ଚନ୍ତା ବଢ଼ାଇଲା ଅଂଶୁଘାତ ଜନିତ ମୃତ୍ୟୁ

0
244

ଭୁବନେଶ୍ବର: ଚଳିତ ବର୍ଷ ଗ୍ରୀଷ୍ମଲହରି ପୂରା ଦେଶବାସୀଙ୍କୁ ଅସ୍ତବ୍ୟସ୍ତ କରିଛି। ଏଥିରୁ ଓଡ଼ିଶା ବାଦ୍ ପଡ଼ିନାହିଁ। ଉପକୂଳ ଓଡ଼ିଶାରେ ସ୍ଥିତି ସାଧାରଣ ଥିବା ବେଳେ ପଶ୍ଚିମ ଭାଗ ସୂର୍ଯ୍ୟଙ୍କ ପ୍ରଖର କିରଣରେ ଜଳୁଛି। ପୋଖରୀ, ନଦୀ, ନାଳ ଜଳ ଫୁଟୁଛି। ମେ’ ମାସରେ ଦେଶର ତାପମାତ୍ରା ୫୦ ଡିଗ୍ରି ଅତିକ୍ରମ କରିସାରିଥିବା ବେଳେ ଓଡ଼ିଶାରେ ଏହା ୪୭ ଡିଗ୍ରି ରେକର୍ଡ ହୋଇଛି। ରାଜସ୍ଥାନ, ପଂଜାବ, ହରିୟାଣା, ଦିଲ୍ଲୀ, ଉତ୍ତରପ୍ରଦେଶ, ବିହାର ଓ ଝାଡ଼ଖଣ୍ଡ ଭଳି ଓଡ଼ିଶାର ଜନତା ପ୍ରବଳ ଖରା ଓ ଗରମରେ ଛଟପଟ ହେଉଛନ୍ତି। ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଗତ ଏକ ସପ୍ତାହ ମଧ୍ୟରେ ଅଂଶୁଘାତ ଜନିତ ମୃତ୍ୟୁ ଅଧିକ ଚିନ୍ତା ବଢ଼ାଇଛି।  

ଗ୍ରୀଷ୍ମ ପବ୍ରାହ ସମଗ୍ର ଦେଶବାସୀଙ୍କୁ ଅସ୍ତବ୍ୟସ୍ତ କରିପକାଇଛି। କେବଳ ଉତ୍ତରପ୍ରଦେଶ ଓ ବିହାରରେ ପାଖାପାଖି ୨୦୦ ଜଣଲୋକଙ୍କର ମୃତ୍ୟୁ ହୋଇସାରିଛି। ମୃତ୍ୟୁର କାରଣ ଅଂଶୁଘାତ ବୋଲି କୁହାଯାଉଛି। ରାଜସ୍ଥାନରେ ଗତ ସପ୍ତାହରେ ୮ ଜଣଙ୍କର ମୃତ୍ୟୁ ହୋଇଥିଲା। ଉତ୍ତରପ୍ରଦେଶରେ ୧୬୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି। ଏଥିରେ ବାରାଣସୀରୁ ଅଧିକ ଲୋକ ସାମିଲ ଅଛନ୍ତି। ସେହିପରି ବିହାରରେ ଅଂଶୁଘାତ ପ୍ରଭାବରେ ୧୨ ଜିଲ୍ଲାରେ ୬୫ ଲୋକ ପ୍ରାଣ ହରାଇଥିବା ଅଭିଯୋଗ ରହିଛି। ବିଭିନ୍ନ ହସ୍ପିଟାଲରେ ଅନେକ ଚିକିତ୍ସାଧୀନ ଅଛନ୍ତି।

ଦିନକରେ ୨୩ ମୃତ୍ୟୁ

ଓଡ଼ିଶାରେ ଗୋଟିଏ ଦିନରେ ଅସ୍ବାଭାବିକ ମୃତ୍ୟୁ ନୂଆ ରେକର୍ଡ କରିଛି। ସୁନ୍ଦରଗଡ଼, ବଲାଙ୍ଗୀର, ଢେଙ୍କାନାଳ, ଯାଜପୁରରେ ୨୩ ଜଣଙ୍କର ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ସୁନ୍ଦରଗଡ଼ ଜିଲ୍ଲାରେ ଗୋଟିଏ ଦିନରେ ୧୭ ଜଣଙ୍କର ମୃତ୍ୟୁ ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି। ଗୁରୁବାର ଅପରାହ୍ଣ ପରଠାରୁ ସନ୍ଧ୍ୟା ମଧ୍ୟରେ ମାତ୍ର ୮ ଘଣ୍ଟା ମଧ୍ୟରେ ରାଉରକେଲା ସରକାରୀ ଡାକ୍ତରଖାନାରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ୪ ଜଣଙ୍କର ମୃତ୍ୟୁ ହୋଇଛି। କେବଳ ଏତିକି ନୁହେଁ ଜିଲ୍ଲାର ଅନ୍ୟ ସ୍ଥାନରେ ମଧ୍ୟ ଅସ୍ବାଭାବିକ ମୃତ୍ୟୁ ଖବର ରହିଛି। ସୁନ୍ଦରଗଡ଼ ଜିଲ୍ଲାରେ ଏହି ମୃତ୍ୟୁକୁ ନେଇ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନର ଚିନ୍ତା ବଢ଼ିଛି। ତଦନ୍ତ ପାଇଁ କମିଟି ଗଠନ ହୋଇଛି। ସ୍ବାସ୍ଥ୍ୟ ବିଶେଷଜ୍ଞ ପ୍ରବଳ ଗରମରୁ ଆଶ୍ବସ୍ତି ପାଇବା ପାଇଁ ପରାମର୍ଶ ଦେଇଛନ୍ତି।

ବଲାଙ୍ଗୀର ଡାକ୍ତରଖାନାରେ ୩ ମୃତ

ଗ୍ରୀଷ୍ମପ୍ରବାହ ପୂରା ପଶ୍ଚିମ ଓଡ଼ିଶାବାସୀଙ୍କୁ କଲବଲ କରୁଛି। ବଲାଙ୍ଗୀର ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅଭିଯୋଗ ଅନୁସାରେ ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ରାଣୀପାଲି ଗ୍ରାମର ରାମଚନ୍ଦ୍ର ଗଡତିଆ, ବଲାଙ୍ଗୀର ବେହେରାପାଲି ଗ୍ରାମର  ଅଶୋକ ନାୟକ ଓ ସିକାଛିଡାର ଜିତେନ୍ଦ୍ର ପ୍ରସାଦଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବାର ତାଙ୍କ ସମ୍ପର୍କୀୟ ଅଭିଯୋଗ ଆଣିଛନ୍ତି। ରାମଚନ୍ଦ୍ର ଗଡତିଆ ଗାଧୋଇବାକୁ ଯାଇଥିବା ବେଳେ ଟାଣଖରାରେ ରାସ୍ତାରେ ଅସୁସ୍ଥ ହୋଇ ଅଚେତ୍ ହୋଇଥିଲେ। ଅଶୋକ ନାୟକ କାମ କରି ଘରକୁ ଫେରୁଥିବା ବେଳେ ଗାଁ ପାଖ ଏକ ପଡିଆ ନିକଟରେ ସେ ଟଳି ପଡ଼ିଥିଲେ।  ଜିତେନ୍ଦ୍ର ପ୍ରସାଦ ଭାଟିରେ ଥିବା ବେଳେ ଅଚେତ୍ ହୋଇ ଯାଇଥିଲେ। ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ଭୀମ ଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।  

ଝାରସୁଗୁଡ଼ାରେ ୭ ମୃତ୍ୟୁ ଅଭିଯୋଗ

ଝାରସୁଗୁଡ଼ାର ୪୭ ଡିଗ୍ରି ତାପମାତ୍ରା ରାଜ୍ୟବାସୀଙ୍କର ଚିନ୍ତା ବଢ଼ାଇ ଦେଇଛି। ଶିଳ୍ପ ଓ କୋଇଲା ଖଣି ରହିଥିବାରୁ ତାପମାତ୍ରା ୨ରୁ ୩ ଡିଗ୍ରି ଅଧିକ ରହୁଥିବା ଜଣାପଡୁଛି। ସକାଳ ହେବା ମାତ୍ରେ ତାତି ପ୍ରକୋପ ଆରମ୍ଭ ହେଉଛି। ଦିନ ସମୟରେ ରାସ୍ତାଘାଟ ସବୁ ଶୁନଶାନ ଦେଖାଯାଉଛି। ଲଖନପୁର ଓ ବ୍ରଜରାଜନଗର ଅଞ୍ଚଳରେ କୋଇଲା ଖଣି ରହିଥିବାରୁ ଡ୍ରାଇଭରମାନଙ୍କ ଉପରେ ବେଶୀ ପ୍ରଭାବ ପଡୁଛି। ଝାରସୁଗୁଡା ଜିଲ୍ଲାରେ ଅଂଶୁଘାତ ଜନିତ ମୃତ୍ୟୁ ୭ରେ ପହଞ୍ଚି ଥିବା ସନ୍ଦେହ କରାଯାଇଛି। ତାତି ହୁହୁ ହୋଇ ବଢୁ ଥିବାରୁ  ଜିଲ୍ଲାପାଳ ସକାଳ ୧୦ ଟାରୁ ୫ଟା ପର୍ଯ୍ୟନ୍ତ ଘରୁ ପଦାକୁ ନ ବାହାରିବାକୁ ଜିଲ୍ଲାବାସୀଙ୍କୁ ପରାମର୍ଶ ଦେଇଛନ୍ତି।  

ଟଳିପଡ଼ିଲେ ଶ୍ରମିକ

ବରଗଡରେ କାମ କରୁଥିବା ବେଳେ ଶୁକ୍ରବାର ଦିନ ଜଣେ ଶ୍ରମିକ ଟଳି ପଡ଼ିଛନ୍ତି। ସୁବଳ ବେହେରା ବରଗଡ଼ ବଜାରରେ କାମ କରୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇ ତଳେ ପଡିଯାଇଥିଲେ। ତୁରନ୍ତ ତାଙ୍କୁ ସଦର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଶବ ବ୍ୟବଚ୍ଛେଦ ପାଇଁ ବରଗଡ଼ ମୁଖ୍ୟ ଡାକ୍ତରଖାନାକୁ ପଠାଇ ଦିଆଯାଇଛି । ଅଂଶୁଘାତ ଯୋଗୁଁ ସୁବଳଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ସୁବଳ ବଜାରରେ ବିଭିନ୍ନ ଦୋକାନରେ ଶ୍ରମିକ ଭାବେ କାମ ପରିବାର ପ୍ରତିପୋଷଣ କରନ୍ତି। ଅନ୍ୟଦିନ ପରି ଶୁକ୍ରବାର ଦିନ ମଧ୍ୟ କାମ କରିବାକୁ ଆସିଥିଲେ ।  

LEAVE A REPLY

Please enter your comment!
Please enter your name here