଧର ସାହା ପ୍ରମୁଖ।  

    କିଏ ହେବେ ପଦ୍ମପୁରବାସୀଙ୍କ ସାହାରା

    ପଦ୍ମପୁର ଉପନିର୍ବାଚନ ଉପରେ ସାରା ଓଡ଼ିଶା ନଜର ରଖିଛି। ଏହି ନିର୍ବାଚନ ନେଇ ବରଗଡ଼ ବ୍ୟତୀତ ଅନ୍ୟ ଜିଲ୍ଲାରେ ମଧ୍ୟ ଆଲୋଚନା ହେଉଛି। ରାଜନୀତି ସହିତ ସଂପୃକ୍ତ ନ ଥିବା ଲୋକ ମଧ୍ୟ ପଦ୍ମପୁରରେ ଆଗାମୀ ବିଧାୟକ କିଏ ହେବେ ତାହା ଜାଣିବାକୁ ଚାହୁଁଛନ୍ତି। ବର୍ଷାରାଣୀ ସିଂ ବରିହା ବିବାହ ପରେ ଶାଶୁଘର ଲୋକଙ୍କ ସହିତ ରହୁଥିବାରୁ, ତାଙ୍କୁ ଭୋଟ ଦେଲେ ପଦ୍ମପୁରବାସୀଙ୍କ ସହିତ ରହିବେ ତ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବର୍ଷାରାଣୀ ନିର୍ବାଚନ ଜିତିଲେ ପଦ୍ମପୁରବାସୀଙ୍କୁ କେତେ ସମୟ ଦେଇପାରିବେ, ସେନେଇ ମଧ୍ୟ ଆଲୋଚନା ହେଉଛି। ସେହିପରି ପ୍ରଦୀପ ପୁରୋହିତଙ୍କୁ ଆଉ ଥରେ ସୁଯୋଗ ଦେବାପାଇଁ ମଧ୍ୟ ମତଦାତା ଚିନ୍ତା କରିପାରନ୍ତି। ଅନ୍ୟପଟରେ ବିଗତ ଦିନରେ ୩ ଥର ବିଧାୟକ ହୋଇଥିବା ସତ୍ୟଭୂଷଣ ସାହୁଙ୍କୁ ମଧ୍ୟ ମତଦାତା ବିକଳ୍ପ ଭାବେ ନେଇପାରନ୍ତି।

    ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା

    ଦୀର୍ଘ ୨୨ ବର୍ଷ ଶାସନ ପରେ ଲୋକେ ବିଜେଡି ସରକାରଙ୍କୁ ଆଉ ପସନ୍ଦ କରୁନାହାନ୍ତି। ସାମାଜିକ ଗଣମାଧ୍ୟମରେ ଦିଆଯାଇଥିବା ମତାମତ କହୁଛି। ଜନତା ଚାହାଁନ୍ତି ରାଜ୍ୟରେ ପରିବର୍ତ୍ତନ। ଧାମନଗର ଉପନିର୍ବାଚନ ପରେ ସାମାଜିକ ଗଣମାଧ୍ୟମରେ ୟୁଜର୍ସ ପ୍ରତିକ୍ରିୟା ଦେଇଥିଲେ। ‘ବାପ ଛେଉଣ୍ଡ ଛୁଆଟା ବହୁତ କାନ୍ଦିଥିଲା। ତେଣୁ ଆମେ ଦୟାକଲୁ। କଥା ଏତିକି, ଦମ୍ ଅଛି ତ ପଦ୍ମପୁର ଜିତିକି ଦେଖାଅ…‘ ଏକ ପୋଷ୍ଟରେ ୟୁଜର ବିଜେଡିକୁ ଅଜସ୍ର ଗାଳି ଦିଆଯାଇଥିଲା। ଏହି ପୋଷ୍ଟକୁ ନେଇ ବିଜେଡିକୁ ଆକ୍ରମଣ କରାଯାଇଥିଲା ବେଳେ ବିଜେପିକୁ ସମର୍ଥନ କରାଯାଇଥିଲା। ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ ଜରିଆରେ ବ୍ୟକ୍ତିଗତ ଭାବେ ମଗାଯାଇଥିବା ମତାମତରୁ ଜଣାଯାଇଛି ଯେ, ପଦ୍ମପୁରରେ ବିଜେପି ପ୍ରାର୍ଥୀ ନିର୍ବାଚନ ଜିତୁ।  

    LEAVE A REPLY

    Please enter your comment!
    Please enter your name here