ପରଂପରା: ବର୍ଷା ପାଇଁ ପୂଜା 

    0
    267

    ଭୁବନେଶ୍ବର: ଓଡ଼ିଶା ସମେତ ପୂରା ଭାରତରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ବର୍ଷା ହୋଇଥାଏ। ଏତଦ୍ ବ୍ୟତୀତ ଲଘୁଚାପ, କାଳବୈଶାଖୀ ଓ ବାତ୍ୟା ଯୋଗୁଁ ଓଡ଼ିଶାରେ ବର୍ଷା ହୋଇଥାଏ। କିନ୍ତୁ ଚାଷ ପାଇଁ ଉପଯୋଗୀ ବର୍ଷା ହେଉଛି ମୌସୁମୀଜନିତ ବର୍ଷ, ଯାହାକି ଜୁନ୍ ପ୍ରଥମ ସପ୍ତାହରୁ ଆରମ୍ଭ ହୋଇ ନଭେମ୍ବର ମାସ ପର୍ଯ୍ୟନ୍ତ ଅନୁଭୂତ ହୋଇଥାଏ। ତେବେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବର୍ଷା ଠିକ୍ ସମୟରେ ହେଉନାହିଁ। ଅପରପକ୍ଷେ ଯେଉଁ ସମୟରେ ବର୍ଷା ଯେତିକି ଦରକାର ତାହା ମଧ୍ୟ ହେଉ ନଥିବା ଦୃଷ୍ଟିଗୋଚର ହେଉଛି।

    ରାଜ୍ୟରେ ଚାଷୀଙ୍କ ପାଇଁ ଉପଯୁକ୍ତ ଜଳସେଚନ ବ୍ୟବସ୍ଥା ହୋଇପାରି ନାହିଁ। ବହୁତ କମ ସ୍ଥାନରେ ଜଳସେଚନ ବ୍ୟବସ୍ଥା ରହିଛି। ରାଜ୍ୟରେ ଜଳ ସମ୍ବଳ ଅଭାବ ନଥିଲେ ମଧ୍ୟ ଏହାକୁ ସୁବିନିଯୋଗ କରାଯାଇପାରି ନାହିଁ। ଏହି କାରଣରୁ ସବୁ ଚାଷଜମିକୁ ସେଚିତ ଜଳ ମିଳିପାରୁ ନାହିଁ। ଫଳରେ ଚାଷୀମାନେ ବର୍ଷା ଜଳକୁ ଅପେକ୍ଷା କରି ରହିଥାନ୍ତି। ତେବେ ଦରକାର ସମୟରେ ଚାଷୀମାନେ ଯେତେବେଳେ ବର୍ଷା ଜଳ ପାଇପାରନ୍ତି ନାହିଁ, ସେହି ସମୟରେ ସେମାନେ ବ୍ୟସ୍ତ ହୋଇଯାଆନ୍ତି ଏବଂ ଇନ୍ଦ୍ର ଓ ଅନ୍ୟ ଦେବତାଙ୍କ ଶରଣ ନିଅନ୍ତି। ପୂଜାର୍ଚ୍ଚନା ମଧ୍ୟ କରନ୍ତି। ରାଜ୍ୟରେ ଏଭଳି କିଛି ଉଦାହରଣ ଦେଖିବାକୁ ମିଳୁଛି।

    ଜରାସିଂହାରେ ମା’ ବୁଢ଼ିଆଇ ପୂଜା

    ଚଳିତ ବର୍ଷ ମୌସୁମୀ ବିଳମ୍ବରେ ଆସିଛି। ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି। କିନ୍ତୁ ଭଲ ବର୍ଷାଟିଏ ହୋଇପାରିନି। ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ତେଣୁ ବର୍ଷା ପାଇଁ ଚାଷୀମାନେ ଦେବୀଙ୍କ ଶରଣ ନେଇଛନ୍ତି। ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଳକର ଜରାସିଂହା ଗାଁରେ ଗତ ୩ ତାରିଖରେ ଲୋକେ ଇଷ୍ଟ ଦେବୀ ‘ମା ବୁଢିଆଇ’ଙ୍କୁ ପୂଜାର୍ଚ୍ଚନା କରିଥିଲେ। ତାଙ୍କର ଏହି ପୂଜା ଚାଷ ସହ ଯୋଡି ହୋଇ ରହିଥିବାରୁ କୃଷିଭିତ୍ତିକ ପର୍ବ ବା କାଦୋଯାତ୍ରା ବୋଲି କହିଥାନ୍ତି। ଆଷାଢ଼ ପୂର୍ଣ୍ଣିମା ଦିନରେ ଏହି ଯାତ୍ରା ଅନୁଷ୍ଠିତ ହେବାର ପରମ୍ପରା ରହିଥିବା ବେଳେ ତା ପୂର୍ବ ଦୁଇ ଦିନ ରୁ ଯାତ୍ରାର ପସ୍ତୁତି ହୋଇଥାଏ। ରାଜାରାଜୁଡ଼ା ଅମଲରୁ ଏହି ପୂଜା ହୋଇଆସୁଛି।

    ବର୍ଷା ପାଇଁ ଇନ୍ଦ୍ରପୂଜା

    ବିଶ୍ବାସ ରହିଛି ଯେ, ଇନ୍ଦ୍ର ହେଉଛନ୍ତି ବର୍ଷାର ଦେବତା। ତେଣୁ ରାଜ୍ୟର ଅନେକ ସ୍ଥାନରେ ଇନ୍ଦ୍ରପୂଜା କରାଯିବାର ପରଂପରା ରହିଛି। ଗତ ଜୁନ ମାସରେ ଇନ୍ଦ୍ର ଦେବଙ୍କୁ ଶାନ୍ତ କରିବା ପାଇଁ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଦର ମହକୁମା ନିକଟ ଠିଡ଼ିକାଜୋର ଗ୍ରାମରେ ଯଜ୍ଞ ଓ ପୂଜାର୍ଚ୍ଚନା କରାଯାଇଥିଲା। ଏଥିରେ ବାଣିଭୂଷଣପୁର ପଞ୍ଚାୟତର ୧୮ ଖଣ୍ଡ ଗାଁର ଲୋକେ ସାମିଲ ହୋଇଥିଲେ। ଗ୍ରାମବାସୀଙ୍କ କହିବା ଅନୁସାରେ ପୂର୍ବେ ନିଜ ରାଜ୍ୟରେ ଅନାବୃଷ୍ଟି କାରଣରୁ ରାଜା ଦଶରଥ ଋଷି ଋଶ୍ୟସୁଙ୍ଗଙ୍କୁ ଆଣି ନିଜ ରାଜ୍ୟରେ ଇନ୍ଦ୍ର ଦେବଙ୍କ ଯଜ୍ଞ କରାଇଥିଲେ। ଯଜ୍ଞ ପରେ ରାଜ୍ୟରେ ବର୍ଷା ହୋଇଥିଲା। ତେଣୁ ଏହି ପରମ୍ପରାକୁ ବଜାୟ ରଖାଯାଇଛି।  ଗଜପତି ଜିଲ୍ଲା ନୂଆଗଡ ବ୍ଲକ ତଟରଙ୍ଗ ଗାଁରେ ଧ୍ୟ ଏଭଳି ପୂଜାର୍ଚ୍ଚନା କରାଯାଇଥିଲା। ଗାଁର ପିଲାଠୁ ବୁଢା ସମସ୍ତେ ଏହି ପୂଜାରେ ଲାଗିଥିଲେ।  

    ଦେଉଳଝରୀରେ ଋଷିମୁନିଙ୍କୁ ପୂଜା

    ସେହିପରି ବର୍ଷା ପାଇଁ ଚାଷୀମାନେ ପର୍ବତକୁ ଯାଇ ମୁନିଋଷିଙ୍କ ଉଦ୍ଦେଶ୍ୟରେ ପୂଜାର୍ଚ୍ଚନା କରନ୍ତି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ବହଲପଦର ଓ ଖଣ୍ଡହଥା ପଞ୍ଚାୟତ ଅଧିନରେ ଥିବା ଅନେକ ଗାଁର ଲୋକେ ଜିଲ୍ଲାର ସୀମାନ୍ତରେ ଥିବା ଦେଉଳଝରୀ ପାହାଡ଼କୁ ଯାଇ ମୁନିଋଷିଙ୍କ ଉଦ୍ଦେଶ୍ୟରେ ପୂଜାର୍ଚ୍ଚନା କରିଥାନ୍ତି। ଏହି ଅଞ୍ଚଳରୁ ଲୋକେ ବିଭିନ୍ନ ପର୍ଯ୍ୟାୟରେ ଦେଉଳଝରୀକୁ ଯାଇ ପୂଜା କରିବା ସହିତ ସଂକୀର୍ତ୍ତନ କରିଥାନ୍ତି। ଅନେକ ବର୍ଷ ହେଲା ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି।

    LEAVE A REPLY

    Please enter your comment!
    Please enter your name here