ଉପନିର୍ବାଚନ ପାଇଁ ଆଜିଠାରୁ ନାମାଙ୍କନପତ୍ର ଦାଖଲ

0
677

ଭୁବନେଶ୍ୱର:  ଓଡ଼ିଶାର ୩୮-ବାଲେଶ୍ୱର ଓ ୧୦୨-ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀରେ ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ଶନିବାରଠାରୁ ନାମାଙ୍କନପତ୍ର ଗ୍ରହଣ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଉପନିର୍ବାଚନ ସୂଚୀ ଅନୁସାରେ ଅକ୍ଟୋବର ୯ ତାରିଖ ନାମାଙ୍କନ ପତ୍ର ଦାଖଲ, ୧୬ ତାରିଖ ନାମାଙ୍କନ ପତ୍ର ଦାଖଲ ଶେଷ, ୧୭ ତାରିଖ ପ୍ରାର୍ଥୀପତ୍ର ଯାଞ୍ଚ, ୧୯ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାର ତାରିଖ, ନଭେମ୍ବର ୩ ତାରିଖ ଭୋଟ ଗ୍ରହଣ ଦିବସ, ନଭେମ୍ବର ୧୦ ତାରିଖ ଭୋଟଗଣତି ଏବଂ ନଭେମ୍ବର ୧୨ ତାରିଖ ନିର୍ବାଚନ ପ୍ରକ୍ରିୟା ଶେଷ ହେବ ବୋଲି ଜଣାପଡ଼ିଛି।

ନାମାଙ୍କନପତ୍ର ଦାଖଲ ସମୟରେ ପ୍ରାର୍ଥୀଙ୍କ ସହ ସର୍ବାଧିକ ଦୁଇଜଣ ବ୍ୟକ୍ତି ଯାଇପାରିବେ ଏବଂ ଦୁଇଗୋଟି ଗାଡ଼ି ବ୍ୟବହାର କରିପାରିବେ। ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ସ୍ଥିରୀକୃତ ହୋଇଥିବା ଏକ ବଡ଼ ହଲ୍‌ରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ରକ୍ଷା କରି ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିବେ। ୮୦ ବର୍ଷରୁ ଊଦ୍ଧ୍ୱର୍ ଭୋଟର, କୋଭିଡ୍‌ ଆକ୍ରାନ୍ତ ଏବଂ ସନ୍ଦିଗ୍ଧ କୋଭିଡ୍‌ ଭୋଟରମାନେ ଚାହିଁଲେ ପୋଷ୍ଟାଲ୍‌ ବାଲାଟ୍‌ ମାଧ୍ୟମରେ ଭୋଟ ଦେଇପାରିବେ।

ଏଥି ନିମନ୍ତେ ନାମାଙ୍କନପତ୍ର ଦାଖଲ ଦିନଠାରୁ ଅକ୍ଟୋବର ୧୪ ତାରିଖ ମଧ୍ୟରେ ସେମାନେ ଫର୍ମ-୧୨(ଘ) ମାଧ୍ୟମରେ ନିର୍ବାଚନ ଅଧିକାରୀଙ୍କୁ ଆବେଦନ କରିପାରିବେ। ଏହାପରେ ପୋଷ୍ଟାଲ ବାଲାଟ ଭୋଟରମାନଙ୍କର ଏକ ତାଲିକା ପ୍ରସ୍ତୁତ ହେବ। ଅକ୍ଟୋବର ୨୦ ତାରିଖ ପରେ ପୋଲିଂ ଅଧିକାରୀମାନେ ପୋଷ୍ଟାଲ୍‌ ବାଲାଟ୍‌ ନେଇ ଘରକୁ ଘର ବୁଲି ପୂର୍ଣ୍ଣ ଗୋପନୀୟତା ରକ୍ଷା କରି ମୁଦା ଲଫାପା ଦ୍ୱାରା ପୋଷ୍ଟାଲ ବାଲାଟ ଭୋଟ ସଂଗ୍ରହ କରିବେ।

ରାଜନୈତିକ ଦଳମାନେ ଘରକୁ ଘର ବୁଲି ନିର୍ବାଚନ ପ୍ରଚାର କଲାବେଳେ ପ୍ରାର୍ଥୀଙ୍କ ସହ ସୁରକ୍ଷା କର୍ମୀଙ୍କୁ ଛାଡ଼ି ସର୍ବାଧିକ ପାଞ୍ଚ ଜଣ ବ୍ୟକ୍ତି ମାସ୍କ ପିନ୍ଧି ଓ ସାମାଜିକ ଦୂରତ୍ୱ ରକ୍ଷା କରି ଯାଇପାରିବେ। କୋଭିଡ୍‌-୧୯ ପରିପ୍ରେକ୍ଷୀରେ ନିର୍ବାଚନୀ ସଭା ନିମନ୍ତେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଏକ ନିର୍ବିବାଦୀୟ ପ୍ରସସ୍ଥ ଏବଂ ବଡ଼ ସ୍ଥାନ ନିରୂପଣ କରାଯାଇ ସେଠାରେ ସର୍ବାଧିକ ୧୦୦ ଜଣ ଲୋକଙ୍କୁ ନେଇ ସାମାଜିକ ଦୂରତ୍ୱ ସହ ନିର୍ବାଚନୀ ସଭା କରାଯିବ।

କୋଭିଡ୍‌ ଦୃଷ୍ଟିରୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ପ୍ରତି ବୁଥ୍‌ରେ ସର୍ବାଧିକ ୧୦୦୦ ଭୋଟର ଭୋଟ ଦେଇପାରିବେ। ଫଳରେ ବୁଥ୍‌ ସଂଖ୍ୟା ବୃଦ୍ଧି ପାଇବା ସହ ଶୀଘ୍ର ମତଦାନ ସରିବ। ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ କାର୍ଯ୍ୟ ଚାଲୁରହିବ। ଭୋଟ ଗ୍ରହଣବେଳେ ସମସ୍ତ ଭୋଟର ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଓ ପ୍ରଶାସନ ତରଫରୁ ଭୋଟ ଗ୍ରହଣ ନିମନ୍ତେ ସବୁ ଭୋଟରଙ୍କୁ ଗ୍ଲୋବସ୍‌ ଯୋଗାଇ ଦିଆଯିବ।

ଭୋଟ ଗ୍ରହଣ ସମୟରେ କୌଣସି ବ୍ୟକ୍ତିଙ୍କଠାରେ ଯଦି କୋଭିଡ୍‌ ଲକ୍ଷଣ ପ୍ରକାଶ ପାଏ, ତା’ହେଲେ ସଂପୃକ୍ତ ଭୋଟରଙ୍କୁ ଭୋଟ ଗ୍ରହଣର ଶେଷ ପର୍ଯ୍ୟାୟରେ ମତଦାନ କରିବାକୁ ସୁଯୋଗ ଦିଆଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here