ଗୁଡ଼ିସୂତାରେ ଦୁର୍ଘଟଣା, ଲାଗିଲା କଟକଣା

    0
    421

    ଭୁବନେଶ୍ୱର: ଦୁଇ ସପ୍ତାହ ପରେ ଗୁଡ଼ି ଉଡ଼ା ପର୍ବ ‘ମକର ସଂକ୍ରାନ୍ତ’। ଦକ୍ଷିଣ ଭାରତ ଓ ଗୁଜରାଟରେ ଯଦିଓ ଏହି ପର୍ବ ଧୂମ୍‌ଧାମ୍‌ରେ ପାଳନ ହୋଇଥାଏ ଉପକୂଳ ଓଡ଼ିଶାରେ ମଧ୍ୟ ଏହାର ଲୋକପ୍ରିୟତା ରହିଛି। ମକର ସଂକ୍ରାନ୍ତିରେ ଘରର ବରିଷ୍ଠ ମାନେ ମନ୍ଦିର ଯାଇଥାନ୍ତି। ପରିବାର ସମସ୍ତ ସଦସ୍ୟଙ୍କ ଶୁଭକାମନା ପାଇଁ ଭଗବାନଙ୍କୁ ଆଶୀର୍ବାଦ ମାଗିଥାନ୍ତି। ଘରେ ନିରାମିଷ ଭୋଜନ ପ୍ରସ୍ତୁତ ହୋଇଥାଏ। ପିଠା-ପଣା କରାଯାଏ। ବନ୍ଧୁ ବାନ୍ଧବ ମଧ୍ୟ ଆସିଥାନ୍ତି। କିଛି ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥାଏ। ଏଥିରୁ ଘରର କିଶୋର ମାନଙ୍କୁ ଯେତିକି ମଜା ମିଳି ନଥାଏ, ଗୁଡ଼ି ଉଡ଼ାକୁ ନେଇ ସେମାନେ ଅଧିକ ଖୁସି ଥାଆନ୍ତି। ଏଥି ପାଇଁ ପିଲାମାନେ ଏବେ ଠାରୁ ପ୍ରସ୍ତୁତି କରିସାରିଛନ୍ତି। କିନ୍ତୁ ମକର ସଂକ୍ରାନ୍ତି ଆସିବା ପୂର୍ବରୁ ଗୁଡ଼ି ଓ ଗୁଡ଼ି ସୂତା ବଜାରରେ ମିଳିବ କି ନାହିଁ ସଂଦେହ ଦେଖାଯାଇଛି। କାରଣ ବଜାରରେ ଭଲ ଗୁଡ଼ି ଓ ସୂତା ମିଳିଲେ, ପଡ଼ିଆରୁ ପିଲାମାନେ ଆକାଶକୁ ସୁନ୍ଦର ସୁନ୍ଦର ଗୁଡ଼ି ଛାଡ଼ିବେ।

    ଗୁଡ଼ିରେ ଭଲ ସୂତା ଲାଗିଥିଲେ, ଏହା ବହୁ ଦୂର ଓ ଉପରକୁ ଉଠିବାରେ ସହାୟକ ହୋଇଥାଏ। ଗତ ୨୬ ତାରିଖରେ କଟକ ଜିଲ୍ଲା ଜଗତପୁର ଅଞ୍ଚଳରେ ଜଣେ ଯୁବକ ନିଜ ସ୍ତ୍ରୀଙ୍କ ସହିତ ବାଇକ୍‌ରେ ଯାଉଥିବା ବେଳେ ଗୁଡ଼ି ସୂତା ବେକରେ ଛନ୍ଦି ହୋଇଯିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ଏହାର ପରଦିନ ପୁରୀର ଆଉ ଏକ ଘଟଣା ଘଟିଥିଲା। ଅସୁସ୍ଥ ପୁଅ ପାଇଁ ବଡ଼ଦାଣ୍ଡର ଏକ ଔଷଧ ଦୋକାନକୁ ଯାଉଥିବା ବେଳେ କୁଣ୍ଢାଇବେଣ୍ଟ ସାହିର ଭଞ୍ଜବିହାରୀ ପାତ୍ର ନାଁରେ ଜଣେ ବ୍ୟକ୍ତି ବେକରେ ଗୁଡ଼ିର ମାଞ୍ଜାସୂତା ଛନ୍ଦି ହୋଇଯାଇଥିଲା। ସଂପୃକ୍ତ ବ୍ୟକ୍ତିଙ୍କର ଗଳା କଟିଯିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେହିପରି ଭୁବନେଶ୍ୱରରେ ମଧ୍ୟ ଜଣେ ଲୋକ ଗୁଡ଼ିସୂତା ସଂସ୍ପର୍ଶରେ ଆସି ଆହତ ହୋଇଥିଲେ।

    ମାଞ୍ଜାସୂତା ବିକି ବ୍ୟବସାୟୀ ଗିରଫ

    ତିନି ଦିନ ଭିତରେ ରାଜ୍ୟର ୩ ସହରରେ ତିନି ଜଣ ବ୍ୟକ୍ତି ଗୁଡ଼ିସୂତାରେ ଛନ୍ଦି ହୋଇଯିବାର ଦୁର୍ଘଟଣା ଓ ଅଘଟଣ ଘଟିବାରୁ ପୁଲିସ ସକ୍ରିୟ ହୋଇଉଠିଛି। ଭୁବନେଶ୍ୱର ଓ କଟକରେ କମିଶନରେଟ ପୁଲିସ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି। ଜଗତପୁର ଅଞ୍ଚଳର ବ୍ୟବସାୟୀ ସେକ୍‌ ଅନଓ୍ଵରଙ୍କ ଦୋକାନରେ ପୁଲିସ ଅତର୍କିତ ଭାବେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ଗୁଡ଼ି, ନଟେଇ ଓ ମାଞ୍ଚାସୂତା ଜବତ କରିଥିଲା। ଜଣେ ବ୍ୟବସାୟୀ ଗିରଫ ହେବା ପରେ ଅନ୍ୟମାନେ ଖୋଲାଖୋଲି ଭାବେ ଗୁଡ଼ ଓ ମାଞ୍ଜାସୂତା ବିକ୍ରି କରିବାକୁ ସାହସ କରୁ ନାହାନ୍ତି। ଉଲ୍ଲଂଘନ କରୁଥିବା ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୁଲିସ ଚେତାବନୀ ଦେଇଛି।

    ୬ ମାସରେ ଉଜୁଡ଼ି ଗଲା ସଂସାର

    ଜପତପୁର ଥାନା ଅନ୍ତର୍ଗତ ପୀରବଜାର  ନିକଟ ଭୈରପୁର ନିବାସୀ  ଜୟନ୍ତ ସାମଲ ସ୍ତ୍ରୀଙ୍କୁ ନେଇ ବାଇକରେ ଯାଉଥିଲେ। ଏହି ସମୟରେ ଏକ ଗୁଡ଼ିର ସୂତା ଆସି ଜୟନ୍ତଙ୍କ ବେକରେ ଛନ୍ଦି ହୋଇଯାଇଥିଲା ଫଳରେ ସେ ବାଇକ୍‌ରୁ ତଳେ ପଡ଼ିଯାଇଥିଲେ। ମାଞ୍ଜାସୂତା ହୋଇଥିବାରୁ ଜୟନ୍ତଙ୍କ ଗଳା କଟି ଯାଇଥିଲା। ପ୍ରବଳ ରକ୍ତ ସ୍ରାବ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାକୁ ନିଆଗଲା ସିନା କିନ୍ତୁ ଜୟନ୍ତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ୬ ମାସ ପୂର୍ବରୁ ସସ୍ମିତାଙ୍କୁ ଜୟନ୍ତ ବିବାହ କରିଥିଲେ। ଉଭୟ ଭଲ ପାଇ ବିବାହ କରିଥିଲେ। ଗୁଡ଼ିସୂତା ସସ୍ମିତାଙ୍କ ମଥାରୁ ସିନ୍ଦୁର ଲିଭାଇ ଦେଇଛି।

    ଗୁଡ଼ି ଉଡ଼ା ପ୍ରତିଯୋଗିତା

    ରାଜସ୍ଥାନ ଓ ଗୁଜୁରାଟ ସମେତ ଭାରତର ଅନେକ ସ୍ଥାନରେ ଗୁଡ଼ି ଉଡ଼ା ପ୍ରତିଯୋଗିତାର ଆୟୋଜନ ହେଉଛି। ରାଜସ୍ଥାନର ରାଜଧାନୀ ଜୟପୁରସ୍ଥିତ ପୋଲୋ ଗ୍ରାଉଣ୍ଡରେ ଅନ୍ତର୍ଜାତୀୟ ଗୁଡ଼ି ଉଡ଼ା ପ୍ରତିଯୋଗିତାର ଆୟୋଜନ ହୋଇଥାଏ। ଜାନୁଆରୀ ମାସରେ ଆୟୋଜନ ହେଉଥିବା ଏହି ପ୍ରତିଯୋଗିତା ତିନି ଦିନ ଧରି ଚାଲିଥାଏ। ଦକ୍ଷିଣ ଭାରତରେ ପୋଙ୍ଗଲ ଅବସରରେ ଗୁଡ଼ି ଉଡ଼ାଯାଇଥାଏ। ଓଡ଼ିଶାରେ କେନ୍ଦୁଝର, ମୟୂରଭଂଜ, ଯାଜପୁର, ପୁରୀ, କଟକ ଆଦି ଜିଲ୍ଲାରେ ପିଲାମାନେ ଗୁଡ଼ି ଉଡ଼ାଇଥାନ୍ତି।

    LEAVE A REPLY

    Please enter your comment!
    Please enter your name here