ଓଡ଼ିଶାକୁ ମୋଦୀଙ୍କ ପ୍ରଶଂସା

    0
    336

    ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରାୟ ୯ ବର୍ଷ ହେଲା ଦେଶର ପ୍ରଧାନମନ୍ତ୍ରୀ ଅଛନ୍ତି। ବିଗତ ୨ ଥରର ସାଧାରଣ ନିର୍ବାଚନରେ ତାଙ୍କ ନେତୃତ୍ବରେ ବିଜେପିର ବିଶାଳ ବିଜୟ ହୋଇଛି। ସବୁଠାରୁ ବଡ଼ କଥା ହେଲା ଯେ, ସେ ତାଙ୍କ ଶାସନ କାଳରେ ଓଡ଼ିଶାକୁ ଗୁରୁତ୍ବ ଦେଇଛନ୍ତି। ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ, ବିଶ୍ବେଶ୍ବର ଟୁଡୁଙ୍କୁ ମନ୍ତ୍ରୀ ପଦ ଦେଇଛନ୍ତି। ସେହିପରି ପ୍ରତାପ ଷଡ଼ଙ୍ଗୀ ଓ ଜୁଏଲ ଓରାମଙ୍କୁ ମଧ୍ୟ ମନ୍ତ୍ରୀ ପଦ ଦେଇଥିଲେ। ଆଜି ଦେଶର ରାଷ୍ଟ୍ରପତି ହୋଇପାରିଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ। ଏନଡିଏ ସରକାରର ବଡ଼ ସମର୍ଥନ ଯୋଗୁଁ ଏହା ସମ୍ଭବ ହୋଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ହୋଇଛନ୍ତି ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ। ଏତଦ୍ ବ୍ୟତୀତ ଭାରତ ସରକାରଙ୍କ ମନ୍ତ୍ରାଳୟରେ ଅନେକଗୁଡ଼ିଏ ଓଡ଼ିଆ ଅଧିକାରୀ ଅଛନ୍ତି, ଯେଉଁମାନଙ୍କୁ ଗୁରୁତ୍ବ ମିଳିଥାଏ। ତାଙ୍କ ସରକାରରେ ଓଡ଼ିଶାରୁ ବହୁ ପ୍ରତିଭାଙ୍କୁ ପଦ୍ମଶ୍ରୀ ମିଳିଛି।

    ମୋଦୀ ତାଙ୍କ ଶାସନ କାଳରେ ଓଡ଼ିଆଙ୍କୁ ଅବହେଳା କରିନାହାନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଭିନ୍ନ ସମୟରେ ସେ ଓଡ଼ିଶାର ସନ୍ତାନଙ୍କ ନାମ ନେଇଥାନ୍ତି। ତାଙ୍କର ଲୋକପ୍ରିୟ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ ହେଉଛି ଏହାର ଜ୍ବଳନ୍ତ ଉଦାହରଣ। ୨୦୨୧ରେ ମୋଦୀ ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଳକ୍ ଝାଙ୍କରପାଲି ପଞ୍ଚାୟତ ବାବୁପାଲି ଗ୍ରାମର ଇଶାକ ମୁଣ୍ଡାଙ୍କ ନାମ ନେଇଥିଲେ। ୟୁଟ୍ୟୁବ୍ରେ ନିଜ ଅଞ୍ଚଳର ପାରମ୍ପରିକ ଖାଦ୍ୟକୁ ଅପଲୋଡ୍ କରି ଲୋକପ୍ରିୟତା ଅର୍ଜନ କରିଥିବା ଇଶାକଙ୍କୁ ନୂଆ ପରିଚୟ ଦେଇଥିଲେ। ସେହିବର୍ଷ ସେପ୍ଟେମ୍ବରରେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ନାନ୍ଦୋଲ ଗ୍ରାମର ପଟାୟତ ସାହୁଙ୍କ ନାମ ନେଇଥିଲେ। ଶ୍ରୀ ସାହୁ ନିକଟରେ ପଦ୍ମଶ୍ରୀ ପୁରସ୍କାର ପାଇଛନ୍ତି। ବହୁ ବିଲୁପ୍ତ ଔଷଧୀୟ ବୃକ୍ଷ ଲଗାଇ ସେ ଏହି ଉପଲବ୍ଧି ହାସଲ କରିଛନ୍ତି। ସେହିପରି ଗତବର୍ଷ ନଭେମ୍ବର ଅକ୍ଟୋବର ୩୦ରେ ‘ମନ୍ କୀ ବାତ୍’ରେ କେନ୍ଦୁଝରର ଯେଉଁ ଝିଅ କୁନି ଦେହୁରୀଙ୍କୁ ପ୍ରଶଂସା କରିଥିଲେ।  

    ବାତ୍ୟା ମୁକାବିଲାକୁ ପ୍ରଶଂସା

    ପ୍ରଧାନମନ୍ତ୍ରୀ ମୋଦୀ ଦ୍ବିତୀୟ ପାଳିରେ ତାଙ୍କ ସରକାରର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଦେଶର ନାଗରିକମାନଙ୍କୁ ଲେଖିଥିବା ଖୋଲା ଚିଠିରେ ଓଡ଼ିଶାକୁ ପ୍ରଶଂସା କରିଥିଲେ। ବାତ୍ୟା ଯୋଗୁଁ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଛାରଖାର ହେଲା ପରେ ସରକାର କିଭଳି ମୁକାବିଲା କରିଥିଲେ, ତାହା କହିଥିଲେ। ଦୁଇ ରାଜ୍ୟର ଲୋକମାନଙ୍କର ସହନଶୀଳତା ଉଲ୍ଲେଖଯୋଗ୍ୟ। ସେମାନଙ୍କର ସାହସ ଭାରତବାସୀଙ୍କୁ ପ୍ରେରଣା ଦେଉଛି ବୋଲି କହିଥିଲେ। ଆମେ ସମ୍ମୁଖୀନ ହେଉଥିବା ଅସୁବିଧା ଯେମିତି ଦୁର୍ବିପାକ ପାଲଟି ନ ଯାଏ ସେଥିପ୍ରତି ଯତ୍ନବାନ ହେବାକୁ ଦେଶବାସୀଙ୍କୁ କହିବା ବେଳେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ସମ୍ମୁଖୀନ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟ ପ୍ରସଙ୍ଗ ଉତ୍ଥାପନ କରିଥିଲେ।

    ଓଡ଼ିଶାରେ ହକି ବିଶ୍ବକପ୍

    ୨୦୧୮ ଅକ୍ଟୋବର ମାସର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କୀ ବାତ୍’ରେ ଓଡ଼ିଶାରେ ୨୦୧୮ ନଭେମ୍ବର-ଡିସେମ୍ବର ମାସରେ ଆୟୋଜନ ହୋଇଥିବା ଥିବା ପୁରୁଷ ହକି ବିଶ୍ବକପ୍ର ସଫଳତା କାମନା କରିଥିଲେ। ଏଥିସହ ଓଡ଼ିଶାକୁ ମୋଦୀ ଭୂୟସୀ ପ୍ରଶଂସା କରିଥିଲେ। ସେ କହିଥିଲେ, ଓଡ଼ିଶା ଏକ ଗୌରବମୟ ଐତିହାସିକ ସାଂସ୍କୃତିକ ପରମ୍ପରା ବହନ କରୁଛି। ତେଣୁ ଖେଳ ପ୍ରେମୀମାନେ ଏହି ରାଜ୍ୟକୁ ଭ୍ରମଣ କରି ହକି ବିଶ୍ବକପ୍ର ମଜା ଉଠାଇବା ସହିତ ରାଜ୍ୟର ଉନ୍ନତ ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ଜାଣିପାରିବେ। କ୍ରୀଡ଼ାପ୍ରେମୀଙ୍କ ପାଇଁ ରୋମାଞ୍ଚକର ହକି ମ୍ୟାଚ୍ ଦେଖିବାର ଏହା ଏକ ଭଲ ସୁଯୋଗ। ଓଡ଼ିଆମାପନେ ପ୍ରବଳ ଉତ୍ସାହୀ। କ୍ରୀଡ଼ାକୁ ଏହି ରାଜ୍ୟ ବେଶ୍ ପସନ୍ଦ କରେ। ଏଥିପାଇଁ ଓଡ଼ିଶା ହକି ବିଶ୍ବକପ ଆୟୋଜନ ପାଇଁ ସୁଯୋଗ ପାଇଛି। ତା’ଛଡ଼ା ରାଜ୍ୟରେ ଅନେକ ବିଶ୍ବପ୍ରସିଦ୍ଧ ସ୍ଥାନ ମଧ୍ୟ ରହିଛି। ତେଣୁ କ୍ରୀଡ଼ାପ୍ରେମୀ ଏକସମୟରେ ହକି ବିଶ୍ବକପ୍କୁ ଉପଭୋଗ କରିବା ସହ ରାଜ୍ୟରେ ଥିବା କୋଣାର୍କ ସୂର୍ଯ୍ୟ ମନ୍ଦିର, ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଓ ଚିଲିକା ହ୍ରଦ ସମେତ ଅନେକ ବିଶ୍ବପ୍ରସିଦ୍ଧ ଦର୍ଶନୀୟ ସ୍ଥାନ ଦେଖିପାରିବେ।  

    ଓଡ଼ିଆ ପ୍ରତିଭାଙ୍କୁ ମୋଦୀଙ୍କ ପ୍ରଶଂସା

    ‘ମନ୍ କୀ ବାତ୍’ର ୯୯ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତିଙ୍କ ସଫଳତା କଥା ଉଲ୍ଲେଖ କରିଛନ୍ତି। ଏହା ଅନ୍ୟ ମହିଳାଙ୍କୁ ପ୍ରେରଣା ଯୋଗାଇବ। ଆଜି ଏକ ନୂତନ ଦୃଷ୍ଟିକୋଣ ନେଇ ଆବିର୍ଭାବ ହେଉଥିବା ଭାରତର ଭବିଷ୍ୟତ କ୍ଷେତ୍ରରେ ମହିଳା ଶକ୍ତିର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି କହି ‘କେମିଷ୍ଟ୍ରି’ ଏବଂ ‘କେମିକାଲ୍ ଇଞ୍ଜିନିୟରିଙ୍ଗ୍’ କ୍ଷେତ୍ରରେ ‘ଭାବା ଆଟୋମିକ୍ ରିସର୍ଚ ସେଣ୍ଟର୍’ର ମହିଳା ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତିଙ୍କ ‘ଆଇୟୁପିଏସି’ର ବିଶେଷ ପୁରସ୍କାର ପାଇଥିବା ଉଲ୍ଲେଖ କରିଛନ୍ତି। ୨୦୧୯ ଜୁଲାଇରେ ସେ ଓଡ଼ିଆ ଯୁବକ ସିତାଂଶୁ ମୋହନ ପରିଡ଼ାଙ୍କୁ ମଧ୍ୟ ପ୍ରଶଂସା କରିଥିଲେ। ତାଙ୍କର ଜଳ ନିଷ୍କାସନ ସମ୍ପର୍କିତ ମତାମତକୁ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମରେ ପ୍ରଶଂସା କରିଥିଲେ।  

    LEAVE A REPLY

    Please enter your comment!
    Please enter your name here