ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାନୁଷ୍ଠାନ

0
284

ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ ପାଇଁ ମତଦାନ ପ୍ରକ୍ରିୟା ଶେଷ ହେବାକୁ ଯାଉଥିବା ବେଳେ ଓଡ଼ିଶାରେ ରାଜନୀତି ଜୋର ଧରିଛି। ଏହାରି ମଧ୍ୟରେ ରାଜନୈତତିକ ହିଂସା ବଡ଼ ସମସ୍ୟା ପାଲଟିଛି। ଖଲିକୋଟ ଓ ବରଗଡ଼ରେ ଦୁଇ ଜଣଙ୍କ ହତ୍ୟା କରାଯାଇଛି। ସେହିପରି ଖୋର୍ଦ୍ଧା, ଅନୁଗୁଳ ଓ ଭଦ୍ରକ ଜିଲ୍ଲାରେ ହିଂସାତ୍ମକ ଗତିବିଧି ଦେଖାଯାଇଛି। ଏହି ନିର୍ବାଚନରେ ବିଜୟୀ ହୋଇ ବିଜୁ ଜନତା ଦଳ ୬ଷ୍ଠ ଥର କ୍ଷମତାକୁ ହାତେଇବାକୁ ଚାହୁଁଛି। ଅପରପକ୍ଷେ ରାଜ୍ୟ ସରକାରଙ୍କ ଦୋଷ ଦୁର୍ବଳତାକୁ ଆଧାର କରି ବିଜେପି ସରକାର ଗଢ଼ିବାକୁ ଉଦ୍ୟମ କରୁଛି। ବିଭିନ୍ନ ଗତିବିଧିକୁ ଆଧାର କରି ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ଏଥର ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।

ଭାରତୀୟ ନିର୍ବାଚନ କମିସନ ରାଜ୍ୟ ସରକାରଙ୍କ ବରିଷ୍ଠ ଆଇପିଏସ୍ ଡିଏସ୍ କୁଟ୍ଟେ, ବରିଷ୍ଠ ଆଇପିଏସ୍ ଆଶିଷ ସିଂହ ଓ ଆଇଏଏସ୍ ତଥା ବିଜେଡି ନେତା ଭିକେ ପାଣ୍ଡିଆନ୍ଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଡିଏସ୍ କୁଟ୍ଟେଙ୍କୁ ନିଲମ୍ବିତ ସହ ଦିଲ୍ଲୀରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ଆଶିଷ ସିଂହଙ୍କୁ ମେଡିକାଲ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ସୂଜାତା କାର୍ତ୍ତିକୟେନଙ୍କୁ କିଛି ଦିନ ପୂର୍ବରୁ ମିସନ ଶକ୍ତି ବିଭାଗରୁ ବଦଳି କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।  

କାର୍ଯ୍ୟାନୁଷ୍ଠାନର ଶିକାର ହେଲେ କୁଟ୍ଟେ

ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଥିବା ଡି.ଏସ୍ କୁଟ୍ଟେ ଓ ଆଇଜି(ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା) ଆଶିଷ ସିଂହ ନିର୍ବାଚନରେ ଅନୈତିକ ହସ୍ତକ୍ଷେପ କରୁଥିବା ସଂପର୍କରେ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ସୋମବାର ନିର୍ବାଚନ କମିସନଙ୍କୁ ରିପୋର୍ଟ ଦେଇଥିଲେ। ସମୟ ସମୟରେ କ୍ଷେତ୍ରସ୍ତରରୁ ନିଆଯାଇଥିବା ଇନ୍ପୁଟ ମଧ୍ୟ ଏହି ଅଭିଯୋଗକୁ ପ୍ରମାଣିତ କରିଥିଲା। ଏହାକୁ ଆଧାର କରି ଶ୍ରୀ କୁଟ୍ଟେଙ୍କୁ ନିଲମ୍ବିତ କରାଯାଇଛି। ଶ୍ରୀ କୁଟ୍ଟେଙ୍କ ନାଁରେ ଥିବା ଅଭିଯୋଗ ଫର୍ଦ୍ଦକୁ ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରିବା ଲାଗି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୩୦ ତାରିଖ ସୁଦ୍ଧା ମୁଖ୍ୟ ଶାସନ ସଚିବ ଚାର୍ଜସିଟ୍ ପ୍ରସ୍ତୁତ କରିବା ଲାଗି କୁହାଯାଇଛି।

ମେଡିକାଲ ରିପୋର୍ଟ ଦେବେ ଆଶିଷ ସିଂହ

ବରିଷ୍ଠ ପୁଲିସ ଅଧିକାରୀ ଆଶିଷ ସିଂହ ଗତ୪ ତାରିଖରୁ ସ୍ବାସ୍ଥ୍ୟ ସମସ୍ୟା ଦର୍ଶାଇ ଛୁଟିରେ ରହିଛନ୍ତି। ଆଶିଷ ସିଂହଙ୍କୁ ଏମ୍ସରେ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ କୁହାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଏମ୍ସ ଭୁବନେଶ୍ବର ପକ୍ଷରୁ ଏକ ସ୍ବତନ୍ତ୍ର ମେଡିକାଲ ବୋର୍ଡ ଗଠନ କରାଯିବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ମେଡିକାଲ ବୋର୍ଡ ଗଠନ ପାଇଁ ଏମ୍ସର ନିର୍ଦ୍ଦେଶକଙ୍କ ସହ ସମନ୍ବୟ ରକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୩୦ ତାରିଖ ସୁଦ୍ଧା ଶ୍ରୀ ସିଂହଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରି ୩୧ ତାରିଖ ସୁଦ୍ଧା କମିସନଙ୍କରୁ ରିପୋର୍ଟ ପଠାଇବା ଲାଗି କୁହାଯାଇଛି।

ସୁଜାତା କାର୍ତ୍ତିକ କାର୍ଯ୍ୟାନୁଷ୍ଠାନର ଶିକାର

ଏହା ପୂର୍ବରୁ ଗତ ୩ ତାରିଖରେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରିଣୀ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ଭାରତୀୟ ନିର୍ବାଚନ ଆୟୋଗ ବଦଳି ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୨୦୦୦ ବ୍ୟାଚ୍ର ଆଇଏଏସ୍ ଶ୍ରୀମତୀ କାତ୍ତିକେୟନଙ୍କୁ ମିସନ ଶକ୍ତି ସଚିବ ପଦରୁ ହଟାଇ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅବସ୍ଥାପିତ କରାଯାଇଛି।  ନିର୍ବାଚନ କମିସନଙ୍କ କଡ଼ା ଆଭିମୁଖ୍ୟ ଓ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ବିଜେଡି ନେତା ଭି.କେ ପାଣ୍ଡିଆନଙ୍କ ପତ୍ନୀ ଆଇଏଏସ୍ ସୁଜାତା କାର୍ତ୍ତିକେୟନଙ୍କୁ ବଦଳି କରିଛନ୍ତି। ଶ୍ରୀମତୀ କାର୍ତ୍ତିକେୟନ ନିଜର ପଦ ଓ କ୍ଷମତାର ଦୁରୂପଯୋଗ କରି ବିଜେଡିର ଏଜେଣ୍ଟ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ବିଜେପିର କେନ୍ଦ୍ରୀୟ ନେତୃତ୍ବ ଭାରତୀୟ ନିର୍ବାଚନ କମିସନଙ୍କ ଦିଲ୍ଲୀ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲା।    

LEAVE A REPLY

Please enter your comment!
Please enter your name here