ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରହସନ!

0
224

ଭୁବନେଶ୍ବର: ଗୃହ ଏବଂ ସହରାଞ୍ଚଳ ଗରିବ ଲାଘବ ମନ୍ତ୍ରଣାଳୟ ଦ୍ଵାରା ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ୨୦୨୨ ସୁଦ୍ଧା ସମସ୍ତଙ୍କୁ ବାସଗୃହ ଯୋଗାଇ ଦେବା ଏହି ମିଶନର ଲକ୍ଷ୍ୟ ଥିବା ବେଳେ ସ୍ଵାଧୀନତା ଦୀର୍ଘ ୭୭ବର୍ଷ ବିତିଯାଇ ଥିଲେ ବି ଏପର୍ଯ୍ୟନ୍ତ ଭାରତରେ ସମସ୍ତଙ୍କୁ ନିଜସ୍ୱ ବାସ ଗୃହ ଯୋଗାଇ ଦିଆଯାଇ ପାରିନାହିଁ। ଏହି ମିଶନ ଦ୍ଵାରା ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବାସ କରୁଥିବା ଗରିବ ତଥା ବସ୍ତିବାସିନ୍ଦାଙ୍କୁ ମାଗଣା ବାସଗୃହ ଯୋଗାଇ ଦିଆଯିବ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି। କିନ୍ତୁ ଆଜି ଦେଶରେ ଲୋକେ ଜରିପାଲ ଓ ଭଙ୍ଗାକୁଡ଼ିଆରେ ରହୁଛନ୍ତି, ଯେଉଁଥି ପାଇଁ ଅନେକ ସମୟରେ ପ୍ରାକୃତିକ ହେଉ ବା ବନ୍ୟପ୍ରାଣୀଙ୍କ ଆକ୍ରମଣରେ ଜୀବନ ହରାଇବାକୁ ପଡୁଛି।

ଗରିବ, ଅସହାୟ, ନିଷ୍ପେଷିତମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଦୀର୍ଘ ବର୍ଷ ହେବ ଆବାସ ଯୋଜନା କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ଏହା ବାସ୍ତବ କ୍ଷେତ୍ରରେ ବିଫଳ ହେଉଛି କହିଲେ ଭୁଲ ହେବ ନାହିଁ। ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ଅବହେଳା କରାଯାଉଥିବା ବେଳେ କିଛି ଅସାଧୁ ବ୍ୟକ୍ତି ତଞ୍ଚକତା କରି ଏକାଧିକ ସରକାରୀ ଘର ହାତେଉଥିବା ମଧ୍ୟ ନଜରି ରହିଛି।

ହାତୀ ନେଲା ଗର୍ଭବତୀ ମହିଳା-ପୁଅଙ୍କ ଜୀବନ

ହାତୀ ଉପଦ୍ରବର ସୀମା ଟପିଛି। ଏକ ଦନ୍ତା ହାତୀ ଘର ଭାଙ୍ଗି ଦେଇଛି, ଯେଉଁଥି ପାଇଁ ଗର୍ଭବତୀ ମହିଳାଙ୍କ ସହିତ ପୁଅର ମୃତ୍ୟୁ ହୋଇଛି। ଏହି ଆକ୍ରମଣରେ ଆଉ ତିନି ଜଣ ପିଲା ଗୁରୁତର ଅଛନ୍ତି। ମୃତକ ମାନେ ହେଲେ ସୁନ୍ଦରଗଡ଼ ଜିଲ୍ଲା ବରସୁଆଁ ରେଞ୍ଜ ଅଧୀନ କୋଇଡ଼ା ଥାନା ଅନ୍ତର୍ଗତ ବାଲିଝୁଡ଼ି ଗ୍ରାମର ସୁକାନ୍ତି ଭତ୍ତା ଓ ୮ ବର୍ଷର ପୁଅ ସୁଖନାଥ ଭତ୍ତା। ମଙ୍ଗଳବାର ରାତିରେ ସୁକାନ୍ତି ଭତ୍ତା ତାଙ୍କର ୪ ଜଣ ପିଲାଙ୍କୁ ନେଇ ଘରେ ଶୋଇଥିଲେ। ବିଳମ୍ବିତ ରାତିରେ ଏକ ଦନ୍ତା ଆସି ସମ୍ଭବତଃ ଧାନ-ଚାଉଳ ଖାଇବା ପାଇଁ ଘରେ ପଶିବାକୁ ଉଦ୍ୟମ କରିଥିଲା। ଫଳରେ ଚାଳଛପର ଘରର କାନ୍ଥ ଭାଙ୍ଗିଥିଲା। ଭଙ୍ଗାକାନ୍ଥ ୪ ମାସର ଗର୍ଭବତୀ ମହିଳା ଓ ୪ ପିଲାଙ୍କ ଉପରେ ପଡ଼ିଥିଲା।

ପେଟକୁ ଖାଦ୍ୟ ମିଳୁଛି, ଘର ନାହିଁ

କୋରାପୁଟ ଜିଲ୍ଲା ଜୟପୁର ବ୍ଲକର ନିଳାଗୁଡା ଗାଁର ଗୁରୁବାରୀ ହରିଜନ କାହା ଉପରେ ନିର୍ଭର ନ ହୋଇ ନିଜେ ଋତୁକାଳୀନ ବ୍ୟବସାୟ କରି ବଂଚୁଛନ୍ତି। ଏହି ବୃଦ୍ଧା ଜଣକ ଖରା, ବର୍ଷା ଓ ଶୀତକୁ ଖାତିର ନକରି ଜୟପୁର ବିଏସଏନଏଲ୍ କାର୍ଯ୍ୟାଳୟ ସମ୍ମୁଖରେ ରାସ୍ତା ଉପରେ ଉଠାଦୋକାନ କରି ଚଳୁଛନ୍ତି। ବାରମ୍ବାର ଆବେଦନ ପରେ ବାର୍ଦ୍ଧକ୍ୟ ଭତ୍ତା ମିଳୁଛି। ରାସନକାର୍ଡରୁ ମାସକୁ ୫କିଲୋ ଚାଉଳ। ଗତ ଦୁଇ ମାସ ହେବ ଏକ ହଜାର ଲେଖାଏଁ ଭତ୍ତା ମିଳୁଛି। ତେବେ ମୁଣ୍ଡ ଗୁଜିଂବାକୁ ଘର ନଥିବାରୁ ଭଙ୍ଗା ଦଦରା ଚାଳଛପର ଘରେ ମୁଣ୍ଡ ଗୁଜିଂ ରହିଛି ଗୁରୁବାରୀ। ବାରମ୍ବାର ବାରମ୍ବାର ପକ୍କାଘର ପାଇଁ ଆବେଦନ କରି ବ୍ଲକ, ପଂଚାୟତ କାର୍ଯ୍ୟାଳୟ, ସ୍ଥାନୀୟ ନେତାଙ୍କ ନିକଟକୁ ଦଉଡ଼ି ଦଉଡ଼ି ନୟାନ୍ତ ହୋଇ ପଡ଼ିଥିବା କହିଛନ୍ତି ଗୁରୁବାରି। ତଥାଫି ଘର ଖଣ୍ଡିକ ମିଳିନି।  

ବ୍ୟାପକ ଅବ୍ୟବସ୍ଥା

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅବସ୍ଥା ନେଇ ମଧ୍ୟ ଅଭିଯୋଗ ହେଉଛି। ଘର ତିଆରି ପାଇଁ ଅନୁମତି ପାଇଥିବା ପ୍ରାୟ ୩ ହଜାର ହିତାଧିକାରୀ ଘର ସଂପୂର୍ଣ୍ଣ କରି ପାରି ନାହାନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କର ମୃତ୍ୟୁ ବି ଘଟି ସାରିଲାଣି। ଅନେକ ହିତାଧିକାରୀ ଘର ଅଧା ରଖି ଗାଁ ଛାଡି ବାହାରେ ରହୁଥିବା ବେଳେ ଆଉ କେ‌ତେକ ହିତାଧିକାରୀ ଜମିଜମା ବିବାଦରେ ଫସି ଘର କାମ ଆରମ୍ଭ କରି ପାରୁ ନାହାନ୍ତି। କଟକ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଏଭଳି ସ୍ଥିତି ଏବେ ପ୍ରଶାସନକୁ ବି ଅକଳରେ ପକାଇଛି। ତଥ୍ୟ ଅନୁଯାୟୀ କାର୍ଯ୍ୟାଦେଶ ପାଇଥିବା ହିତାଧିକାରୀଙ୍କ ମଧ୍ୟରୁ ୮୦ ଜଣ ଘର ସଂପୂର୍ଣ୍ଣ କରିବା ପୂର୍ବରୁ ପ୍ରାଣ ହରାଇଲେଣି। ଜମିଜମା ବିବାଦ ପାଇଁ ୩୮୨ଟି ଘର ଆରମ୍ଭ ହୋଇପାରୁନି। ଏହା ବ୍ୟତୀତ ଅନେକ ହିତାଧିକାରୀ ଘର ଅଧାପନ୍ତରିଆ ସ୍ଥିତିରେ ପକାଇ ଗାଁ ଛାଡି ବାହାରେ ରହୁଛନ୍ତି। ଗୋଟିଏ ପଟେ ଅନେକ ଯୋଗ୍ୟ ହିତାଧିକାରୀ ବର୍ଷ ବର୍ଷ ଧରି ଆବେଦନ କରୁଥିଲେ ବି ଆବାସ ଖଣ୍ଡିଏ ପାଉନଥିବାବେଳେ ଅନ୍ୟପଟେ ଘର ପାଉଥିବା ହିତାଧିକାରୀ ଘର ନ କରିବା ଘଟଣା ଅସନ୍ତୋଷର କାରଣ ହୋଇଛି।  

LEAVE A REPLY

Please enter your comment!
Please enter your name here