ମୋହନ ହଟାଇବେ ଦୁର୍ନୀତି!

    0
    245

    ଭୁବନେଶ୍ବର: ଭାରତୀୟ ଜନତା ପାର୍ଟି (ବିଜେପି) ଓଡ଼ିଶାରେ ସରକାର ଗଠନ କରିବାର ପ୍ରଥମ ସାତ ଦିନରେ କିଛି ବଡ଼ ନିଷ୍ପତ୍ତି ନେଇଛି। ସାଧାରଣ ନିର୍ବାଚନ ପାଇଁ ପ୍ରଚାର ସମୟରେ ବିଜେପି ଯାହା କହିଥିଲା, ସେହି ଆଧାରରେ ଗୋଟିଏ ପରେ ଗୋଟିଏ କାମ କରୁଛି। ମୋଟାମୋଟି ଭାବେ କହିବାକୁ ଗଲେ ମୋହନ ଚରଣ ମାଝୀଙ୍କ ସରକାର ଏକପ୍ରକାର ମିସନ୍ କରିଛି, ଯେଉଁଥିରେ ଲୋକପ୍ରିୟତା ଅର୍ଜନ କରାଯାଇପାରିବ। ସେହିପରି ସରକାର ଏଭଳି ନିଷ୍ପତ୍ତି ନେଉଛନ୍ତି, ଯେଉଁଥିରେ କି ଲୋକେ ସରକାରକୁ ସମାଲୋଚନା କରିବା ବଦଳରେ ସହାନୁଭୂତି ପ୍ରଦାନ କରିବେ। ଓଡ଼ିଆ ଅସ୍ମିତା ଆଧାରରେ ଯଦି ବିଜେପି ଆଗାମୀ ୫ ବର୍ଷ ପାଇଁ କାମ କରୁଛି, ତା’ହେଲେ ସାଧାରଣ ନିର୍ବାଚନ-୨୦୨୯ରେ ମଧ୍ୟ ବହୁତ ଭଲ ପ୍ରଦର୍ଶନ କରିବ।

    ବିଗତ ଦୁଇ ଦଶନ୍ଧି ଧରି ରାଜ୍ୟର ହୋଇଥିବା ଅନେକ ନିର୍ମାଣାଧୀନ କାମରେ ବ୍ୟାପକ ଅନିୟମିତା ହୋଇଛି। ନିର୍ମାଣ କାମ ନିମ୍ନମାନର ହୋଇଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଏହାର ମୁଖ୍ୟ କାରଣ ଥିଲା ପିସି କାରବାର। କୌଣସି ପ୍ରକଳ୍ପର ନିର୍ମାଣା କାମରେ ୩୦ ପ୍ରତିଶତ ପିସି କାରବାର ହେଉଥିଲା। ଠିକାଦାର ପୁଣି ନିଜର ସ୍ବାର୍ଥ ଚିନ୍ତା କରିବ। ଅର୍ଥାତ ୧୦୦ ଟଙ୍କାରୁ ପ୍ରାୟ ୫୦ରୁ ୫୫ ଟଙ୍କା କାମ ହେଉଥିଲା। ଏହିଭଳି ସ୍ଥିତିରେ ନିର୍ମାଣ କାମ କେମିତି ହେବ ମଜବୁତ? ତେବେ ଏହି ପରଂପରାରେ ବିଜେପି ସରକାର ବ୍ରେକ୍ ଲଗାଇବ ବୋଲି ନିର୍ବାଚନୀ ପ୍ରଚାରରେ ପ୍ରତିଶ୍ରୁତି ଦେଇଥିଲା। ଆଉ ଏବେ ଏହାର ଝଲକ ମଧ୍ୟ ଦେଖିବାକୁ ମିଳିଛି। ପିସି କାରବାର କିମ୍ବା ଦୁର୍ନୀତିରେ ଲିପ୍ତ ଥିବା ଅଧିକାରୀ ସାବଧାନ ହୋଇ ଯାଆନ୍ତୁ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସତର୍କ ଘଣ୍ଟି ବାଜିଛି। ଏଭଳି ଅଭିଯୋଗ ନେଇ ପ୍ରମାଣ ମିଳିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।

    ଟେବୁଲ ତଳେ ବନ୍ଦ ହେବ କାରବାର!

    କେବଳ ପିସି କାରବାର ନୁହେଁ, ଏଣିକି କୌଣସି ସରକାରୀ କାମ ହାସଲ ପାଇଁ ଅଧିକାରୀ ବା କର୍ମଚାରୀ ଜନସାଧାରଣଙ୍କ ଠାରୁ ଟେବୁଲ ତଳେ ଅର୍ଥ ନେଇପାରିବେ ନାହି ବୋଲି ରାଜସ୍ୱ ମନ୍ତ୍ରୀ ସୂଚନା ଦେଇଛନ୍ତି। ସେ ମଙ୍ଗଳବାର ଦିନ ଭୁବନେଶ୍ୱର ତହସିଲ କାର୍ଯ୍ୟାଳୟ ପରିଦର୍ଶନରେ ଆସି ସାଧାରଣ ଲୋକ, ଓକିଲ ଓ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ତହସିଲରେ କିଭଳି କାର୍ଯ୍ୟ ହେଉଛି, କିପରି ଲୋକେ ସେବା ପାଉଛନ୍ତି, ଅଭିଯୋଗ ନେଇ ମଧ୍ୟ ଆଲୋଚନା କରିଥିଲେ। ଖୁବଶୀଘ୍ର ଭୂମି, ଘର, ଜାତି ଭଳି ପ୍ରମାଣପତ୍ର ଆବେଦନ ଓ ମିଳିବା ନେଇ ସମୟସୀମା ଧାର୍ଯ୍ୟ କରାଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ। ଏହାସହ ସାଧାରଣ ଲୋକେ ଯେପରି ତହସିଲ କାର୍ଯ୍ୟାଳୟରେ ହଇରାଣ ନହେବ ଏବଂ ସୁବିଧାରେ ସେବା ପାଇପାରିବେ ସେନେଇ ଏକ ରୂପରେଖ ପ୍ରସ୍ତୁତ କରିବାକୁ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।

    ସବୁ ଗାଁକୁ ପିଚୁରାସ୍ତା

    ୨୪ ବର୍ଷର ସ୍ଥିର ସରକାରରେ ମଧ୍ୟ ହଜାର ହଜାର ଗାଁକୁ ରାସ୍ତା ନିର୍ମାଣ ହୋଇପାରିଲା ନାହିଁ। ରାସ୍ତାର ଅଭାବ ଯୋଗୁଁ ରୋଗୀଙ୍କ ପାଖକୁ ଆମ୍ବୁଲାନ୍ସ ପହଞ୍ଚି ପାରି ନାହିଁ। ଏଭଳି ସ୍ଥିତିରେ ରୋଗୀମାନଙ୍କୁ ଖଟିଆରେ ବୁହାଯାଇଛି। ବଣ, ଜଙ୍ଗଲ, ପାହାଡ଼ ଚଢ଼ି ରୋଗୀ ସଂପର୍କୀୟଙ୍କୁ ୫କିଲୋମିଟର ଖଟିଆରେ ରୋଗୀଙ୍କୁ ବୋହିବାକୁ ପଡ଼ିଛି। ଏହି ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ  ମୋହନ ମାଝୀଙ୍କ ସରକାର ଅଣ୍ଟା ଭିଡିଛି। ରାଜ୍ୟ ସରକାର ପ୍ରତି ଗ୍ରାମକୁ ପିଚୁରାସ୍ତା ସଂଯୋଗ କରିବାକୁ ଲକ୍ଷ୍ୟ ରଖିଛନ୍ତି। ରାସ୍ତା ନିର୍ମାଣ କରାଗଲେ ରୋଗୀ ଆଉ ଖଟିଆରେ ବୁହା ହେବେନି। ଗାଁକୁ ସହଜରେ ଆମ୍ବୁଲାନ୍ସ ଯାଇପାରିବ। ୧୦୦ ଲୋକ ଥିବା ଗାଁକୁ ପିଚୁ ରାସ୍ତା ସଂଯୋଗ କରି ବୋଲି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

    କୃଷି-କୃଷକଙ୍କୁ ଗୁରୁତ୍ବ

    ବିଧାନସଭା ନିର୍ବାଚନ ପ୍ରଚାର ବେଳେ କୃଷି ଓ କୃଷକ ସଶକ୍ତୀକରଣକୁ ମଧ୍ୟ ବିଜେପି ଆଧାର କରିଥିଲା। ସରକାରକୁ ଆସିଲେ ଚାଷୀଙ୍କ ରୋଜଗାର ବଢ଼ାଇବା ପାଇଁ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା କରାଯିବ ବୋଲି କହିଥିଲା। ସରକାରକୁ ଆସିଲା ପରେ ଆଗାମୀ ୧୦୦ ଦିନରେ ଏହାର ରୂପରେଖ ପ୍ରସ୍ତୁତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶପଥ ନେବାର ଅଳ୍ପ ସମୟ ପରେ ଘୋଷଣା କରିଥିଲେ। ଏବେ ଚାଷୀମାନଙ୍କୁ ଜଳସେଚନ ସୁବିଧା ଦେବାର ବଡ଼ ଦାୟିତ୍ବ ରହୁଛି। ଶ୍ରୀ ମାଝୀ ମଙ୍ଗଳବାର ବରଗଡ଼ରେ ଆୟାଜିତ ଚାଷୀ ସମ୍ମିଳନୀରେ ମଧ୍ୟ କୃଷି ଓ କୃଷକଙ୍କ ଉପରେ କହିଥିଲେ।  

    LEAVE A REPLY

    Please enter your comment!
    Please enter your name here