ନିର୍ବାଚନରେ ଭାଷଣ ବାଜି ବେଶି

    0
    434

    ନୂଆଦିଲ୍ଲୀ/ଭୁବନେଶ୍ୱର: ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଂଜାବ, ଗୋଆ ଓ ମଣିପୁରରେ ବିଧାନସଭା ନିର୍ବାଚନ ପାଇଁ ଏବେ ଜୋରଦାର ପ୍ରଚାର ଚାଲିଛି। ଓଡ଼ିଶାରେ ମଧ୍ୟ ନେତାମାନେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାରକୁ ତୀବ୍ର କରିଦେଇଛନ୍ତି। ନିର୍ବାଚନ ଆୟୋଗଙ୍କ କଟକଣା ଯୋଗୁଁ ଆଗାମୀ ୨୨ ତାରିଖ ପର୍ଯ୍ୟନ୍ତ ନେତାମାନେ କେବଳ ଡିଜିଟାଲ ମାଧ୍ୟମରେ ପ୍ରଚାର କରିବେ। ସିଧାସଳଖ ଭାବେ ପଡ଼ିଆକୁ ଓହ୍ଲାଇ ପ୍ରଚାର କଲେ ଟିମ୍‌ରେ ମାତ୍ର ୫ ଜଣ ରହିପାରିବେ। ତେବେ ଏହାରି ମଧ୍ୟରେ ଜନତାଙ୍କୁ ଆକର୍ଷିତ କରିବା ପାଇଁ ନେତାମାନେ ବୟାନବାଜିକୁ ମୁଖ୍ୟ ଅସ୍ତ୍ର କରିଛନ୍ତି। ଭାରତୀୟ ରାଜନୀତିରେ ନିର୍ବାଚନ ଜିତିବାକୁ ହେଲେ ବୟାନବାଜି ହେଉଛି ପ୍ରମୁଖ ଅସ୍ତ୍ର।

    ରାଜନୀତି ଏଭଳି ଏକ ପ୍ଲାଟଫର୍ମ, ଯେଉଁଠାରେ କି ପାରିବାରିକ ସଂପର୍କ ମୂଲ୍ୟହୀନ ହୋଇଯାଇଥାଏ। କ୍ଷମତା ଲାଳସା ପାଇଁ ଭାଇ-ଭାଇ ମଧ୍ୟରେ ପାଚେରୀ ଉଠିଥାଏ। ସେହିପରି ବାପା-ପୁଅ ମଧ୍ୟରେ ଆସନ ପାଇବା ପାଇଁ ଲଢ଼େଇ ହୋଇଥାଏ। ଉତ୍ତର ପ୍ରଦେଶରେ ମୁଲାୟମ ସିଂହଙ୍କ ବଡ଼ପୁଅ ସମାଜବାଦୀ ପାର୍ଟି ପରିଚାଳନା କରୁଥିବା ବେଳେ ସାନପୁଅ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି। ଓଡ଼ିଶାରେ ମଧ୍ୟ ଏକ ବିରଳ ପ୍ରତିଯୋଗିତା ହେଉଛି। କୋରାପୁଟ ଜିଲ୍ଲା ନାରାୟଣପାଟଣା ଜିଲ୍ଲା ପରିଷଦ ସଭାପତି ପାଇଁ ବାପ-ପୁଅ ମଧ୍ୟରେ ପ୍ରତିଯୋଗିତା ହେଉଛି। ଆଦିବାସୀ ନେତା ନାଚିକା ଲିଙ୍ଗା ଓ ତାଙ୍କ ପୁଅ ରବୀନ୍ଦ୍ର ନାଚିକା ନିର୍ବାଚନରେ ମୁହାଁମୁହିଁ ହୋଇଛନ୍ତି। ଜେଲ ଫେରନ୍ତା ନାଚିକା କୁହନ୍ତି, ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ।

    ସାଇକେଲ ଛାଡ଼ି ପଦ୍ମ ଧରିଲେ ଅପର୍ଣ୍ଣା

    ବିଧାନସଭା ନିର୍ବାଚନକୁ ନେଇ ଉତ୍ତରପ୍ରଦେଶ ରାଜନୀତି ରୋଚକ ହେଉଥିବା ବେଳେ ଅଖିଳେଶଙ୍କୁ  ଭାଇ ବୋହୂ ଅପର୍ଣ୍ଣା ଯାଦବବଡ ଝଟକା ଦେଇଛନ୍ତି।  ମୁଲାୟମଙ୍କ ସାନ ବୋହୂ ଅପର୍ଣ୍ଣା ସାଇକେଲକୁ ଛାଡି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି।  ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମେଯ୍ୟ ଓ ରାଜ୍ୟ ବିଜେପି ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ ସିଂଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଛନ୍ତି। ବିଜେପିରେ ଯୋଗଦେଇ ଅପର୍ଣ୍ଣା କହିଛନ୍ତି, ମୋ ପାଇଁ ଦେଶ ସର୍ବପ୍ରଥମ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟଧାରାରେ ମୁଁ ପ୍ରଭାବିତ। ଏବେ ମୁଁ ରାଷ୍ଟ୍ରର ବିକାଶକୁ ଆଗେଇ ନେବା ପାଇଁ ଆଗକୁ ଆସିଛି। ତେଣୁ ସମସ୍ତଙ୍କର ସହଯୋଗ ଆବଶ୍ୟକ। ମୋଦୀ ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନ, ମହିଳାଙ୍କ ନିଆଯାଉଥିବା ପଦକ୍ଷେପ ଓ ବିଭିନ୍ନ ବିକାଶ ମୂଳକ ଯୋଜନାକୁ ପ୍ରଂଶସା କରିଛନ୍ତି।

    ଶୁଭକାମନା ଜଣାଇଲେ ଅଖିଳେଶ

    ଭାଇ ବୋହୂ ଦଳ ଛାଡ଼ିବା ପରେ ଅଖିଳେଶ କହିଛନ୍ତି, ବିଜେପିରେ ସାମିଲ ହୋଇଥିବାରୁ ଅପର୍ଣ୍ଣାଙ୍କୁ ଶୁଭକାମନା ଜଣାଉଛି। ସମାଜବାଦୀ ବିଚାରଧାରାର ବିସ୍ତାର ହେଉଛି। ଆମେ ଯେଉଁମାନଙ୍କୁ ଟିକେଟ ଦେଇପାରୁନାହୁଁ ସେମାନଙ୍କୁ ବିଜେପି ଟିକେଟ ଦେଉଛି। ମୋର ବିଶ୍ୱାସ ବିଜେପିରେ ମଧ୍ୟ ଆମର ବିଚାରଧାରା ରହିବ। ସମାଜବାଦୀ ପାର୍ଟିରୁ ଟିକେଟ ନ ମିଳିବାରୁ ସେ ବିଜେପିରେ ସାମିଲ ହେଲେ କି ପ୍ରଶ୍ନର ଉତ୍ତରରେ ଅଖିଳେଶ କହିଛନ୍ତି, ଏବେଯାଏଁ ସମସ୍ତ ପ୍ରାର୍ଥୀଙ୍କୁ ଟିକେଠ ବଣ୍ଟାଯାଇନାହିଁ। ତୃଣମୂଳସ୍ତରରୁ ଆସିଥିବା ବିଭିନ୍ନ ରିପୋର୍ଟ ଆଧାରରେ ହିଁ କାହାକୁ ଟିକେଟ ଦିଆଯିବ ଓ କାହାକୁ ଦିଆଯିବନି ତାହା ସ୍ଥିର ହୋଇଥାଏ।

    କୁକୁର କରିଦିଆଗଲା

    ନିକଟରେ କଂଗ୍ରେସ ଦଳ ଛାଡ଼ି ସମାଜବାଦୀରେ ଯୋଗ ଦେଇଥିବା ଇମରାନ୍‌ ମସୂଦଙ୍କ ହତାଶ ହେବାକୁ ପଡ଼ିଛି। ଏନେଇ ଏକ ଭିଡିଓ ଭାଇରାଲ ହୋଇଛି। ଏଥିରେ ସେ ମୁସଲମାନଙ୍କୁ ସୁଧୁରିଯିବା ପାଇଁ ପରାମର୍ଶ ଦେଉଛନ୍ତି। ସମାଜବାଦୀ ପାର୍ଟିରେ ମୋତେ କୁକୁର କରି ଦିଆଗଲା। ସେହିପରି ବହୁଚର୍ଚ୍ଚିତ ଉତ୍ତରପ୍ରଦେଶର ହାଥରସ୍‌ ଦୁଷ୍କର୍ମ ଘଟଣାର ପୀଡିତାଙ୍କ ପରିବାର କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିବା ନେଇ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। କଂଗ୍ରେସ ପାର୍ଟି ପୀଡିତ ପରିବାରର ସଦସ୍ୟଙ୍କୁ ଟିକେଟ ଦେଇ ବିଧାନସଭା ନିର୍ବାଚନ ଲଢ଼ିବାକୁ କହିଥିଲା। ପୀଡିତାଙ୍କ ଭାଇ କଂଗ୍ରେସ ଟିକେଟ ଦିଆଯିବା ନେଇ କହିଛନ୍ତି, କଂଗ୍ରେସ ଆମକୁ ଏହି ଅଫର ଦେଇଛି, ଏଥି ପାଇଁ ସ୍ୱାଗତ କରୁଛୁ।  

    LEAVE A REPLY

    Please enter your comment!
    Please enter your name here