କାଗଜ କଲମରେ ବଢୁଛି ଜଙ୍ଗଲ

    0
    227

    ଭୁବନେଶ୍ବର: ରାଜ୍ୟରେ ଜଙ୍ଗଲ ବଢୁଛି। ସରକାରୀ ସମୀକ୍ଷାରେ ଅନେକ ସମୟରେ ଦାବି ହେଉଛି। ଏହା କାଗଜପତ୍ରରେ ହିଁ ସୀମିତ ରହୁଛି। ବାସ୍ତବ କଥା କିନ୍ତୁ ଓଲଟା। ପ୍ରାକୃତିକ ଉପାୟରେ ଜଙ୍ଗଲ ବଢୁନାହିଁ। ବରଂ ପରିବେଶ ପ୍ରତି ବିପଦ ଘନେଇ ଆସୁଛି। ପ୍ରତିବର୍ଷ ରାଜ୍ୟ ସରକାର ଲକ୍ଷ ଲକ୍ଷ ବୃକ୍ଷରୋପଣ କରୁଛନ୍ତି। ଜଙ୍ଗଲରେ ଲଗାଯାଉଥିବା ଗଛ ବର୍ଷେ ପରେ‌ କେତେ ବଞ୍ଚୁଛି ତାହା ସରକାର ହିସାବ ରଖନ୍ତି ନାହିଁ। କେବଳ ଲୋକଙ୍କୁ ଭୁତାଇବା ପାଇଁ ଶୀତତାପ ନିୟନ୍ତ୍ରିତ ଗୃହରେ ସମୀକ୍ଷା ଉପସ୍ଥାପନ କରିଥାନ୍ତି।

    ପ୍ରକୃତରେ ଯଦି ଜଙ୍ଗଲର ପରିମାଣ ବୃଦ୍ଧି ହୁଅନ୍ତା ତା’ହେଲେ ଜୀବଜନ୍ତୁଙ୍କୁ ସୁରକ୍ଷା ମିଳିପାରନ୍ତା। ହାତୀ ଭଳି ବିଶାଳ ଜନ୍ତୁଙ୍କୁ ମନୁଷ୍ୟର ଟାର୍ଗେଟରେ ରହିବାକୁ ପଡ଼ନ୍ତା ନାହିଁ। ଅପରପେକ୍ଷ ହାତୀମାନେ ଘଂଚ ଜଙ୍ଗଲରେ ରହିବା ପରିବର୍ତ୍ତେ ଗାଁକୁ ଆସି ତାଣ୍ଡବ ରଚନ୍ତେ ନାହିଁ। ଦୀର୍ଘ ୨ ଦଶନ୍ଧିରୁ ଅଧିକ ସମୟରେ ହେଲା ମନୁଷ୍ୟ ଓ ହାତୀମାନଙ୍କ ମଧ୍ୟରେ ଏକପ୍ରକାରର ଅଘୋଷିତ ଯୁଦ୍ଧ ଚାଲିଛି। ରାଜ୍ୟରେ କିଛି ବର୍ଷ ହେଲା ହାତୀମାନଙ୍କର ଦ୍ବାରା ପ୍ରତି ସପ୍ତାହରେ ମନୁଷ୍ୟମାନଙ୍କର ମୃତ୍ୟୁ ହେଉଛି। ଅପରପକ୍ଷେ ପ୍ରତିମାସରେ ହାତୀଙ୍କ ମୃତଦେହ ଠାବ ହେଉଛି। ହାତୀ ମୃତ୍ୟୁ ନେଇ ହାଇକୋର୍ଟ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି।

    ୧୪ ଜଣଙ୍କ ଜୀବନ ନେଲେଣି ହାତୀ

    ଚଳିତ ବର୍ଷ ତିନି ସପ୍ତାହ ମଧ୍ୟରେ ରାଜ୍ୟରେ ୧୪ ଜଣଙ୍କର ହାତୀ ଆକ୍ରମଣରେ ମୃତ୍ୟୁ ହୋଇସାରିଛି। ଚଳିତ ବର୍ଷ ୨ ତାରିଖରେ ହାତୀ ଆକ୍ରମଣରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ବାଲିବନ୍ଧ ସେକସନ, ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଞ୍ଜ୍‌ ସିକୋ ଓ ଅନୁଗୁଳ ବ୍ଲକ୍‌ ହମାମିରା ଗାଁରେ ହାତୀ ଆକ୍ରମଣଜନିତ ମୃତ୍ୟୁ ଆରମ୍ଭ ହୋଇଥିଲା। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଞ୍ଚଳରେ ଆଜି ସକାଳୁ ସକାଳୁ ହାତୀ ପୃଥକ ପୃଥକ ଗାଁରେ ୨ ଜଣଙ୍କ ଜୀବନ ନେଇଥିଲା ବେଳେ ଗତକାଲି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅଧିନ ବାଗପୁର ଗ୍ରାମରେ ଜଣେ ମହିଳା ହାତୀ ଆକ୍ରମଣରେ ପ୍ରାଣ ହରାଇଥିଲେ। ଏହା ପୂର୍ବରୁ ଗତ ୧୯ ତାରିଖ ଦିନ ବଡ଼ବିଲ ରେଞ୍ଜ୍‌ ଅନ୍ତର୍ଗତ ଗୁଆଲି ସେକ୍ସନର ପାଣ୍ଡୁଲିପଶି ଗ୍ରାମରେ ହାତୀ ଆକ୍ରମଣରେ ଜଣଙ୍କର ପ୍ରାଣଯାଇଥିଲା। ଗଣପର୍ବ ମକର ପାଇଁ ମୟୂରଭଞ୍ଜ ଉତ୍ସବମୁଖର ହୋଇ ଉଠିଥିବା ବେଳେ ଶୁଳିଆପଦା ବ୍ଲକ୍ ଫାନିଆ ପଞ୍ଚାୟତ ସାଲସାହି ଗ୍ରାମରେ ୧୮ ତାରିଖ ଦିନ ହାତୀ ଆକ୍ରମଣରେ ସ୍ବାମୀ-ସ୍ତ୍ରୀ ପ୍ରାଣ ହରାଇଥିଲେ। ଜାନୁଆରି ୭ ତାରିଖ ଦିନ ଅନୁଗୁଳ ବ୍ଲକ ଅନ୍ତର୍ଗତ ଛେଳିଆପଡ଼ା, ବାରସିଙ୍ଗା, ଅଙ୍ଗାରବନ୍ଧ ଗ୍ରାମରେ ହାତୀ ଆକ୍ରମଣରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା। ହାତୀ-ମଣିଷ ମଧ୍ୟରେ ସଂଘର୍ଷ ଜାରି ରହିଛି। ମଣିକୁ କେବଳ ହାତୀ ଆକ୍ରମଣ କରୁନାହିଁ। ବରଂ ମନୁଷ୍ୟ କାରଣରୁ ହାତୀମାନଙ୍କର ଜୀବନ ମଧ୍ୟ ଯାଉଛି।

    ତିନି ସପ୍ତାହରେ ୩ ହାତୀ ମୃତଦହେ ଠାବ

    ହାତୀମାନେ କେବଳ ମଣିଷ ମାରୁଛନ୍ତି ତାହା ନୁହେଁ, ବରଂ ଘରକୁ ପ୍ରବେଶ କରି ଧାନଚାଉଳ ଖାଇବା ସହିତ ବ୍ୟାପକ ନଷ୍ଟ କରୁଛନ୍ତି। ହାତୀ ମୃତ୍ୟୁ ପାଇଁ ୨୦୨୧ରେ ଚର୍ଚ୍ଚାର କେନ୍ଦ୍ର ଥିବା ନରସିଂହପୁରକୁ ଲୋକେ ଭୁଲି ନାହାନ୍ତି। ଏହାର ନିକଟ ଅଂଚଳ ଆଠଗଡ଼ରେ ପୁଣି ଏକ ହାତୀର ମୃତ୍ୟୁ ଘଟିଛି। ଖୁଣ୍ଟୁଣୀ ବନାଞ୍ଚଳ ଅନ୍ତର୍ଗତ ଶଂଖପୋଇ ଜଙ୍ଗଲ ନିକଟରେ ଗତ ୧୪ ତାରିଖ ଦିନ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିଲା। ସେହିପରି କନ୍ଧମାଳ-ଗଞ୍ଜାମ ସୀମାନ୍ତ ଫୁଲବାଣୀ ବନଖଣ୍ଡ କରଡ଼ା ରେଞ୍ଜ୍ ଅଧୀନ ବାଦଗଡ଼ ସଂରକ୍ଷିତ ଜଙ୍ଗଲ ନିକଟ ଖମନଖୋଲରୁ ୧୨ ତାରିଖରେ ଏକ ଦନ୍ତା ହାତୀଛୁଆର ମୃତଦେହ ମିଳିଥିଲା। ଗତ ୮ ତାରିଖରେ ସମ୍ବଲପୁର ବନଖଣ୍ଡ ସଦର ବନାଞ୍ଚଳ ଭୀମଖୋଜ ଅନ୍ତର୍ଗତ ରଘୁଡେରା ସଂରକ୍ଷିତ ଜଙ୍ଗଲରୁ ଏକ ଦନ୍ତା ହାତୀର ଶବ ଠାବ କରାଯାଇଥିଲା। ହାତୀ ମୃତ୍ୟୁର କାରଣ ମୁଖ୍ୟତଃ ମାଫିଆ। ମୂଲ୍ୟବାନ ଦାନ୍ତ ଉଦ୍ଦେଶ୍ୟରେ ହାତୀ ଶିକାର କରାଯାଉଥିବା ସବୁବେଳେ ଅଭିଯୋଗ ହୋଇ ଆସୁଛି।

    ହାଇକୋର୍ଟଙ୍କ ଚିନ୍ତା

    ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ଲଗାତାର ଭାବେ ହାତୀ ମୃତ୍ୟୁ ନେଇ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ହାତୀଙ୍କ ସୁରକ୍ଷା ପାଇଁ ପ୍ରସ୍ତୁତ ଆକ୍ସନ୍‌ ପ୍ଲାନ୍‌ ତୁରନ୍ତ କାର୍ଯ୍ୟକାରୀ ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର୍‌ ଜ‌ଷ୍ଟିସ୍‌ ଏସ୍‌. ମୁରଲୀଧର ଓ ଜଷ୍ଟିସ୍‌ ଏମ୍‌. ଏସ୍‌. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟ‌ରେ ମୁଖ୍ୟ ବନ ସଂରକ୍ଷକ ଦାୟିତ୍ବରେ ଥିବା ମନୋଜ ଭି. ନାୟର୍‌ ଦାଖଲ କରିଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ଯେ ଆକ୍ସନ୍‌ ପ୍ଲାନ୍‌ ପ୍ରସ୍ତୁତ କରାଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ତଥା ବିଭିନ୍ନ ସ୍ତରରେ ବିଚାରବିମର୍ଷ ଓ ବିଶେଷଜ୍ଞଙ୍କ ମତାମତକୁ ବିଚାରକୁ ନିଆଯାଇ ହାତୀଙ୍କ ସୁରକ୍ଷା ପାଇଁ ଆକ୍ସନ୍‌ ପ୍ଲାନ୍‌ ପ୍ରସ୍ତୁତ କରାଯାଇଛି।

    LEAVE A REPLY

    Please enter your comment!
    Please enter your name here