ଚାଷୀକୁଳକୁ କଷ୍ଟ ଦେଲା ନିଅଣ୍ଟିଆ-ଅଧିକ ବର୍ଷା

    0
    486

    ଭୁବନେଶ୍ୱର: ରାଜ୍ୟରେ ଚଳିତ ଖରିଫ ଋତୁରେ ନିଅଣ୍ଟିଆ ବର୍ଷା ଓ ଅଧିକ ବର୍ଷା ଯୋଗୁଁ ଚାଷୀକୁଳ ବ୍ୟାପକ କ୍ଷତିର ଶିକାର ହୋଇଛନ୍ତି। ଜୁଲାଇ ଓ ଅଗଷ୍ଟ ମାସରେ ରାଜ୍ୟର ୩ଟି ଜିଲ୍ଲାକୁ ବାଦ୍‌ ହେଲେ ଅନ୍ୟ ୨୭ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିଲା।  ହଜାର ହଜାର ଏକର ଚାଷ ଜମିରେ କୃଷକ ମାନେ ଧାନ ବିହୁଡ଼ା କାମ କରିପାରି ନଥିଲେ। ରୁଆ କାମ ମଧ୍ୟ ହୋଇପାରି ନଥିଲା। ଅନେକ ସ୍ଥାନରେ ଏବେ ଦେଖାଯାଉଛି ଯେ, ଚାଷୀମାନେ ଯେଉଁ କାମକୁ ଜୁଲାଇ ମାସର ଶେଷ ସପ୍ତାହରେ କରିଥାନ୍ତି, ତାହା ସେପ୍ଟେମ୍ବରରେ କରୁଛନ୍ତି। ତେଣୁ ଚଳିତ ଖରିଫ ଋତୁରେ ଧାନ ଅମଳ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରାଯାଉଛି।

    ଜୁଲାଇ ଓ ଅଗଷ୍ଟ ମାସରେ କମ୍‌ ବର୍ଷା ଯୋଗୁ ଚାଷ କାମରେ ଘୋର ଅସୁବିଧା ଦେଖାଯାଇଥିଲା। କିନ୍ତୁ ସେପ୍ଟେମ୍ବର ୧୦ ତାରିଖ ପରେ ଏଯାଏଁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଆବଶ୍ୟକତା ଠାରୁ ଅଧିକ ବର୍ଷା ହୋଇଛି। ଅତ୍ୟଧିକ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଚାଷକାମ ବିଗିଡ଼ିଛି। ଗୋଟିଏ ପରେ ଗୋଟିଏ ଲଘୁଚାପ ସୃଷ୍ଟି ହେଉଥିବାରୁ ଫସଲରେ ରୋଗ ଲାଗିବା ଅନୁମାନ କରାଯାଉଛି। ଅନ୍ୟପଟରେ ଚାଷ ଜମିରେ ଅଧିକ ପାଣି ଭର୍ତ୍ତି ହୋଇଯାଇଥିବାରୁ ଚାଷୀମାନଙ୍କୁ କ୍ଷତି ସହିବାକୁ ପଡ଼ିବ।

    ପାଣିରେ ବୁଡ଼ିଲା ୨.୫୦ ଲକ୍ଷ ହେକ୍ଟର ଚାଷ ଜମି

    ସରକାରୀ ରିପୋର୍ଟ ଅନୁସାରେ, ରାଜ୍ୟର ୧୨ଟି ଜିଲ୍ଲାର ୨.୫୦ ଲକ୍ଷ ହେକ୍ଟର ଧାନ ଜମି ବର୍ଷା ପାଣି ବୁଡ଼ିଛି। ନିଅଣ୍ଟିଆ ବର୍ଷା ଯୋଗୁଁ ୧୯ ଜିଲ୍ଲାର ୭୮ ହଜାର ୭୪୮ ହେକ୍ଟର ଜମିରେ ଧାନରୁଆ ପ୍ରଭାବିତ ହୋଇଛି। ସମସ୍ତ କ୍ଷୟକ୍ଷତିକୁ ନେଇ ବିସ୍ତୃତ ରିପୋର୍ଟ ଆସିବା ପରେ ଇନପୁଟ୍‌ ସବ୍‌ସିଡି କିମ୍ବା ବୀମା ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ନେଇ ନିଷ୍ପତ୍ତି ହେବାର ସମ୍ଭାବନା ରହିଛି। ଆବଶ୍ୟକତା ଠାରୁ ଅଧିକ ବର୍ଷା ଯୋଗୁଁ ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ପୁରୀ, ଖୋର୍ଧା, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ଢେଙ୍କାନାଳ, ନୟାଗଡ଼, ବଲାଙ୍ଗୀର, ଯାଜପୁରର ୨.୪୦ ଲକ୍ଷ ହେକ୍ଟର ଜମିରେ ଧାନ, ୧୦ ହଜାର ହେକ୍ଟର ଜମିରେ ଅଣଧାନ ଯଥା ଡାଲି, ଚଣା, ପରିବା ପାଣିରେ ବୁଡ଼ି ରହିଛି। ଏଥିରୁ ମୟୂରଭଞ୍ଜର ୩୩ ହେକ୍ଟର ଡାଲି ଏବଂ ପରିବା ନଷ୍ଟ ହୋଇଥିବା ଜଣାପଡ଼ିଛି।

    ସେପ୍ଟେମ୍ବର ମାସର ବର୍ଷା: ଚାଷର ଉନ୍ନତି

    ଅଗଷ୍ଟ ମାସରେ ଆବଶ୍ୟକତା ଅନୁସାରେ ବର୍ଷା ହୋଇନଥିବାରୁ ବିଭିନ୍ନ ସ୍ଥାନରେ ଆର୍ଦ୍ରତା ପ୍ରଭାବିତ ହୋଇଥିଲା। ଧାନ ଚାଷର ଅଭିବୃଦ୍ଧି ବାଧାପ୍ରାପ୍ତ ହୋଇଥିଲା। ବର୍ଷା ଯୋଗୁଁ ବଲାଙ୍ଗୀର, କଳାହାଣ୍ଡି ଏବଂ ଢେଙ୍କାନାଳର ୬୦୦୦ ହେକ୍ଟର ଧାନ ରୋପଣରେ ଉନ୍ନତି ହୋଇଛି। ଚଳିତ ବର୍ଷ ୩୫ ଲକ୍ଷ ହେକ୍ଟରରେ ଧାନ, ୮ ଲକ୍ଷ ୩୫ ହଜାର ହେକ୍ଟରରେ ଡାଲି ଜାତୀୟ, ୩ ଲକ୍ଷ ୮୨ ହଜାରରେ ତୈଳବୀଜ, ୫ ଲକ୍ଷ ୮୭ ହଜାର ହେକ୍ଟରରେ ପରିବା ସମେତ ସମୁଦାୟ ୬୧ ଲକ୍ଷ ୯୬ ହଜାର ହେକ୍ଟରରେ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। କିନ୍ତୁ ବର୍ଷା ଯୋଗୁଁ ଡାଲି ଜାତୀୟ ଫସଲ ୩୧ ପ୍ରତିଶତ, ତୈଳବୀଜ ୪୭ ପ୍ରତିଶତ ପ୍ରଭାବିତ ହେବା ନେଇ ଆଶଙ୍କା ରହିଛି।

    ସରକାରୀ ବିହନ ସମସ୍ୟା

    ଅନ୍ୟପଟରେ ଅଭିଯୋଗ ହେଉଛି ଯେ, ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ବିହନ ଚାଷୀଙ୍କ ଫସଲ ଉତ୍ପାଦନରେ ବାଧା ସୃଷ୍ଟି କରୁଛି। ଅନେକ ଚାଷୀ କୁହନ୍ତି, ସରକାରୀ ବିହନ ଆଶାନୁସାରରେ ପରିଣାମ ଦେଉନାହିଁ। ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଉଛି। ଚାଷକୁ ଭରସା କରି ପରିବାର ପୋଷୁଥିବା ଚାଷୀକୂଳ ଭାଙ୍ଗି ପଡିଛନ୍ତି। ଯେଉଁ ଜମିରେ ଏବେ ଧାନ ଗଛ ଲହଡି ମାରିଥାନ୍ତା, ସେହି କ୍ଷେତରେ ଏବେ ଦୁର୍ଭିକ୍ଷ ପରିସ୍ଥିତି ସୃଷ୍ଟି ହୋଇଛି। ଚାଷୀମାନେ ଅଭିଯୋଗ କରନ୍ତି ଯେ, ସରକାରୀ ବିହନ ଆଣି ଚାଷ କରିଥିବା ଚାଷୀ ସର୍ବହରା ହୋଇପଡିଛନ୍ତି। 

    LEAVE A REPLY

    Please enter your comment!
    Please enter your name here