ଅପବାଦ ମୁଣ୍ଡାଉଛନ୍ତି ଡାକ୍ତର

    0
    258

    ଭୁବନେଶ୍ବର: ସ୍ବାସ୍ଥ୍ୟ ଭିତ୍ତିଭୂମି ଲାଗି ଡାକ୍ତରଖାନା ହେଉଛି ମନ୍ଦିର। ଏଠାରେ ପୂଜକ ହେଉଛନ୍ତି ଡାକ୍ତର ଏବଂ ରୋଗୀ ହେଲେ ଦେବତା। କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶାବଳୀ ପାଳନ କରି ରୋଗୀ ସେବା କରିବା ହେଉଛି ଡାକ୍ତରଙ୍କ କର୍ତ୍ତବ୍ୟ ଓ ଧର୍ମ। କିନ୍ତୁ ଆଜିକାଲି ଅନେକ କ୍ଷେତ୍ରରେ ଏଥିରେ ବ୍ୟତିକ୍ରମ ଦେଖାଯାଉଛି। କମ ପରିମାଣରେ ଡାକ୍ତରମାନେ ରୋଗୀଙ୍କୁ ସହଯୋଗ କରୁଛନ୍ତି। କିନ୍ତୁ ଅନେକ ଡାକ୍ତର ତାଙ୍କର କର୍ତ୍ତବ୍ୟ ପ୍ରତି ଅବହେଳା କରିଥାନ୍ତି। ଅନେକ ଡାକ୍ତର ନିଜର ହିତାହିତ ଜ୍ଞାନ ଭୁଲିଯାଇ ଖରାପ କାମ କରୁଛନ୍ତି, ଯେଉଁଥି ପାଇଁ ସେମାନଙ୍କୁ ନିନ୍ଦା ଓ ଅପବାଦ ମୁଣ୍ଡାଇବାକୁ ପଡୁଛି।

    ବିଗତ ଦିନରେ ଓଡ଼ିଶାରେ ଡାକ୍ତରଙ୍କ ନାଁରେ ଅସଦାଚରଣ ଓ ଦୁଷ୍କର୍ମ ଅଭିଯୋଗ ମଧ୍ୟ ଆସିଥିବା ନଜର ରହିଛି। କିଛି ଖରାପ ପ୍ରକୃତିର ଡାକ୍ତରମାନଙ୍କ ପାଇଁ ଅନ୍ୟମାନେ ମଧ୍ୟ ଭରସାଯୋଗ୍ୟ ହୋଇପାରୁ ନାହାନ୍ତି। ଏପରି କି ଭଦ୍ର, ନମ୍ର, ସରଳ ଓ କର୍ତ୍ତବ୍ୟ ପରାୟଣ ଡାକ୍ତରଙ୍କ ଉପରେ ମଧ୍ୟ ସଂଦେହ ରହୁଛି। ଜଣେ ମହିଳା ଅଥବା ଯୁବତୀ ପୁରୁଷ ଡାକ୍ତରଙ୍କ ଦ୍ବାରା ସ୍ବାସ୍ଥ୍ୟ ପରୀକ୍ଷା କରାଇବା ପୂର୍ବରୁ ଅନେକ ଥର ଚିନ୍ତା କରିବାକୁ ପଡୁଛି। ଅତୀତରେ କିଛି ଡାକ୍ତର ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଛନ୍ତି। ଏପରିକି ଗର୍ଭବତୀ କରିବା ସହ ଗର୍ଭ ନଷ୍ଟ ମଧ୍ୟ କରାଇଛନ୍ତି। ଯୁବତୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଛନ୍ତି।

    ନାବାଳିକାକୁ ଡାକ୍ତରଙ୍କ ଅସଦାଚରଣ

    ମୟୂରଭଂଜ ଜିଲ୍ଲା ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ଡାକ୍ତରଖାନାର ଡାକ୍ତର ସୌରଭ ଉପାଧ୍ୟାୟ ଗତ ୧୨ ତାରିଖରେ ଗିରଫ ହୋଇଛନ୍ତି। ତାଙ୍କ ବିରୋଧରେ ଅଭିଯୋଗ ଥିଲା ଯେ, ସେ ଚିକିତ୍ସା ଆଳରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ। ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ନିଜ ଚାମ୍ବରକୁ ଡାକି ନେଇଥିଲେ। ଚାମ୍ବର ବାହାରେ ସ୍କୁଲ କର୍ତ୍ତୃପକ୍ଷର କର୍ମଚାରୀ ଓ ପରିବାର ଲୋକେ ଉପସ୍ଥିତ ଥିଲେ ବି ଡାକ୍ତର  ହିତାହିତ ଜ୍ଞାନ ଭୁଲିଯାଇଥିଲେ। ନାବାଳିକାର ଅନ୍ତଃବସ୍ତ୍ର ଭିତରେ ହାତ ମାରିଦେଇଥିଲେ। ଡାକ୍ତରଙ୍କ ଏଭଳି ବ୍ୟବହାର ଦେଖି ଛାତ୍ରୀ ଜଣକ ଭୟଭୀତ ହୋଇ ବାହାରକୁ ଦୌଡ଼ି ପଳାଇଥିଲେ। ସେ ସମସ୍ତ ଘଟଣା ସଂପର୍କରେ ପରିବାର ଲୋକଙ୍କୁ କହିବା ପରେ ଥାନାରେ ଏତଲା ହୋଇଥିଲା। ପୁଲିସ ସଂପୃକ୍ତ ଡାକ୍ତରଙ୍କୁ ଗିରଫ କରିଛି।

    ଚଳିତ ବର୍ଷ ମୟୂରଭଂଜରେ ୨ୟ ଘଟଣା

    ଏହା ପୂର୍ବରୁ ଗତ ମାର୍ଚ୍ଚ ମାସରେ ମୟୂରଭଂଜରେ ଅନ୍ୟ ଜଣେ ଡାକ୍ତର ଗିରଫ ହୋଇଥିଲେ। ଏମ୍ଟେକ୍ ପଢ଼ୁଆ ଯୁବତୀଙ୍କୁ ଫେସ୍ବୁକ୍ରୁ ପ୍ରେମ କରି ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିଥିଲେ। ପରେ ଯୁବତୀ ଜଣକ ପ୍ରତାରଣାର ଶିକାର ହୋଇଥିଲେ। ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଞ୍ଚଳରେ ଘଟିଥିବା ଏହି ଘଟଣାରେ ଖୁଣ୍ଟା ଥାନା ଅନ୍ତର୍ଗତ ସାହାରାବେଡ଼ା ଗ୍ରାମର ଡା. ବଳରାମ ଟୁଡୁ (୩୧) ବିଶୋଇ ବ୍ଲକ୍ ସୁଲେଇପାଟ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିଲେ। ସେ ୨୦୨୦ରେ ଇଞ୍ଜିନିୟରିଂ ଛାତ୍ରୀଙ୍କ ସହ ତାଙ୍କର ଫେସ୍ବୁକ୍ରୁ ବନ୍ଧୁତା ବଢ଼ିଥିଲା। ପରେ ସେମାନଙ୍କ ମଧ୍ୟରେ ଥିବା ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା। ଶ୍ରୀ ଟୁଡୁ ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଆସୁଥିଲେ। ଗର୍ଭ ନଷ୍ଟ କରାଇ ଯୁବତୀଙ୍କ ଠାରୁ ଦୂରେଇ ଯାଇଥିଲେ।

    ଏମ୍ସ ଡାକ୍ତର ଗିରଫ

    ସେହିପରି ଗତ ଅକ୍ଟୋବର ମାସରେ ଭୁବନେଶ୍ବର ଏମ୍ସରେ ଜଣେ ହୃଦ୍ରୋଗ ଡାକ୍ତର ଗିରଫ ହୋଇଥିଲେ। ବାପାଙ୍କୁ ଚିକିତ୍ସା କରାଇବା ପାଇଁ ଆସିଥିବା ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ପ୍ରତାରଣ କରିବା ଅଭିଯୋଗରେ ଡାକ୍ତର ଜୟଦୀପ ଦାସଗୁପ୍ତା (୩୩) ଗିରଫ ହୋଇଥିଲେ। ମହିଳା ଥାନା ପୁଲିସ ଡାକ୍ତରଙ୍କ ମୋବାଇଲ୍ ଫୋନ୍ ଓ ଆଇପ୍ୟାଡ୍ ଜବତ କରିଥିଲା। ପୁଲିସ ଜାଣିବାକୁ ପାଇଥିଲା ଯେ, ଡାକ୍ତର ଜଣକ ଏକାଧିକ ଯୁବତୀଙ୍କ ସହ ସମ୍ପର୍କ ରଖିଥିଲେ। ଅଭିଯୋଗ ହୋଇଥିଲା ଯେ, ଯୁବତୀ ତାଙ୍କ ବାପାଙ୍କୁ ଚିକିତ୍ସା ପାଇଁ ଏମ୍ସ ଆଣିଥିବା ବେଳେ ଜୟଦୀପଙ୍କ ସହ ପରିଚିତ ହୋଇଥିଲେ। ସ୍ବତନ୍ତ୍ର କେୟାର ନେବାର ପ୍ରତିଶ୍ରୁତି ଦେଇ ଜୟଦୀପ ଯୁବତୀଙ୍କ ସହ ସମ୍ପର୍କ ବଢ଼ାଇଥିଲେ। ଯୁବତୀ ମଧ୍ୟ ଜଣେ ବ୍ୟାଙ୍କ୍ କର୍ମଚାରୀ ହୋଇଥିବାରୁ ଜୟଦୀପ ତାଙ୍କୁ ବିବାହ କରିବେ ବୋଲି ପ୍ରସ୍ତାବ ଦେଇଥିଲେ। ଶାରୀରିକ ସଂପର୍କ ରଖିବା ସହ ଯୁବତୀଙ୍କ ଗର୍ଭ ନଷ୍ଟ କରିଦେଇଥିଲେ।  

    LEAVE A REPLY

    Please enter your comment!
    Please enter your name here