ଅନିଶ୍ଚିତତାରେ ଶ୍ରମିକଙ୍କ ଜୀବନ

0
233

ଭୁବନେଶ୍ବର: ଶ୍ରମିକଙ୍କ ବିକାଶ ଓ ସୁରକ୍ଷା ପାଇଁ ସରକାର ଅନେକଗୁଡ଼ିଏ ଯୋଜନା କରିଛନ୍ତି। ଶ୍ରମିକମାନଙ୍କୁ ନିଜ ଅଞ୍ଚଳରେ କାମ ଦେବା ପାଇଁ ମଧ୍ୟ ସରକାରଙ୍କ ଗାଇଡଲାଇନ୍‌ ଅଛି। ଶ୍ରମିକମାନଙ୍କୁ ମହାତ୍ମା ଗାନ୍ଧୀ ନରେଗା ଯୋଜନାରେ ସାମିଲ କରାଯାଉଛି। ନିର୍ମାଣ ଶ୍ରମିକ ‌କଲ୍ୟାଣ ଯୋଜନାରେ ମଧ୍ୟ ଶ୍ରମିକଙ୍କୁ ଗୁରୁତ୍ବ ଦିଆଯାଉଛି। କେବଳ ଶ୍ରମିକଙ୍କ ପାଇଁ ନୁହେଁ। ବରଂ ଶ୍ରମିକଙ୍କ ପରିବାରକୁ ମଧ୍ୟ ସରକାରଙ୍କ ଯୋଜନାରେ ସାମିଲ କରାଯିବାର ନିୟମ ରହିଛି। ତେବେ ସରକାରଙ୍କ ଏକାଧିକ ଯୋଜନା ଶ୍ରମିକଙ୍କ ପାଇଁ ମୂଲ୍ୟହୀନ ହୋଇଯାଉଛି।  

ବିଶ୍ୱ ଯଦି ବିକାଶର ଚରମ ସୀମାରେ ପହଞ୍ଚିବ, ତେବେ ତାହା ପଛରେ ମୁଖ୍ୟ ନାୟକ ହେଉଛନ୍ତି ଶ୍ରମିକ। କାରଣ ଶ୍ରମିକର ଝାଳବୁହା ପରିଶ୍ରମ ବଳରେ ହିଁ ଉନ୍ନତିର ରାସ୍ତା ନିର୍ମାଣ ହୋଇଥାଏ। ଶ୍ରମିକ ବିନା ବିକାଶର ପରିକଳ୍ପନା କରିବା ଗୋଟିଏ ରାଷ୍ଟ୍ର ପାଇଁ ଅସମ୍ଭବ। ସାରା ବିଶ୍ୱ ଏକ ହୋଇ ଛିଡ଼ା ହୋଇ ଶ୍ରମିକମାନଙ୍କ ପାଇଁ କାମ କରିବାର ଆବଶ୍ୟକତା ରହିଛି। ବିଶ୍ବର ୧୩୦କୋଟି ଶ୍ରମିକ ଶ୍ରେଣୀର ଅନ୍ତର୍ଗତ। ଅନ୍ତର୍ଜାତୀୟ ଶ୍ରମିକ ସଂଗଠନ (ଆଇଏଲ୍‌ଓ) ପକ୍ଷରୁ ଏହା କୁହାଯାଇଛି। ବିଶ୍ୱର ସବୁ ରାଷ୍ଟ୍ର ଶ୍ରମିକମାନଙ୍କ ସାମାଜିକ ସୁରକ୍ଷା, ସାମାଜିକ ସମ୍ମାନ ଓ ଅର୍ଥିକ ସହଯୋଗ ପ୍ରଦାନ ପାଇଁ ଦାୟିତ୍ୱ ନେବା ଦରକାର।

ବସ୍‌ ଦୁର୍ଘଟଣାରେ ୧୩ ମୃତ

ଛତିଶଗଡ଼ର ରାଜଧାନୀ ରାୟପୁର ନିକଟ ଦୁର୍ଗର କୁମ୍ଭାରୀରେ ମଙ୍ଗଳବାର ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ କି ଦୁଇ ଜଣ ମହିଳାଙ୍କ ସମେତ ମୋଟ୍‌ ୧୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଶିକାର ହୋଇଥିବା ଅନ୍ୟ ୧୫ ଜଣ ଆହତଙ୍କ ମଧ୍ୟରୁ ୧୦ ଜଣଙ୍କର ଅବସ୍ଥା ଗୁରୁତର ରହିଛି। ଦୁର୍ଗ ନିକଟ ଏକ କାରଖାନାରେ କାର୍ଯ୍ୟରତ ପ୍ରାୟ ୪୦ ଶ୍ରମିକ ସିଫ୍ଟ କାମ ସାରି କଂପାନିର ବସ୍‌ରେ ଘରକୁ ଫେରୁଥିଲେ। ବସ୍‌ର ଚାଳକ ଖପରି ରୋଡ୍‌ ମୁରୁମ ଖଣି ନିକଟରେ ନିୟନ୍ତ୍ରଣ ହରାଇଥିଲେ। ଫଳରେ ବସ୍‌ଟି ଓଲଟି ପଡ଼ିଥିଲା। ଦୁର୍ଘଟଣା ପରେ ସମସ୍ତଙ୍କୁ ଉଦ୍ଧାର କରାଯାଇଥିଲା। ମାତ୍ର ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ୧୩ ଜଣଙ୍କର ମୃତ୍ୟୁ ହୋଇସାରିଥିଲା।

ରେଳ ଚକା ତଳେ ଗଲା ୬ ଶ୍ରମିକଙ୍କ ଜୀବନ

ଗତବର୍ଷ ଜୁନ୍‌ ୭ ତାରିଖରେ ଯାଜପୁରରୋଡ ଷ୍ଟେସନ୍‌ ନିକଟରେ ଇଞ୍ଜିନ୍‌ ବିହୀନ ମାଲବାହୀ ଟ୍ରେନ୍‌ର ୱାଗନ୍‌ର ଚକା ତଳେ ବର୍ଷା ପବନରୁ ବର୍ତ୍ତିବା ପାଇଁ ଆଶ୍ରୟ ନେଇଥିବା ଶ୍ରମିକଙ୍କ ମଧ୍ୟରୁ ୬ ଜଣଙ୍କ ଜୀବନ ଯାଇଥିଲା। ଅନ୍ୟ ୨ଜଣ ଶ୍ରମିକ ଗୁରୁତର ଆହତ ହୋଇଥିଲେ। ଘଟଣା ଦିନ ଅପରାହ୍ଣ ପ୍ରାୟ ସାଢ଼େ ୪ଟା ବେଳେ ହଠାତ୍‌ କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ସହ ବର୍ଷା ହୋଇଥିଲା। ଏହି ସମୟରେ ଯାଜପୁରରୋଡ ରେଳ ଷ୍ଟେସନ ଦକ୍ଷିଣ କ୍ୟାବିନ୍‌ ନିକଟ ସତ୍ୟସାଇ ସଂଘ କାର୍ଯ୍ୟାଳୟ ପାଖରେ ଥିବା ରେଳଧାରଣାରେ କେତେକ ଶ୍ରମିକ କାମ କରୁଥ‌ିଲେ। ଖୁବ୍‌ ଜୋରରେ ବର୍ଷାପବନ ଆସିବାରୁ ଶ୍ରମିକମାନେ ପାଖରେ ଅନ୍ୟ ଏକ ଧାରଣାରେ ଛିଡ଼ା ହୋଇଥିବା ରେଳୱାଗନ୍ ତଳେ ଆଶ୍ରୟ ନେଇଥିଲେ। ଇଂଜିନ ନଥିବା ପ୍ରାୟ ୩୨ଟି ୱାଗନ୍ ବହୁଦିନ ହେଲା ଏଠାରେ ପଡ଼ି ରହିଥିଲା। ଝଡ଼ବର୍ଷା ସମୟରେ ସେଥିରୁ ୧୮ଟି ୱାଗନ୍ ଅଲଗା ହୋଇଯାଇ ଗଡ଼ିବାକୁ ଲାଗିଥିଲା। ୱାଗନ୍ ଗୁଡ଼ିକ ପ୍ରାୟ ୫ଶହ ମିଟର ଗଡ଼ିଯାଇ ଆଗରେ ଥିବା ବ୍ରେକରକୁ ଭାଙ୍ଗି ଦେଇଥିଲା। ଶ୍ରମିକମାନେ ଜୀବନ ବଞ୍ଚାଇବାକୁ ୱାଗନ୍ ତଳୁ ବାହାରି ଆସିବାକୁ ଉଦ୍ୟମ କରିଥିଲେ। କିଛି ଶ୍ରମିକ ବାହାରି ଆସିଥିଲେ ମଧ୍ୟ ଅନ୍ୟ ‌କେତେକ ବାହାରି ପାରିନଥିଲେ।

ଓଡ଼ିଶାରେ ଶ୍ରମିକଙ୍କ ସ୍ଥିତି

ଓଡ଼ିଶାରେ ଶ୍ରମିକମାନଙ୍କୁ ରୋଜଗାର ମିଳିବା ଭଳି ମାତ୍ରାଧିକ କାରଖାନା ଯଦିଓ ନାହିଁ। ତଥାପି ଖଣିର ଅଭାବ ନାହିଁ। କେବଳ ଧାନ ବ୍ୟତୀତ ଅନ୍ୟ ଚାଷ ଉତ୍ସାହଜନକ ନୁହେଁ। ‌ଖରିଫ ଋତୁରେ ଧାନ ଚାଷ ରାଜ୍ୟ ସାରା ହେଉଥିବା ବେଳେ ଅଳ୍ପ କିଛି ସ୍ଥାନରେ ରବି ଧାନ ଚାଷ ହେଉଛି। ଉତ୍ପାଦନ କରିପାରୁ ଥିବା ଶିଳ୍ପର ଅଭାବ କାରଣରୁ ଓଡ଼ିଶାର ଶ୍ରମିକମାନଙ୍କୁ କାମ ମିଳୁନାହିଁ। ତେଣୁ ଓଡ଼ିଆ ଶ୍ରମିକମାନଙ୍କୁ ରାଜ୍ୟ ବାହାରେ କାମ କରିବାକୁ ପଡ଼ିଥାଏ। ପ୍ରାୟ ୩୦ ଲକ୍ଷ ଓଡ଼ିଆ ଶ୍ରମିକ ରାଜ୍ୟ ବାହାରେ କରୁଛନ୍ତି। ଏଥିରୁ ଲକ୍ଷାଧିକ ଶ୍ରମିକ ଦୁବାଇ, ବାହାରିନ, ଆଫ୍ରିକୀୟ ଦେଶଗୁଡ଼ିକରେ କାମ କରନ୍ତି। ଓଡ଼ିଶାର ଶ୍ରମିକ ବାହାରେ କାମ କରି‌ ପେଟ‌ ପୋଷିବା ଯେତିକି ଖୁସିର ବିଷୟ, ସେଠାରେ ନିର୍ଯାତନା ପାଇ ଘରକୁ ଫେରିବା ତା’ଠାରୁ ଅଧିକ କଷ୍ଟଦାୟକ। ଯେତେବେଳେ ପ୍ରବାସୀ ଓଡ଼ିଆଙ୍କ ମୃତଦେହ ଘରକୁ ଫେରିଆସେ, ସେହି ସମୟରେ ପରିବାର, ଗାଁ ଓ ଅଞ୍ଚଳ ସ୍ତବ୍ଧ ପାଲଟିଯାଏ।

LEAVE A REPLY

Please enter your comment!
Please enter your name here