ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ନିକଟରୁ ସ୍ଥାନାନ୍ତର ହେବ ବିଦ୍ୟୁତ୍ ଟ୍ରାନ୍ସଫର୍ମର

0
1025

ଭୁବନେଶ୍ୱର: ଯାଜପୁର ଜିଲ୍ଲାରେ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ଥିବା ବିଦ୍ୟୁତ୍‌ ଲାଇନ୍‌ ଓ ଟ୍ରାନ୍ସଫର୍ମରକୁ ତୁରନ୍ତ ସ୍ଥାନାନ୍ତର କରାଯିବ ବୋଲି ଶକ୍ତିମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର କହିଛନ୍ତି। ଗତ ଅମ୍ଫାନ ବାତ୍ୟାରେ କ୍ଷତିଗ୍ରସ୍ତ ଯାଜପୁର ଜିଲ୍ଲାର ବିଦ୍ୟୁତ୍‌ ସେବାକୁ ସ୍ୱାଭାବିକ କରବା ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଭର୍ଚୁଆଲ୍‌ ମାଧ୍ୟମରେ ସମୀକ୍ଷା କରି ଶକ୍ତିମନ୍ତ୍ରୀ ଏହା କହିଛନ୍ତି। ବର୍ତ୍ତମାନ ସୁଦ୍ଧା ଓଡ଼ିଶା ବଣ୍ଟନ ବ୍ୟବସ୍ଥା ସୁଦୃଢ଼ୀକରଣ ଯୋଜନା (ଓଡ଼ିଏମ୍‌ଏସ୍‌ପି) ସ୍କିମ୍‌ ଅଧୀନରେ ୭ଟି ୩୩ କେଭି ସବ୍‌ଷ୍ଟେସନ୍‌କୁ କାର୍ଯ୍ୟକ୍ଷମ କରାଯାଇଛି। ଅବଶିଷ୍ଟ ୧୧ଟି ସବ୍‌ଷ୍ଟେସନ୍‌କୁ ତୁରନ୍ତ ଚାଲୁ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ହାତକୁ ନେବାକୁ ସେ ଓପିଟିସିଏଲ୍‌କୁ ନିର୍ଦ୍ଦେଶ ଦେଇଛନ୍ତି।

କ୍ଷତିଗ୍ରସ୍ତ ଲାଇନ୍‌ ସଜାଡ଼ିବା ଓ ମରାମତି କାର୍ଯ୍ୟ ପାଇଁ ଅର୍ଥ ମଞ୍ଜୁର କରାଯାଇ ମଞ୍ଜୁର ଅର୍ଥରୁ ଲାଇନ୍‌ ସୁଦୃଢ଼ୀକରଣ ଓ ଓହଳି ପଡ଼ିଥିବା ତାରଗୁଡ଼ିକୁ ସଜାଡ଼ିବା କାମରେ କିଛି ଅର୍ଥ ବ୍ୟୟ କରାଯାଉ ବୋଲି ଯାଜପୁର ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସ ପ୍ରସ୍ତାବ ରଖିଥିଲେ। ସେହିପରି ଯାଜପୁର ଟାଉନ୍‌ ନିକଟସ୍ଥ ବୁଢ଼ାଘାଟ, କମଲପୁର ଓ ମାର୍କଣ୍ଡପୁରରେ ଭୋଲଟେଜ୍‌ରେ ଉନ୍ନତି ଆଣିବା ପାଇଁ ଅନ୍ୟ କେଉଁ ସ୍କିମ୍‌ରୁ ଆଉ ଏକ ୩୩/୧୧ କେଭି ସବ୍‌ଷ୍ଟେସନ୍‌ ପ୍ରତିଷ୍ଠା ପାଇଁ ସେ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ତେବେ ଦିଆଯାଇଥିବା ପ୍ରସ୍ତାବକୁ କିପରି କାର୍ଯ୍ୟକାରୀ କରାଯାଇପାରିବ ତାହା ଅନୁଧ୍ୟାନ କରି ତତ୍କାଳ ପଦକ୍ଷେପ ନେବାକୁ ନେସ୍‌କୋକୁ କୁହାଯାଇଛି। ତା’ଛଡ଼ା ଯାଜପୁର ବନଖଣ୍ଡ ଅଧିକାରୀଙ୍କ ସହ ଆଲୋଚନା କରି ହାତୀ କରିଡୋର୍‌ଗୁଡ଼ିକର ବିଦୁ୍ୟତ ଲାଇନ୍‌ କାର୍ଯ୍ୟକୁ ସୁଦୃଢ଼ କରି ଚତୁର୍ଥ ଚରଣର କାର୍ଯ୍ୟକୁ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସାରିବାକୁ ସେ ପରାମର୍ଶ ଦେଇଥିଲେ।

ସେହିପରି ଯେଉଁସବୁ ବିଦ୍ୟାଳୟ/ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ନିକଟରେ ବିଦୁ୍ୟତ ଲାଇନ୍‌ ଅଥବା ସବ୍‌ଷ୍ଟେସନ୍‌ ରହିଛି ସେସବୁ ସ୍ଥାନାନ୍ତର କରିବାକୁ ଡିସେମ୍ବର ଶେଷ ଯାଏ ସମୟ ଦିଆଯାଇଛି। ଜିଲ୍ଲାରେ ସୌଭାଗ୍ୟ ସ୍କିମ୍‌ରେ ୧୧୯୦ଟି ଗ୍ରାମର ୫୮୧୨୯ଟି ଗୃହକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଥିବା ବେଳେ ୪୯୧ଟି ଗ୍ରାମରେ ବିଦ୍ୟୁତ୍‌ ଭିତ୍ତିଭୂମି କାର୍ଯ୍ୟ କରାଯାଇଛି ବୋଲି ସମୀକ୍ଷାରୁ ଜଣାପଡ଼ିଛି। ଏହି ଭର୍ଚୁଆଲ୍‌ ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ, ଅଧ୍ୟକ୍ଷ ଓପିଟିସିଏଲ୍‌/ଗ୍ରୀଡ୍‌କୋ ଡ. ସୌରଭ ଗର୍ଗ ଏବଂ ନେସ୍‌କୋ, ଓପିଟିସିଏଲ୍‌, ପିଜିସିଆଇଏଲ୍‌ର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ଶେଷରେ ଶକ୍ତିମନ୍ତ୍ରୀ ଅମ୍ଫାନରେ ରେକର୍ଡ ସମୟରେ ଲାଇନ୍‌ ମରାମତି କରି ସେବା ଯୋଗାଇ ଥିବା ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଦେଇଥିଲେ।

LEAVE A REPLY

Please enter your comment!
Please enter your name here