ବିଦେଶରେ ନରେନ୍ଦ୍ର ମୋଦୀ ବେଶୀ ଲୋକପ୍ରିୟ!

    0
    308

    ନୂଆଦିଲ୍ଲୀ: ଗୁଜରାଟର ମୁଖ୍ୟମନ୍ତ୍ରୀ ଠାରୁ ଆରମ୍ଭ କରି ଭାରତର ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ନରେନ୍ଦ୍ର ମୋଦୀ କ୍ଷମତାର ରାଜନୀତିରେ ପ୍ରାୟ ୨୨ ବର୍ଷ ହେଲା ସେବା କରିଆସିଛନ୍ତି। ଏହି ସମୟ ମଧ୍ୟରେ ସେ ଜଣେ ଲୋକପ୍ରିୟ ବିଶ୍ବନେତା ଭାବେ ପରିଚିତ ହୋଇସାରିଛନ୍ତି। ତାଙ୍କ ନେତୃତ୍ବରେ ବିଜେପି ଏକ ନିର୍ବାଚନ-ବିଜୟୀ ଯନ୍ତ୍ରରେ ପରିଣତ ହୋଇଛି। ୫୧ ବର୍ଷ ବୟସରେ ସେ ୨୦୦୧ରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଅନେକ ବର୍ଷ ଧରି ଉତ୍ସର୍ଗୀକୃତ ଦଳୀୟ କର୍ମୀଭାବେ କାର୍ଯ୍ୟ କରିବା ପରେ ହଠାତ୍ ସେ ନିଜକୁ ଉଚ୍ଚ କ୍ଷମତା ଅଳିନ୍ଦରେ ମୁଖ୍ୟମନ୍ତ୍ରୀ ପଦରେ ଦେଖିବାକୁ ପାଇଲେ। ଏହାପରେ ସେ ଆଉ କେବେ ପଛକୁ ଫେରି ଚାହିନାହାନ୍ତି।

    ଅଦ୍ୟାବଧି ୩୦୦୦ରୁ ଅଧିକ ଦିନ (୩,୦୩୬) ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିବାରେ ଜବାହରଲାଲ ନେହରୁ, ଇନ୍ଦିରା ଗାନ୍ଧି ଓ ମନମୋହନ ସିଂହଙ୍କ ପରେ ମୋଦୀ ହେଉଛନ୍ତି ଚତୁର୍ଥ ପ୍ରଧାନମନ୍ତ୍ରୀ। ଯଦି ସେ ୨୦୨୪ ମେ ୨୯ ପର୍ଯ୍ୟନ୍ତ କ୍ଷମତାରେ ରହିବେ ତେବେ ମନମୋହନ ସିଂହଙ୍କୁ ଟପି ତୃତୀୟ ସ୍ଥାନକୁ ଉଠିବେ। ତେବେ ନେହେରୁଙ୍କ ରେକର୍ଡକୁ ଟପିବାକୁ ହେଲେ ତାଙ୍କୁ ମାର୍ଚ୍ଚ ୨୦୩୧ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ପଦରେ ରହିବାକୁ ପଡ଼ିବ। ଆମେରିକୀୟ ସଂସ୍ଥା ମର୍ଣ୍ଣିଂ କନସଲ୍ଟ ଦ୍ବାରା କରାଯାଇଥିବା ଗତବର୍ଷ ସେପ୍ଟେମ୍ବର ୬-୧୭ ସର୍ଭେ ଅନୁସାରେ ପ୍ରଧାନମନ୍ତ୍ରୀ ମୋଦୀ ଥିଲେ ବିଶ୍ବର ସର୍ବଶ୍ରେଷ୍ଠ ଲୋକପ୍ରିୟ ନେତା, ଯାହାଙ୍କର ଆପ୍ରୁଭାଲ ରେଟିଂ ହେଉଛି ୭୫ ପ୍ରତିଶତ। ସାମାଜିକ ଗଣମାଧ୍ୟମ ହେଉଛି ଲୋକପ୍ରିୟତାର ଏକ ବଡ଼ ମାନଦଣ୍ଡ, ଯାହା ଦର୍ଶାଉଛି ମୋଦୀ ହିଁ ବିଶ୍ବର ସର୍ବାଧିକ ଲୋକପ୍ରିୟ ନେତା। ଟ୍ବିଟର, ଇନ୍ଷ୍ଟାଗ୍ରାମ୍ ଓ ଫେସ୍ବୁକ୍ରେ ତାଙ୍କର ୨୦୦ ନିୟୁତରୁ ଅଧିକ ଅନୁଗାମୀ ରହିଛନ୍ତି।

    ଜାପାନରେ ଅଟୋଗ୍ରାଫ ମାଗିଲେ ବାଇଡେନ!

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ବିଦେଶ ଗସ୍ତରେ ଅଛନ୍ତି। ସେ ଜାପାନ, ପପୁଆ ନ୍ୟୁ ଗିନି ଓ ଅଷ୍ଟ୍ରେଲିଆକୁ ଗସ୍ତ କରିଛନ୍ତି। ତାଙ୍କର କ୍ଷମତା ଓ ପ୍ରଭାବ କାରଣରୁ ବିଶ୍ବର ଶକ୍ତିଶାଳୀ ନେତାମଧ୍ୟ ନତମସ୍ତକ ହେଉଛନ୍ତି। ମୋଦୀଙ୍କ ଅଭୂତପୂର୍ବ ଲୋକପ୍ରିୟତା ଦେଖି ଆମେରିକାର ରାଷ୍ଟ୍ରପତି ଜୋ’ ବାଇଡେନ୍ ତାଙ୍କର ‘ଅଟୋଗ୍ରାଫ୍’ ନେବେ ବୋଲି ଶନିବାର ଦିନ ରହସ୍ୟ କରି କହିଥିବା ସରକାରୀ ଅଧିକାରୀମାନେ କହିଛନ୍ତି। ‘କ୍ବାଡ୍’ ବୈଠକ ଚାଲିଥିବା ବେଳେ ମୋଦୀଙ୍କ ନିକଟକୁ ଯାଇ ଜୋ’ ବାଇଡେନ୍ କହିଲେ ଯେ, ଆସନ୍ତା ମାସରେ ୱାସିଂଟନ୍ ଡି.ସି.କୁ ‘ଷ୍ଟେଟ୍ ଭିଜିଟ୍’ରେ ଯିବାକୁ ଥିବା ଏହି ଭାରତୀୟ ନେତାଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବହୁ ବିଶିଷ୍ଟ ନାଗରିକମାନେ ତାଙ୍କୁ ଅନୁରୋଧ କରୁଛନ୍ତି।

    ସୂର୍ଯ୍ୟାସ୍ତ ପରେ ମୋଦୀଙ୍କୁ ସ୍ବାଗତ

    ଜାପାନରେ ଜି-୭ ସମ୍ମିଳନୀରେ ସାମିଲ ହେଲା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାପୁଆ ନ୍ୟୁ ଗିନି ପହଞ୍ଚିଛନ୍ତି। ସେଠାରେ ପହଞ୍ଚିଲା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ମୋଦୀଙ୍କ ବିମାନ ଯେତେଜବେଳେ ବିମାନବନ୍ଦରରେ ପହଞ୍ଚିଥିଲା, ସେଠାକାର ପ୍ରଧାନମନ୍ତ୍ରୀ ଜେମ୍ସ ମାରାପେ ପାଛୋଟି ନେବା ପାଇଁ ଆସିଥିଲେ। ମୋଦୀଙ୍କ ପାଦ ଛୁଇଁ ସେ ପ୍ରଣାମ କରିଥିଲେ।  ମୋଦୀଙ୍କ ସ୍ବାଗତକୁ ସ୍ବତନ୍ତ୍ର କୁହାଯାଉଛି, କାରଣ ସୂର୍ଯ୍ୟ ଅସ୍ତ ହେଲା ପରେ ପପୁଆ ନ୍ୟୁ ଗିନିରେ ଔପଚାରିକ ଭାବେ ସ୍ବାଗତ କରାଯାଏ ନାହିଁ। କିନ୍ତୁ ମୋଦୀଙ୍କ ପାଇଁ ସେଠାରେ ଏହି ବ୍ୟତିକ୍ରମ ଦେଖାଯାଇଛି। ମୋଦୀଙ୍କ ସ୍ବାଗତ ପାଇଁ ସୁବନ୍ଦୋବସ୍ତ କରାଯାଇଥିଲା। ଏହା ମୋଦୀଙ୍କ ଲୋକପ୍ରିୟତାକୁ ଦର୍ଶାଉଛି। ପପୁଆ ନ୍ୟୁ ଗିନିରୁ ମୋଦୀ ଅଷ୍ଟ୍ରେଲିଆ ଅଭିମୁଖେ ବାହାରିବେ। ଅଷ୍ଟ୍ରେଲିଆରେ ମେ’ ୨୨ରେ କାର୍ଯ୍ୟକ୍ରମ ସାରିଲା ପରେ ଭାରତ ଫେରିଆସିବେ।

    ହାଓଡି ମୋଦୀ କାର୍ଯ୍ୟକ୍ରମ

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେବଳ ଭାରତରେ ନୁହଁନ୍ତି। ବରଂ ବିଦେଶରେ ମଧ୍ୟ ତାଙ୍କର ଲୋକପ୍ରିୟତା ବେଶୀ। ୨୦୧୯ ମସିହା ସେପ୍ଟେମ୍ବର ୨୨ ହେଉଛି ଏହାର ଅନ୍ୟ ଏକ ଜ୍ବଳନ୍ତ ଉଦାହରଣ। ସେହିଦିନ ମୋଦୀ ଆମେରିକୀୟ ରାଜ୍ୟ ଟେକ୍ସାସର ହ୍ୟୁଷ୍ଟନସ୍ଥିତ ଏନ୍ଆରଜି ଷ୍ଟାଡିୟମରେ ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ଉଦ୍ବୋଧନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୦,୦୦୦ ଆମେରିକୀୟ ଭାରତୀୟ ଯୋଗଦେଇଥିଲେ। ମୋଦୀଙ୍କ ଉପସ୍ଥିତିରେ ଭାରତୀୟ ମୂଳ ଆମେରିକୀୟ ନାଗରିକମାନେ ନିଜକୁ ଧନ୍ୟ ମନେ କରୁଥିଲେ।

    LEAVE A REPLY

    Please enter your comment!
    Please enter your name here