ବୋଲବମ୍‌ ରାସ୍ତାରେ ଅଘଟଣ, ଦୁର୍ଘଟଣା

0
220

ଭୁବନେଶ୍ବର: ପବିତ୍ର ଶ୍ରାବଣ ମାସ। ଭଗବାନ ଓ ଶିବ ଓ ବୋଲବମ୍‌ ଭକ୍ତଙ୍କ ପାଇଁ ଅପୂର୍ବ ମାସ। ରାସ୍ତାରେ, ଘାଟରେ, ଶିବମନ୍ଦିରରେ ଉତ୍ସାହ ଦେଖାଯାଉଛି। ଚାରିଆଡ଼େ ଗେରୁଆ ରଂଗ ଦେଖାଯାଉଥିବା ବେଳେ ଶବ ଧ୍ବନିର ସ୍ବର ଶୁଭୁଛି। ଏହାରି ମଧ୍ୟରେ ଦୁଇଟି ସୋମବାର ଅତିକ୍ରାନ୍ତ ହୋଇସାରି ଥିବା ବ‌େଳେ ଆହୁରି ତିନିଟି ସୋମବାରରେ ଶିବଭକ୍ତମାନେ ଲିଙ୍ଗରେ ଜଳାଭିଷେକ କରିବେ। ଏଠାରେ କିନ୍ତୁ କ୍ଷୋଭ ରହୁଛି ଯେ, ଘଟଣା ହେଉ ବା ଦୁର୍ଘଟଣା- ବିଗତ ଦୁଇ ଦିନରେ ମଧ୍ୟରେ ଏକାଧିକ ଶିବଭକ୍ତଙ୍କର ମୃତ୍ୟୁ ହୋଇଛି। ଧର୍ମମାର୍ଗରେ ଘଟୁଥିବା ଅଘଟଣ ନେଇ ବୁଦ୍ଧିଜୀବୀ ମହଲରେ ଶୋକ ପ୍ରକାଶ ପାଉଛି।

ଭକ୍ତଙ୍କ ଉପରେ ଚଢ଼ିଗଲା କାର୍‌

ଶ୍ରାବଣ ମାସର ଦ୍ବିତୀୟ ସୋମବାର ଅବସରର କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ତହସିଲ ଛକ ନିକଟ ବାବୁଜଙ୍ଗରୁ ରବିବାର ୩୭ ଜଣ ଭକ୍ତ ପାଣିଭାର ଉଠାଇଥିଲେ। ଭକ୍ତମାନେ ପାଇକରାପୁର ସିଦ୍ଧେଶ୍ୱର ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ଯାଉଥିଲେ। ମାତ୍ର କାଉଡ଼ିଆମାନେ ନିଶ୍ଚିନ୍ତକୋଇଲି ତହସିଲ ଛକ ନିକଟରେ ହୋଇଥିବା ବେଳେ ପଛରୁ ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ ସେମାନଙ୍କ ଉପରେ ଚଢ଼ି ଯାଇଥିଲା। ମଝି ରାସ୍ତାରେ ହିଁ ଘଟିଗଲା ଦୁର୍ଘଟଣା ଓ ଚାଲିଗଲା ଜଣେ ମହିଳା କାଉଡ଼ିଆଙ୍କ ଜୀବନ । ଏଥିରେ ଆଉ ୨ କାଉଡ଼ିଆ ଗୁରୁତର ହୋଇଥିଲେ। ମୃତ ମହିଳା କାଉଁଡିଅଜଣଙ୍କ ହେଲେ ବସପଦା ଜିହ୍ନିପୁରର ଚିନ୍ମୟୀ ବେହେରା। ଗୁରୁତର ଅବସ୍ଥାରେ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର ହୋଇଥିବା ଦୁଇ ଶିବଭକ୍ତ ହେଲେ ଦୀପ୍ତିରଞ୍ଜନ ରାଉତ ଓ ପୂର୍ଣ୍ଣଚନ୍ଦ୍ର ବେହେରା।

ବ୍ରାହ୍ମଣୀରେ ବୁଡ଼ିଗଲେ କାଉଡିଆ

ସେହିପରି ଯାଜପୁରରେ ବୈତରଣୀ ନଦୀର ବଲ୍ଲଭୀ ଘାଟରେ ବୁଡ଼ି ରବିବାର ଜଣେ କାଉଡ଼ିଆଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ପ୍ରଶାନ୍ତ ସାମଲ। ତାଙ୍କ ଘର ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଅନ୍ତର୍ଗତ ପୁରୁଷୋତ୍ତମପୁର ଗାଁରେ। ସେ ଆରଡ଼ିରେ ଜଳଲାଗି କରିବା ପାଇଁ ପାଣି ଉଠାଇବାକୁ ସେ ବୈତରଣୀ ନଦୀର ବଲ୍ଲଭୀ ଘାଟକୁ ଆସିଥିଲେ। ଏଠାରୁ ସେ ଜଳ ଧରି ଆରଡ଼ି ଅଭିମୁଖେ ଯାତ୍ରା କରିଥା’ନ୍ତେ। ତାଙ୍କ ସହିତ ତାଙ୍କର ଜଣେ ସମ୍ପର୍କୀୟ ଭାଇ ସହିତ ଆହୁରି ତିନି/ଚାରି ଜଣ କାଉଡ଼ିଆ ଥିଲେ। ପ୍ରଶାନ୍ତ ବଲ୍ଲଭୀ ଘାଟରେ ଗାଧୋଉଥିବା ବେଳେ ବୁଡ଼ି ଯାଇଥିଲେ। ତାଙ୍କର ଜଣେ ସଂପର୍କୀୟ ଭାଇ ତାଙ୍କୁ ବଞ୍ଚାଇବାକୁ ପ୍ରୟାସ କରିଥିଲେ। ହେଲେ ବିଫଳ ହୋଇଥିଲେ।  

ମହାନଦୀରେ ଅଘଟଣ

ବୈତରଣୀ ଭଳି ମହାନଦୀରେ ମଧ୍ୟ ରିବାର ସନ୍ଧ୍ୟାରେ ଏକ ଅଘଟଣ ଘଟିଛି। ଜଳଲାଗି ନିମନ୍ତେ ପାଣି ଉଠାଇବାକୁ ଆସି ଜଣେ ଯୁବକ ଭାସି ଯାଇଛନ୍ତି। ପାଣିରେ ଭାସି ଯାଇଥିବା ବ୍ୟକ୍ତି ନିଜ ସାଙ୍ଗଙ୍କୁ ବଞ୍ଚାଇବାକୁ ମହାନଦୀର ଗଡ଼ଗଡ଼ିଆ ଘାଟରେ ପ୍ରବାହିତ ଜଳସୁଅକୁ ଡେଇଁ ପଡ଼ିଥିଲେ। ତେବେ ସାଙ୍ଗ ବଞ୍ଚି ଯାଇଥିବା ବେଳେ ନଦୀକୁ କୁଦା ମାରିଥିବା ଯୁବକଙ୍କ ପତ୍ତା ମିଳୁନାହିଁ। ନିଖୋଜ ଯୁବକଜଣକ ହେଲେ ଭୁବନେଶ୍ୱର ପଟିଆ ଅଞ୍ଚଳର ସୌମ୍ୟରଞ୍ଜନ ପାତ୍ର। ତାଙ୍କ ସହ ପ୍ରାୟ ୧୨ ଜଣ ପାଣି ଉଠାଇବା ନିମନ୍ତେ କଟକ ଗଡ଼ଗଡ଼ିଆ ଘାଟକୁ ଯାଇଥିଲେ। ମାତ୍ର ସେମାନେ ବାରଣ ହୋଇଥିବା ସ୍ଥାନରୁ ପାଣି ଉଠାଇବାକୁ ଯାଇ ଅଘଟଣର ଶିକାର ହୋଇଥିଲେ।

ଭକ୍ତଙ୍କ ଉପରେ ଚଢ଼ିଗଲା ଟ୍ରକ୍‌

ଶିବଭକ୍ତମାନେ କେବଳ ଓଡ଼ିଶାରେ ଅଘଟଣର ଶିକାର ହେଉଛନ୍ତି, ତାହା କହିବା ଭୁଲ। ବରଂ ରାଜ୍ୟ ବାହାରେ ମଧ୍ୟ ଅବହେଳା ହେଉ ଅଥବା ଅଭିଶାପ ହେଉ ଦୁର୍ଘଟଣାର ଶିକାର ହେଉଛନ୍ତି।  ଶିବଭକ୍ତମାନେ ଜଳଭାର କାନ୍ଧରେ ବୋହି ମହାପ୍ରଭୁଙ୍କୁ ଜଳାଭିଷେକ କରିବା ପାଇଁ ଯାଉଥିବା‌ ବେଳେ ରାସ୍ତାରେ ଦୁର୍ଘଟଣାର ସାମ୍ନା କରୁଛନ୍ତି। ମଧ୍ୟପ୍ରଦେଶର ମୋରେନା ଜିଲ୍ଲାରେ ସୋମବାର ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ଜଳଭାର ଧରି ଶିବାଳୟକୁ ଯାଉଥିବା ୧୪ ଜଣ ଭକ୍ତଙ୍କୁ ଏକ ଦ୍ରୁତଗାମୀ ଟ୍ରକ୍ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ଦୁଇ ଜଣ କାଉଡ଼ିଆଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି। ୫ ଜଣ କାଉଁଡିଆଙ୍କ ଅବସ୍ଥା ଅଧିକ ଗୁରୁତର ଥିବାରୁ ସେମାନଙ୍କୁ ଗ୍ବାଲିୟର ସ୍ଥାନାନ୍ତର କରାଯାଇଛି।  

LEAVE A REPLY

Please enter your comment!
Please enter your name here