ହକି ପାଇଁ ସରକାର ଖୁସି, ସମସ୍ତେ ନୁହଁ!

    0
    251

    ଭୁବନେଶ୍ବର: ପୁରୁଷ ହକି ବିଶ୍ବକପ୍ ପାଇଁ ଭୁବନେଶ୍ବର, କଟକ ଓ ରାଉରକେଲା ସମେତ ସାରା ରାଜ୍ୟରେ ସମାରୋହ ଅନୁଷ୍ଠିତ ହୋଇଛି। ପ୍ରତି ଜିଲ୍ଲା ସଦରମହକୁମାକୁ ବିଶ୍ବକପ୍ ଟ୍ରଫି ଭ୍ରମଣ କରିଥିବା ବେଳେ ବ୍ଲକ ସ୍ତରରେ ହକି ପରିକ୍ରମା ରଥ ପହଂଚିଛି। ପ୍ରତି ପଂଚାୟତରେ ହକି ପରିକ୍ରମା ରଥକୁ ନିଆଯାଇଛି। ହକି ରଥ ମାଧ୍ୟମରେ ଗ୍ରାମାଂଚଳରେ କ୍ରୀଡ଼ାର ପ୍ରଚାର କରାଯାଇଛି। କିନ୍ତୁ ହକି ପାଇଁ ରାଜ୍ୟର ସମସ୍ତେ ଖୁସି ନାହାନ୍ତି।

    ଗ୍ରାମସଭା ମାଧ୍ୟମରେ ଲୋକଙ୍କ ସାମ୍ନାରେ ହକି ବିଶ୍ବକପ୍ ସମାରୋହକୁ ପ୍ରଦର୍ଶିତ କରାଯାଇଛି। ଏଥି ପାଇଁ ସରକାର ପ୍ରତି ପଂଚାୟତକୁ ୩୦ ହଜାର ଟଙ୍କା ଅନୁଦାନ ଦେଇଛନ୍ତି। ଏଲ୍ଇଡି ସ୍କ୍ରିନ ପାଇଁ ୬୦୦୦, ଚୌକି ପାଇଁ ୪ ହଜାର ଓ ଚା’-ପାନ ପାଇଁ ୧୦ ହଜାର ଟଙ୍କା ଦେଇଛନ୍ତି। ସେହିପରି ଅନ୍ୟାନ୍ୟ କ୍ରୀଡ଼ା କାର୍ଯ୍ୟକ୍ରମ ଯଥା ପୁରସ୍କାର, ସାଉଣ୍ଡ, ପୋଷ୍ଟର, ବ୍ୟାନର, ସେଲ୍ଫି ପଏଣ୍ଟ ଆଦି ପାଇଁ ୧୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଭୁବନେଶ୍ବର ଓ ରାଉରକେଲାର ମୁଖ୍ୟ ରାସ୍ତାଗୁଡ଼ିକ ଚକାଚକ କରୁଛି। କିନ୍ତୁ ମୁଖ୍ୟ ରାସ୍ତାରୁ ୫୦୦ ମିଟର ଗଲେ ଅବସ୍ଥା ଶୋଚନୀୟ ହୋଇପଡ଼ିଛି।

    ଓଡ଼ିଶାର ଲୋକେ କେତେ ଖୁସି?

    ବିଶ୍ବକପ ସମାରୋହକୁ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମର୍ଥନ ଜଣାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଇଛନ୍ତି। ଏଥି ସହିତ ସେ ଏହି ସମାରୋହ ନେଇ ନିଜେ ଖୁସି ଥିବା ପ୍ରକାଶ କରିଛନ୍ତି। ଅନ୍ୟମାନେ ଖୁସି ଅଛନ୍ତି କି ନାହଁ ବୋଲି ପଚାରିବୁଝିଛନ୍ତି। ୧୫ ମାସ ମଧ୍ୟରେ ରାଜ୍ୟ ସରକାର ରାଉରକେଲାରେ ବିର୍ସା ମୁଣ୍ଡା ଷ୍ଟାଡିୟମ, ହକି ଗ୍ରାମ ଓ ଅନ୍ୟାନ୍ୟ ଭିତ୍ତିଭୂମିର ନିର୍ମାଣ କରିଥିବାରୁ ଖୁସି ହେବା ସ୍ବାଭାବିକ। କିନ୍ତୁ ୨୩ ବର୍ଷର ସରକାର ଲୋକଙ୍କୁ କେତେ ଖୁସିରେ ରଖିଛନ୍ତି, ଯେଉଁ ଓଡ଼ିଆଙ୍କ ପୁଅ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବ, ସେ ହିଁ ଭଲରେ କହିପାରିବେ।

    ଟୁଇଟ୍ କଲେ ଟୁକୁନି

    ହକି ବିଶ୍ବକପ୍କୁ ନେଇ ସରକାର, ମୁଖ୍ୟମନ୍ତ୍ରୀ, ବିଜେଡିର ମନ୍ତ୍ରୀ, ବିଧାୟକ, ନେତା ଗୁଣଗାନ କରୁଛନ୍ତି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏକ ଟୁଇଟ୍ କରିଛନ୍ତି। ସେ ଟୁଇଟରେ ଓଡ଼ିଶା, ଗୁଜୁରାଟ, ମହାରାଷ୍ଟ୍ର ଓ ପଂଜାବର ୪ଟି ଷ୍ଟାଡିୟମ ଥିବା ୪ଟି ଫୋଟୋକୁ ଯୋଡ଼ି ସେୟାର କରିଛନ୍ତି। ଏହି ମିଶ୍ରିତ ଫଟୋ ଟୁଇଟ୍ରେ ଓଡ଼ିଶାର ହକି ଷ୍ଟାଡିୟମକୁ ସର୍ବୋତ୍ତମ ଓ ଅନ୍ୟ ରାଜ୍ୟର ଷ୍ଟାଡିୟମକୁ ସେ ନିକୃଷ୍ଟ ତଥା ଅନୁନ୍ନତ ଶ୍ରେଣୀର ଦର୍ଶାଇଛନ୍ତି। ଭାରତର ଜାତୀୟ ଖେଳ ହୋଇଥିବାରୁ ଏହାକୁ ସମସ୍ତେ ସମ୍ମାନ ଦେବାର ଅଛି। କିନ୍ତୁ ରାଜ୍ୟ ସରକାର ଯେଭଳି ଭାବେ ପ୍ରଚାର ଓ ପ୍ରସାର କରୁଛନ୍ତି ତାହାକୁ ରାଜ୍ୟର ସମସ୍ତ ନାଗରିକ ହଜମ କରିପାରୁ ନାହାନ୍ତି।

    ଟ୍ରୋଲ ହେଲେ ମନ୍ତ୍ରୀ

    ମନ୍ତ୍ରୀ ଟୁକୁନି ସାହୁ ଟୁଇଟ୍ କରି ସାମାଜିକ ଗଣମାଧ୍ୟମର ବ୍ୟବହାରକାରୀଙ୍କ ଦ୍ବାରା ଟ୍ରୋଲ୍ ହୋଇଛନ୍ତି। ଓଡ଼ିଆଙ୍କ ପାଖେ ଏବେବି ଭଲ ପାଣି ନାହିଁ। ରାସ୍ତା ନାହିଁ। ମେଡିକାଲବି ନାହିଁ। ହକିରେ ସବୁ ଖର୍ଚ୍ଚ କଲେ କଣ ହେବ ବୋଲି ଜଣେ ଲେଖିଛନ୍ତି। ଅନ୍ୟ ଜଣେ ଲେଖିଛନ୍ତି ଯେ, ଗୁଜୁରାଟକୁ ଓଡିଶା ସାଙ୍ଗରେ ତୁଳନା କରିବା ଠିକ୍ ନାହିଁ। କାରଣ ବିକାଶ ମାମଲାରେ ଗୁଜରାଟ ବହୁ ଆଗରେ। ଓଡ଼ିଶାରୁ ଲକ୍ଷାଧିକ ଲୋକ ଗୁଜରାଟ ଦାଦନ ଖଟିବାକୁ ଯାଆନ୍ତି। ଖାଲି ହକି ଷ୍ଟାଡିୟମ୍ ସହ ଅନ୍ୟ ରାଜ୍ୟ ଗୁଡ଼ିକ ସହ ତୁଳନା କରନାହିଁ। ସବୁ କ୍ଷେତ୍ରରେ ଯେଉଁଦିନ ଅନ୍ୟ ରାଜ୍ୟ ପରି ଓଡ଼ିଶା ହେବ ସେହି ଦିନ ଓଡ଼ିଶାକୁ ଅନ୍ୟ ରାଜ୍ୟ ସହ ତୁଳନା କରିବ। ମୁଖ୍ୟମନ୍ତ୍ରୀଙ୍କର ମନେ ରଖି ବା ଉଚିତ୍ ଓଡ଼ିଶା ପିଲାମାନେ  ବେଶୀ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଛନ୍ତି। ଅନ୍ୟ ସହିତ ନିଜକୁ ତୁଳନା ନକରି, ଯଦି ଆପଣ ନିଜକୁ ନିଜର ଅତୀତ ସହ ତୁଳନା କରି ବର୍ତ୍ତମାନ ଚିତ୍ର ଚିତ୍ରଣ କରିଥାନ୍ତେ , ତେବେ ଏହା ସମାଜକୁ ଏକ ଦୀଗଦର୍ଶନ ଦେଇଥାନ୍ତା।

    ଓଡ଼ିଶାର ବସଷ୍ଟାଣ୍ଡ

    ବିକାଶ କ୍ଷେତ୍ରରେ ଓଡ଼ିଶା କେତେ ଆଗୁଆ, ତାହା ରାଜ୍ୟ ବାହାର ଲୋକେ ଜାଣିଛନ୍ତି। ୨୩ ବର୍ଷ ଶାସନରେ କେତେ ନଦୀବନ୍ଧ, ଆନିକଟ କରିଛନ୍ତି ତାକୁ ବି ନେଇକି ପୋଷ୍ଟ କରନ୍ତୁ ବୋଲି ଲୋକେ ଜବାବ ମାଗିଛନ୍ତି। ପଛରେ ରାଜ୍ୟ ହୋଇ ପଡୋଶୀ ଛତିଶଗଡ଼ ରାଜ୍ୟର କେତେ ସବୁ ପ୍ରକାର ନଦୀବନ୍ଧ, ଆନିକଟ ରହିଛି। ଓଡ଼ିଶାର ବାସ୍ତବ ଚିତ୍ର ହେଉଛି ଲୋକ ଭୋଲିଲା, କାଙ୍ଗାଳ, ଦରିଦ୍ର, ନିଷ୍ପେସିତ, ବେକାରୀ ଓ ସର୍ବହାରା।ଓଡ଼ିଶାରେ ଶାସକ ନେତା ମନ୍ତ୍ରୀ ଗୁଡାକ ହତ୍ୟାକାରୀ, ଅପରାଧୀ, ଧର୍ଷକ, ଦୁର୍ନୀତିଖୋର, ମଦ୍ୟପ ଓ ଚରିତ୍ରହୀନ ବୋଲି ଜଣେ ୟୁଜର୍ସ ଲେଖିଛନ୍ତି। ଅନ୍ୟ ଜଣେ ରାଜ୍ୟର ରାଜଧାନୀରେ ଥିବା ମୁଖ୍ୟ ବସଷ୍ଟାଣ୍ଡ ଛବି ସହ ବରମୁଣ୍ଡା ବସ୍‌ଷ୍ଟାଣ୍ଡର ଏମିତି ଏକ ଫୋଟୋ ଆସୁ ବୋଲି କହିଛନ୍ତି।  

    LEAVE A REPLY

    Please enter your comment!
    Please enter your name here