କୃଷକ ଦିବସ: ସମସ୍ୟା ଘେରରେ ଚାଷୀ

    0
    205

    ଭୁବନେଶ୍ବର: ଭାରତ ଏକ କୃଷି ପ୍ରଧାନ ଦେଶ ଏବଂ ଆମ ଦେଶର ଅର୍ଥବ୍ୟବସ୍ଥାରେ କୃଷକମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହୁଛି। ପ୍ରତିବର୍ଷ ଡିସେମ୍ବର ୨୩ ତାରିଖକୁ ଜାତୀୟ କୃଷକ ଦିବସ ଭାବେ ପାଳନ କରାଯାଇଥାଏ। କୃଷକମାନେ ହେଉଛନ୍ତି ଆମ ଦେଶର ମାଂସପେଶୀ ଭିତରେ ଥିବା ଅସ୍ଥି, ଯିଏ କି ପୂରା ଦେଶବାସୀଙ୍କୁ ପେଟପୂରା ଖାଇବାକୁ ଯୋଗାଇଥାଏ। ଭାର‌ତରେ କୃଷକଙ୍କୁ ଅନ୍ନଦାତା ଓ ଧରିତ୍ରୀଙ୍କ ପୁଅ କୁହାଯାଇଥାଏ। ଚାଷୀ ‌ପାଣିପାଗକୁ ଖାତିର ନକରି ଖରା, ବର୍ଷା ଓ ଶୀତରେ ମଧ୍ୟ ଦିନରାତି କାମ କରିଥାଏ। ଚାଷୀମାନଙ୍କ ସମ୍ମାନରେ ପ୍ରତିବର୍ଷ କୃଷକ ଦିବସ ପାଳନ କରାଯାଇଥାଏ।

    ଖାଦ୍ୟ ଉତ୍ପାଦନ ‌ପାଇଁ ଦିନରାତି କାମ କରୁଥିଲେ ମଧ୍ୟ କୃଷକମାନେ ଏବେ ଅନେକଗୁଡ଼ିଏ ସମସ୍ୟା ଦେଇ ଗତି କରୁଛନ୍ତି। କୃଷକଙ୍କ ଆଗରେ ଜଳବାୟୁ ପରିବର୍ତ୍ତନ ମୁଖ୍ୟ କାରଣ ପାଲଟିଥିବା ବେଳେ ସରକାରୀ ସହାୟତାର ଅଭାବ ଦେଖାଯାଇଛି। ଜଳବାୟୁ ପରିବର୍ତ୍ତନ କାରଣରୁ ଚାଷୀମାନେ ଏବେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଠିକ୍‌ ସମୟରେ ଚାଷକାମ ଆରମ୍ଭ କରିପାରୁ ନାହାନ୍ତି। ସେହିପରି ଫସଲ ସଠିକ ଭାବେ ଉତ୍ପାଦନ କରିବା ପାଇଁ ଦରକାର ପଡୁଥିବା ସହାୟତା ସରକାର ଯୋଗାଇ ଦେଉନାହାନ୍ତି ବୋଲି ମଧ୍ୟ ଅଭିଯୋଗ ହୋଇଥାଏ। ଯେଉଁମ‌ାନେ ବଡ଼ ଚାଷୀ ନୁହେଁ, ସେମାନେ ବ୍ୟାଙ୍କରୁ ଋଣ ସହିତ ଅନ୍ୟ ସରକାରୀ ସହାୟତା ପାଇବା କ୍ଷେତ୍ରରେ ବ୍ୟାପକ ଅସୁବିଧାର ସାମ୍ନା କରିଥାନ୍ତି।

    ଓଡ଼ିଶାରେ କୃଷକ ଅବହେଳିତ
    ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ପଂଜାବ, ହରିୟାଣା, ଉତ୍ତରପ୍ରଦେଶ, ଛତିଶଗଡ଼ ତୁଳନାରେ ଓଡ଼ିଶାରେ କୃଷକଙ୍କ ଅବସ୍ଥା ବହୁତ ଖରାପ। ରାଜ୍ୟର ପଶ୍ଚିମ ଓ ଦକ୍ଷିଣ ଭାଗରେ ଜଳସେଚନ ବ୍ୟବସ୍ଥା ନାହିଁ। ଯଦିଓ କାଁଭାଁ ରହିଛି, ସେଗୁଡ଼ିକ ମଧ୍ୟରୁ ଅନେକଗୁଡ଼ିଏ ଅଚଳ ହୋଇ ପଡ଼ିଛି। ରାଜ୍ୟ ସରକାର ମଣ୍ଡିମାନଙ୍କରେ ଧାନ କିଣୁଛନ୍ତି ସତ। କିନ୍ତୁ ରାଜ୍ୟରେ ସରକାରୀ ଧାନ ଦର ସର୍ବାଧିକ ୨୧୫୦ ଟଙ୍କା ହୋଇଥିବା ବେଳେ ପଡ଼ୋଶୀ ଛତିଶଗଡ଼ରେ ୩୧୦୦ ଟଙ୍କା। ଏବେ ଫସଲ ଅମଳ ସମୟ ଆସିଛି। ଚାଷୀମାନେ ଧାନ ଅମଳ ପାଇଁ ବ୍ୟସ୍ତ ଥିବା ବେଳେ ହାତୀପଲ ଉତ୍ପାତ କରୁଛନ୍ତି। ବଲରେ ଧାନ ଜଗିଥିବା ଚାଷୀମାନେ ହାତୀ ଆକ୍ରମଣର ଶିକାର ହେଉଛନ୍ତି। କେବଳ ଧାନ ନୁହେଁ, ଡାଲି, ପନିପରିବା, ଫଳ ଓ ତୈଳ ଚାଷ ବହୁ ପରିପାଣରେ ହ୍ରାସ ପାଇଛି। ଶୀତଳଭଣ୍ଡାରର ବ୍ୟାପକ ସୁବିଧା ନଥିବାରୁ ଚାଷୀ ଅଭାବୀ ବିକ୍ରିର ସାମ୍ନା କରିଥାନ୍ତି। ସବୁଠାରୁ ଦୁର୍ଭାଗ୍ୟର କଥା ହେଲା ଯେ, ଯୁପପିଢ଼ି ଚାଷ ପ୍ରତି ମୁହଁ ଫେରାଇ ଯୁବକମାନେ ଦାଦନ ଖଟିବାକୁ ଯାଉଛନ୍ତି।

    କୃଷକ ଦିବସର ଇତିହାସ

    ଭାରତରେ ପ୍ରତିବର୍ଷ ଡିସେମ୍ବର ୨୩କୁ କୃଷକ ଦିବସ ପାଳନ କରାଯାଇଥାଏ। ଦେଶର ୫ମ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କ ଜୟନ୍ତୀ ଅବସରରେ ଜାତୀୟ କୃଷକ ଦିବସ ପାଳନ ହୋଇଥାଏ। ସେ ୧୯୭୯ରୁ ୧୯୮୦ ମଧ୍ୟରେ ଦେଶର ପ୍ରଧାନମନ୍ତ୍ରୀ ଥିଲେ। କିନ୍ତୁ କମ୍‌ ଦିନ ପାଇଁ ପ୍ରଧାନମନ୍ତ୍ରୀ ଥିଲେ ବି କୃଷକଙ୍କ କଲ୍ୟାଣ ପାଇଁ ଏକାଧିକ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ। କୃଷକମାନଙ୍କୁ ସଶକ୍ତ କରିବା ଲାଗି ଅନେକ ଆଇନ ଓ ନୀତି ପ୍ରସ୍ତୁତ କରିଥିଲେ। ୨୦୦୧ରେ ଭାରତ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କ ସମ୍ମାନରେ ଡିସେମ୍ବର ୨୩କୁ କୃଷକ ଦିବସ ଘୋଷିତ କରିଥିଲେ।

    କୃଷକ ଦିବସର ଗୁରୁତ୍ବ

    ଖାଦ୍ୟ ବିନା ପ୍ରାଣମାନେ ବଞ୍ଚିବା ସମ୍ଭବ ନୁହେଁ। ମନୁଷ୍ୟ କ୍ଷେତ୍ରରେ ଏହା ଅଧିକ ପ୍ରଯୁଜ୍ୟ। କୃଷକମାନେ ହେଉଛନ୍ତି ଅନ୍ନଦାତା। କୃଷକ ନିଜେ ଖଟି ଅନ୍ୟକୁ ଖାଦ୍ୟ ଯୋଗାଇଥାଏ। ଭାରତର କୃଷିପ୍ରଧାନ ରାଜ୍ୟଗୁଡ଼ିକରେ କୃଷକ ଦିବସ ପାଳନ କରାଯାଇଥାଏ। ଉତ୍ତରପ୍ରଦେଶ, ହରିୟାଣା, ପଂଜାବ ଓ ମଧ୍ୟପ୍ରଦେଶରେ କୃଷକ ଦିବସକୁ ପାଳନ କରାଯାଇଥାଏ। ଏହି ଦିନରେ ଏକାଧିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ। ଚାଷୀଙ୍କୁ ନିଜର ଦାବି ରଖିବାକୁ ସୁଯୋଗ ମଧ୍ୟ ମିଳିଥାଏ। କୃଷକ ଦିବସ କେବଳ ଭାରତ ନୁହେଁ। ବରଂ ଅନ୍ୟ ଦେଶରେ ମଧ୍ୟ ପାଳିତ ହୋଇଥାଏ। ଆମେରିକା, ଘାନା, ଭିଏତନାମା ଓ ପାକିସ୍ତାନରେ ମଧ୍ୟ କୃଷକ ଦିବସ ପାଳିତ ହୋଇଥାଏ।

    LEAVE A REPLY

    Please enter your comment!
    Please enter your name here