ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟ

0
349

୨୦ ବର୍ଷ ହେଲା ମେଡିସିନ ବିଶେଷଜ୍ଞ ପଦ ଖାଲି

ରେଢ଼ାଖୋଲ (ମହାବୀର ସିଂଦେଓ): ରେଢ଼ାଖୋଲ ଉପଖଣ୍ଡରେ ସ୍ବାସ୍ଥ୍ୟସେବା ଭୁଶୁଡ଼ି ପଡ଼ିଛି। ରେଢ଼ାଖେ​ାଲ ଉପଖଣ୍ଡ ଚିକିତ୍ସା​ଳୟରେ ଡାକ୍ତର ଅଭାବ ଓ ଅନ୍ୟାନ୍ୟ ସମସ୍ୟା ଲାଗି ରହିଛି। ସେହିପରି ଏହି ଉପଖଣ୍ଡରେ ଥିବା ସିଏଚ୍‌ସି, ପିଏଚ୍‌ସିରେ ମଧ୍ୟ ଡାକ୍ତର ସମସ୍ୟା ଲାଗି ରହିଛି। ଗୁରୁବାର ଜିଲ୍ଲାପାଳଙ୍କ ଗସ୍ତ ସମୟରେ ସ୍ଥାନୀୟ ଲୋକେ ଏହି ପ୍ରସଙ୍ଗ ନେଇ ତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ରେଢ଼ାଖୋଲ ଉପଖଣ୍ତ ଚିକିତ୍ସାଳୟରେ ମୋଟ୍‌ ୪୯ ମଞ୍ଜୁରିପ୍ରାପ୍ତ ଡାକ୍ତର ପଦ ରହିଥିବା ବେଳେ ବର୍ତ୍ତମାନ ମାତ୍ର ୧୨ ଜଣ ଡାକ୍ତର ଅଛନ୍ତି। ଫଳରେ ଲୋକଙ୍କୁ ଉପଯୁକ୍ତ ଚିକିତ୍ସା ସେବା ମିଳିପାରୁ ନାହିଁ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ଯେ, ଏହି ଡାକ୍ତରଖାନାରେ ୨୦ ବର୍ଷ ହେଲା ମେଡିସିନ ବିଶେଷଜ୍ଞ ପଦ ଖାଲି ପଡ଼ିଛି। ଏହି ସମୟ ମଧ୍ୟରେ ରେଢ଼ାଖୋଲର ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ରହିଥିଲେ ମଧ୍ୟ ଏହି ସମସ୍ୟାର ସମାଧାନ ହୋଇନଥିଲା। ସେହିପରି ଏହି ଡାକ୍ତରଖାନାରେ ଏକ ଅଲଟ୍ରାସାଉଣ୍ତ ମେସିନ ରହିଛି। କିନ୍ତୁ ଟେକ୍‌ନିସିଆନ ନଥିବାରୁ ତାହା ଲୋକଙ୍କ କାମରେ ଆସୁନାହିଁ। ଲୋକେ ବାହାରେ ଅଲଟ୍ରାସାଉଣ୍ଡ କରି ଅଧିକ ଖର୍ଚ୍ଚାନ୍ତ ଓ ହଇରାଣ ହେଉଛନ୍ତି। ଏଠାରେ ଏକ ଅଟୋ ଆନାଲାଇଜର୍‌ ମେସିନ ଥିଲେ ବି ତାହା ଅଚଳ ହୋଇପଡ଼ି ରହିଛି। ନିକଟରେ ସମ୍ବଲପୁର ଜିଲ୍ଲାକୁ ୭ ଜଣ ଡାକ୍ତର ମିଳିଛନ୍ତି। ତନ୍ମଧ୍ୟରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୪ ଜଣ ଡାକ୍ତର ଓ କୁଚିଣ୍ତା ଉପଖଣ୍ତ ଚିକିତ୍ସାଳୟରେ ୩ ଜଣ ଡାକ୍ତରଙ୍କ ପୋଷ୍ଟିଂ ହୋଇଛି। ରେଢ଼ାଖୋଲରେ ଭାଗରେ ଜଣେ ବି ଡାକ୍ତର ମିଳିନାହାନ୍ତି। ଫଳରେ ରେଢ଼ାଖୋଲ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସେହିପରି ଏହି ଉପଖଣ୍ଡର କଦଳୀଗଡ଼, ବଡ଼ମାଳ, ନାକଟିଦେଉଳ, ବାଟଗାଁ ସମେତ ସମସ୍ତ ଡାକ୍ତରଖାନାରେ ସମସ୍ୟା ଲାଗି ରହିଛି। ଲୋକଙ୍କ ଅଭିଯୋଗ ସତ୍ତ୍ବେ କୌଣସି ପ୍ରତିକାର କରାଯାଉ ନାହିଁ। ସାମାନ୍ୟ ରୋଗପାଇଁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ଓ ବୁର୍ଲା ଭିମ୍‌ସାର୍‌କୁ ସ୍ଥାନାନ୍ତର କରାଯାଉଛି। ସ୍ବଚ୍ଛଳ ବର୍ଗର ଲୋକେ ଘରୋଇ ନର୍ସିଂହୋମକୁ ଯାଉଥିବା ବେଳେ ଗରିବ ଲୋକେ ଭାଗ୍ୟକୁ ଆଦରି ପଡ଼ିରହିଛନ୍ତି। ଏହାର ସୁଯୋଗ ନେଇ କ୍ବାକ୍‌ମାନେ ଭରପୁର ଫାଇଦା ଉଠାଉଛନ୍ତି। ରାଜ୍ୟ ସରକାର ଏ ଦିଗରେ ଦୃଷ୍ଟି ଦେବାକୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here