ଖୋଜୁଥିଲା ସୁଯୋଗ, କୋଟିଆରେ ପ୍ରକଳ୍ପ ଆରମ୍ଭ କଲା ଆନ୍ଧ୍ର

    0
    480

    ଭୁବନେଶ୍ୱର: କୋରାପୁଟ ଜିଲ୍ଲାର ବିବାଦୀୟ ଅଂଚଳ କୋଟିଆରେ ପୁଣି ଥରେ ବିବାଦ ଆରମ୍ଭ ହୋଇଯାଇଛି। କୋଟିଆ ଗ୍ରାମପୁଂଜ (ଫଗୁଣ ସିନେରୀ, ପାଟୁ ସିନେରୀ, କୋଣାଦରା ଓ ସିଲିପିଗୁଡ଼ା)ରେ ଆନ୍ଧ୍ରପ୍ରଦେଶର ଦଖଲକୁ ଓଡ଼ିଶା ସରକାର ଦୀର୍ଘ ଦିନରୁ ବିରୋଧ କରି ଆସୁଛି। କିନ୍ତୁ ଆନ୍ଧ୍ରର ଅଧିକାରୀମାନଙ୍କୁ ଏହା ଭୃକ୍ଷେପ ହେଉନାହିଁ। ବାରମ୍ବାର ବିରୋଧ ପରେ ବି ଆନ୍ଧ୍ର ପ୍ରଦେଶ କୋଟିଆକୁ ଅକ୍ତିଆର କରିବାକୁ ଉଦ୍ୟମ କରୁଛି। ଏହି ପରିପ୍ରେକ୍ଷୀରେ ଆନ୍ଧ୍ର ଅଗଷ୍ଟ ୧୯ ତାରିଖରେ କୋଟିଆର ଫଗୁଣସିନେରୀ ଗାଁରେ ଅନୁପ୍ରବେଶ କରିଛି। ବିବାଦୀୟ ଅଂଚଳରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହିତ ପଂଚାୟତ ଗୃହ, ଅଂଗନବାଡ଼ି କେନ୍ଦ୍ର ଓ କୃଷକ ଭବନ ଗୃହର ଭୂମିପୂଜନ କରିଛନ୍ତି।

    ଆନ୍ଧ୍ରପ୍ରଦେଶର ପାର୍ବତୀପୁରମ୍‌ ପାର୍ବତୀପୂରମ ପିଓ ଆଇଟିଡିଏ ଆର.କୁର୍ମାନାଥ, ପାର୍ବତୀପୁରମ ବିଡିଓ ଜି.ପାର୍ବତୀ ଓ ଡିଏସପି ଜି.ସୁବାସ  କୋଟିଆ ଅଂଚଳକୁ ଆସି  ଏକାଧିକ ବିକାଶମୂଳକ କାର୍ଯ୍ୟ ପାଇଁ ଶିଳାନ୍ୟାସ କରିଥିଲେ। ଆନ୍ଧ୍ରର ଜବରଦଖଲ ପରେ କୋରାପୁଟ ଜିଲ୍ଲାପାଳ ଅବଦ୍ଦଲ ଏମ. ଅଖତର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ଏକ ସଂସ୍ଥା ନିଜର ଲୋକପ୍ରିୟତା ହାସଲ କରିବା ପାଇଁ କେତୋଟି ଗଛ ଲଗାଇଛି। ଓଡ଼ିଶାରେ ଘର ଠିଆ କରିବା ସହଜ ନୁହେଁ। ଏଥି ପାଇଁ ଆମେ ସତର୍କ ରହିଛୁ। ସମୟ ଆସିଲେ ଉଚିତ ଜବାବ ଦିଆଯିବ।

    ଲୁଚିଛପି ବିକାଶମୂଳକ କାମ

    ତିନି ଦିନ ପୂର୍ବରୁ ଅର୍ଥାତ ଚଳିତ ମାସ ୧୬ ତାରିଖ ଦିନ ଆନ୍ଧ୍ର ସରକାର କୋଟିଆ ଗ୍ରାମପଂଜରେ ଏକାଧିକ ପ୍ରକଳ୍ପ ନିର୍ମାଣ ପାଇଁ ଶିଳାନ୍ୟାସ କରିବାକୁ ଯୋଜନା ରଖିଥିଲେ। ଏହି ଖବର ଜଣାପଡ଼ିବା ପରେ ବିଜେଡି, ବିଜେପି ଓ କଂଗ୍ରେସ ସମେତ କୋରାପୁଟ ଜିଲ୍ଲାର ଅନ୍ୟ ଦଳର ନେତା ଏକଜୁଟ ହୋଇଥିଲେ। ଓଡ଼ିଶାର ନେତାଙ୍କ ମେଳି ଦେଖି ଆନ୍ଧ୍ରପ୍ରଦେଶର ନେତା ଓ ସରକାରୀ ଅଧିକାରୀ କେହି କୋଟିଆକୁ ଆସିବା ପାଇଁ ସାହାସ କରି ନଥିଲେ। କିନ୍ତୁ ଏବେ ସୁଯୋଗ ଦେଖି ଆନ୍ଧ୍ରର ଅଧିକାରୀମାନଙ୍କ ଉପସ୍ଥିତିରେ ବିକାଶମୂଳକ କାର୍ଯ୍ୟ ଆରମ୍ଭ ହୋଇଯାଇଛି, ଯାହାକୁ ଓଡ଼ିଶାବାସୀ ତୀବ୍ର ନିନ୍ଦା କରିଛନ୍ତି।

    ବିରୋଧକୁ ନାହିଁ ଖାତିର

    ସର୍ବଦଳୀୟ ନେତାମାନେ ୧୬ ତାରିଖରେ ମିଳିତ ସ୍ୱରରେ କହିଥିଲେ ଯେ, ‘ମରିବୁ ପଛେ କୋଟିଆର ଇଞ୍ଚେ ଜମି ଛାଡ଼ିବୁ ନାହିଁ’।  କୋଟିଆର ସୀମାନ୍ତ ଫାଟୁ ସିନେରୀରେ ସର୍ବଦଳୀୟ ନେତାମାନେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରବଳ ବିରୋଧ କରିଥିଲେ। ବିଶୃଙ୍ଖଳାକୁ ଆଖି ଆଗରେ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ରାସ୍ତାରେ ବାରିକେଡ଼ କରାଯାଇ ରାସ୍ତା ସିଲ କରାଯାଇଥିଲା କିନ୍ତୁ ଏବେ ଆନ୍ଧ୍ର କୋଟିଆରେ ଅନୁପ୍ରବେଶ କରିବା ସମୟରେ ଏହି ରାଜନେତାମାନଙ୍କର ଭେଟ ନାହିଁ। କିନ୍ତୁ ନେତାମାନେ ପୁଣି ଆନ୍ଦୋଳନକୁ ବାହାରି ପାରନ୍ତି। ସେହି ଦିନ ଓଡ଼ିଆ ନେତାମାନଙ୍କର ଏକତ୍ରିକରଣ ଯୋଗୁଁ ଆନ୍ଧ୍ର ଅଧିକାରୀ ଅଥବା ସାଲୁରୁ ବିଧାୟକ ବିଡ଼ିକା ରାଜନ ଦୋରା ଆସି ନଥିଲେ।

    ସ୍ଥାନୀୟ ଲୋକଙ୍କ ସମର୍ଥନ

    କୋଟିଆ ବିବାଦ କମ୍‌ ଦିନର ନୁହେଁ। ଏହି ବିବାଦ ଦୀର୍ଘ ଦିନରୁ ଲାଗି ରହିଛି। ସ୍ଥାନୀୟ ଲୋକେ ଆନ୍ଧ୍ର ସରକାରଙ୍କୁ ସମର୍ଥନ ଦେଉଥିବାରୁ ବିବାଦ ଲାଗି ରହୁଥିବା ଅଭିଯୋଗ ହେଉଛି। କୋଟିଆର ଲୋକେ ଆନ୍ଧ୍ର ପ୍ରଦେଶ ଉପରେ ଅଧିକାଂଶ ନିର୍ଭରଶୀଳ। ଆନ୍ଧ୍ର ସରକାରଙ୍କ ଯୋଜନାରୁ ମଧ୍ୟ ସେମାନେ ଉପକୃତ ହେଉଛନ୍ତି। ତେଣୁ ବିବାଦର ସମାଧାନ ହୋଇପାରୁ ନାହିଁ। 

    LEAVE A REPLY

    Please enter your comment!
    Please enter your name here