ସମ୍ବଲପୁର: ପ୍ରଚଳିତ ପରମ୍ପରା ଅନୁସାରେ ନନ୍ଦୋତ୍ସବ ତିଥିରେ ଆଜି ସମ୍ବଲପୁର ବ୍ରହ୍ମପୁରା ମନ୍ଦିର ପରିସରରେ ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ଲଗ୍ନ ଧାର୍ଯ୍ୟ ହୋଇଛି। ଆସନ୍ତା ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତୁଳା ଲଗ୍ନରେ ରବିବାର ୮ ସେପ୍ଟେମ୍ବର ସକାଳ ୯ଟା୧୨ ମିନିଟରୁ ୯ଟା୨୭ ମିନିଟ ମଧ୍ୟରେ ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ନିକଟରେ ନବାନ୍ନ ଅର୍ପଣ ନିମନ୍ନେ ଲଗ୍ନଧାର୍ଯ୍ୟ କରାଯାଇଛି। ରାଜାରାଜୁଡ଼ା ଅମଳରୁ ଚାଲି ଆସୁଥିବା ପରମ୍ପରା ଅନୁସାରେ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ପକ୍ଷରୁ ପଣ୍ଡିତମାନଙ୍କୁ ଲଗ୍ନ ନିର୍ଦ୍ଧାରଣ ନିମନ୍ତେ ନିମନ୍ତ୍ରଣ କରାଯାଇଥିଲା। ମହାପ୍ରଭୁ ଜଗନ୍ନାଥଙ୍କ ଠାରେ ପୂଜକ ସନ୍ତୋଷ ପୂଜାରୀଙ୍କ ପୂଜାର୍ଚ୍ଚନା ପରେ ପଣ୍ଡିତମଣ୍ଡଳୀ ଦ୍ବାରା ଲଗ୍ନ ବାହାର କରାଯାଇଥିଲା। ମହାପ୍ରଭୁ ଜଗନ୍ନାଥଙ୍କ ଠାରେ ପୂଜକ ସନ୍ତୋଷ ପୂଜାରୀଙ୍କ ଦ୍ବାରା ପୂଜାର୍ଚ୍ଚନା ପରେ ପଣ୍ଡିତ ରବିନାରାୟଣ ପଣ୍ଡା, ଗୋପୀନାଥ ପଣ୍ଡା, ଚନ୍ଦ୍ରକାନ୍ତ ପାଣିଗ୍ରାହୀ, କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ଜିତେନ୍ଦ୍ର ନନ୍ଦ, ବଂଶୀଧର ମିଶ୍ର, ସଚିଦାନନ୍ଦ ମିଶ୍ର କରଶର୍ମା, ବଂଶୀଧର ଶତପଥୀ ପ୍ରମୁଖଙ୍କ ପଣ୍ଡିତମଣ୍ଡଳୀ ଦ୍ବାରା ଲଗ୍ନ ଧାର୍ଯ୍ୟ ହୋଇଥିଲା। ଆଉ ଏହା ପରେ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟର ସଂଜୟ ମିଶ୍ର, ଅମରନାଥ ସୂପକାର ଓ ଅନ୍ୟମାନେ ମା ସମଲେଶ୍ବରୀ ମନ୍ଦିରକୁ ଯାଇ ମା’ ସମେଲଶ୍ବରୀଙ୍କ ନିକଟରେ ଲଗ୍ନ ସମର୍ପଣ କରିଥିଲେ। ଏହି ଅବସରରେ ସମଲେଶ୍ବରୀ ମନ୍ଦିରର ପୂଜକ ଅମୀୟ ରାୟ, ମୁଖ୍ୟ ପୂଜକ ଅମ୍ବିକା ରାୟଙ୍କ ସହିତ ଅନ୍ୟ ପୂଜକ ଓ ଟ୍ରଷ୍ଟବୋର୍ଡ ସଭ୍ୟମାନେ ଉପସ୍ଥିତ ଥିଲେ।