୨୦୨୦- ୨୧ ଆର୍ଥିକ ବର୍ଷରେ ଲଘୁ ଖଣିଜ ପଦାର୍ଥରୁ ୧୦୦୦ କୋଟି ଟଙ୍କାର ରାଜସ୍ୱ ଆଦାୟ ଲକ୍ଷ୍ୟ ଧାର୍ଯ୍ୟ

0
905

ଭୁବନେଶ୍ୱର: ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଲୋକସେବା ଭବନରୁ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ରାଜ୍ୟରେ ଥିବା ଲଘୁ ଖଣିଜ ପଦାର୍ଥର ସମୀକ୍ଷା କରିଛନ୍ତି। ରାଜ୍ୟର ସମସ୍ତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ତହସିଲଦାର ତଥା ଅତିରିକ୍ତ ତହସିଲଦାରମାନଙ୍କୁ ନେଇ ହୋଇଥିବା ଏହି ସମୀକ୍ଷାରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଅଂଶଗ୍ରହଣ କରି ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହ ମତବିନିମୟ କରିଥିଲେ।

ସମୀକ୍ଷାରେ ମୁଖ୍ୟତଃ ଲଘୁଖଣିଜ ପଦାର୍ଥ ଉତ୍ସର ବନ୍ଦୋବସ୍ତ ଏବଂ କାର୍ଯ୍ୟକ୍ଷମଶୀଳତା, ନୂତନ ତଥା ବୃହତ୍‌ ଲଘୁଖଣିଜ ପଦାର୍ଥ ଉତ୍ସର ଚିହ୍ନଟ, ରାଜସ୍ୱ ଆଦାୟର ଲକ୍ଷ୍ୟ ପୂରଣ ଏବଂ ପ୍ରବର୍ତ୍ତନ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି ସମୀକ୍ଷା ଆଲୋଚନାରେ ବିଭିନ୍ନ ନିଷ୍ପତ୍ତିମାନ ଗ୍ରହଣ କରାଯାଇଥିଲା। ଲଘୁଖଣିଜ ପଦାର୍ଥ ଉତ୍ସର ବନ୍ଦୋବସ୍ତ ଓ କାର୍ଯ୍ୟକ୍ଷମଶୀଳତା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ୩୧ ଅଗଷ୍ଟ ୨୦୨୦ ସୁଦ୍ଧା ସଂପୂର୍ଣ୍ଣ କରିବାକୁ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ସମସ୍ତ ଜିଲ୍ଲାପାଳ ଓ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନୂତନ ଉତ୍ସର ଚିହ୍ନଟ ଆସନ୍ତା ଏକ ସପ୍ତାହ ମଧ୍ୟରେ ସାରିବାକୁ କୁହାଯାଇଥିଲା। ୨୦୨୦- ୨୧ ଆର୍ଥିକ ବର୍ଷରେ ଲଘୁ ଖଣିଜ ପଦାର୍ଥରୁ ୧୦୦୦ କୋଟି ଟଙ୍କାର ରାଜସ୍ୱ ଆଦାୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ଏହି ଲକ୍ଷ୍ୟ ହାସଲ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା।

ଲଘୁ ଖଣିଜ ପଦାର୍ଥର ଚୋରିକୁ ରୋକିବା ନିମନ୍ତେ ପ୍ରବର୍ତ୍ତନ (ଏନ୍‌ଫୋର୍ସମେଣ୍ଟ) କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ନିମନ୍ତେ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା। ଲଘୁଖଣିଜ ପଦାର୍ଥରୁ ରାଜସ୍ୱ ଆଦାୟର ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବା ନିମନ୍ତେ ଜିଲ୍ଲାପାଳ ଓ ତହସିଲଦାରମାନେ ସ୍ୱତନ୍ତ୍ର ଭାବେ ଯତ୍ନଶୀଳ ହେବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ଆଶାବ୍ୟକ୍ତ କରିଥିଲେ। ଲଘୁଖଣିଜ ପଦାର୍ଥ ଚୋରିକୁ ରୋକିବା ନିମନ୍ତେ ଯୋଜନାବଦ୍ଧ ପ୍ରୟାସ କରିବା ପାଇଁ ପ୍ରମୁଖ ଶାସନ ସଚିବ ଶ୍ରୀ ସେଠୀ ଜିଲ୍ଲାପାଳ ଓ ତହସିଲଦାରମାନଙ୍କୁ ପରାମର୍ଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here