ଦେହ ଥରାଇଲା ଡାକ୍ତରଙ୍କୁ ଦୁଷ୍କର୍ମ ଘଟଣା

0
215

କୋଲକାତାର ଆରଜି କର ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଦେଶରେ ନିଆଁ ଜଳୁଛି। ସ୍ବାସ୍ଥ୍ୟ ସେବା ବିଗିଡ଼ି ଯାଇଛି। ଭଗବାନଙ୍କ ଅବତାର କୁହାଯାଉଥିବା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଉଛି। ତେବେ ନବାଗତ ମହିଳାମାନେ ଏହି ପେଶାକୁ ନେଇ ଆଶଙ୍କା କରୁଛନ୍ତି। ମୋଟାମୋଟି ଭାବେ କହିବାକୁ ବେଳେ ଏହି ଘଟଣାକୁ ନେଇ ଦେଶବ୍ୟାପୀ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ କଠୋର ଦଣ୍ଡ ଦେବାକୁ ସମସ୍ତେ ଦାବି କରୁଛନ୍ତି।

ଏହାରି ମଧ୍ୟରେ ପୀଡ଼ିତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ପଢ଼ିଲେ ଅନୁମାନ କରାଯାଇପାରିବ ଯେ ଅଗଷ୍ଟ ୯ ତାରିଖ ରାତିରେ ଅଭିଯୁକ୍ତ ପୀଡ଼ିତାଙ୍କ ସହ କ’ଣ କରିଛି। ରିପୋର୍ଟ ଅନୁଯାୟୀ, ମୃତକଙ୍କ ଶରୀରରେ ୧୪ରୁ ଅଧିକ କ୍ଷତ ଚିହ୍ନ ରହିଛି।  ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ ମୃତକଙ୍କ ମୁଣ୍ଡ, ଗାଲ, ଓଠ, ନାକ, ଡାହାଣ ଚଉଡ଼ା, ଚିପୁଡ଼ି, ବେକ, ବାମ ହାତ, ବାମ କାନ୍ଧ, ବାମ ଆଣ୍ଠୁ, ଗୋଡ଼ ଓ ବ୍ୟକ୍ତିଗତ ଅଂଶରେ ଆଘାତ ଚିହ୍ନ ଦେଖିବାକୁ ମିଳିଛି। ଏଥିସହିତ ଶରୀରର ଆଭ୍ୟନ୍ତରୀଣ ଅଙ୍ଗରେ ମଧ୍ୟ ଆଘାତ ଲାଗିଛି।  ଫୁସଫୁସରେ ରକ୍ତ ଜମାଟ ସୃଷ୍ଟି ହୋଇଥିଲା। ଯୌନାଙ୍ଗ ଭିତରେ ଏକ ଧଳା ମୋଟା ସ୍ନିଗ୍ଧ ତରଳ ପଦାର୍ଥ ମଧ୍ୟ ମିଳିଥିଲା। ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ଦୁଇ ହାତରେ ଗଳା କାଟି ହତ୍ୟା କରିଥିଲେ। ଅଭିଯୁକ୍ତ ପୀଡ଼ିତାଙ୍କୁ ଅନେକ ଥର ଯୌନ ନିର୍ଯାତନା ଦେଇଥିଲେ। ଅଧିକ ବିଶ୍ଳେଷଣ ପାଇଁ ରକ୍ତ ଓ ଅନ୍ୟାନ୍ୟ ନମୁନା ପଠାଯାଇଛି।  

ସୁପ୍ରିମକୋର୍ଟଙ୍କ ରାୟକୁ ଅପେକ୍ଷା

ଦୁଷ୍କର୍ମ ଓ ହତ୍ୟା ଘଟଣାର ଅଭିଯୁକ୍ତ ସଞ୍ଜୟ ରାୟକୁ ଗିରଫ କରାଯାଇଛି। ସିବିଆଇ ପୂର୍ବତନ ମେଡିକାଲ କଲେଜ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ସମେତ ଅନେକ ଲୋକଙ୍କୁ ପଚରାଉଚରା କରୁଛି। ସୁପ୍ରିମକୋର୍ଟ ଏହି ମାମଲା ନେଇ ଅବଗତ ହୋଇଛନ୍ତି। ପୀଡିତାଙ୍କୁ ନେଇ ସୁପ୍ରିମକୋର୍ଟ ଅଗଷ୍ଟ ୨୦ରେ ଶୁଣାଣି କରିବେ। ସୁପ୍ରିମକୋର୍ଟଙ୍କ ଶୁଣାଣିଙ୍କୁ ଦେଶବାସୀ ଅପେକ୍ଷା କରିଛନ୍ତି।  ଦିଲ୍ଲୀ ସମେତ ଦେଶର ଅନେକ ରାଜ୍ୟରେ ରେସିଡେଣ୍ଟ ଡାକ୍ତରମାନେ ଧର୍ମଘଟରେ ଅଛନ୍ତି। ଡାକ୍ତରଙ୍କ ସୁରକ୍ଷା ପାଇଁ ଆଇନ ପ୍ରଣୟନ କରିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ହେଉଛି।

ହରିଆଣାରେ ଡାକ୍ତରୀ ଛାତ୍ରୀଙ୍କୁ ନିର୍ଯାତନା

କୋଲକାତା ଘଟଣାକୁ ନେଇ ଦେଶବ୍ୟାପୀ ଆନ୍ଦୋଳନ ଜାରି ଥିବା ବେଳେ ହରିଆଣାର ରୋହତକରେ ଥିବା ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (ପିଜିଆଇଏମ୍ଏସ୍)ର ଜଣେ ଛାତ୍ରୀଙ୍କୁ ଜଣେ ରେସିଡେଣ୍ଟ୍ ଡାକ୍ତର ଅପହରଣ କରି ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି।  ରୋହତକ ଡେପୁଟି ପୁଲିସ ଅଧୀକ୍ଷକ ବୀରେନ୍ଦ୍ର ସିଂ କହିଛନ୍ତି ଯେ ପିଜିଏମଏସର ପ୍ରଥମ ବର୍ଷର ବିଡିଏ ଛାତ୍ରୀ ରବିବାର ରାତିରେ ତାଙ୍କୁ ଏମଡି (ଆନାଟୋମି) ଡାକ୍ତର ଅପହରଣ କରି ଶାରୀରିକ ନିର୍ଯାତନା ଦେଇଥିବାର ଅଭିଯୋଗ କରିଛନ୍ତି। ଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ଅଗଷ୍ଟ ୧୬ ତାରିଖରେ ଅଭିଯୁକ୍ତ ତାଙ୍କୁ ପିଜିଆଇଏମ୍ଏସ୍ରୁ ଅପହରଣ କରି ଅମ୍ବାଲା ଏବଂ ଚଣ୍ଡିଗଡ଼କୁ ନେଇ ସେଠାରେ ତାଙ୍କୁ ଆକ୍ରମଣ କରିଥିଲା।  

ନର୍ସଙ୍କୁ ଦୁଷ୍କର୍ମ

ସେହିପରି ଉତ୍ତର ପ୍ରଦେଶର ମୁରାଦାବାଦରେ ଏକ ଘରୋଇ ହସ୍ପିଟାଲର ନର୍ସଙ୍କୁ ବାନ୍ଧି ଡାକ୍ତର ଦୁଷ୍କର୍ମ କରିଥିବାର ଅଭାବନୀୟ ଘଟଣା ମଧ୍ୟ ସାମ୍ନାକୁ ଆସିଛି।  ଦୁଷ୍କର୍ମ ଘଟଣା ନେଇ ଅଭିଯୋଗ ହେବାପରେ ପୀଡ଼ିତା ନର୍ସଙ୍କ ଡାକ୍ତରୀ ପରୀକ୍ଷା କରାଯାଇଛି। ହସ୍ପିଟାଲରେ ଚିକିତ୍ସିତ ହେଉଥିବାଛ ପୀଡ଼ିତା ନର୍ସଙ୍କ ବୟାନ ରେକର୍ଡ ହୋଇଛି। ପୀଡ଼ିତା ନର୍ସଙ୍କ ବାପା ପୁଲିସରେ ଅଭିଯୋଗ କରି କହିଛନ୍ତି, ‘ଠାକୁରଦ୍ବାରା-କାଶୀପୁର ରୋଡସ୍ଥିତ ଏବିଏମ ହସ୍ପିଟାଲରେ ମୋ ଝିଅ ଗତ ୧୦ ମାସ ହେବ କାମ କରି ଆସୁଥିଲା। ରାତି ଡିୟୁଟି ଥିବାରୁ ସେ ସବୁଦିନ ପରି ଗତ ଶନିବାର ରାତିରେ ଘରୁ କର୍ମକ୍ଷେତ୍ରକୁ ବାହାରି ଯାଇଥିଲା। ବିଳମ୍ବିତ ରାତିରେ ୱାର୍ଡ ବଏ ଜୁନୈଦ ଏବଂ ନର୍ସ ମେହନାଜ ମୋ ଝିଅକୁ ଆସି କହିଥିଲେ ଜରୁରୀ କାମ ଅଛି ସେଥିପାଇଁ ଡାକ୍ତର ଶାହନାୱାଜ ମଲିକ ଡାକୁଛନ୍ତି। ଝିଅ ବି ସେମାନଙ୍କ କଥାକୁ ବିଶ୍ବାସ କରି ଡାକ୍ତରଙ୍କ କୋଠରିକୁ ଯିବା ପରେ ସେ ସେଠାରେ ତାକୁ ବନ୍ଧକ ରଖି ଦୁଷ୍କର୍ମ କରିଥିଲେ। ଆଉ ଏହି ଘଟଣା ସମ୍ପର୍କରେ ଯଦି କାହାକୁ କିଛି ମୋ ଝିଅ ଜଣାଏ ତେବେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ। ଅଭିଯୋଗ କ୍ରମେ ଅଭିଯୁକ୍ତ ଡାକ୍ତର ଶାହନାୱାଜ ମଲିକଙ୍କୁ ପୁଲିସ ଗିରଫ କରି ୱାର୍ଡ ବଏ ଜୁନୈଦ ଏବଂ ନର୍ସ ମେହନାଜଙ୍କୁ ଅଟକ ରଖି ପଚରା ଉଚରା କରୁଛି।

ନିର୍ଭୟା କାଣ୍ଡ

ଦେଶରେ କୋଲକାତା ଭଳି ଦୁଷ୍କର୍ମ ଓ ହତ୍ୟା ଘଟଣା ୧୨ ବର୍ଷ ପୂର୍ବରୁ ଲୋକଲୋଚନକୁ ଆସିଛି। ଯଦିଓ ୨୦୧୨ରୁ ଏବଂ ପରେ ମଧ୍ୟ ଏହିଭଳି ଘଟଣା ଅନେକ ଘଟୁଛି, କିନ୍ତୁ ଲୋକଲଜ୍ଜା ଭୟରେ ଅନେକ ଚାପି ହୋଇଯାଉଛି। ଯାହା ସର୍ବସର୍ବସାଧାରଣ ସ୍ଥଳରେ ଘଟୁଛି, ତାହା ପଦାରେ ପଡୁଛି। ୨୦୧୨ ଦିଲ୍ଲୀ ଗଣଦୁଷ୍କର୍ମ ଓ ହତ୍ୟା ପୀଡିତାଙ୍କ ପ୍ରକୃତ ନାମ ହେଉଛି ଜ୍ୟୋତି ସିଂ। ଗଣମାଧ୍ୟମ ତାଙ୍କୁ ‘ନିର୍ଭୟା’ ଡାକନାମ ଦେଇଥିଲା। କାରଣ ଭାରତୀୟ ଆଇନ ବଳାତ୍କାର ପୀଡିତଙ୍କ ନାମ ବ୍ୟବହାର କରିବାକୁ ବାରଣ କରିଛି। ୨୦୧୨ ଡିସେମ୍ବର ୧୬ରେ, ୨୩ ବର୍ଷୀୟ ଫିଜିଓଥେରାପି ଇଣ୍ଟରନ୍ ଛାତ୍ରୀ ତାଙ୍କ ବନ୍ଧୁ ଅବନୀନ୍ଦ୍ର ପ୍ରତାପ ପାଣ୍ଡେଙ୍କ ସହ ଏକ ଘରୋଇ ବସ୍ରେ ଯାତ୍ରା କରୁଥିବାବେଳେ ଡ୍ରାଇଭର ଏବଂ ଅନ୍ୟ ପାଞ୍ଚ ଜଣ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ ଏବଂ ନିର୍ଯାତନା ଦେଇଥିଲେ। ଏହି ଆକ୍ରମଣରେ ତାଙ୍କୁ ବାଡ଼ିରେ ବାଡେଇବା, ବସ ପଛପଟକୁ ଟାଣିବା ଏବଂ ତାଙ୍କ ବ୍ୟକ୍ତିଗତ ଅଂଶରେ ଲୁହା ରଡ ଭର୍ତ୍ତି କରାଯାଇଥିଲା। ଡିସେମ୍ବର ୨୯ରେ ତାଙ୍କର ମୃତ୍ୟୁ ହୋଇଥିଲା। 

LEAVE A REPLY

Please enter your comment!
Please enter your name here