ହକି ପରେ ‘ରଗ୍‌ବି’କୁ ପ୍ରୋତ୍ସାହନ ଦେବ ଓଡ଼ିଶା

    0
    485

    ଭୁବନେଶ୍ୱର: ଆଜି (ଅଗଷ୍ଟ ୨୯) ଜାତୀୟ କ୍ରୀଡ଼ା ଦିବସ । ଚଳିତ ବର୍ଷ ଭାରତୀୟ ହକି ଟିମ ଅଲିମ୍ପିକ୍ସରେ ପଦକ ଆଣିଥିବାରୁ ଏହାର ଗୁରୁତ୍ୱ ରହିଛି । କାରଣ ଭାରତୀୟ ହକିର ପ୍ରାୟୋଜକ ରହିଛି ଓଡ଼ିଶା । ଜାତୀୟ କ୍ରୀଡ଼ା ଦିବସ ପୂର୍ବରୁ କ୍ରୀଡ଼ା କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଜାତୀୟ ଖେଳ ‘ହକି’କୁ ଓଡ଼ିଶା ସରକାର ୨୦୧୮ ମସିହା ଠାରୁ ପ୍ରୋତ୍ସାହନ ଦେଇ ଆସୁଥିବା ବେଳେ ଏବେ ରଗ୍‌ବିର ବିକାଶ ପାଇଁ ଅଣ୍ଟା ଭିଡ଼ିଛନ୍ତି। କିଟ୍‌ କିଟ୍‌ର ସହଯୋଗରେ ଓଡ଼ିଶା ସରକାର ଆଗାମୀ ୩ ବର୍ଷ ପାଇଁ ରଗ୍‌ବି ଇଣ୍ଡିଆ ସହିତ ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଆଗାମୀ ଦିନରେ ୧୮ ବର୍ଷରୁ କମ୍‌ ଭାରତୀୟ ଏସିଆନ୍‌ ଚାମ୍ପିଅନସିପ୍‌ରେ ଭାଗ ନେବାକୁ ଯାଉଥିବା ବେଳେ ଓଡ଼ିଶା ସରକାର ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି।

    ଓଡ଼ିଶା ସରକାର ରଗ୍‌ବି ଇଣ୍ଡିଆ ସହିତ ଚୁକ୍ତି ସ୍ୱାକ୍ଷର କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପ୍ରତିକ୍ରିୟା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମେ ରଗ୍‌ବି ସହିତ ଯୋଡ଼ି ହୋଇଯାଇଛେ ଏବଂ ମୁଁ ଏଥି ପାଇଁ ବହୁତ ଖୁସି ବୋଲି କହିଛନ୍ତି। ନିକଟରେ  ଭାରତୀୟ ମହିଳା ଦଳର ତାଲିମ୍‌ ଶିବିର ଓଡ଼ିଶାରେ ଆୟୋଜିତ କରାଯାଇଥିଲା। ମୁଁ ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଉଛି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଭିଡିଓ ବାର୍ତ୍ତାରେ କହିଛନ୍ତି।

    ଖେଳାଳିଙ୍କୁ ଉନ୍ନତମାନର ତାଲିମ୍‌

    ସୂଚନାଯୋଗ୍ୟ, ଚଳିତ ମାସ ୧୪ ତାରିଖ ଠାରୁ କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ରଗ୍‌ବିର ଜାତୀୟ ଶିବିର ଆରମ୍ଭ ହୋଇଯାଇଛି। ପ୍ରଦର୍ଶନ ଆଧାରରେ ୧୩ ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୫୨ ମହିଳା ଖେଳାଳିଙ୍କୁ ଚୟନ କରାଯାଇଛି, ଯେଉଁମାନେ ୧୮ ବର୍ଷରୁ କମ୍‌ ଜାତୀୟ ଶିବିରରେ ଯୋଗଦେବେ। ଏହି ଶିବିର ଆସନ୍ତା ସେପ୍ଟେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଏହି ଶିବିର ମାଧ୍ୟମରେ ଖେଳାଳିମାନଙ୍କୁ ଉନ୍ନତ ମାନର ତାଲିମ ଦିଆଯିବା ସହିତ ଆଗକୁ ଆସୁଥିବା ଖେଳ ପାଇଁ ଖେଳାଳି ମଧ୍ୟ ଚୟନ କରାଯିବ।

    ହକି ପାଇଁ ୧୦ ବର୍ଷ ପ୍ରାୟୋଜକ

    ଭାରତୀୟ ପୁରୁଷ ଓ ମହିଳା ହକି ଟିମ୍‌ର ପ୍ରାୟୋଜକ ଅଛି ଓଡ଼ିଶା। ବର୍ଷ ୨୦୧୮ ଠାରୁ ଓଡ଼ିଶା ଭାରତୀୟ ହକିର ପ୍ରାୟୋଜକ ରହିଛି। ନିକଟରେ ଜାପାନରେ ଶେଷ ହୋଇଥିବା ଟୋକିଓ ଅଲିମ୍ପିକ୍ସ-୨୦୨୦ରେ ଉଭୟ ପୁରୁଷ ଏବଂ ମହିଳା ଦଳ ପ୍ରଶଂସନୀୟ ପ୍ରଦର୍ଶନ କରିବା ପରେ ଓଡ଼ିଶା ଆଗାମୀ ୧୦ ବର୍ଷ  ଯାଏଁ ଭାରତୀୟ ହକି ଦଳର ପ୍ରାୟୋଜକ ରହିବ ବୋଲି ଘୋଷଣା କରିଛି। ଗତ ୧୭ ତାରିଖ ଦିନ ଉଭୟ ପୁରୁଷ ଓ ମହିଳା ଟିମ୍‌କୁ ସମ୍ବର୍ଦ୍ଧିତ କରିବା ଅବସରରେ ଏହି ଘୋଷଣା ହୋଇଛି। ଲୋକସେବା ଭବନରେ  ଅନୁଷ୍ଠିତ ଏକ ସମ୍ବର୍ଦ୍ଧନା ସମାରୋହରେ ରାଜ୍ୟ ସରକାର ଏହି ଘୋଷଣା କରିଛନ୍ତି। ଓଡ଼ିଶା ୨୦୩୩ ଯାଏଁ ଭାରତୀୟ ପୁରୁଷ ଓ ମହିଳା ହକି ଟିମ୍‌ର ପ୍ରାୟୋଜକ ରହିବ।

    ସବୁ ରାଜ୍ୟ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବା ଦରକାର

    ଓଡ଼ିଶାର ହୃଦୟରେ ହକି ରହିଛି। ଓଡ଼ିଶା ସରକାର ହକିକୁ ଅଗ୍ରାଧିକାର ଦେଇଛନ୍ତି। ହକି ପାଇଁ ବିଶ୍ୱସ୍ତରର ଭିତ୍ତିଭୂମି ପ୍ରସ୍ତୁତ କରିବା ସହ ଟିମର ପ୍ରାୟୋଜକ ହେବାକୁ ଆଗେଇ ଆସିଛନ୍ତ। ହକିକୁ ପ୍ରୋତ୍ସାହନ ଦେଇ ଓଡ଼ିଶା ପୂରା ଦେଶରେ ନୂଆ ଉଦାହରଣ ସୃଷ୍ଟି କରିଛି। ଦେଶର ଅନ୍ୟ ରାଜ୍ୟ ଗୁଡିକ ଆପଣାଇବା ଉଚିତ ବୋଲି ଭାରତୀୟ ମହିଳା ହକି ଦଳର ଅଧିନାୟିକା ରାନୀ ରାମପାଲ  ଗତ ୧୭ ତାରିଖ ଲୋକସେବା ଭବନରେ କହିଥିଲେ। ସେ କହିଥିଲେ ଯ ପ୍ରତି ରାଜ୍ୟ ଗୋଟିଏ ଗୋଟିଏ କ୍ରୀଡା ଆପଣାଇବା ସହ ପୋତ୍ସାହନ ଦେଲେ ଦେଶରେ କ୍ରୀଡାର ବିକାଶ ହେବ।

    ରଗ୍‌ବିରେ ସୁନାମ ଆଣିଛି ଓଡ଼ିଶା

    ଜାତୀୟ ଓ ଅନ୍ତର୍ଜାତୀୟ ରଗ୍ଵିରେ ଓଡ଼ିଶା ଖେଳାଳିମାନେ ମଧ୍ୟ ବହୁ ସଫଳତା ହାସଲ କରିଛନ୍ତି। ରାଜ୍ୟ ସରକାର ପ୍ରାୟୋଜକ ହେବା ପରେ ଓଡ଼ିଶାରେ ରଗ୍‌ବି ଖେଳ ଆହୁରି ଲୋକପ୍ରିୟ ହେବା ସହିତ ବିକଶିତ ହେବ। ଏହା ଦ୍ଵାରା ଭାରତୀୟ ରଗ୍‌ବିି ଦଳ ମଧ୍ୟ ଉଚ୍ଚକୋଟୀର ପ୍ରଶିକ୍ଷଣ ପାଇ ପାରିବ। ସରକାର ଏବଂ ଆଇଆର୍‌ଏଫ୍ୟୁ ସହବନ୍ଧନ ପରେ ତୃଣମୂଳସ୍ତରରେ ରଗ୍‌ବି ବିକାଶ, ପ୍ରତିଭା ଚିହ୍ନଟ ସହ ଦେଶ ଓ ରାଜ୍ୟରୁ ଆଗାମୀ ସମୟରେ ବହୁ ଅନ୍ତର୍ଜାତୀୟ ଖେଳାଳି ସୃଷ୍ଟି ହୋଇପାରିବେ ବୋଲି ଆଶା କରାଯାଉଛି। 

    LEAVE A REPLY

    Please enter your comment!
    Please enter your name here