ଆମ ଶିକ୍ଷା ବ୍ୟବସ୍ଥା କେତେ ମଜବୁତ୍?

    0
    394

    ଭୁବନେଶ୍ବର: ଶିକ୍ଷାନୁଷ୍ଠାନରେ ପାଠପଢା, ଭିତ୍ତିଭୂମି, ଗବେଷଣାକୁ ମାପକାଠି ଭାବେ ନିଆଯାଉଛି। ଦେଶରେ ଉଚ୍ଚଶିକ୍ଷାର ମାନବୃଦ୍ଧ ତଥା ଏକ ସୁସ୍ଥ ପ୍ରତିଯୋଗିତାମୂଳକ ବାତାବରଣ ସୃଷ୍ଟି ପାଇଁ ପ୍ରତିବର୍ଷ ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତା ତାଲିକା (ଏନ୍ଆଇଆରଏଫ୍) ଘୋଷଣା କରାଯାଉଛି । ଏହି କ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚଳିତ ବର୍ଷର ରାଙ୍କିଙ୍ଗ ଘୋଷଣା କରିଛନ୍ତିା ଦେଶର ପ୍ରଥମ ଶହେ ବିଶ୍ୱବିଦ୍ୟାଳୟ ତାଲିକାରେ ଓଡ଼ିଶାରୁ ମାତ୍ର ୩ଟି ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛି। ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ୧୬ ତମ, କିଟ୍‌କୁ ୨୦ ଓ ଉତ୍କଳ ବିଶ୍ୱବିଦ୍ୟାଳୟ ୯୦ତମ ସ୍ଥାନରେ ରହିଛି । ତେବେ ସାମଗ୍ରିକ ରାଙ୍କିଙ୍ଗରେ ସୋଆ ୩୦, କିଟ ୩୪, ଏନ୍ଆଇଟି ୩୯ ଓ ଆଇଆଇଟି ୬୫ତମ ସ୍ଥାନରେ ରହିଛି । ଇଂଜିନିୟରିଂରେ ଏନ୍ଆଇଟି ରାଉରକେଲାକୁ ୧୫, ସୋଆକୁ ୨୭ ଓ ଭୁବନେଶ୍ୱର ଆଇଆଇଟିକୁ ୩୬ ତମ ରାଙ୍କ ମିଳିଛି ।

    କିଟ୍ ୪୨ ଓ ସିଭି ରମଣ କଲେଜ ୯୮ ତମ ସ୍ଥାନରେ ରହିଛି । ମେଡିକାଲ ଶିକ୍ଷାରେ ସୋଆ ୧୮, ଏମ୍ସ ୨୬, କିଟ୍-୩୦ ଓ ଏସସିବି ୪୪ ତମ ସ୍ଥାନ ପାଇଛି। ଗବେଷଣା କ୍ଷେତ୍ରରେ ଏନ୍ଆଇଟି ୨୪, ଆଇଆଇଟି ୩୭, ସୋଆ ୪୫ ଓ କିଟ୍ ୪୭ତମ ସ୍ଥାନ ହାସଲ କରିଛି। ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନ, ବିଶ୍ୱବିଦ୍ୟାଳୟଗୁଡିକୁ ୧୧ଟି ବର୍ଗରେ ରାଙ୍କିଙ୍ଗ କରାଯାଇଛି। ଦେଶର ଅନ୍ୟତମ ପୁରୁଣା ବିଶ୍ବବିଦ୍ୟାଳୟ ଅର୍ଥାତ ରାଜ୍ୟର ସର୍ବପୁରାତନ ଉତ୍କଳ ବିଶ୍ବବିଦ୍ୟାଳୟ ୯୦ ସ୍ଥାନରେ ରହିବାକୁ ନେଇ ବୁଦ୍ଧିଜୀବୀମାନେ ଚିନ୍ତା ପ୍ରକଟ କରିଛନ୍ତି।

    କଲେଜରେ ରାଗିଂ

    ଭୁବନେଶ୍ବରସ୍ଥିତ ବିଜେବି କଲେଜର ଯୁକ୍ତ ୩ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଘଟଣାକୁ ୨ ସପ୍ତାହ ବିତି ଯାଇଥିଲେ ମଧ୍ୟ ଅଭିଯୁକ୍ତମାନେ ଚିହ୍ନଟ ହୋଇନାହାନ୍ତି। ପୋଲିସ ଅନ୍ଧାରରେ ବାଡ଼ି ବୁଲାଉଛି କହିଲେ କିଛି ଭୁଲ ହେବ ନାହିଁ। ପୀଡିତ ପରିବାର ନ୍ୟାୟ ପାଇଁ ଦାବି କରୁଥିବା ବେଳେ, ସେମାନଙ୍କୁ ନ୍ୟାୟ ମିଳିବ କି ନାହିଁ, ତାହା ସନ୍ଦେହ ଘେରରେ। ଝିଅ ଆଇଏଏସ୍ ହେବ ବୋଲି ବାପା-ମା’ ଯେଉଁ ସ୍ବପ୍ନ ଦେଖୁଥିଲେ, ତାହା ଚୂରମାର ହୋଇଯାଇଛି। କେବଳ ରୁଚିକା ନୁହେଁ ରାଜ୍ୟରେ ଆହୁରି ଅନେକ ଛାତ୍ରୀ ବିଗତ ଦିନରେ ଆତ୍ମହତ୍ୟା କରିଛନ୍ତି, ଅର୍ଥାତ ହତ୍ୟା କରାଯାଇଛି। ରାଜ୍ୟରେ ଆଇନ କାନୁନ ବ୍ୟବସ୍ଥା ବ୍ୟପର୍ଯ୍ୟସ୍ତ ହୋଇପଡ଼ିଥିବାରୁ ଏଭଳି ଅଘଟଣ ବାରମ୍ବାର ଦେଖିବାକୁ ମିଳୁଛି।

    ମାଟ୍ରିକରେ ୯୦.୫୫% ପିଲା ପାସ

    ନିକଟରେ ୨୦୨୧-୨୨ ଶିକ୍ଷାବର୍ଷର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଚଳିତ ବର୍ଷ ସମୁଦାୟ ୫ ଲକ୍ଷ ୨୬ ହଜାର ୮୧୮ ପିଲାଙ୍କ ମଧ୍ୟରୁ ୯୦.୫୫ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ରାଜ୍ୟର ସମୁଦାୟ ୮ ହଜାର ୯୨୫ଟି ବିଦ୍ୟାଳୟର ପିଲା ପରୀକ୍ଷା ଦେଇଥିବା ବେଳେ ମାତ୍ର ୩ ବିଦ୍ୟାଳୟର ରେଜଲ୍ଟ ଶୂନ୍ୟ ରହିଛି। ମାଲକାନଗିରି ଓ ଅନୁଗୁଳ ଜିଲ୍ଲାରେ ଏହି ତିନିଟି ସ୍କୁଲ ଥିବା ବେଳେ ୧୧୭୦ଟି ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି। ଓଡ଼ିଶା ମାଟ୍ରିକ ରେଜଲ୍ଟରେ ଏଥର କିଛି ଛାତ୍ର ଇତିହାସ ରଚିଛନ୍ତି। କିଛି ଛାତ୍ର, ଇଂରାଜୀ ଓ ସାହିତ୍ୟରେ ୧୦୦ରୁ ୧୦୦ ମାର୍କ ଆଣିଛନ୍ତି। ପିଲାମାନଙ୍କର ଏଭଳି ପ୍ରଦର୍ଶନ ନିଶ୍ଚିତ ଭାବେ ଶୁଭ ଖବର। କିନ୍ତୁ ବୁଦ୍ଧିଜୀବୀ ଓ ଶିକ୍ଷାବିଦ୍ଙ୍କୁ ଏହା ଚିନ୍ତା ଘାରିଛି। ଅନେକଙ୍କ କହିବା ଅନୁସାରେ ଶିକ୍ଷା ବ୍ୟବସ୍ଥା ଦିନକୁ ଦିନ ଭୁଶୁଡ଼ିବାରେ ଲାଗିଛି।

     ପ୍ରାଥମିକ ଶିକ୍ଷା ବ୍ୟବସ୍ଥା

    ପ୍ରାଥମିକ ଶିକ୍ଷା କଥା ଯଦି ଚିନ୍ତା କରିବା ଏହା ଦିନକୁ ଦିନ ରସାତଳକୁ ଯାଉଛି। ବିଦ୍ୟାଳୟର ଭିତ୍ତିଭୂମି ଯଦିଓ ଶିକ୍ଷାର ଉନ୍ନତି ଦିଗରେ କାମ କରିଥାଏ, ତଥାପି ଉତ୍ତମ ଶିକ୍ଷା ପଦ୍ଧତି ଦ୍ବାରା ଛାତ୍ରଛାତ୍ରୀମାନଙ୍କ ବିକାଶ ହୋଇପାରିବ। ଅନେକଗୁଡ଼ିଏ ବିଦ୍ୟାଳୟରେ ଅତି ନିମ୍ନମାନର ଶିକ୍ଷକଙ୍କ ନିଯୁକ୍ତି ପାଇଁ ପିଲାମାନଙ୍କର ଶୈକ୍ଷିକ ବିକାଶ ହୋଇପାରୁ ନାହିଁ। ପଞ୍ଚମ ଶ୍ରେଣୀର ପିଲା ଓଡ଼ିଆରେ କିଛି ଶବ୍ଦ ଲେଖିପାରୁ ନାହିଁ। କ୍ରମାଗତ ଭାବେ ଇଂରାଜୀରେ ଏରୁ ଜେଡ ପର୍ଯ୍ୟନ୍ତ କହିପାରୁ ନାହିଁ। ଗଣିତ, ସାଧାରଣ ବିଜ୍ଞାନ କଥା ଛାଡ଼ନ୍ତୁ, ଅତିକମରେ ଯେତିକି ଜ୍ଞାନ ରହିବା କଥା ନାହିଁ। ଏବେ ନିକଟରେ ସରକାର ଗଣମାଧ୍ୟମର ପ୍ରତିନିଧିଙ୍କୁ ସ୍କୁଲ ମନା କରିଛନ୍ତି। କାରଣ ଗଣମାଧ୍ୟମର କର୍ମଚାରୀମାନେ ବିଦ୍ୟାଳୟରେ ପ୍ରବେଶ କଲେ ଶିକ୍ଷାର ଦୁର୍ବଳତା ପଦାରେ ପଡ଼ିଯାଉଛି।

    LEAVE A REPLY

    Please enter your comment!
    Please enter your name here