ନଦୀକୁ ଖସିଲା ଯାତ୍ରୀବାହୀ ବସ୍

0
269

ସୁରକ୍ଷିତ ଯାତ୍ରା ଜୀବନରେ ଖୁସି ଆଣିଥାଏ। କିନ୍ତୁ ଯାତ୍ରା ଅସୁସରକ୍ଷିତ ହେଲେ ବ୍ୟକ୍ତିକୁ କଷ୍ଟ ହେବା ସହିତ ପରିବାର, ଆତ୍ମୀୟ ସଜ୍ଜନ ଓ ବନ୍ଧୁମାନଙ୍କୁ କଷ୍ଟ ହୋଇଥାଏ। ପର୍ଯ୍ୟଟନ ସ୍ଥାନ ବୁଲିବାରେ ଯେଉଁମଜା ଥାଏ, କୌଣସି ଦୁର୍ଘଟଣାର ସାମ୍ନା କରିବା ଦ୍ବାରା ଯେଉଁ ଦୁଃଖ ସୃଷ୍ଟି ହୋଇଥାଏ, ତାହା ସୁଖୀ ଜୀବନକୁ ଅନେକ ତଳକୁ ନେଇଯାଇଥାଏ। ତେଣୁ ଘରୁ ବାହାରିବା ବେଳେ ପ୍ରଥମେ ଦୁରକ୍ଷା ଚିନ୍ତା କରିବାର ଆବଶ୍ୟକତା ରହିଛି। ତେବେ ବସ୍ରେ ଯାତ୍ରା କରୁଥିବା ବେଳେ ଏଥିରେ ଥିବା ଯାତ୍ରୀମାନଙ୍କର ଭାଗ୍ୟ ଚାଳକଙ୍କ ଉପରେ ନିର୍ଭର କରୁଛି।

ନେପାଳରେ ପୁଣି ବସ୍ ଦୁର୍ଘଟଣା

ଗତମାସ ନେପାଳରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହେବା ଘଟଣା ମନରୁ ଲିଭି ନଥିବା ବେଳେ ଶୁକ୍ରବାର ପୂର୍ବାହ୍ଣରେ ପୁଣି ଏକ ସମାନ ପ୍ରକାରର ଅଘଟଣ ଘଟିଛି। ୪୦ ଜଣ ଭାରତୀୟ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଉତ୍ତର ପ୍ରଦେଶର ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୪ ଜଣ ଯାତୀଙ୍କ ମୃତ୍ୟୁ ଘଟିଛି। ଅନେକ ଯାତ୍ରୀ ଗୁରୁତର ଥିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେଣୁ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ବସଟି ପୋଖରାରୁ ବାହାରି କାଠମାଣ୍ଡୁ ଅଭିମୁଖେ ଯାଉଥିଲା। ଚାଳକ ଭାରସାମ୍ୟ ହରାଇବାରୁ ବାଟରେ ଏକ ନଦୀକୁ ଖସି ପଡ଼ିଥିଲା। ସୂଚନା ମିଳିବା ପରେ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।  

ବସ୍ ଦୁର୍ଘଟଣାରେ ୩୬ ଜଣ ଆଖି ବୁଜିଲେ

୨୦୧୮ ମସିହା ଜାନୁଆରି ମାସର ଘଟଣା। ମୁର୍ସିଦାବାଦର ଦୌଲତାବାଦରେ ଏକ ମର୍ମନ୍ତୁଦ ବସ୍ ଦୁର୍ଘଟଣାରେ ପ୍ରାୟ ୩୬ ଜଣଙ୍କର ମୃତ୍ୟୁ ହୋଇଥିଲା। ୭ ଜଣ ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବସ୍ଟିରେ ୨ଜଣ ଶିଶୁଙ୍କ ସମେତ ମୋଟ ୫୬ ଜଣ ଯାତ୍ରୀ ଥିଲେ ବୋଲି ପୁଲିସ କହିଥିଲା। ଉତ୍ତର ବଙ୍ଗ ରାଜ୍ୟ ପରିବହନ ନିଗମ (ଏନ୍ବିଏସ୍ଟିସି)ର ଏକ ବସ୍ ନଦିଆ ଜିଲ୍ଲା କରିମ୍ପୁରରୁ ମାଲ୍ଦା ଅଭିମୁଖେ ଭୋର୍ ୫.୨୦ରେ ଛାଡ଼ିଥିଲା। ପାଖାପାଖି ୬.୫୫ ସମୟରେ ବାଲିର୍ଘାଟ ବ୍ରିଜ୍ ଉପରେ ବସ୍ଟି ଯାଉଥିବାବେଳେ ନିୟନ୍ତ୍ରଣ ହରାଇ ବ୍ରିଜ୍ ବାଡ଼ରେ ଧକ୍କାଖାଇ ନଦୀ ଭିତରେ ଗଳି ପଡ଼ିଥିଲା। ଫଳରେ ନଦୀର ଗଭୀର ଜଳରେ ବସ୍ଟି ସମ୍ପୂର୍ଣ୍ଣ ବୁଡ଼ି ଯାଇଥିବାବେଳେ ଝରକା କାଚବାଟ ଦେଇ କିଛି ବସ୍ଯାତ୍ରୀ ପାଣିରେ ପହଁରିବା ସହ ଉଦ୍ଧାର ପାଇଁ ଚିତ୍କାର କରିଥିଲେ।

ନିୟନ୍ତ୍ରଣ ହରାଇଲା ବସ୍, ୬ ମୃତ

ସେହିପରି ୨୦୨୨ ସେପ୍ଟେମ୍ବର ୨୮ ତାରିଖରେ ଝାଡ଼ଖଣ୍ଡର ହଜାରିବାଗ ଜିଲ୍ଲାରେ ଏକ ବସ୍ ବ୍ରିଜ୍ ରେଲିଂରେ ପିଟି ହୋଇ ନଦୀକୁ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଥିଲା। ପ୍ରାୟ ୪୦ରୁ ଅଧିକ ଲୋକ ଆହତ ହୋଇଥିଲେ। ପ୍ରାୟ ୫୦ ଯାତ୍ରୀଙ୍କୁ ଧରି ଆଜି ଗିରିଡିହ ଜିଲ୍ଲାରୁ ରାଞ୍ଚି ଅଭିମୁଖେ ଯାତ୍ରା କରୁଥିବା ଏକ ବସ୍ ତାତିଝରିଆ ଥାନା ଅଧୀନରେ ଏକ ବ୍ରିଜ୍ର ରେଲିଂରେ ପିଟି ହୋଇ ସିୱାନେ ନଦୀକୁ ଖସି ପଡ଼ିଥିଲା। ୨ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣଙ୍କୁ ହସ୍ପିଟାଲରେ ମୃତ ଘୋଷଣା କରାଯାଇଥିଲା। ନଦୀର ଏକ ଶୁଖିଲା ସ୍ଥାନରେ ବସ୍ଟି ପଡ଼ିଥିବାରୁ ଅନେକ ଜୀବନ ବଞ୍ଚିଯାଇଥିଲା।  

LEAVE A REPLY

Please enter your comment!
Please enter your name here