ରେଳ ଚଳାଚଳରେ ବାଧା ସୃଷ୍ଟି କରିବାକୁ ଉଦ୍ୟମ

0
305

ଭାରତରେ ପରିବହନର ଜୀବନ ରେଖା କହିଲେ ଭାରତୀୟ ରେଳକୁ ହିଁ ବୁଝାଇ ଥାଏ। ୧୮୫୩ ମସିହା ଏପ୍ରିଲ ୧୬ ତାରିଖ ଠାରୁ ଭାରତୀୟ ରେଳ କ୍ରମାଗତ ଭାବେ ବିକଶିତ ହେଉଛି। ଦେଶର ଲୋକସଂଖ୍ୟା ଯେମିତି ବଢ଼ି ଚାଲିଛି, ସେହି ହିସାବରେ ଯାତ୍ରୀମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଟ୍ରେନ୍ ଚଳାଚଳ କରୁଛି। ମେମୁ ଟ୍ରେନ୍, ଡ୍ରେମୁ ଟ୍ରେନ୍, ଇଣ୍ଟରସିଟି ସୁପରଫାଷ୍ଟ ଏକ୍ସପ୍ରେସ୍, ମେଲ ଏକ୍ସପ୍ରେସ୍, ରାଜଧାନୀ ଏକ୍ସପ୍ରେସ୍, ହମ୍ସଫର, ବନ୍ଦେ ଭାରତ ଏକ୍ସପ୍ରେସ୍, ମେଟ୍ରୋ ଟ୍ରେନ୍ ମାଧ୍ୟମରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନ୍ ମାଧ୍ୟମରେ ଯାତାୟତ କରୁଛନ୍ତି।

ଭାରତୀୟ ରେଳକୁ ଲୋକଙ୍କର ଜୀବନ ରେଖା କୁହାଯାଉଛି। କେବଳ ଏତିକି ନୁହେଁ, ଲୋକ ପରିବହନ ସହିତ ଅନ୍ୟ ସାମଗ୍ରୀ ମଧ୍ୟ ଟ୍ରେନ୍ରେ ନିଆଯାଉଛି। ଟ୍ରେନ୍ରେ କେବଳ କୋଇଲା, ଲୁହାପଥର, ତୈଳ ସାମଗ୍ରୀ ପରିବହନ ହେଉନି। ବରଂ ଖାଦ୍ୟ ସାମଗ୍ରୀ, କୃଷି ଯନ୍ତ୍ରପାତି, ଯାନବାହନ ଆଦି ମଧ୍ୟ ସ୍ଥାନାନ୍ତରିତ କରାଯାଉଛି। ତେବେ ଦେଶର ବିକାଶରେ ଅନ୍ୟତମ ମାଇଲଖୁଣ୍ଟ ସାଜିଥିବା ଭାରତୀୟ ରେଳକୁ ଦୁର୍ବୃତ୍ତ, ମାଓବାଦୀ, ଆତଙ୍କବାଦୀ ଟାର୍ଗେଟ କରୁଛନ୍ତି, ଯେଉଁଥି ପାଇଁ ବିଗତ ଦିନରେ ଅଘଟଣ ଘଟିଥିବା ନଜିର ରହିଛି। ଅସାମଜିକ ବ୍ୟକ୍ତିମାନେ ରେଳ ଚଳାଚଳରେ ବାଧା ସୃଷ୍ଟି କରିବା ପାଇଁ ବାରମ୍ବାର ଷଡ଼ଯନ୍ତ୍ର କରୁଛନ୍ତି। ଏଥି ପାଇଁ ରେଳଧାରଣାକୁ ଟାର୍ଗେଟ କରାଯାଉଛି।

ରେଳଧାରଣାରେ ଗ୍ୟାସ୍‌ ସିଲିଣ୍ଡର

ସାରା ଦେଶରେ ରେଳଧାରଣାକୁ କୌଣସି ନା କୌଣସି ଉପାୟରେ ବାଧାପ୍ରାପ୍ତ କରିବା ପାଇଁ ଅସାମାଜିକ ବ୍ୟକ୍ତିମାନେ ଚିନ୍ତା କରୁଛନ୍ତି। ଉତ୍ତରାଖଣ୍ଡର ରୁରୁକି ନିକଟ ଧଣ୍ଡେରା ରେଳ ଷ୍ଟେସନ ନିକଟରେ ଶନିବାର ଦିନ ରେଳଧାରଣାରେ ଏକ ଖାଲି ଏଲପିଜି ସିଲିଣ୍ଡର ଥିବା ନେଇ ମାଲବାହୀ ଟ୍ରେନର ଡ୍ରାଇଭର ଦେଖିଥିଲେ। ସେ ଏଥି ନେଇ ରେଳବାଇ ଅଧିକାରୀଙ୍କୁ ଖବର ଦେଇଥିଲେ। ଏହି ସମୟ ମଧ୍ୟରେ କୌଣସି ଟ୍ରେନ୍ ଟ୍ରାକ୍ରୁ ଓହ୍ଲାଇ ନଥିଲା। ଶନିବାର ଦିନ ମାଲବାହୀ ଟ୍ରେନ୍ର ଡ୍ରାଇଭର ମୋରାଦାବାଦରେ ଥିବା ରେଳ କଣ୍ଟ୍ରୋଲ ରୁମକୁ ସୂଚନା ଦେଇଥିଲେ ଯେ ସିଲିଣ୍ଡରଟି ଧଣ୍ଡେରା ରେଳ ଷ୍ଟେସନ ନିକଟରେ ରେଳ ଧାରଣା ଉପରେ ପଡ଼ିଛି। ରେଳବାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସିଲିଣ୍ଡରକୁ ଜବତ କରିଛି। ରେଳ ସୁରକ୍ଷା ବଳ ଏବଂ ରେଳ କର୍ମଚାରୀମାନେ ଟ୍ରାକରେ ପାଖାପାଖି ୫ କିଲୋମିଟର ପର୍ଯ୍ୟନ୍ତ ଘନ ଘନ ଚେକିଂ ଅପରେସନ କରିଥିଲେ। ତେବେ ଟ୍ରାକ୍ରେ ସିଲିଣ୍ଡର କେଉଁଠୁ ଆସିଲା ତାହା ଜଣାପଡ଼ିନାହିଁ।

ଦୁର୍ଘଟଣା ଘଟାଇବାକୁ ସିମେଣ୍ଟ ସ୍ଲିପର ବ୍ୟବହାର

ନିକଟରେ ଉତ୍ତରପ୍ରଦେଶର ରାୟବରେଲିର ଜଗତପୁର-ଦରିଆପୁର ଷ୍ଟେସନ ମଧ୍ୟରେ ଥିବା ବେନିକାମା ଗାଁ ନିକଟରେ ଏକ ଯାତ୍ରୀବାହୀ ଟ୍ରେନ୍ ଲାଇନଚ୍ୟୁତ କରିବାକୁ ଷଡ଼ଯନ୍ତ୍ର ହୋଇଥିଲା। ଏଥି ପାଇଁ ଅସାମାଜିକ ବ୍ୟକ୍ତିମାନେ ଏକ ସିମେଣ୍ଟ ସ୍ଲିପର ପୋତି ଦେଇଥିଲେ। କିନ୍ତୁ ସୌଭାଗ୍ୟବଶତଃ ଯାତ୍ରୀବାହୀ ଟ୍ରେନ୍ ପୂର୍ବରୁ ମାଲବାହୀ ଟ୍ରେନ୍ ପହଞ୍ଚିଥିଲା। ଲୋକୋ ପାଇଲଟ ଏହାକୁ ଦେଖି ବ୍ରେକ୍ ଲଗାଇ ଟ୍ରେନ୍କୁ ଅଟକାଇଥିଲେ। ତେବେ ଇଞ୍ଜିନର ଗୋରୁ ଗାର୍ଡ ସ୍ଲିପରକୁ ଧକ୍କା ଦେଇଥିଲା। ଏହି ସୂଚନା ପାଇବା ପରେ ଝାନ୍ସୀ ଡିଭିଜନରୁ ପ୍ରୟାଗରାଜ ମୁଖ୍ୟାଳୟ ପର୍ଯ୍ୟନ୍ତ ମଙ୍ଗଳବାର ଦିନସାରା ଉତ୍ତେଜନା ପ୍ରକାଶ ପାଇଥିଲା।

ପୂର୍ବରୁ ମଧ୍ୟ ଷଡ଼ଯନ୍ତ୍ର ହୋଇଛି

ଅକ୍ଟୋବର ୫: ଝାନ୍ସୀ-ଭୋପାଳ ରେଳଲାଇନରେ ଦୈଲୱାଡା-ଲଳିତପୁର ମଧ୍ୟରେ ଟ୍ରାକ୍ ଉପରେ ୬ ଫୁଟର ବାର୍ ରଖାଯାଇଥିଲା। ପାଟଲକୋଟ ଏକ୍ସପ୍ରେସର ଚକାରେ ଏହି ବାର୍ ଗୁଡ଼ିକ ଅଟକି ରହିଥିଲା।
ସେପ୍ଟେମ୍ବର ୩୦: କାନପୁରର ଗୋବିନ୍ଦପୁରୀ-ଭୀମସେନ ରେଳ ଲାଇନରେ ପୁଷ୍ପକ ଏକ୍ସପ୍ରେସ ଯାଉଥିବା ବେଳେ ଏକ ଅଗ୍ନି ନିର୍ବାପକ ସିଲିଣ୍ଡର ମିଳିଥିଲା।
ସେପ୍ଟେମ୍ବର ୨୯: ମହୋବାର କବ୍ରାଇ-ମାତୋନ୍ଧ ଷ୍ଟେସନ ମଧ୍ୟରେ ରେଳ ଧାରଣାରେ ସ୍ତମ୍ଭ ରଖି ଏକ ଯାତ୍ରୀବାହୀ ଟ୍ରେନ୍କୁ ଓଲଟିଦେବାକୁ ଉଦ୍ୟମ କରାଯାଇଥିଲା।
ସେପ୍ଟେମ୍ବର ୨୨: କାନପୁରର ମହାରାଜପୁରର ପ୍ରେମପୁର ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ୍ ଯାଉଥିବା ବେଳେ ରେଳ ଧାରଣାରୁ ଏଲପିଜି ସିଲିଣ୍ଡର ଏବଂ ବିୟର କ୍ୟାନ୍ ମିଳିଥିଲା।
ଅଗଷ୍ଟ ୧୭: କାନପୁରର ଗୋବିନ୍ଦପୁରୀ ନିକଟ ଭୀମସେନଠାରେ ରେଳ ଧାରଣାରେ ରଖାଯାଇଥିବା ପଥର ସହ ପଥର ଧକ୍କା ହେବାରୁ ସାବରମତୀ ଏକ୍ସପ୍ରେସର ୨୨ଟି ବଗି ଲାଇନଚ୍ୟୁତ ହୋଇଥିଲା।

LEAVE A REPLY

Please enter your comment!
Please enter your name here