ମାଗଣା ଚାଉଳ: ଲୋକେ ଖୁସି, ନେତା ଛାନିଆ

    0
    260

    ଭୁବନେଶ୍ବର: ବିଗତ କିଛି ବର୍ଷ ହେଲା ସରକାର ଲୋକଙ୍କୁ କିଲୋ ପିଛା ମାତ୍ର ୧ ଟଙ୍କାରେ ଚାଉଳ ଓ କରୋନା ସମୟ ଠାରୁ ମାଗଣା ଯୋଗାଇ ଦେଇଆସୁଛନ୍ତି। ବିପିଏଲ ପରିବାରରେ ବସବାସ କରୁଥିବା ପରିବାରର ସଦସ୍ୟମାନଙ୍କୁ ୧ ଟଙ୍କା ଦରରେ ୫ କିଲୋ ଲେଖାଏଁ ଚାଉଳ ମିଳୁଛି। ସେହିପରି କରୋନା ସମୟ ଠାରୁ ମାଗଣାରେ ୫ କିଲୋ ଚାଉଳ ମିଳୁଛି। ମାଗଣା ଚାଉଳ ଆହୁରି ୧ ବର୍ଷ ଯାଏଁ ମିଳିବ। କହିବାକୁ ଗଲେ ଗରିବ ପରିବାର ଓ ବିପିଏଲ୍ ପରିବାରରେ ରହୁଥିବା ଲୋକଙ୍କୁ ମାସକୁ ୧୦ କିଲୋ ଚାଉଳ ମିଳୁଛି। ଏଥି ପାଇଁ ଖର୍ଚ୍ଚ କରିବାକୁ ପଡୁଛି ମାତ୍ର ୫ ଟଙ୍କା। ମାଗଣାରେ ଚାଉଳ ମିଳିବା ଯୋଗୁଁ ଲୋକେ ଅଳସୁଆ ହୋଇଯାଉଛନ୍ତି। ଗାଁ ଗଣ୍ଡାରେ ଏହିଭଳି ଅଳସୁଆ ଲୋକେ ତାସ ଖେଳିବା, ଅଯଥାରେ ବାଦବିବାଦରେ ଜଡ଼ିତ ରହୁଛନ୍ତି।

    କିଛି ଦିନ ପୂର୍ବରୁ କେନ୍ଦ୍ର ସରକାର ଘୋଷଣା କରିଥିଲେ ଯେ, ମାଗଣା ଚାଉଳ ଆହୁରି ବର୍ଷେ ଯାଏଁ ଦେବେ। ଏହି ମାଗଣା ଚାଉଳ ଯୋଜନାରେ ଓଡ଼ିଶାର ଗରିବ ତଥା ବିପିଏଲ ପରିବାରର ସଦସ୍ୟ ମଧ୍ୟ ସାମିଲ ଅଛନ୍ତି। କେନ୍ଦ୍ରର ଘୋଷଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆଉ ଏକ ଘୋଷଣା କରିଛନ୍ତି ଯେ, ହିତାଧିକାରୀଙ୍କୁ ମାଗଣାରେ ୫ କିଲୋ ଲେଖାଏଁ ଚାଉଳ ବାଣ୍ଟିବେ। ଏଥି ପାଇଁ ବର୍ଷକୁ ୧୮୫ କୋଟି ଟଙ୍କା ଖର୍ଚ୍ଚ କରିବେ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଘୋଷଣା ପରେ ହିତାଧିକାରୀମାନେ ଉତ୍ସାହିତ ଦେଖାଯାଇଛନ୍ତି। କାରଣ ପୁଣି ବର୍ଷେ ଯାଏଁ ମାଗଣାରେ ଚାଉଳ ମିଳିବ। ତେବେ ଏହି ମାଗଣା ଚାଉଳ ୧୦ କିଲୋ ହେବ କି ୫ କିଲୋ ହେବ, ତାହା ସ୍ପଷ୍ଟ ଭାବେ ଜଣାପଡ଼ିନାହିଁ। କିନ୍ତୁ ରାଜ୍ୟ ସରକାର ଯଦି ନିଜସ୍ବ ଯୋଜନାରେ ମାଗଣା ଚାଉଳ ଦେବେ, ତା’ହେଲେ ହିତାଧିକାରୀଙ୍କୁ ୧୦ କିଲୋ ଚାଉଳ ମିଳିବ। ବାସ୍ତବ କଥା ସମୟ କହିବ।

    ନବୀନ ସରକାର ବିକାଶ ପାଇଁ

    ଚାଉଳ ରାଜନୀତି ଏଇଥି ପାଇଁ ହୋଇଛି। କାରଣ ବର୍ଷେ ପରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ନେତାମାନେ ଜନତାଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ବୟାନବାଜୀ ଆରମ୍ଭ କରିଦେଇଛନ୍ତି। ଗଣତନ୍ତ୍ର ରାଷ୍ଟ୍ରରେ ନେତା ସବୁ କିଛି। ତେଣୁ ଜନତାଙ୍କୁ ଜନାର୍ଦ୍ଦନ ଭାବି ନେତା ସେମାନଙ୍କର ରଣନୀତି ପ୍ରସ୍ତୁତ କରିଥାନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମାଗଣା ଚାଉଳ ଘୋଷଣା କରିବା ପରେ ବିରୋଧୀ ଦଳର ନେତାମାନେ ପ୍ରତିକ୍ରିୟା ଦେଇଛନ୍ତି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ କହିଛନ୍ତି, ‘କୋଭିଡ଼ ସମୟରେ ମଧ୍ୟ ମାଗଣା ଚାଉଳ ଦିଆଯାଇଥିଲା। ବର୍ତ୍ତମାନ ସମୟର ଆବଶ୍ୟକତା ଦେଖି ମୁଖ୍ୟମନ୍ତ୍ରୀ ପୁଣି ଥରେ ଘୋଷଣା କରିଛନ୍ତି। ବର୍ଷ ତମାମ ସେଥିପାଇଁ ୧୮୫ କୋଟି ଟଙ୍କା ମଧ୍ୟ ବ୍ୟୟ ହେବ।  

    ଧର୍ମେନ୍ଦ୍ର କ’ଣ କହିଲେ

    ହିତାଧିକାରୀମାନଙ୍କୁ ଦିଆଯାଉଥିବା ମାଗଣା ଚାଉଳ ନେଇ ରାଜନୀତି ଜୋର ଧରିଛି। କାରଣ କେନ୍ଦ୍ର ସରକାର ୮୧ କୋଟିରୁ ଅଧିକ ଲୋକଙ୍କୁ ବର୍ଷକ ପର୍ଯ୍ୟନ୍ତ ମାଗଣାରେ ଶସ୍ୟ ଦେବା ଲାଗି ନୂଆ ସ୍କିମ୍ ଘୋଷଣା କରିଛନ୍ତି। ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଆମେ ଦେଉଥିବା ଚାଉଳକୁ ପୂର୍ବରୁ ନିଜ ନାଁରେ ରାଜ୍ୟ ସରକାର ଲୋକଙ୍କୁ ଦେଉଥିଲେ। କେନ୍ଦ୍ର ସରକାର ଯେଉଁ ସ୍କିମ୍ ଘୋଷଣା କରିଛନ୍ତି ସେଥିରେ ସାଢ଼େ ଚାରି କୋଟି ଜନସଂଖ୍ୟା ବିଶିଷ୍ଟ ଓଡ଼ିଶାର ୩ କୋଟି ୨୫ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ। ପ୍ରତି ମାସରେ ରାଜ୍ୟର ଲୋକଙ୍କୁ ଚାଉଳ ଦେବାରେ କେନ୍ଦ୍ର ସରକାର ୭୦୦ କୋଟି ଟଙ୍କା ବ୍ୟୟ କରିବେ। ଅର୍ଥାତ ବର୍ଷକୁ ୮୪୦୦ କୋଟି ଟଙ୍କା ଖର୍ଚ୍ଚ କରିବେ। ରାଜ୍ୟ ସରକାର ଯେଉଁ ଯୋଜନା ଘୋଷଣା କରିଛନ୍ତି ତାହାର ଲାଭ ରାଜ୍ୟର ମାତ୍ର ୯ ଲକ୍ଷ ଲୋକଙ୍କୁ ମିଳିବ। ହିତାଧିକାରୀଙ୍କ ସଂଖ୍ୟା ତା’ଠାରୁ ମଧ୍ୟ କମ୍ ହୋଇପାରେ।

    ବିରୋଧୀ ନେତାଙ୍କ ବୟାନ

    ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର  କହିଛନ୍ତି, ‘କେନ୍ଦ୍ରର ଘୋଷଣା ପରେ ରାଜ୍ୟର ବିଜେଡି ସରକାର ମାଗଣା ଚାଉଳ ଘୋଷଣା କରିଛନ୍ତି। ଏହା କେବଳ ଶ୍ରେୟ ନେବା ପାଇଁ ରାଜନୀତି। କେନ୍ଦ୍ର ସରକାର ୩ କୋଟି ୨୬ ଲକ୍ଷ ଲୋକଙ୍କୁ ଚାଉଳ ଦେବେ। ହେଲେ ଓଡ଼ିଶାରେ ଯେଉଁ କାର୍ଡ ବ୍ୟବସ୍ଥା ରହିଛି ସେଥିରେ ବ୍ୟାପକ ଅନିୟମିତତା ହୋଇଛି। କେନ୍ଦ୍ର ସରକାର ଗରିବଙ୍କୁ ଚାଉଳ ଦେବା ପାଇଁ ଚାହୁଁଛନ୍ତି। ଏଥିରେ ଯେଭଳି କୌଣସି ପ୍ରକାର ପାତରଅନ୍ତର ନ ହେବ। ତାକୁ ନେଇ ପଦକ୍ଷେପ ନେବେ କେନ୍ଦ୍ର ସରକାର। ଅନ୍ୟପଟରେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, ‘ରାଜ୍ୟ ସରକାରଙ୍କ ସତ ଧରାପଡ଼ିଛି। ଭାରତ ସରକାର ଚାଉଳ ମାଗଣାରେ ଦେଉଛନ୍ତି। ହେଲେ ରାଜ୍ୟ ସରକାର ଯେଉଁ ୨୨ ବର୍ଷ ଧରି ଟଙ୍କିକିଆ ଚାଉଳ ଦେଉଥିଲେ ଏଥିରେ ସେ ଧରାପଡ଼ିଗଲେ।  

    LEAVE A REPLY

    Please enter your comment!
    Please enter your name here