ପୋଲ ଉପରେ ଜୀବନ

    0
    236

    ଭୁବନେଶ୍ବର: ମନୁଷ୍ୟ ହେଉ ବା ଅନ୍ୟ ଜୀବଜନ୍ତୁ। ଏକ ନିର୍ଦ୍ଦିଷ୍ଟ ସ୍ଥାନରୁ ଅନ୍ୟତ୍ର ଯିବା ପାଇଁ ରାସ୍ତା ଦରକାର କରିଥାନ୍ତି। ମଣିଷ ବ୍ୟତୀତ ଅନ୍ୟ ପ୍ରାଣୀମାନେ କେଉଁ ରାସ୍ତାରେ ଯାଉଛନ୍ତି ସେମାନେ ଜାଣି ନଥାନ୍ତି। କିନ୍ତୁ ମଣିଷ ଆଗକୁ ବଢ଼ିବା ବେଳେ ଜଳ, ସ୍ଥଳ ଓ ଆକାଶପଥର ବ୍ୟବହାର କରିଥାଏ। ଅଧିକନ୍ତୁ ମାନବ ସମାଜ ସଡ଼କ ପଥକୁ ପ୍ରମୁଖ ଭାବରେ ବ୍ୟବହାର କରିବାକୁ ପଡ଼ିଥାଏ। ସଡ଼କ ପଥରେ ବେଳେ ବେଳେ ପୋଲ ମଧ୍ୟ ଅତିକ୍ରମ କରିଥାଏ। କିନ୍ତୁ କ୍ଷୋଭର କଥା ହେଲା ଯେ, ସଡ଼କ ପଥରେ ଥିବା ପୋଲ ଯେତେବେଳେ ଦୁର୍ବଳ ହୋଇଯାଏ, ଦୁର୍ଘଟଣା ଘଟିଥାଏ। ପରିସ୍ଥିତି ଅନୁସାରେ ଜୀବନ ମଧ୍ୟ ଚାଲିଯାଏ। ଲୋକଙ୍କୁ ଯାତାୟତରେ ଅସୁବିଧା ହୋଇଥାଏ।

    ଜାତୀୟ ରାଜପଥ ହେଉ ବା ରାଜ୍ୟ ରାଜପଥ ହେଉ। ଅଥବା ଗ୍ରାମ୍ୟ ରାସ୍ତା ହେଉ, ପୋଲ ହେଉଛି ସଡ଼କପଥର ଅନ୍ୟତମ ଅବିଚ୍ଛେଦ ଅଙ୍ଗ। ତେଣୁ ଏହାର ନିର୍ମାଣ କାର୍ଯ୍ୟ ମଜବୁତ ହେବା ଦରକାର। ପୋଲରେ ଯଦି ନିର୍ମାଣଜନିତ ତ୍ରୁଟି ହୁଏ, ତାହେଲେ ଭୁଶୁଡ଼ିବା ସୁନିଶ୍ଚିତ। ରାଜ୍ୟରେ ଅନେକ ପୋଲ ବ୍ରିଟିଶ ଅମଳରେ ନିର୍ମାଣ ହୋଇଥିଲେ ବି ମଜବୁତ ଅଛି। କିନ୍ତୁ ଆଜିକାଲି ଅନେକ ସ୍ଥାନରେ ନିର୍ମାଣ ଉପରେ କୌଣସି ସଂସ୍ଥା ଦ୍ବାରା ଦିଆଯାଇଥିବା ଜୀବନ ସମୟ ପୂର୍ବରୁ ଭୁଶୁଡୁ ପଡୁଛି। ବିଗତ ଏକ ବର୍ଷ ମଧ୍ୟରେ ରାଜ୍ୟରେ ୨ଟି ସ୍ଥାନରେ ଜାତୀୟ ରାଜପଥରେ ପୋଲ ଭୁଶୁଡ଼ିଛି। ଗତବର୍ଷ ଅଗଷ୍ଟ ୧୭ ତାରିଖରେ କୋରାପୁଟରେ ଏକ ପୋଲ ଭୁଶୁଡ଼ିଥିଲା। ଚଳିତ ମାସ ୧୭ ତାରିଖ ରାତିରେ ଯାଜପୁରରେ ସମାନ ପରିସ୍ଥିତି ଦେଖିବାକୁ ମିଳିଛି। ଖୁସିର କଥା ହେଲା ଯେ, ଉଭୟ ଦୁର୍ଘଟଣାରେ କାହାରି ମୃତ୍ୟୁ ହୋଇ ନାହିଁ।

    ୭୦ ବର୍ଷର ପୋଲ ସୁରକ୍ଷିତ

    ୧୬ ନମ୍ବର ଜାତୀୟ ରାଜପଥର ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଛକ ନିକଟରେ ଥିବା ଏକ ପୋଲ ଭୁଶୁଡ଼ିଛି। ନିର୍ମାଣଗତ ତ୍ରୁଟି ଯୋଗୁଁ ଏହି ପୋଲ ଭୁଶୁଡ଼ିଛି ବୋଲି ଭାରତୀୟ ଜତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ପ୍ରକଳ୍ପ ନିର୍ଦ୍ଦେଶକ ଜି.ପି ବର୍ମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ, ବିଶେଷଜ୍ଞ ଟିମ୍ ଅଧିକ ତଦନ୍ତ ପାଇଁ ଘଟଣାସ୍ଥଳକୁ ଆସୁଛନ୍ତି। ଚୂଡ଼ାନ୍ତ ରିପୋର୍ଟ ଆସିଲା ପରେ ଭୁଶୁଡ଼ିବାର ପ୍ରକୃତ କାରଣ ଜଣାପଡ଼ିବ। ଏହି ବ୍ରିଜ୍ର ନିର୍ମାଣ ୨୦୦୮ରେ ହୋଇଥିଲା। ଏହାର ଜୀବନ କାଳ ୫୦ ବର୍ଷ ଥିଲା। କିନ୍ତୁ ୧୫ ବର୍ଷ ପରେ କିପରି ବ୍ରିଜଟି ଭୁଶୁଡ଼ିଲା ସେନେଇ ଏନଏଚଏଆଇ ଚିନ୍ତା ପ୍ରକଟ କରିଛି।  ୭୦ ବର୍ଷର ପୁରୁଣା ପୁରୁଣା ପୋଲ ସୁଦୃଢ଼ ଥିବା ବେଳେ ମାତ୍ର ୧୫ ବର୍ଷ ପୁରୁଣା ପୋଲ ଭୁଶୁଡ଼ି ଯାଇଥିବା ହେତୁ ସ୍ଥାନୀୟ ଲୋକମାନେ ଠିକାଦାରକୁ ଦାୟୀ କରିଛନ୍ତି।

    ୫୦ ବର୍ଷର ପୋଲ ଭୁଶୁଡ଼ିଲା

    କୋରାପୁଟରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୩୨୬ନମ୍ବର ଜାତୀୟ ରାଜପଥର ଲେନ୍ଦିରିମାଳିଗୁଡା ଓ ବଙ୍ଗଳାଗୁଡା ନିକଟରେ ରହିଥିବା ପୋଲ ୨୦୨୨ ଅଗଷ୍ଟ ମାସରେ ଭୁଶୁଡ଼ି ଥିଲା। ଏହି ପୋଲ ପ୍ରାୟ ୫୦ବର୍ଷ ତଳେ ନିର୍ମାଣ ହୋଇଥିଲା। କିନ୍ତୁ ଲଗାଣ ବର୍ଷା ଓ ଅନ୍ୟ କାରଣରୁ ଦୁର୍ବଳ ହୋଇଥିଲା। ଭାରୀଯାନ ଚଳାଚଳ କରିବାରୁ ଆପେଆପେ ଗୋଟିଏ ପାର୍ଶ୍ବ ଦବି ଯାଇଥିଲା। ସୌଭାଗ୍ୟ ବଶତଃ ସେହି ସମୟରେ କୌଣସି ଗାଡ଼ି ପୋଲ ଉପରେ ନଥିଲା। ନଚେତ ବଡ଼ ଅଘଟଣ ଘଟିଥାନ୍ତା ବୋଲି କୁହାଯାଉଛି। ରାୟଗଡ଼ା ଜିଲ୍ଲାକୁ ଯୋଡ଼ୁଥିବା ୪୦ଫୁଟ୍ ଓସାରିଆ ପୁରୁଣା ପୋଲ ଛମାରୀ ନଦୀ ଉପରେ ୧୯୭୫ ମସିହାରେ ନିର୍ମାଣ କରାଯାଇଥିଲା।

    ପାଟଣାଗଡ଼ରେ ୨ ମୃତ

    ୨୦୨୦ ମସିହା ଏପ୍ରିଲ ମାସରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ର ତମିଆଁ- ମୁଦଲସର ସୁକତେଲ୍ ସେତୁ ମରାମତି ଚାଲିଥିବାବେଳେ ଭୁଶୁଡ଼ି ଥିଲା। ଫଳରେ ଭଙ୍ଗା ସ୍ଲାବ୍ ତଳେ ଚାପି ହୋଇ ୨ ଜଣ ଶ୍ରମିକଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ। ପୋଲ ନିର୍ମାଣ ହେବା ଦିନଠାରୁ ଏହାର କାମ ନିମ୍ନମାନର ବୋଲି ଅଭିଯୋଗ ହୋଇ ଆସୁଥିଲା। କିନ୍ତୁ ଅଞ୍ଚଳବାସୀଙ୍କ ଅଭିଯୋଗକୁ ଶୁଣି ନଥିଲେ କର୍ତ୍ତୃପକ୍ଷ। ବରଂ ଧାର୍ଯ୍ୟ ସମୟ ମଧ୍ୟରେ ସେତୁ ନିର୍ମାଣ ଶେଷ କରିଥିବାରୁ ନିର୍ମାଣକାରୀ ସଂସ୍ଥାକୁ ପୁରସ୍କୃତ କରିଥିଲେ। ଦିନ କେଇଟା ପରେ ସେତୁର ଅସଲ ରୂପ ପଦାରେ ପଡ଼ିଥିଲା। ସେତୁର ୬ଟି ପିଲର ମଧ୍ୟରୁ ଗୋଟିଏ ଦବି ଯାଇଥିଲା। ଏହାର ମରାମତି ଚାଲିଥିବା ବେଳେ ୬ କୋଟି ୬୭ ଲକ୍ଷ ଟଙ୍କାର ସେତୁଟି ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଥିଲା।

    ବିହାରରେ ୭ ପୋଲ ଭୁଶୁଡ଼ିଲା

    ପୋଲ ଭୁଶୁଡ଼ିବା ଘଟଣା କେବଳ ଓଡ଼ିଶାରେ ନୁହେଁ। ବରଂ ରାଜ୍ୟ ବାହାରେ ମଧ୍ୟ ଘଟୁଛି। ଗତ ମାସ ବିହାରର ଭାଗଲପୁର ପୋଲ ଭୁଶୁଡ଼ିବା ଘଟଣାକୁ ନେଇ ସେଠାକାର ରାଜ୍ୟ ସରକାର କଡ଼ା ସମାଲୋଚନାର ଶିକାର ହୋଇଥିଲେ। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର  ପୋଲର ତ୍ରୁଟିପୂର୍ଣ୍ଣ ଡିଜାଇନ୍ କଥାକୁ ସ୍ବୀକାର କରିଥିଲେ ଏବଂ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି କହିଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ, ବିହାରରେ ଗତ ବର୍ଷକ ମଧ୍ୟରେ ବିଭିନ୍ନ ସ୍ଥାନରେ ୭ଟି ପୋଲ ଭୁଶୁଡ଼ି ପଡ଼ିଛି। କଣ୍ଟ୍ରାକ୍ଟର ଏବଂ ଇଂଜିନିୟର ନିମ୍ନ ମାନର ସାମଗ୍ରୀ ବ୍ୟବହାର କରିଥିବା ନେଇ ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

    LEAVE A REPLY

    Please enter your comment!
    Please enter your name here