ଚୌଦ୍ୱାରଠାରେ ବୈଷୟିକ କ୍ଲଷ୍ଟର ପାଇଁ ସାଧାରଣ ସୁବିଧା କେନ୍ଦ୍ର ସ୍ଥାପନ ପ୍ରସ୍ତାବ

0
666

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ଚଳଚଞ୍ଚଳ କରିବା ପାଇଁ ବିଭାଗ ତରଫରୁ ଅନେକଗୁଡ଼ିଏ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ତନ୍ମଧ୍ୟରୁ ଚୌଦ୍ୱାର ନିକଟସ୍ଥ ଇନ୍ଦ୍ରାଣୀପାଟଣାଠାରେ କଟକ-ଭୁବନେଶ୍ୱର ଇଂଜିନିୟରିଂ କ୍ଲଷ୍ଟର ଅନ୍ୟତମ। ଏଥି ନିମନ୍ତେ ଇଡ୍‌କୋ ଦ୍ୱାରା ପ୍ରଦତ୍ତ ୪୦ ହଜାର ବର୍ଗମିଟର ଜମି ଉପରେ ଏକ ସାଧାରଣ ସୁବିଧା କେନ୍ଦ୍ର ସ୍ଥାପନ କରିବାକୁ ପ୍ରସ୍ତାବ ରହିଛି। ଫଳରେ କଟକ ଓ ଆଖପାଖ ଅଞ୍ଚଳର ୮୮ଗୋଟି ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ ଉନ୍ନତ ଗୁଣବତ୍ତା ସାମଗ୍ରୀ ଉତ୍ପାଦନ, ଉତ୍ପାଦିତ ଯନ୍ତ୍ରାଂଶ ମୂଲ୍ୟଯୁକ୍ତ ଓ ଦକ୍ଷତା ବିକାଶ ଆଦି କାର୍ଯ୍ୟ କରିବାରେ ଫାଇଦା ଉଠାଇ ପାରିବେ।

ଏହି ପ୍ରକଳ୍ପ ପାଇଁ ସମୁଦାୟ ୩୧.୮୦ କୋଟି ବ୍ୟୟ ଅଟକଳ ଥିବା ବେଳେ ଭାରତ ସରକାର ଏଥିପାଇଁ ୧୮ କୋଟି ଟଙ୍କା ଏବଂ ଓଡ଼ିଶା ସରକାର ୭.୧୯ କୋଟି ଟଙ୍କା ପ୍ରଦାନ କରିବେ। ଏତଦ୍‌ବ୍ୟତୀତ ସ୍ୱତନ୍ତ୍ର ଅଭିଯାନର ୫.୩୧ କୋଟି ଟଙ୍କା ଅନୁଦାନ ଏବଂ ବ୍ୟାଙ୍କ ଋଣ ଭାବେ ୧.୩୦ କୋଟି ଟଙ୍କା ଆହରଣ କରାଯିବ। ରାଜ୍ୟ ସରକାର ଏହି ପ୍ରକଳ୍ପକୁ ଅନୁମୋଦନ କରିବା ପରେ ନୂଆଦିଲ୍ଲୀର ବୈଷୟିକ ଆର୍ଥିକ ମୂଲ୍ୟାଙ୍କନ କମିଟିର ସୁପାରିଶ ନିମନ୍ତେ ପ୍ରେରଣ କରିବା ପାଇଁ ଅଧ୍ୟକ୍ଷ ସମ୍ମତି ପ୍ରଦାନ କରିଛନ୍ତି।

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଦ୍ୱିତୀୟ ଭର୍ଚୁଆଲ୍‌ ରାଜ୍ୟସ୍ତରୀୟ ଷ୍ଟିୟରିଂ କମିଟି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ଅତିରିକ୍ତ ସଚିବ ଉଦୟ ନାରାୟଣ ଦାସ, ଯୋଜନା ଓ ସଂଯୋଜନ ବିଭାଗର ଅତିରିକ୍ତ ସଚିବ ଡି. କେ. ଜେନା,  ଅର୍ଥ ବିଭାଗର ଅତିରିକ୍ତ ସଚିବ ସ୍ମିତା ରାଉତ, ଶିଳ୍ପ ନିର୍ଦ୍ଦେଶକ ଜି. ରେଘୁ, ଭାରତ ସରକାରଙ୍କ ଏମ୍‌ଏସ୍‌ଏମ୍‌ଇଡିଆଇର ଭାରପ୍ରାପ୍ତ ନିର୍ଦ୍ଦେଶକ ଡ. ଡି. କେ. ସାହୁ ସାଧାରଣ ପରିଚାଳକ, କଟକ ଜିଲ୍ଲା ଶିଳ୍ପ କେନ୍ଦ୍ର ପ୍ରଭାକର ରାଓ, ପରିଚାଳନା ନିର୍ଦ୍ଦେଶକ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ପ୍ରଦୀପ୍ତ ସାହାଣୀ, ଏମ୍‌ଡି ଓଏଏସ୍‌ଏମ୍‌ଇ ସ୍ୱାତ୍ତ୍ୱିକ ସ୍ୱାଇଁ ଏବଂ ସହକାରୀ ନିର୍ଦ୍ଦେଶକ ଏବଂ କଟକ ଏମ୍‌ଏସ୍‌ଏମ୍‌ଇଡିଆଇ ଦାମୋଦର ବେହେରା ପ୍ରମୁଖ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here