ମାଟି ଅତଡ଼ା ପାଇଁ ଅସ୍ବାଭାବିକ ମୃତ୍ୟୁ

    0
    250

    ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଦୀର୍ଘ ୨୩ ବର୍ଷ ହେଲା ଓଡ଼ିଶାରେ ବିଜେଡି ସରକାର ଚାଲିଛି। ଅନେକ ସମୟରେ ମୁଖ୍ୟମନ୍ତ୍ରୀ ନିଜେ କୁହନ୍ତି, ସେ ମହିଳାଙ୍କୁ ସମ୍ମାନ ଜଣାନ୍ତି। ଏସ୍ଏଚ୍ଜି ଗ୍ରୁପ ମାଧ୍ୟମରେ ମହିଳାଙ୍କୁ ସ୍ବାବଲମ୍ବୀ କରୁଛନ୍ତି। ଏତଦ୍ ବ୍ୟତୀତ ମହିଳାଙ୍କୁ ସଶକ୍ତ କରିବା ପାଇଁ ଏକାଧିକ ଯୋଜନା ମଧ୍ୟ କରିଛନ୍ତି। ମହିଳାମାନେ ଯେପରି କୌଣସି ଅସୁବିଧାରେ ନପଡ଼ିବେ, ସେଥିପାଇଁ ତାଙ୍କ ସରକାର ପଦକ୍ଷେପ ନେଇଥିବା କଥା କୁହନ୍ତି।

    କେନ୍ଦ୍ରର ବିପୁଳ ସମର୍ଥନ ପରେ ବି ଓଡ଼ିଶାରୁ ଗିରିବୀ ହଟୁନାହିଁ। ସରକାର ମାଗଣାରେ ୫କିଲୋ ଚାଉଳ ଯୋଗାଇ ଦେଇ ଦ୍ରାରିଦ୍ୟ ଦୂର କରିପାରିବେ ନାହିଁ। ଗରିବୀ ହଟାଇବାକୁ ହେଲେ କର୍ମ ସଂସ୍ଥାନର ଆବଶ୍ୟକତା ରହିଛି। ଲକ୍ଷ ଲକ୍ଷ ଲୋକଙ୍କର ଖାଦ୍ୟ, ବସ୍ତ୍ର ଓ ବାସଗୃହର ଅଭାବ ରହିଛି। ଦାଦନ ଖଟି ପ୍ରଥମ ୨ଟିର ଆବଶ୍ୟକତା ପୂରା ହୋଇଯାଉଛି। କିନ୍ତୁ ତୃତୀୟ ଆବଶ୍ୟକତା ପୂରା ହେଉନାହିଁ। ଆବାସ ଯୋଜନାରେ ଗରିବ ଲୋକଙ୍କୁ ଘର ମିଳୁଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଶ୍ରୀ ପଟ୍ଟନାୟକ କହୁଛନ୍ତି। କିନ୍ତୁ ଉପଯୁକ୍ତ ହିତାଧିକାରୀ ଚୟନ ହେଉ ନଥିବା ଅଭିଯୋଗ ହୋଇଥାଏ। ରାଜ୍ୟରେ ବହୁ ସଂଖ୍ୟାରେ ଲୋକ ଆଜି ବି ମାଟି ଓ ଜରିପାଲ ତଳେ ଦିନ କାଟୁଛନ୍ତି। ତେଣୁ ଏଭଳି ପରିବେଶରେ ବଞ୍ଚୁଥିବା ମଣିଷମାନେ କୌଣସି ମୁହୂର୍ତ୍ତରେ ମୃତ୍ୟୁର ଶିକାର ହୋଇଥାନ୍ତି।

    ମାଟି ଧସିଲା, ୨ ମହିଳା ମୃତ

    କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଘାଗଡ଼ାପୋଣ୍ଡିର ଦୁଇ ଜଣ ମହିଳାଙ୍କ ମଙ୍ଗଳବାର ମୃତ୍ୟୁ ହୋଇଛି। ଅନ୍ୟ ୨ ଜଣ ମହିଳାଙ୍କୁ ଗୁରୁତର ଅବସ୍ଥାରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ୪ ଜଣ ବାସନ ମାଜିବା ମାଟି ସହ ଆଗକୁ ପର୍ବ ଥିବାରୁ ଧଳା ମାଟି ଘର ଲିପିବା ପାଇଁ ଅନ୍ୟ ମହିଳାଙ୍କ ସହିତ ହିକିମପୁଟ ପଂଚାୟତର ମାରଡ଼ା ଗ୍ରାମ ନିକଟ ମାଟି ସଂଗ୍ରହ କରୁଥିଲେ। ସୁଡ଼ଙ୍ଗର ଉପର ଭାଗ ଭୁଶୁଡ଼ି ପଡ଼ିବାରୁଥିଲା। ଫଳରେ ୪ ଜଣ ମହିଳା ମାଟି ତଳେ ଚାପି ହୋଇଯାଇଥିଲେ। ଅଗ୍ନିଶମ ବାହିନୀ ଦ୍ବାରା ଉଦ୍ଧାର ହେଲା ପରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ ୨ ଜଣଙ୍କର ଚିକିତ୍ସା ଜାରି ରହିଛି।

    ମାଟି ଘରେ ବିତୁଛି ଗରିବଙ୍କ ଜୀବନ

    ସରକାର ବଡ଼ବଡ଼ ଭାଷଣ କରିଥାନ୍ତି। କିନ୍ତୁ ଦୁର୍ଗମ ଅଞ୍ଚଳ ଓ ଆଦିବାସୀ ବହୁଳ ଅଞ୍ଚଳରେ ଲୋକେ କେତେ ଅସୁବିଧାରେ ରହୁଛନ୍ତି, ତାହାର ସମୀକ୍ଷା ହୁଏ ନାହିଁ। ଦୁର୍ଗମ ଅଞ୍ଚଳରେ ସୁଶାସନ ପହଞ୍ଚି ପାରି ନଥାଏ। ଲୋକେ ନିରକ୍ଷର ଓ ଅଧାପାଠୁଆ ହୋଇଥିବାରୁ ପ୍ରଶାସନିକ ଅଧିକାରୀ ଫାଇଦା ଉଠାଇଥାନ୍ତି। ଗରିବ ଲୋକଙ୍କୁ ସବୁଦିନ ସେମିତି ଅବସ୍ଥାରେ ହିଁ ଜିଇଁବାକୁ ପଡ଼ିଥାଏ। କିନ୍ତୁ ନେତାମାନେ ନିର୍ବାଚନ ଆସିଲେ, ଗରିବ ଲୋକଙ୍କୁ ଭୋଜିଭାତ ଦେଇ ଖୁସି କରାଇ ବଡ଼ବଡ଼ ମିଛ ପ୍ରତିଶ୍ରୁତି ଦେଇଥାନ୍ତି। କିନ୍ତୁ ଗରିବ ଲୋକଙ୍କ ଘର ଝାଟି-ମାଟିରେ ହିଁ ରହିଯାଇଥାଏ।  

    କୋରାପୁଟ-ରାୟଗଡ଼ାରେ ଅଘଟଣ

    ମାଟି ଧସି ମହିଳା ମୃତ୍ୟୁ ହେବା ନୁଆ ଘଟଣା ନୁହେଁ। ବିଗତ ଦିନରେ କୋରାପୁଟ, ରାୟଗଡ଼ା, ଗଂଜାମ ଜିଲ୍ଲାରେ ଏଭଳି ଏକାଧିକ ଘଟଣା ଘଟିଛି। ୨୦୨୧ରେ କୋରାପୁଟ ଓ ରାଗୟଗଡ଼ାରେ ଏଭଳି ଅଘଟଣାରେ ମହିଳାମାନେ ପ୍ରାଣ ହରାଇଛନ୍ତି। କେରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ଥାନା ରେଙ୍ଗା ଗ୍ରାମପଂଚାୟତ ଅନ୍ତର୍ଗତ ପଡ଼ାଗୁଡ଼ା ଗାଁରେ ଏପ୍ରିଲ ୧୬ରେ ଚୂନମାଟି ଅତଡା ଖସି ୩ ଜଣ ମହିଳାଙ୍କର ମୃତ୍ୟୁ ହୋଇଥିଲା। ଗ୍ରାମର ୧୧ ଜଣ ମହିଳା ଘର ଲିପିବା ପାଇଁ ମାଟି ଆଣିବାକୁ ଯାଇଥିଲେ। ଏହି ସମୟରେ ଚୂନମାଟି ଅତଡ଼ା ଖସିପଡ଼ିଥିଲା। ସେହିପରି ରାୟଗଡ଼ା ଜିଲ୍ଲା ବିଷମକଟକ ଅଞ୍ଚଳରେ ସେହିବର୍ଷ ଜୁଲାଇ ୨୫ରେ ଗୋରୁ ଗୁହାଳ ମରାମତି ପାଇଁ ଜଙ୍ଗଲକୁ ଯାଇଥିବା ଜଣେ ନାବାଳିକା, ୩ ଜଣ ମହିଳା ଓ ଜଣେ ପୁରୁଷ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ମାଟି ଅତଡ଼ା ଖସିବାରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ହୋଇଥିଲେ।  

    ଡ୍ରେନ୍ରେ ପୋତି ହୋଇଥିଲେ ମହିଳା

    ୨୦୨୦ ମେ’ ମାସରେ କୁମ୍ଭାର କାମ ପାଇଁ ମାଟି ଆଣିବାକୁ ଯାଇଥିବା ବେଳେ ରାୟଗଡ଼ା ଜିଲ୍ଲା ଶେଷଖାଲ ଥାନା ଆମ୍ବାଗୁଡ଼ାର କୁମ୍ଭାର ସଂପ୍ରଦାୟର ଜଣେ ମହିଳାଙ୍କ ମାଟି ଅତଡ଼ା ଖସିବାରୁ ମୃତ୍ୟୁ ଘଟିଥିଲା। ମହିଳା ଜଣଙ୍କ ସହିତ ଅନ୍ୟ ଜଣେ ସାଥି ଯାଇଥିଲେ। ମୁଣ୍ଡିଆ ପାହାଡ଼କୁ ମାଟି ଖୋଳିବାକୁ ଯାଇଥିଲେ। ଉଭୟେ ଏକ ସୁଡ଼ଙ୍ଗ ଭିତରେ ମାଟି ଖୋଳୁଥିବା ବେଳେ ହଠାତ୍ ମାଟି ଅତଡ଼ା ଧସି ପଡ଼ିଥିଲା। ୨୦୨୧ ଜୁନ ୨୮ରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଫାସିଗୁଡ଼ା ଗ୍ରାମରେ ଡ୍ରେନେଜ୍ ବିଭାଗର ଚେକ୍ଡ୍ୟାମ୍ ପାଚେରି କାମ ଚାଲିଥିବା ବେଳେ ମାଟି ଅତଡ଼ା ଖସି ଯିବାରୁ ଭିତରେ ପୋତି ହୋଇ ୨ ଜଣ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା।

    LEAVE A REPLY

    Please enter your comment!
    Please enter your name here