ଐତିହାସିକ ଶିବାଳୟରେ କାଉଡ଼ିଆ

0
216

ଶ୍ରାବଣ ମାସ ଚାଲିଛି। ଚାରିଆଡ଼େ ଭକ୍ତିର କଥା ଶୁଣାଯାଉଛି। ଶିବ କଥା ଓ ଗୀତ ମଧ୍ୟ ଶୁଭୁଛି। ଶ୍ରାବଣ ମାସ ପାଇଁ ଶିବଭକ୍ତ ଓ ସେବାୟତଙ୍କ ମନରେ ଅଧିକ ଖୁସି। ଶିବାଳୟ, ନଦୀ, ଘାଟ ଓ ଅନ୍ୟ ଜଳାଶୟରେ ଶିବଭକ୍ତମାନଙ୍କର ସମାଗମ ହୋଇଛି। ଶିବଭକ୍ତମାନେ ଜଳାଳଶୟରୁ ପାଣିଭାର ବୋହି ଶିବାଳୟ ଅଭିମୁଖେ ଯାଉଛନ୍ତି। ଦେଶରେ ଗାଁଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଶିବାଳୟରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଐତିହାସିକ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଇଛି। ସମ୍ବେଦନଶୀଳ ମନ୍ଦିର ଯଥା, ଅମରନାଥ, କେଦାରନାଥ, ବଦ୍ରୀନାଥରେ ସୁରକ୍ଷା ବ୍ୟବସ୍ଥା ପାଇଁ କେନ୍ଦ୍ର ଓ ରାଜ୍ୟପୁଲିସ ନଜର ରଖିଛନ୍ତି।

କାଉଡିଆମାନେ ଗେରୁଆ ବସ୍ତ୍ର ପରିଧାନ କରି କାନ୍ଧରେ ବାହୁଙ୍ଗି ଧରିଛନ୍ତି। ‘ବୋଲ୍ ବମ୍ ହର ହର ବମ୍‌’ ଧ୍ବନି ଦେଇ ନଦୀ ଅଥବା ଜଳାଶୟରୁ ଜଳ ସଂଗ୍ରହ କରି ଖାଲିପାଦରେ ଦୀର୍ଘପଥ ଅତିକ୍ରମ କରି ଆସି ସୋମବାର ସକାଳେ ଈପ୍‌ସିତ ଶୈବପୀଠରେ ଶିବଙ୍କ ମସ୍ତକରେ ଜଳାଭିଷେକ କରୁଛନ୍ତି। ଶ୍ରାବଣରେ ଶିବଙ୍କୁ ଜଳଲାଗି କରାଯିବାର ପରମ୍ପରା ପ୍ରାଚୀନ ଏବଂ ଏହାର ମାହାତ୍ମ୍ୟ ବି କିଛି କମ୍‌ ନୁହେଁ। ସନ୍ତାନପ୍ରାପ୍ତି, କାର୍ଯ୍ୟସିଦ୍ଧି, ବିବାହ ଓ ସମ୍ପଦ ପ୍ରାପ୍ତି ଉଦ୍ଦେଶ୍ୟରେ ମାନସିକଧାରୀ ଶ୍ରାବଣ ସୋମବାର ଦିନ ବେଲପତ୍ର ସହିତ ଶିବଲିଙ୍ଗରେ ଜଳାର୍ପଣ କରିଆସୁଛନ୍ତି।

ଦେଶର ଅଧିକାଂଶ ଶୈବପୀଠରେ ଭକ୍ତଭକ୍ତାଙ୍କ ବ୍ୟାପକ ସମାଗମ, ବିଶେଷ କରି ଭାରତର ବିଭିନ୍ନ ପ୍ରାନ୍ତରେ ଥିବା ଦ୍ବାଦଶ ଜ୍ୟୋତିର୍ଲିଙ୍ଗରେ ଜଳାର୍ପଣ କରିବାକୁ ଶିବଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସୁକତା ପରିଲକ୍ଷିତ ହେଉଛି। ଶିବ ପୁରାଣ ତଥ୍ୟାନୁସାରେ, ଦେବଦେବ ମହାଦେବ ଜ୍ୟୋତିସ୍ୱରୂପ ଜ୍ୟୋତିସ୍ତମ୍ଭ ବା ଜ୍ୟୋତିର୍ଲିଙ୍ଗ ରୂପେ ଭାରତର ୧୨ଗୋଟି ପବିତ୍ର ସ୍ଥଳରେ ଆବିର୍ଭୂତ ହୋଇ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ରୂପେ ପୂଜା ପାଉଛନ୍ତି।

ଗୁଜରାଟର ‌ସୌରାଷ୍ଟ୍ର ଅଞ୍ଚଳରେ ଥିବା ସୋମନାଥ ମନ୍ଦିରକୁ ବିଶ୍ବର ପ୍ରଥମ ଜ୍ୟୋତିର୍ଲିଙ୍ଗ କୁହାଯାଏ। ଇତିହାସ କହେ, ଅତୀତରେ ଏ ମନ୍ଦିର ୧୬ ଥର ବିଦେଶୀ ଶତ୍ରୁଙ୍କ ଦ୍ବାରା ଲୁଣ୍ଠିତ ଓ ଧ୍ବସ୍ତବିଧ୍ବସ୍ତ ହୋଇ ପୁନଃନିର୍ମିତ ହୋଇଛି। ଦ୍ବାରକା ନିକଟରେ ଅବସ୍ଥିତ ନାଗେଶ୍ବର ମଧ୍ୟ ଜ୍ୟୋତିର୍ଲିଙ୍ଗମାନଙ୍କ ମଧ୍ୟରୁ ଅନ୍ୟତମ। ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ୍ ଜିଲ୍ଲା ଅନ୍ତର୍ଗତ ଶ୍ରୀଶୈଳମ୍‌ ପର୍ବତରେ ରହିଛି ମଲ୍ଲିକାର୍ଜୁନ ଜ୍ୟୋତିର୍ଲିଙ୍ଗ ପୀଠ। ଏଠାରେ ଦେବୀ ସତୀଙ୍କର ଦେହାଂଶ ପଡ଼ିଥିଲା। ମଧ୍ୟପ୍ରଦେଶର ଉଜ୍ଜୟିନୀ ଦେଇ ପ୍ରବାହିତ ସିପ୍ରା ନଦୀକୂଳରେ ମହାକାଳେଶ୍ବର ବିରାଜିତ। ଖଣ୍ଡୱା ଦେଇ ପ୍ରବାହିତ ନର୍ମଦା ନଦୀ ମଧ୍ୟସ୍ଥ ଓଁ ଆକୃତି ପଠାରେ ଅଛି ଓଁକାରେଶ୍ବର ପୀଠ। ଝାଡ଼ଖଣ୍ଡର ଦେଓଘରଠାରେ ଅବସ୍ଥିତ ବୈଦ୍ୟନାଥ ପୀଠ ଅନ୍ୟତମ ପ୍ରସିଦ୍ଧ ଜ୍ୟୋତିର୍ଲିଙ୍ଗ।

ସେହିପରି ଉତ୍ତରାଖଣ୍ଡର ଗଡ଼ୱାଲ୍‌ ଅନ୍ତର୍ଗତ ହିମାଳୟ କୋଳରେ ଅବସ୍ଥିତ କେଦାରନାଥ ଦେଶର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ। ଏ ପୀଠ ମଧ୍ୟ ଚାରିଧାମ ଯାତ୍ରାର ଅଂଶବିଶେଷ। ଉତ୍ତରପ୍ରଦେଶର ବାରାଣସୀସ୍ଥିତ ପ୍ରାଚୀନ ଶୈବପୀଠ କାଶୀ ବିଶ୍ବନାଥ ଅନ୍ୟତମ ପ୍ରସିଦ୍ଧ ଜ୍ୟୋତିର୍ଲିଙ୍ଗ। ଗଙ୍ଗା କୂଳରେ ଅବସ୍ଥିତ ବିଶ୍ବନାଥ ମନ୍ଦିରରେ ଏକତ୍ର ଶକ୍ତି ଓ ଲିଙ୍ଗ ପୂଜିତ।  
ମହାରାଷ୍ଟ୍ରର ପୁଣେ ନିକଟରେ ଅବସ୍ଥିତ ଭୀମାଶଙ୍କର ପୀଠ ଭୀମାସୁର ଓ ଶିବଙ୍କ ଯୁଦ୍ଧ ସହ ଜଡ଼ିତ। ନାସିକ ନିକଟସ୍ଥ ତ୍ର୍ୟମ୍ବକେଶ୍ବର ପୀଠ ପୁରାଣରେ ବର୍ଣ୍ଣିତ ଗୋଦାବରୀ ନଦୀ ଉତ୍ପତ୍ତି କାହାଣୀ ସହ ଜଡ଼ିତ। ଏ ମନ୍ଦିରରେ ଅଧିଷ୍ଠିତ ଶିବଲିଙ୍ଗ ଯେଉଁ ମୁକୁଟ ପରିଧାନ କରିଛନ୍ତି, ସେଥିରେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ବରଙ୍କ ପ୍ରତିନିଧି ସ୍ବରୂପ ତିନିଟି ମୁଖା ରହିଛି। ଛତ୍ରପତି ସମ୍ଭାଜୀନଗର ଜିଲ୍ଲା ଅନ୍ତର୍ଗତ ପ୍ରସିଦ୍ଧ ଏଲୋରା ଗୁମ୍ଫା ନିକଟରେ ଘୃଷ୍ନେଶ୍ବର ପୀଠ ଓ ମନ୍ଦିର ଅବସ୍ଥିତ। ତାମିଲନାଡୁର ରାମେଶ୍ବରମ୍‌ରେ ଅବସ୍ଥିତ ‌ଏହି ଭବ୍ୟ ଶୈବପୀଠ ପ୍ରଭୁ ଶ୍ରୀରାମ ଏବଂ ତାଙ୍କଦ୍ବାରା ନିର୍ମିତ ସେତୁବନ୍ଧ କଥା ସହ ସଂଶ୍ଳିଷ୍ଟ।

ଦ୍ବାଦଶ ଜ୍ୟୋର୍ତିଲିଙ୍ଗ ତାଲିକାରେ ଓଡ଼ିଶାର କୌଣସି ଶିବାଳୟ ନାହିଁ। କିନ୍ତୁ ରାଜ୍ୟରେ ଅନେକଗୁଡ଼ିଏ ପ୍ରସିଦ୍ଧ ଶିବ ମନ୍ଦିର ରହିଛି। ଭୁବନେଶ୍ବରର ଶ୍ରୀଲିଙ୍ଗରାଜ, ପୁରୀର ଲୋକନାଥ, କଟକ ଜିଲ୍ଲା ଆଠଗଡ଼ର ଧବଳଶ୍ବେର, ଢେଙ୍କାନାଳ ଜିଲ୍ଲା କପିଳାସସ୍ଥିତ ବାବା ଚନ୍ଦ୍ରଶେଖର, ସମ୍ବଲପୁର ଜିଲ୍ଳା ହୁମାସ୍ଥିତ ବିମଳେଶ୍ବର, କେରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଲକ ଅଧୀନ ଗୁପ୍ତେଶ୍ବର, ଜଗତସିଂହପୁରର ବାବା ଗୋରଖନାଥ ଓ ଭଦ୍ରକ ଜିଲ୍ଲା ଆରଡି ଶିବ ମନ୍ଦିର ପ୍ରସିଦ୍ଧ ଭା‌ବରେ ଜଣାଯାଇଥାଏ। ଏହି ମନ୍ଦିରଗୁଡ଼ିକରେ ଶ୍ରାବଣ ମାସ ଅବସରରେ ହଜାର ହଜାର ବୋଲବମ ଭକ୍ତଙ୍କର ସମାଗମ ହୋଇଥାଏ।

LEAVE A REPLY

Please enter your comment!
Please enter your name here