ଦିବ୍ୟାଙ୍ଗମାନଙ୍କୁ ଆଇନ ସହାୟତା ପ୍ରଦାନ ନିମନ୍ତେ ସ୍ୱତନ୍ତ୍ର ଶିବିର ଅନୁଷ୍ଠିତ

0
263

ବସ୍ତି ଅଞ୍ଚଳରେ ସହଯୋଗ ନିମନ୍ତେ ନ୍ୟାୟାଧୀଶଙ୍କ ଅଭିନବ ପ୍ରୟାସ

ଭୁବନେଶ୍ୱର,୨୩/୦୫/୨୦୨୩: ବସ୍ତି ଅଞ୍ଚଳରେ ଦିବ୍ୟାଙ୍ଗମାନଙ୍କୁ ଆଇନ ସହାୟତା ପ୍ରଦାନ କରି ସେମାନଙ୍କ ସମସ୍ୟାର ସମାଧାନ ନିମନ୍ତେ ଏକ ସ୍ୱତନ୍ତ୍ର ଶିବିର ଭରତପୁରସ୍ଥିତ ଯୋକଳନ୍ଦିଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଖୋର୍ଦ୍ଧା ଏବଂ ସେଣ୍ଟର ଫର ଆଡ୍‌ଭୋକେସି ଆଣ୍ଡ ରିସର୍ଚ୍ଚର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଛି । ଉକ୍ତ ଶିବିରରେ ୪୦୦ ଜଣ ଯୋଗଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୯୨ ଜଣ ଦିବ୍ୟାଙ୍ଗ ପରିଚୟ ପତ୍ର ନିମନ୍ତେ ପଂଜୀକରଣ ପାଇଁ ଆବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ୪୩ ଜଣ ଦିବ୍ୟାଙ୍ଗ ପ୍ରମାଣପତ୍ର, ୮ ଜଣ ରାସନ୍‌ କାର୍ଡ, ମଧୁବାବୁ ପେନ୍‌ସନ୍‌ ଯୋଜନା ନିମନ୍ତେ ୨୧ ଜଣ, ଦେୟମୁକ୍ତ ଆଇନସେବା ନିମନ୍ତେ ୬୩ ଜଣ, ଦିବ୍ୟାଙ୍ଗ ସହାୟତା ଯନ୍ତ୍ର ନିମନ୍ତେ ୧୦ ଜଣ, ଋଣ ନିମନ୍ତେ ୧୦ ଜଣ ଏବଂ ବସ୍‌ ଓ ଟ୍ରେନ୍‌ ଯାତ୍ରା ପାସ୍‌ ନିମନ୍ତେ ୪୩ ଜଣ ଆବେଦନ କରିଥିଲେ ।

ରାଜ୍ୟ ଆଇନସେବା ପ୍ରାଧିକରଣ, କଟକର ସଦସ୍ୟ ସଚିବ ଶ୍ରୀ ସୁଦୀପ୍ତ ଆଚାର୍ଯ୍ୟ ଏବଂ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଶ୍ରୀମତୀ ସୌଦାମିନୀ ସିଂ ପ୍ରମୁଖ ଉପସ୍ଥିତ ରହି ଅପହଞ୍ଚ ତଥା ବସ୍ତି ଅଞ୍ଚଳରେ ଦିବ୍ୟାଙ୍ଗମାନଙ୍କୁ କିଭଳି ନାର୍ଯ୍ୟ ସହାୟତା ପ୍ରଦାନ କରାଯିବ ସେଥି ନିମନ୍ତେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ଦିବ୍ୟାଙ୍ଗମାନଙ୍କୁ ନ୍ୟାୟିକ ବ୍ୟବସ୍ଥା ସହ ଯୋଡ଼ି ସେମାନଙ୍କୁ ଜୀବିକାର୍ଜନ ପନ୍ଥା, ବିଭିନ୍ନ ସରକାରୀ ସୁବିଧା ଏବଂ ଅନ୍ୟମାନଙ୍କ ଭଳି ସମାନ ସୁବିଧାସୁଯୋଗ ପ୍ରଦାନ ଉପରେ ନ୍ୟାୟାଧୀଶମାନେ ଗୁରୁତ୍ୱ ଦେଇଥିଲେ । ଉକ୍ତ ଶିବିରରେ ଅଭିଜ୍ଞ ଆଇନଜୀବୀମାନେ ଉପସ୍ଥିତ ରହି ଦିବ୍ୟାଙ୍ଗମାନଙ୍କ ବିଭିନ୍ନ ସମସ୍ୟା, ଅଭିଯୋଗର ଶୁଣାଣି କରିବା ସହ ସେମାନଙ୍କ ନିମନ୍ତେ ଉପଲବ୍ଧ ଆଇନସେବା ସଂପର୍କରେ ସଚେତନତା ସୃଷ୍ଟି କରିଥିଲେ । ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଇନ ସହାୟତା କେନ୍ଦ୍ର ଏବଂ ଦିବ୍ୟାଙ୍ଗମାନଙ୍କ ନିମନ୍ତେ ୮ଟି କେନ୍ଦ୍ର ଖୋଲାଯାଇଥିଲା । ଖୋର୍ଦ୍ଧା ଜିଲ୍ଲା ସାମାଜିକ ସୁରକ୍ଷର ଅଧିକାରୀ, ସିଏଫ୍‌ଏଆର୍‌ ସଂଯୋଜିକା ମମତା ସିଂ ଏବଂ ଜିଲ୍ଲା ଆଇନସେବା ପ୍ରାଧିକରଣ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here