ମହିଳା କ୍ୟାଡରଙ୍କୁ ମାଓ ଶିବିରରେ ଦୁଷ୍କର୍ମ!

    0
    264

    ଭୁବନେଶ୍ୱର: ମାଓ ଶିବିରରେ ମହିଳା କ୍ୟାଡରଙ୍କୁ ଦୁଷ୍କର୍ମ କରାଯାଉଛି । କେବଳ ଦୁଷ୍କର୍ମ ନୁହେଁ । ବରଂ ଶାରିରୀକ ଓ ମାନସିକ ନିର୍ଯାତନା ଦିଆଯାଉଛି । ବର୍ଷ ବର୍ଷ ଧରି ଏହି ଅଭିଯୋଗ ହୋଇ ଆସୁଥିଲା । ସଂଗଠନର ବରିଷ୍ଠ ସଦସ୍ୟ ଏହାକୁ ବିଶ୍ୱାସ କରୁ ନଥିଲେ । ମାତ୍ର ସମୟ ବଳଦିବା ପରେ ମାଓ ସଂଗଠନ ଏବେ ଏହା ସ୍ୱୀକାର କରିଛି । ମହିଳା ମାଓବାଦୀମାନେ ଯେତେବେଳେ ଶିବିର ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହୁଅନ୍ତି, ପୁଲିସ ଆଗରେ ସବୁ କଥା ପ୍ରକାଶ କରିଥାନ୍ତି । ଛତିଶଗଡ଼ରେ ଜଣେ ମହିଳା କ୍ୟାଡରଙ୍କୁ ଦୁଷ୍କର୍ମ କରାଯିବା ପରେ ଘଟଣା ସହିତ ସଂପୃକ୍ତ ଥିବା ଜଣେ ପୁରୁଷ କ୍ୟାଡରଙ୍କୁ ହତ୍ୟା କରାଯିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ଏହା ସ୍ପଷ୍ଟ କରୁଛି, ଯେ ମହିଳା କ୍ୟାଡର ଶିବିରରେ ଦୁଷ୍କର୍ମର ଶିକାର ହେଉଛନ୍ତି ।

    ମାଓବାଦୀମାନେ କମ ପଢୁଆ ଅଥବା ଅଶିକ୍ଷିତ ଯୁବତୀମାନଙ୍କ ବିଭିନ୍ନ ପ୍ରକାରର ଲୋଭ ଦେଖାଇ ସେମାନେ ସଂଗଠନରେ ସାମିଲ କରାଇଥାନ୍ତି । ମହିଳାଙ୍କୁ ଢାଳ ଭାବରେ ବ୍ୟବହାର କରି ସେମାନଙ୍କର ସ୍ୱାର୍ଥ ପୂରା କରିଥାନ୍ତି । ଶେଷରେ ସେମାନଙ୍କୁ ବଡ଼ ଆଶା ଦେଖାଇ ଶାରିରୀକ ସଂପର୍କ ରଖନ୍ତି । ବିବାହ ପ୍ରତିଶ୍ରୁତି ଦେଇ ଗର୍ଭବତୀ କରନ୍ତି । ମାତ୍ର ଅନେକ ପୁରୁଷ କ୍ୟାଡର ସେମାନଙ୍କର ପ୍ରତିଶ୍ରୁତି ପାଳନ କରିପାରନ୍ତି ନାହିଁ । ତେଣୁ ନିରୀହ ଆଦିବାସୀ, ଅସ୍ୱାକ୍ଷର, ସରଳବିଶ୍ୱାସୀ ମହିଳାମାନେ ପ୍ରତାଡ଼ିତ ହୋଇଥାନ୍ତି । କଳଙ୍କର ବୋଝକୁ ବୋହି ଅନେକ ମହିଳା କ୍ୟାଡର ଆଉ ଘରକୁ ଫେରିବାକୁ ସାହାସ କରି ନପାରି ଶେଷରେ ଜୀବନ ହାରି ଦିଅନ୍ତି । କିନ୍ତୁ କିଛି ମହିଳା ଖସିଆସି ପୁଲିସ ଆଗରେ ଆତ୍ମସମର୍ପଣ କରିଥାନ୍ତି ।

    ମହିଳାଙ୍କୁ ଖରାପ ନଜରରେ ଦେଖୁଥିଲେ ପୁରୁଷ କ୍ୟାଡର

    ଛତିଶଗଡ଼ର କାଙ୍କେର ଜିଲ୍ଲା କୋଇଲିବେଡା ଜଙ୍ଗଲରେ ମାଓ ସଂଗଠନର ଜଣେ ପୁରୁଷ କ୍ୟାଡରଙ୍କୁ ଗଳାକାଟି ହତ୍ୟା କରାଯାଇଛି । ମୃତ ବ୍ୟକ୍ତି ହେଲା କାଙ୍କେର ଡିଭିଜନ କିସୋକୋଡି ଏରିଆ କମିଟିର ସକ୍ରିୟ ସଦସ୍ୟ ମାନୁ ଦୁର୍ଗା । ସେ ମାଓ ଶିବିରରେ ନିଜର ସାଥୀ ମହିଳାଙ୍କ ଉପରେ ଖରାପ ନଜର ରଖୁଥିଲା । ମହିଳା କ୍ୟାଡରମାନଙ୍କୁ ଭଲ ସମ୍ମାନ ଦେବା ପାଇଁ ମାଓବାଦୀମାନେ ପୂର୍ବରୁ ଅନେକ ଥର ମାନୁଙ୍କୁ ପରାମର୍ଶ ଦେଇଥିଲେ । କିନ୍ତୁ ମାନୁର କୌଣସି ବ୍ୟବହାରରେ ପରିବର୍ତ୍ତନ ହେଉଥିଲା ବୋଲି ମୃତଦେହ ପାଖରୁ ଜବତ ନୋଟରେ ଦର୍ଶାଯାଇଛି । ସୂଚନାଯୋଗ୍ୟ, ମାନୁ ଥିଲା ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ । ସେ ଅନେକଗୁଡ଼ିଏ ମାଓ ହିଂସାରେ ଯଡ଼ିତ ଥିଲା, ଯେଉଁଥି ପାଇଁ ସରକାର ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ ।  

    ମହିଳା କ୍ୟାଡରଙ୍କ ଆତ୍ମସମର୍ପଣ

    ସୀମାନ୍ତ ତେଲେଙ୍ଗାନାର ଭଦ୍ରାଦିକୋଥାଗୁଡୁମ ପୁଲିସ ନିକଟରେ ଗତ ଏପ୍ରିଲ ୨୫ ତାରିଖରେ ଦୁଇ ଜଣ ମହିଳା ମାଓବାଦୀ ଆତ୍ମସମର୍ପଣ କରିଥିଲେ । ଦୁଇ ମହିଳା କ୍ୟାଡର ମାଓବାଦୀ ମୁସୁକି ସୁଖି ଓରଫ ବିମଳା (୧୮) ଓ ମାଡ଼କମ ପ୍ରମିଳା ଓରଫ ପାଲୋ (୧୮) ପୁଲିସ ଆଗରେ କହିଥିଲେ ଯେ, ମାଓବାଦୀ ସଂଗଠନ ସେମାନଙ୍କୁ ବଳପୂର୍ବକ ନେଇଯାଇଥିଲେ । ସେମାନେ ଯେଉଁ ସମୟରେ ମାଓ ସଂଗଠନରେ ମିଶିଥିଲେ, ସେହି ସମୟରେ ସେମାନଙ୍କର ବୟସ ୧୪ ବର୍ଷ ହୋଇଥିଲା। ଆତ୍ମସମର୍ପଣ ସମୟରେ ସେମାନେ ଅଭିଯୋଗ ଆଣିଥିଲେ ଯେ, ଯୁବତୀମାନଙ୍କୁ ବରିଷ୍ଠ ମାଓନେତାଙ୍କ ସହ ଶାରିରୀକ ସଂପର୍କ ରଖିବାକୁ ବାଧ୍ୟ କରାଯାଉଥିଲା । ଦୁର୍ଦ୍ଦାନ୍ତ ମାଓବାଦୀ ଦାମୋଦର ବଳପୂର୍ବକ ରଂଜିତା ନାମ୍ନୀ ଜଣେ ଯୁବତୀକୁ ବିବାହ କରିବାକୁ ବାଧ୍ୟ କରିଥିଲା । ଆଦିବାସୀ ମାଓବାଦୀଙ୍କୁ ସମ୍ମାନ ମିଳୁ ନଥିଲା । ଆଜାଦ ଏବଂ ରବି ଭଳି ମାଓବାଦୀମାନେ ସବୁବେଳେ ଏମାନଙ୍କୁ ଟଙ୍କା ଲୁଟିବାକୁ କହୁଥିଲେ । ସେମାନେ ଯେତେବେଳେ ଶାରିରୀକ ଅସୁସ୍ଥତା ଅନୁଭବ କରୁଥିଲେ, ସେମାନଙ୍କୁ ଚିକିତ୍ସା କରାଯାଉ ନଥିଲା ।  କେବଳ ବିମଳା ଓ ପ୍ରମିଳା ନୁହଁନ୍ତି, ଅତୀତରେ ଅନେକ ମହିଳା କ୍ୟାଡର ମାଓ ସଂଗଠନର ପୁରୁଷମାନଙ୍କ ବିରୋଧରେ ଶାରିରୀକ ଓ ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ଆଣିଛନ୍ତି।

    LEAVE A REPLY

    Please enter your comment!
    Please enter your name here