ପୁଣି ଦେବାଳୟରେ ସାଧାରଣ ଶ୍ରଦ୍ଧାଳୁଙ୍କ ପ୍ରବେଶ ମନା!

    0
    659

    ଭୁବନେଶ୍ୱର: କରୋନା ଭାଇରସ୍‌ ମହମାରୀ ପୁଣି ଥରେ ବିସ୍ଫୋରକ ରୂପ ନେଇଛି। ସମଗ୍ର ଦେଶ ସମେତ ଓଡ଼ିଶାରେ ମଧ୍ୟ ସଂକ୍ରମିତ ଲୋକଙ୍କ ସଂଖ୍ୟା ବଢ଼ିଚାଲିଛି।      ସେଥିପାଇଁ ରାଜ୍ୟ ସରକାର କୋଭିଡ୍‌-୧୯ କଟକଣାକୁ ଅଧିକ ସକ୍ରିୟ କରିବାକୁ ଯାଉଛନ୍ତି। ଏପରିକି ରାଜ୍ୟରେ ଥିବା ଧର୍ମାନୁଷ୍ଠାନ ଗୁଡ଼ିକରେ ବନ୍ଦ କରାଯାଇ ପାରେ ଅଥବା ସପ୍ତାହରେ ଦୁଇ ଦିନ (ଶନିବାର ଓ ରବିବାର) ସାଧାରଣ ଶ୍ରଦ୍ଧାଳୁଙ୍କୁ ମନ୍ଦିର ମନା ହୋଇପାରେ। ସେହିଭଳି ମସ୍‌ଜିଦ୍‌ ଓ ଚର୍ଚ୍ଚରେ ମଧ୍ୟ ପ୍ରବେଶ ନେଇ ରାଜ୍ୟ ସରକାର କଟକଣା ଲଗାଇପାରନ୍ତି।

    ରାଜ୍ୟରେ ଥିବା ମନ୍ଦିର ଗୁଡ଼ିକୁ ସାଧାରଣ ଭକ୍ତଙ୍କୁ ଶନିବାର ଓ ରବିବାର  ପ୍ରବେଶ ନିଷେଧ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରସ୍ତାବ ଦିଆଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ମଙ୍ଗଳବାର କରୋନା ସମୀକ୍ଷା ସମୟରେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦିଆଯାଇଛି। ଦୀର୍ଘ ୯ ମାସ ପରେ ଗତବର୍ଷ ଡିସେମ୍ବର ଶେଷ ସପ୍ତାହରେ ରାଜ୍ୟର ପ୍ରସିଦ୍ଧ ମନ୍ଦିର ଗୁଡ଼ିକ ଭକ୍ତଙ୍କ ପାଇଁ ଖୋଲିଥିଲା। ବର୍ତ୍ତମାନ ପରିପ୍ରେକ୍ଷୀରେ ମନ୍ଦିର ଗୁଡ଼ିକରେ ଶ୍ରଦ୍ଧାଳୁଙ୍କର ଭିଡ ରହୁଛି। ତେଣୁ ଏହି ଭିଡ ହ୍ରାସ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଛି।


    ଏବେ ପ୍ରତି ରବିବାର ଶ୍ରୀମନ୍ଦିର ବନ୍ଦ

    ସୂଚନାଯୋଗ୍ୟ, ଗତ ୪ ତାରିଖ ଠାରୁ ପ୍ରତି ରବିବାର ଶ୍ରୀମନ୍ଦିରରେ ଜଗାଦର୍ଶନ  ବନ୍ଦ ରହିଛି। ଏବେ ଦିନକୁ ଗୋଟିଏ ଦିନ ଶ୍ରୀମନ୍ଦିର ସାଧାରଣ ଭକ୍ତଙ୍କ ପାଇଁ ବନ୍ଦ ରହୁଥିବା ବେଳେ ଆଗାମୀ ଦିନରେ ସପ୍ତାହକୁ ୨ ଦିନ ବନ୍ଦ ରହିପାରେ। କିନ୍ତୁ ସରକାରଙ୍କ ଦ୍ୱାରା ନିଷ୍ପତ୍ତି ନିଆଯିବା ପରେ ସେ ନେଇ ସ୍ପଷ୍ଟ ହେବ। ରାଜ୍ୟର ସମସ୍ତ ମନ୍ଦିର ଶନିବାର ଓ ରବିବାର ବନ୍ଦ ହେବା ବାବଦରେ ଖୁବଶୀଘ୍ର ନିଷ୍ପତ୍ତି  ନିଆଯିବାର ସମ୍ଭାବନା ରହିଛି।

    ମୁଖ୍ୟମନ୍ତ୍ରୀଙ୍କ କରୋନା ସମୀକ୍ଷା

    ମୁଖ୍ୟମନ୍ତ୍ରୀ ମଙ୍ଗଳବାର ସନ୍ଧ୍ୟାରେ କରୋନା ସଂକ୍ରମଣ ନେଇ ସ୍ଥିତିର ସମୀକ୍ଷା  କରିଥିଲେ। ଭିଡିଓ କନଫରେନ୍‌ସିଂ ଜରିଆରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ପଡୋଶୀ ଛତିଶଗଡ଼ରେ ସଂକ୍ରମଣ ବ୍ୟାପିଚାଲିଥିବା ବେଳେ ପଶ୍ଚିମ ଓଡ଼ିଶାର ଛତିଶଗଡ଼ ସୀମାକୁ ଲାଗି ରହିଥିବା ଜିଲ୍ଲା ଗୁଡ଼ିକ ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି ମୁୁଖ୍ୟମନ୍ତ୍ରୀ। ଏଥି ପାଇଁ  ମୁଖ୍ୟ ସଚିବ ସୁରେଶ ମହାପାତ୍ର ଓ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କୁ ସ୍ଥିତି ପର୍ଯ୍ୟବେକ୍ଷଣ ଲାଗି ପଶ୍ଚିମ ଓଡ଼ିଶା ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପଶ୍ଚିମ ଓଡ଼ିଶାରେ କରୋନାକୁ କିଭଳି ଭାବେ ନିୟନ୍ତ୍ରଣ ଅଣାଯାଇ ପାରିବ, ସେ ନେଇ ସ୍ଥିତି ଅନୁଧ୍ୟାନ କରିବାକୁ ଆଦେଶ ଦେଇଛନ୍ତି। ପଶ୍ଚିମ ଓଡ଼ିଶାକୁ ତୁରନ୍ତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ପଠାଇବା ଏବଂ ମୁକାବିଲା ପାଇଁ ହସ୍ପିଟାଲ ଭିତ୍ତିଭୂମି ଦୃଢ଼ କରିବାକୁ ନିର୍ଦ୍ଦେଶ ଦେଇଛନ୍ତ।

    ସତର୍କ ନରହିଲେ ବଢ଼ିବ ବିପଦ

    କୋଭିଡ୍‌ର ଏହି ଲହର ଅତି ଭୟଙ୍କର। ତେଣୁ ସତର୍କ ନରହିଲେ ଏହା ବିପଦ ବଢ଼ାଇପାରେ। କରୋନା ମହାମାରୀ ବିପକ୍ଷରେ ବିଜୟୀ ହେବାକୁ ହେଲେ ବ୍ୟକ୍ତିଗତ ଓ ସାମୂହିକ ଭାବେ ସମସ୍ତଙ୍କୁ ଉଦ୍ୟମ କରିବାର ଅଛି। କୋଭିଡ ନିୟମ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ନିକଟରେ ଅପିଲ କରିଛନ୍ତି।  

    ୭ ତାରିଖରୁ ପୋଲିସର ସ୍ୱତନ୍ତ୍ର ଅଭିଯାନ

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାସ୍କ ପିନ୍ଧିବା ନିୟମ ଓ ସାମାଜିକ ଦୂରତ୍ୱକୁ ଠିକ ଭାବେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଆଧାରରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ମିଳିବା ପରେ ଏପ୍ରିଲ ୭ ତାରିଖ ଠାରୁ ପୋଲିସ ରାଜ୍ୟରେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିବ। ୧୦ ଦିନିଆ ସ୍ୱତନ୍ତ୍ର ଅଭିଯାନ ନେଇ ପୋଲିସ ମହାନିର୍ଦ୍ଦେଶକ ଅଭୟ ରାଜ୍ୟର ସବୁ ଏସ୍‌ପି ଓ ଡିସିପିଙ୍କୁ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି। ଏସଂପର୍କରେ ଆଇନଶୃଙ୍ଖଳା ଏଡିଜିଙ୍କୁ ଦୈନିକ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ହୋଇଛି। 

    LEAVE A REPLY

    Please enter your comment!
    Please enter your name here