ଅଭିଭାବକଙ୍କ ଆକ୍ରୋଶର ଶିକାର ହେଉଛନ୍ତି ସନ୍ତାନ

0
184

ଭୁବନେଶ୍ବର: ଆର୍ଟିଫିସିଆଲ ଏଥିକ୍ସ ବିଶେଷଜ୍ଞ, ଡାଟା ସାଇଣ୍ଟିଷ୍ଟ ଓ ଷ୍ଟାର୍ଟଅପ୍ କଂପାନି ମାଇଣ୍ଡଫୁଲ ଏଏଆଇ ପ୍ରୟୋଗଶାଳାର ପ୍ରତିଷ୍ଠାତା ଓ କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ସେଠ (୩୯) ନିଜର ୪ ବର୍ଷ ବୟସର ନିଷ୍ପାପ ଶିଶୁପୁତ୍ରକୁ ଗୋଆରେ ଏକ ହୋଟେଲରେ ହତ୍ୟା କରି ମୃତଦେହକୁ କର୍ଣ୍ଣାଟକର କୌଣସି ପରିତ୍ୟକ୍ତ ସ୍ଥାନରେ ଫିଙ୍ଗିବା ଅଭିଯୋଗରେ ଗିରଫ ହୋଇ ଜେଲରେ ଅଛନ୍ତି। ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟଣାକୁ ନେଇ ଦେଶ-ବିଦେଶରେ ଚର୍ଚ୍ଚା ହୋଇଥିବା ବେଳେ ବେଳେ ଓଡ଼ିଶାରେ ମଧ୍ୟ ନିଜ ସନ୍ତାନକୁ ହତ୍ୟା କରି ଦୋଷୀ ଅଭିଭାବକ ଜେଲଦଣ୍ଡ ଭୋଗୁଛନ୍ତି।

ଅବୈଧ ସଂପର୍କରୁ ପିଲା ଜନ୍ମକରିବା ଆଜିକାଲି ଏକ ସାଧାରଣ ଖବର ପାଲଟିଯାଇଛି। ରାସ୍ତାକଡ଼, ହସ୍‌ପିଟାଲ ପଛପଟ ଓ ପରିତ୍ୟକ୍ତ ସ୍ଥାନରୁ ନିଷ୍ପାପ ଶିଶୁଙ୍କୁ ଉଦ୍ଧାର କରାଯାଉଛି। ତେବେ ମନରେ ପ୍ରଶ୍ନ ଉଠେ ଯେ, ପରିତ୍ୟକ୍ତ ସ୍ଥାନକୁ ନବଜାତ ଆସୁଛି କେମିତି? ଜନ୍ମଦାତ୍ରୀ ଅଥବା ତାଙ୍କର କେହି ଘନିଷ୍ଠଙ୍କ ଦ୍ବାରା ଅପରିଚିତ ସ୍ଥାନକୁ ନବଜାତ ଆସୁଥିବା ସୁନିଶ୍ଚିତ। କେନ୍ଦୁଝର ଜିଲ୍ଲା ଚମ୍ପୁଆରେ ଗତ ରବିବାର ରାତି ୯ଟାରେ ଏଭଳି ଏକ ସମ୍ବେଦନଶୀଳ ଘଟଣା ଚର୍ଚ୍ଚାର ବିଷୟ ହୋଇଥିଲା। ସେହିପରି ଗତମାସ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ୍‌ ଲାରିପାଲି ଗାଁର ଶ୍ରୀରାମବୁଢ଼ା ଜଙ୍ଗଲର ଏକ ବୋର୍‌ୱେଲ୍‌ରେ ନବଜାତ ଶିଶୁକନ୍ୟାକୁ ପକାଇ ମା’ ପଳାଇଥିଲା, ଯାହା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।

ସନ୍ତାନଙ୍କୁ ମାରି ବାପା-ମା ଜେଲ ଗଲେ

ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳରେ ୨୦୨୧ ଜୁଲାଇ ୧୭ରେ ଘଟିଥିଲା ଏକ ଲୋମହର୍ଷଣକାରୀ ଘଟଣାରେ ଅଲିଭା ଗ୍ରାମର ଏସ୍‌ ଭାଗ୍ୟଲକ୍ଷ୍ମୀ ପାତ୍ରକୁ ଅତିରିକ୍ତ ଜିଲ୍ଲ ଦୌରାଜଜ୍‌ ଦିଲ୍ଲୀପ କୁମାର ବିଶ୍ଵାଳ ୮ ବର୍ଷ ସଶ୍ରମ କାରାଦଣ୍ଡ ସହ ୨ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପତ୍ନୀକୁ ନିର୍ଯାତନା ଦେବା ଏବଂ ଆତ୍ମହତ୍ୟା କରିବାକୁ ବାଧ୍ୟ କରିବା ଅଭିଯୋଗରେ ସ୍ବାମୀ ଏମ୍‌.ରାଜେଶ ପାତ୍ରକୁ ୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଭାଗ୍ୟଲକ୍ଷ୍ମୀ ନିଜ ୯ ବର୍ଷର ଝିଅ ବୈଷ୍ଣବୀ ଏବଂ ୪ ବର୍ଷର ପୁଅ ଯୁବରାଜଙ୍କୁ କୂଅରେ ଠେଲି ହତ୍ୟା କରିଥିଲା। ସ୍ବାମୀ ରାଜେଶର ପରକୀୟା ପ୍ରୀତିକୁ ନେଇ ଭାଗ୍ୟଲକ୍ଷ୍ମୀ ପ୍ରତିବାଦ କରିବାକୁ ନେଇ ଉଭୟଙ୍କ ମଧ୍ୟରେ କଳହ ଲାଗିଥିଲା। ରାଜେଶର ନିର୍ଯାତନାରେ ଅତିଷ୍ଠ ହୋଇ ଭାଗ୍ୟଲକ୍ଷ୍ମୀ ନିଜ ଶିଶୁପୁତ୍ର ଓ କନ୍ୟାକୁ ନେଇ କୂଅ‌ରେ ଠେଲି ଦେଇ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିଲା। ଏହି ଘଟଣା ସେତେବେଳେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।

ହତ୍ୟା କଲେ, ଭିନ୍ନ ରୂପ ଦେଲେ

ଗତବର୍ଷ ନଭେମ୍ବର ୧୮ରେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅଧୀନ ହରିପୁର ନିକଟ ମୋରମୋରସିଂହ ଗାଁରେ ମା’ ଓ ପୁଅଙ୍କୁ ହତ୍ୟା ମାମଲାର ରାୟ ପ୍ରକାଶ ପାଇଥିଲା। ୨୦୧୫ ଜୁଲାଇ ୨୫ ତାରିଖରେ ମୋରମୋରସିଂହ ଗାଁରେ ମାମିନା ଜେନା ଓ ତାଙ୍କର ୩ ବର୍ଷର ପୁତ୍ର ସନ୍ତାନଙ୍କ ହତ୍ୟା ମାମଲାରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଅଜୟ କୁମାର ପ୍ରଧାନ ଉଭୟ ପକ୍ଷର ବାଦପ୍ରତିବାଦ ଓ ସାକ୍ଷ୍ୟ ପ୍ରମାଣ ଆଧାରରେ ମାମିନାଙ୍କ ସ୍ବାମୀ ତପନ ପ୍ରଧାନ (୪୨) ଓ ଶାଶୁ ପ୍ରମିଳା ପ୍ରଧାନ (୬୦)ଙ୍କୁ ମାମିନା ଓ ତାଙ୍କ ଶିଶୁପୁତ୍ରର ହତ୍ୟାରେ ଦୋଷୀ ସାବ୍ୟସ୍ତ କରିଥିଲେ। ୨୦୧୦ରେ ବୈଦିକ ରୀତିରେ ମାମିନା ଓ ତପନଙ୍କ ବିବାହ ହୋଇଥିଲା। ବୁଝାମଣା ଅନୁସାରେ, ଯୌତୁକ ବାବଦରେ ୪୦ ହଜାର ଟଙ୍କା  ନଗଦ, ସୁନା ଚେନ, ସୁନା ମୁଦି ଓ ଅନ୍ୟ ଆସବାବପତ୍ର ପ୍ରଦାନ କରିଥିଲେ। ତେବେ ବିବାହର କିଛି ଦିନ ପରଠାରୁ ଅଧିକ ଯୌତୁକ ଅର୍ଥ ଦାବି କରି ମାମିନା ଉପରେ ଅତ୍ୟାଚାର ଆରମ୍ଭ ହୋଇଯାଇଥିଲା। ‌ଶେଷରେ ୨୦୧୫ ଜୁଲାଇ ୨୫ ତାରିଖ ସକାଳୁ ତରୁଣ ପ୍ରଧାନ ଜଟଣୀ ବେଲପଡ଼ାରେ ପହଞ୍ଚି ଗତକାଲି ରାତି ଠାରୁ ମାମିନା ଓ ପୁଅ ଦୀପୁନ କେଉଁ ଆଡ଼େ ଚାଲିଯାଇଛନ୍ତି ବୋଲି କହିଥିଲେ।  ମୋରମୋରସିଂହ ନିକଟ ଜଙ୍ଗଲର ଏକ ଆକାଶିଆ ଗଛରେ ତାଙ୍କ ଝିଅ ଓନାତିର ମୃତଦେହ ଝୁଲୁଥିଲା। ଉଭୟଙ୍କୁ ମାରି ଦେବା ପରେ ଟାଙ୍ଗି ଦେଇ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଇଥିଲା।

ବଢୁଛି ପାରିବାରିକ ହିଂସା

ଗତ କିଛି ବର୍ଷ ହେଲା ଘରୋଇ ହିଂସା ବଢ଼ିବାରେ ଲାଗିଛି। ପାରିବାରିକ ସଂପତ୍ତି ଓ ପରକୀୟା ପ୍ରୀତି କାରଣରୁ ଲୋକେ ହିତାହିତଜ୍ଞାନ ଭୁଲିଯାଇ ନିଜ ରକ୍ତର ହତ୍ୟା କରୁଛନ୍ତି। ଯୁବ ପିଢ଼ି ସଂପତ୍ତି ପାଇବା ଆଶାରେ ନିଜ ବାପା, ମା’ ଭାଇ ଓ ଭଉଣୀଙ୍କୁ ଛାଡୁ ନାହାନ୍ତି। ସେହିପରି ସ୍ତ୍ରୀ ଓ ସନ୍ତାନ ପ୍ରତି ଥିବା କର୍ତ୍ତବ୍ୟକୁ ଭୁଲି ଯାଉଛନ୍ତି ସ୍ବାମୀ। ଏପରିକି ନିଷ୍ପାପ ଶିଶୁମାନେ ମଧ୍ୟ ବାପା-ମା’ଙ୍କର ଦ୍ବାରା ଶିକାର ହେଉଛନ୍ତି। ଶିକ୍ଷିତ ସମାଜରେ ଆଜିକାଲି ଅନେକଗୁଡ଼ିଏ ଅଭିଭାବକମାନେ ନିଜର ସନ୍ତାନର ମୁହଁ ଦେଖୁ ନାହାନ୍ତି।

LEAVE A REPLY

Please enter your comment!
Please enter your name here