ଆଜାଦୀ କା ଅମୃତ ମହୋତ୍ସବ

    0
    371

    ଭୁବନେଶ୍ବର: ଭାରତ ୭୫ତମ ସ୍ବାଧୀନତା ଦିବସ ପାଳନ କରୁଛି। ଏଥି ପାଇଁ ପ୍ରାୟ ୧ ବର୍ଷ ହେଲା ପ୍ରସ୍ତୁତି ଚାଲିଛି। କେନ୍ଦ୍ର ସରକାରଙ୍କ ଉଦ୍ୟମରେ ’ଆଜାଦୀ କା ଅମୃତ ମହୋତ୍ସବ’ ପାଳନ ହେଉଛି। ସେହିପରି ଗତ ୨ ତାରିଖ ଠାରୁ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଚାଲିଛି। ସ୍ବାଧୀନତାର ଏହି ପର୍ବ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏହାରି ମଧ୍ୟରେ ଦେଶର ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ୍ ଇଣ୍ଡିଆ (ଏଏସ୍ଆଇ) ଅଧୀନରେ ସଂରକ୍ଷିତ ସମସ୍ତ ସ୍ମାରକରେ ଅଗଷ୍ଟ ୫ରୁ ଅଗଷ୍ଟ ୧୫ ମଧ୍ୟରେ ପ୍ରବେଶ ଶୁଳ୍କ ନିଆଯିବ ନାହିଁ। ସରକାର ଏହି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି।

    ପରାଧୀନ ଭାରତରେ ଦେଶର ଜନତା ବହୁ ନିର୍ଯାତିତ ହୋଇଥିଲେ। ଇଂରେଜ ପ୍ରଶାସକମାନେ ଭାରତୀୟମାନଙ୍କୁ ବହୁତ କଷ୍ଟ ଦେଉଥିଲେ। ସ୍ବାଧୀନତା ସଂଗ୍ରାମୀମାନେ ହିଁ ପରାଧୀନ ଯନ୍ତ୍ରଣା କେତେ କଷ୍ଟ ଜାଣିଛନ୍ତି। ସ୍ବାଧୀନ ଭାରତରେ ବଢ଼ିଥିବା ଲୋକେ ଏହାର ମୂଲ୍ୟ ବୁଝିପାରିବେ ନାହିଁ। କିନ୍ତୁ ସରକାର ସ୍ବାଧୀନତା ପାଇଁ ହୋଇଥିବା ସଂଗ୍ରାମକୁ ମନେ ପକାଇ ଦେବା ପାଇଁ ‘ଆଜାଦୀ କା ଅମୃତ ମହୋତ୍ସବ’ ଓ ‘ହର ଘର ତ୍ରିରଙ୍ଗା’ ଭଳି ଅଭିଯାନ ଚଳାଇଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଙ୍ଗଳବାର କହିଛନ୍ତି ଯେ, ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ବିଶ୍ୱ ପାଇଁ ଏକ ବାର୍ତ୍ତା ହେବ । ଭାରତର ବିକାଶ ଯାତ୍ରା, ସମ୍ମାନ, ସୁରକ୍ଷା ଓ ସଂସ୍କୃତିରେ ସମସ୍ତ ଭାରତୀୟଙ୍କ ଭୂମିକା ରହିଛି ବୋଲି ଜଣାପଡ଼ିବ । ଦେଶର ପ୍ରତ୍ୟେକ ଘରେ ତ୍ରିରଙ୍ଗା ଲାଗିବା ଦ୍ୱାରା ବିଶ୍ୱବାସୀଙ୍କ ପାଇଁ ଏକ ଭଲ ବାର୍ତ୍ତା ପ୍ରେରଣ ହେବ ।

    ଉତ୍ତର ପ୍ରଦେଶରେ ଛୁଟି ବାତିଲ

    ୭୫ତମ ସ୍ବାଧୀନତା ଦିବସ ପାଇଁ ଉତ୍ତର ପ୍ରଦେଶ ସରକାର ସ୍ବତନ୍ତ୍ର ପ୍ରସ୍ତୁତି କରିଛନ୍ତି। ରାଜ୍ୟରେ ଅଗଷ୍ଟ ୧୧ରୁ ୧୭ ପର୍ଯ୍ୟନ୍ତ ଏକ ସପ୍ତାହ ପାଇଁ ସ୍ୱାଧୀନତା ସପ୍ତାହ ପାଳନ କରାଯିବ। ସମସ୍ତ ଘରେ ଓ ସରକାର, ଘରୋଇ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନ ତଥା ସର୍ବସାଧାରଣ ସ୍ଥଳୀରେ ଜାତୀୟ ପତାକା ଉଡିବ। ସ୍ୱାଧୀନତା ଦିବସ ଅବସରରେ ଉତ୍ତର ପ୍ରଦେଶରେ କୌଣସି ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ, ସରକାରୀ ଓ ଘରୋଇ କାର୍ଯ୍ୟାଳୟ ବନ୍ଦ ରିହବ ନାହିଁ ।  ସରକାର ୪.୨୬ କୋଟି ଘର ଓ ୫୦ ଲକ୍ଷ ସରକାରୀ ଓ ଘରୋଇ କାର୍ଯ୍ୟାଳୟରେ ଜାତୀୟ ପତାକା ‘ତ୍ରିରଙ୍ଗା’ ଉଡ଼ାଇବାକୁ ଲକ୍ଷ୍ୟ ରଖିଛନ୍ତି। ଯୋଗୀ ସରକାର ଏହାରି ମଧ୍ୟ ୩.୮୬ କୋଟି ଜାତୀୟ ପତାକା ପ୍ରସ୍ତୁତ କରିସାରିଛନ୍ତି। ରାଜ୍ୟ ସରକାରଙ୍କ ଏମ୍ଏସ୍ଏମ୍ଇ ବିଭାଗ ୨ କୋଟି ଜାତୀୟ ପତାକା ବିତରଣ କରିବ। ସେହିପରି ୨୦ ହଜାର ଏନଜିଓ ଓ ଘରୋଇ ସଂସ୍ଥା ଦ୍ୱାରା ୧.୧୫ କୋଟି ପତାକା ପ୍ରସ୍ତୁତ କରାଯିବ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଉଦ୍ୟମରେ ୯୬ ଲକ୍ଷ ପତାକା ପ୍ରସ୍ତୁତ ହୋଇସାରିଛି। ଜିଲ୍ଲା ସ୍ତରରେ ୨.୨୬ କୋଟି ପତାକା ପ୍ରସ୍ତୁତ ହୋଇଛି । ସେହିପରି ଏନ୍ଜିଓ ଓ ୟୁପି ଖଦୀ ଓ ଗ୍ରାମଦ୍ୟୋଗ ଶିଳ୍ପ ୩୬.୪ ଲକ୍ଷ ତ୍ରିରଙ୍ଗା କରିଛି । ଘରୋଇ ସଂସ୍ଥା ଦ୍ୱାରା ୩.୩ ଲକ୍ଷ ତ୍ରିରଙ୍ଗା ସିଲେଇ କରାଯାଇଛି ।

    ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାର୍ତ୍ତା

    ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ନିଜର ସୋସିଆଲ ମିଡିଆ ପ୍ରୋଫାଇଲ ଫଟୋ ବଦଳାଇଛନ୍ତି । ସୋସିଆଲ ମିଡିଆ ପ୍ରୋଫାଇଲରେ ତ୍ରିରଙ୍ଗା ଫଟୋ ରଖିଛନ୍ତି। ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ନିକଟରେ ଅପିଲ କରିଛନ୍ତି ଯେ, ସମସ୍ତ ଭାରତୀୟ ସେମାନଙ୍କର ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ପ୍ରୋଫାଇଲ ଫଟୋ ଭାବେ ତ୍ରିରଙ୍ଗାକୁ ରଖନ୍ତୁ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ସୋସିଆଲ ମିଡିଆର ପେଜରେ ମୁଁ ମୋର ‘ଡିପି’ ବଦଳାଇଛି । ଆପଣ ମଧ୍ୟ ଡିପି ବଦଳାନ୍ତୁ ପ୍ରଧାନମନ୍ତ୍ରୀ ଅପିଲ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ରବିବାର କହିଥିଲେ ଯେ, ଦେଶର ୭୫ତମ ସ୍ୱାଧୀନତା ଦିବସ ଅବସରରେ ଅଗଷ୍ଟ ମାସ ୨ରୁ ୧୫ ତାରିଖ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ ଘରେ ଜାତୀୟ ପତାକା ଉଡାନ୍ତୁ । ‘ହର ଘର ତ୍ରିରଙ୍ଗା’ ଅଭିଯାନକୁ ସଫଳ ରୂପ ଦିଅନ୍ତୁ । 

    LEAVE A REPLY

    Please enter your comment!
    Please enter your name here