ବାତ୍ୟା ନ ଆସି ପ୍ରବଳ କ୍ଷତି

    0
    467

    ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ’ଜୱାଦ’ଓଡ଼ିଶାର ସ୍ଥଳ ଭାଗକୁ ସ୍ପର୍ଶ ନକରି ପଶ୍ଚିମବଙ୍ଗ ଅଭିମୁଖେ ଫେରିଗଲା। ଓଡ଼ିଶାବାସୀଙ୍କ ମନରେ ଥିବା ଆଶା-ଆଶଙ୍କାକୁ ଦୂର କଲା। ଜଓ୍ଵାଦ୍‌ ସ୍ଥଳଭାଗକୁ ସ୍ପର୍ଶ କରି ନଥିଲେ ବି ରାଜ୍ୟସାରା ବର୍ଷା ଲାଗି ରହିଲା। ଲଗାତାର  ୩ ଦିନ ଧରି ରାଜ୍ୟବ୍ୟାପୀ ବର୍ଷା ଲାଗି ରହିବାରୁ ଚାଷୀକୁଳର ବ୍ୟାପକ କ୍ଷୟକ୍ଷତି ହୋଇଛି। ଉପକୂଳ ଓଡ଼ିଶାରେ ଧାନ ପାଚିଯାଇଥିବା ବେଳେ ବର୍ଷା ଯୋଗୁଁ ସବୁ ଅଣ୍ଟା ଭାଙ୍ଗି ତଳେ ପଡ଼ିଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ଯଦିଓ ପ୍ରବଳ ବର୍ଷା ନାହିଁ, କିନ୍ତୁ ସ୍ପଳ୍ପରୁ ମଧ୍ୟମ ଧରଣର ବର୍ଷା ଲାଗି ଧାନ କାଟିବା କାମ ଅଟକି ଯାଇଛି। ଲୋକ କୃଷି କାର୍ଯ୍ୟ ପାଇଁ କ୍ଷେତକୁ ବି ଯାଇପାରି ନାହାନ୍ତି।

    ଜଳ ନିଷ୍କାସନ ଚିନ୍ତା

    ଲଗାତାର ବର୍ଷା ହେବା ଫଳରେ ଉପକୂଳ ଓଡ଼ିଶାର ଚାଷୀଙ୍କର ଚିନ୍ତା ବଢ଼ିଯାଇଛି। ଖୋର୍ଦ୍ଧା, ଗଂଜାମ ଓ ପୁରୀ ଜିଲ୍ଲାରେ ଚାଷୀ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଏହି ତିନି ଜିଲ୍ଲାରେ ଏବେ ପାଚିଲା ଧାନ ପାଣିରେ ପହଁରୁଛି। କ୍ଷେତରୁ ପାଣି ଶୁଖିଲା ବେଳକୁ ଅତିକମ୍‌ରେ ୨ ସପ୍ତାହ ଲାଗିବ। ଚାଷୀଙ୍କୁ କାଦୁଅ ଭିତରେ ଧାନ କାଟିବାକୁ ପଡ଼ିବ। ଧାନ ଅମଳ କରି ଘରକୁ ଆଣିବା ପାଇଁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ଅନ୍ୟପଟରେ ଫସଲ ଉତ୍ପାଦନରେ ମଧ୍ୟ ବାଧା ପହଞ୍ଚିବ। ଅନେକ ସ୍ଥାନରେ ଧାନ କଟା ହୋଇ କ୍ଷେତରେ ପଡ଼ିଥିବାରୁ ବର୍ଷାରେ ଭିଜିଛି।

    କ୍ଷେତରେ ଲହଡ଼ି

    ଉପକୂଳବର୍ତ୍ତୀ ଜିଲ୍ଲାର ଶହ ଶହ ହେକ୍ଟର ଚାଷ ଜମିରେ ବର୍ଷା ଜଳ ଲହଡି ମାରୁଛି। ଶନିବାର ଠାରୁ କିଛି ସମୟ ବ୍ୟବଧାନରେ ମୁସଳ ଧାରାରେ ବର୍ଷା ହୋଇଥିବାରୁ ଜମିରେ ପାଣି ଜମି ରହିଛି। ଜମିରୁ ପାଣି ନିଷ୍କାସନ ହୋଇ ନପାରି ଜମିରେ ଜମା ହୋଇ ରହିଛ। ଆଉ କିଛି ଦିନ ଗଲେ ଅମଳ ହେବାକୁ ଥିବା ଧାନ ଫସଲ ପାଣି ଭିତରେ ବୁଡ଼ି ରହିଛି। ତେଣୁ ଚାଷୀ ମାନଙ୍କ ଦୁଃଖକୁ ଦୁଇଗୁଣା ବଢ଼ିଯାଇଛି। ବର୍ଷସାରା ହାଡ ଭଙ୍ଗା ପରିଶ୍ରମ କରି ଠିଆ କରିଥିବା ଫସଲ ଆଖି ସାମ୍ନାରେ ପାଣି ଭିତରେ ବୁଡ଼ି ଯାଉଥିବା ଦେଖି ଚାଷୀ ଆଖିରୁ ଲୁହ ବାହାରି ପଡୁଛି।

    ଚାଷୀ ହତାଶ

    ଧାନ ଚାଷ ହେଉଛି ଓଡ଼ିଆ ଚାଷୀଙ୍କ ସୁନା ଫସଲ। କ୍ଷେତରେ ଏହାକୁ ଉପୁଜାଇ ଚାଷୀ ଅଣ୍ଟା ସଳଖ କରିଥାଏ। ମୁହଁରେ କଥା କହିଥାଏ। ବର୍ଷ ସାରା ପାଇଁ ବିଭିନ୍ନ କାମ ଲାଗି ଯୋଜନା ପ୍ରସ୍ତୁତ କରିଥାଏ। ବର୍ଷା ପୂର୍ବରୁ ଜମିରେ ହଳଦିଆ ସୁନାର ଫସଲ ଲହଡି ମାରୁଥିଲା ବେଳେ ଅଦିନିଆ ବର୍ଷା ଏହାକୁ ବିବର୍ଣ୍ଣ କରିଦେଇଛି। ଧାନ କ୍ଷେତର ଅବସ୍ଥା ଦେଖି ଚାଷୀ ହତାଶ ହୋଇପଡ଼ିଛି। ବର୍ଷା ପୂର୍ବରୁ ଯେଉଁ ଫସଲ ଜମିରୁ ଧାନ କଟାଯାଇ ଅଣାଯାଇଥିଲା ଚାଷୀ ସୁରକ୍ଷିତ ରଖିବାକୁ ଦିନରାତି ସଂର୍ଘଷ ଜାରି ରଖିଥିବା ଦେଖିବାକୁ ମିଳୁଛି। ଅନେକ ସ୍ଥାନରେ ଘୋଡା ଯାଇଥିବା ଜରିପାଲ ଦେଇ ପାଣି ପଶୁଥିବା ବେଳେ ବର୍ଷାରେ ମଧ୍ୟ ପଲିଥିନ ଘୋକଡାଇ ଅମଳ ଫସଲକୁ ସୁରକ୍ଷା ଦେଉଥିବା ଚାଷୀ ମାନେ ପ୍ରକାଶ କରିଛନ୍ତି। ଧାନ ଚାଷ ବ୍ୟତୀତ ପରିବା ଓ କପା ଚାଷ ମଧ୍ୟ ବିଶେଷ ମାତ୍ରାରେ ପ୍ରଭାବିତ ହୋଇଛି। ପରିବା ଚାଷୀମାନେ ବର୍ଷାରେ କ୍ଷୟକ୍ଷତି ହେବା ଆଶଙ୍କା କରି କମ୍‌ ଦରରେ ମଧ୍ୟ ବିକ୍ରି କରିଛନ୍ତି।

    LEAVE A REPLY

    Please enter your comment!
    Please enter your name here