ଅସୁରକ୍ଷିତ ଯାତ୍ରା ବିପଦ 

    0
    241

    ଭୁବନେଶ୍ବର: ଶିବଙ୍କୁ ଆରାଧନା ପାଇଁ ଶ୍ରାବଣ ହେଉଛି ଶ୍ରେଷ୍ଠ ମାସ। ପବିତ୍ର ଓ ଉତ୍ସର୍ଗୀକୃତ ମନରେ ଶିବଙ୍କୁ ପୂଜା କରିବା ଶିବଭକ୍ତଙ୍କ ପାଇଁ ଏହି ମାସ ଅପୂର୍ବ ସୁଯୋଗ ଆଣିଥାଏ। ଚଳିତ ବର୍ଷ ୨ଟି ଶ୍ରାବଣ ମାସ ପଡୁଛି। ଶିବଙ୍କୁ ସନ୍ତୁଷ୍ଟ କରି ଆଶୀର୍ବାଦ ପାଇବା ଆଶାରେ ସୋମବାର ଦିନଗୁଡ଼ିକରେ ଶିବାଳୟଗୁଡ଼ିକରେ ଭକ୍ତମାନେ ଗହଳି ଲଗାଉଛନ୍ତି। ହର ହର ମହାଦେବ…, ବୋଲ୍ ବମ୍… ଶବ୍ଦରେ ମନ୍ଦିର ଓ ରାସ୍ତାଘାଟ କମ୍ପିଉଠୁଛି। ଶହ ଶହ କିଲୋମିଟର ଅତିକ୍ରମ କରି ଶିବଭକ୍ତମାନେ ବିଭିନ୍ନ ସ୍ଥାନରୁ ପାଣି ଭାର ନେଇ ଶିବ ମନ୍ଦିରରେ ପହଞ୍ଚୁଛନ୍ତି। କାଉଡ଼ିଆ ବ୍ୟତୀତ ଅନ୍ୟ ଭକ୍ତମାନେ ମଧ୍ୟ ମହାଦେବଙ୍କୁ ଜଳଲାଗି କରୁଛନ୍ତି।

    ଶିବଭକ୍ତମାନେ ଯେତେବେଳେ ଶିବାଳୟ ଅଭିମୁଖେ ବାହାରନ୍ତି, ସେମାନଙ୍କ ମନ ଓ ଳୟ ଶିବଙ୍କ ଉପରେ ଥାଏ। ଦିନରାତି ଚାଲିଚାଲି କେତେଙ୍କ ପାଦ ଖଣ୍ଡିଆ ହୋଇଯାଇଥାଏ। ଅନେକ ବୋଲବମ୍ ଭକ୍ତ ଥକି ପଡ଼ିଥାନ୍ତି। ଜ୍ବରର ସାମ୍ନା କରନ୍ତି। ଦରକାର ପଡ଼ିଲେ ମେଡିକାଲରେ ଭର୍ତ୍ତି ହୁଅନ୍ତି। ତଥାପି ସେମାନେ ଶିବ ଲିଙ୍ଗରେ ଜଳଲାଗି କରିବାକୁ ଭୁଲନ୍ତି ନାହିଁ। ମନ ଓ ଧ୍ୟାନ କେବଳ ଶିବଙ୍କ ଉପରେ ଥିବାରୁ ସେମାନେ ଦୁର୍ଘଟଣାର ସାମ୍ନା ମଧ୍ୟ କରନ୍ତି। ରାସ୍ତାରେ ଗାଡ଼ି ଧକ୍କାର ସାମ୍ନା କରିବା ଓ ପାଣି ଭସାଇ ନେବା କଥା ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି। ଅବହେଳା ଲାଗି ଦୁର୍ଘଟଣା ଯୋଗୁଁ ଅନେକ ଶିବଭକ୍ତଙ୍କର ମୃତ୍ୟୁ ମଧ୍ୟ ହୋଇଛି।

    କାଉଡିଆଙ୍କ ଉପରେ ଚଢ଼ିଗଲା ଟ୍ରକ୍

    ଦିଲ୍ଲୀ ପାର୍ଶ୍ବରୁ ଉତ୍ତରାଖଣ୍ଡର ପ୍ରସିଦ୍ଧ ଶୈବପୀଠ ହରିଦ୍ବାର ଅଭିମୁଖେ ଯାଉଥିବା ଶିବଭକ୍ତମାନେ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି। ଦ୍ରୁତଗାମୀ ଟ୍ରକ୍ ଧକ୍କାରେ ବୁଧବାର ରାତିରେ ୪ ଜଣ କାଉଡ଼ିଆଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୧୫ ଜଣ ଆହତ ହୋଇଛନ୍ତି। ଜାତୀୟ ରାଜଧାନୀ ଦିଲ୍ଲୀ ଅନ୍ତର୍ଗତ ଜି. ଟି. କର୍ଣ୍ଣାଲ୍ ରୋଡ୍ରେ ଦୁଇଟି ଟ୍ରକ୍ ପରସ୍ପର ସହିତ ଧକ୍କା ଖାଇବାରୁ ଦୁର୍ଘଟଣା ଘଟିଥିବା ପୁଲିସ କହିଛି। ଗୋଟିଏ ଟ୍ରକ୍ରେ ୨୦ ଜଣ କାଉଡ଼ିଆ ଯାଉଥିଲେ। ଅନ୍ୟ ଟ୍ରକଟି ନିୟନ୍ତ୍ରଣ ହରାଇ ଡିଭାଇରରେ ପିଟି ହୋଇଥିଲା। ପରେ ସେ କାଉଡିଆଙ୍କ ଟ୍ରକ୍ରେ ପିଟି ହୋଇଥିଲା।  

    ବିଦ୍ୟୁତ ତାର ଲାଗି ୧୦ ମୃତ

    ଗତବର୍ଷ ପଶ୍ଚିମବଙ୍ଗର କୂଚ୍ବିହାର୍ରେ ଏକ ପିକ୍ଅପ୍ ଭ୍ୟାନ୍ ବିଦ୍ୟୁତ୍ ପ୍ରବାହିତ ହେବାରୁ ପ୍ରାୟ ୧୦ଜଣ କାଉଡ଼ିଆଙ୍କର ମୃତ୍ୟୁ ଘଟିଥିବା ବେଳେ ୧୯ଜଣ ଆହତ ହୋଇଥିଲେ। ଯାତ୍ରୀମାନଙ୍କୁ ନେଇ ପିକ୍ଅପ୍ ଭ୍ୟାନ୍ଟି ଜଲ୍ପେଶ ଅଭିମୁଖେ ଯାଉଥିଲା। ଅଘଟଣ ପରେ ଆହତ ଯାତ୍ରୀମାନଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା। ଉନ୍ନତ ଚିକିତ୍ସା ନିମନ୍ତେ ସେଠାରୁ ୧୬ଜଣଙ୍କୁ ଜଳପାଇଗୁଡ଼ି ହସ୍ପିଟାଲ୍କୁ ରେଫର୍ କରାଯାଇଛି। ପୁଲିସ କହିବା ଅନୁସାରେ, ସମ୍ଭବତଃ ଭ୍ୟାନ୍ରେ ‘ଡିଜେ ସିଷ୍ଟମ୍’ ଚାଲିବା ପାଇଁ ଥିବା ଜେନେରେଟର୍ ତାରରେ କୌଣସି ତ୍ରୁଟି ଥିବାରୁ ଅଘଟଣ ଘଟିଥିଲା।  

    ଗତବର୍ଷ ଓଡ଼ିଶାରେ ୨ କାଉଡ଼ିଆ ମୃତ୍ୟୁ

    ଶ୍ରାବଣ ମାସରେ ଗତବର୍ଷ ରାଜ୍ୟରେ ଏକାଧିକ ଅଘଟଣ ଘଟିଥିଲା, ଯେଉଁଥିରେ କି କାଉଡ଼ିଆମାନଙ୍କର ମୃତ୍ୟୁ ହୋଇଥିଲା। ଢେଙ୍କାନାଳ ଜିଲ୍ଲା ପରଜଂଗ ଥାନା କୂଆଳୋ ନିକଟସ୍ଥ ରେଙ୍ଗାଳି ବାମପାର୍ଶ୍ବ କେନାଲରୁ ନିଖୋଜ ହୋଇଥିବା କାଉଡ଼ିଆଙ୍କର ମୃତ୍ୟୁ ହୋଇଥିଲା। ସୁନ୍ଦରଗଡ଼ ଜିଲ୍ଲା ରାଜଗାଗଂପୁର ନିକଟ ଘୋଘରଧାମ ଶିବଲିଙ୍ଗରେ ଜଳଲାଗି ପାଇଁ ଆସିଥିବା ଛତିଶଗଡ଼ର ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିଲା। ସେହିପରି କେନ୍ଦୁଝର ଜିଲ୍ଲା କୁଶଳେଶ୍ବରଙ୍କ ପୀଠକୁ ପାଣି ଢାଳିବାକୁ ଆସିଥିବା ବେଳେ ୩ ଜଣ କାଉଡ଼ିଆ ପାଣିରେ ଭାସି ଯାଇଥିଲେ। ସ୍ଥାନୀୟ ସ୍ବେଚ୍ଛାସେବୀମାନେ ସେମାନଙ୍କୁ ପାଣିରୁ ଉଦ୍ଧାର କରିଥିଲେ।

    LEAVE A REPLY

    Please enter your comment!
    Please enter your name here