ସଂପର୍କ ସହ ବିକାଶ ଓ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ‘ରାକ୍ଷୀ’

    0
    356

    ଭୁବନେଶ୍ବର: ପବିତ୍ର ‘ରକ୍ଷାବନ୍ଧନ’ ପର୍ବ ଉତ୍ସାହର ସହିତ ଶେଷ ସଂପନ୍ନ ହୋଇଛି। ବିଗତ ୨ ଥର କୋଭିଡ କଟକଣା ଯୋଗୁଁ ଯଦିଓ ସାମାନ୍ୟ ଫିକା ପଡ଼ିଥିଲା ଏଥର କିନ୍ତୁ ଭାଇ-ଭଉଣୀଙ୍କୁ ନେଇ ପ୍ରଚଳିତ ହୋଇ ଆସୁଥିବା ପର୍ବରେ ଅଧିକ ରଂଗ ଲାଗିଛି। ସମାଜର ବିଭିନ୍ନ ବର୍ଗରେ ରହୁଥିବା ଲୋକେ ନିଜସ୍ବ ଶୈଳୀରେ ରକ୍ଷାବନ୍ଧନ ପର୍ବ ଦିନ ତମାମ ପାଳନ କରିଛନ୍ତି। ରାକ୍ଷୀ ବ୍ୟବସାୟୀ ଓ ମିଠା ଦୋକାନୀଙ୍କ ସହିତ ହୋଟେଲ, ରେଷ୍ଟୁରାଣ୍ଟର ମାଲିକଙ୍କୁ ଭଲ ଦି’ ପଇସା ମିଳିଛି। ସେହିପରି ସହରାଂଚଳରେ ପରିବହନ କ୍ଷେତ୍ରରେ କର୍ମଜୀବୀମାନେ ମଧ୍ୟ ରକ୍ଷାବନ୍ଧନ ଅବସରରେ ଭଲ ଟଙ୍କା ରୋଜଗାର କରିଛନ୍ତି। ରକ୍ଷାବନ୍ଧନ ଏଭଳି ଏକ ପର୍ବ ଯାହାକି ସଂପର୍କ ଯୋଡ଼ିବା ସହିତ ବିକାଶ ଓ ସୁରକ୍ଷା ଦିଗରେ ମଧ୍ୟ ସହାୟକ ହେଉଛି।

    ‘ରକ୍ଷାବନ୍ଧନ’ ଏଭଳି ଏକ ସାମାଜିକ ହିନ୍ଦୁ ପର୍ବ, ଯେଉଁଠି ସବୁ ଶ୍ରେଣୀର ଲୋକେ ଉତ୍ସାହର ସହିତ ପାଳନ କରିଥାନ୍ତି। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ଅଧିକାରୀ, ବ୍ୟବସାୟୀ, ସମାଜ କର୍ମୀଙ୍କୁ ମଧ୍ୟ ଅତି ଗରିବ ଶ୍ରେଣୀରେ ବଢ଼ି ଆସିଥିବା ଝିଅମାନେ ରାକ୍ଷୀ ବାନ୍ଧିଥାନ୍ତି। ଏହି ଦିନରେ କୌଣିସ ପ୍ରକାର ଉଚ୍ଚ-ନୀଚର ତାରତମ୍ୟ ଦେଖାଯାଇ ନ ଥାଏ। ସମସ୍ତେ ଶ୍ରଦ୍ଧାର ସହିତ ଅଜଣା ଭଉଣୀଙ୍କୁ ମଧ୍ୟ ହାତ ବଢ଼ାଇ ଦେଇଥାନ୍ତି। ସମୟ କ୍ରମେ ରକ୍ଷାବନ୍ଧନର ସ୍ବରୂପ ବଦଳି ଯାଇଛି। ଏଥିରେ ଲୋକଙ୍କର ଚିନ୍ତାଧାରାରେ ମଧ୍ୟ ପରିବର୍ତ୍ତନ ଆସିଛି। ତେଣୁ ଭିନ୍ନ ପ୍ରକାରରେ ମଧ୍ୟ ରକ୍ଷାବନ୍ଧନ ପାଳନ ହେଉଛି।

    ବୃକ୍ଷକୁ ରାକ୍ଷୀ ବାନ୍ଧିଲେ ଶୁଭ୍ରାଂଶୁ

    ପରିବେଶ ପ୍ରଦୂଷଣ ଓ ଜଙ୍ଗଲ କ୍ଷୟ ଆଜିର ଦିନରେ ସବୁଠାରୁ ଚିନ୍ତାର ବିଷୟ। ସରକାରୀ ଓ ଘରୋଇ ସ୍ତରରେ ବ୍ୟାପକ ସତର୍କତାମୂଳକ ଅଭିଯାନ ଚାଲିଛି। ପ୍ରଦୂଷଣ ମୁକ୍ତ ଓ ଜଙ୍ଗଲ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ ହେଉଛି। ତଥାପି ପରିବେଶରେ କୌଣସି ପରିବର୍ତ୍ତନ ଆସୁନାହିଁ। ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଲୋକଙ୍କ ଚାହିଦା ଏବଂ ଆବଶ୍ୟକତା ପୂରଣ ନେଇ ଜଙ୍ଗଲ କ୍ରମଶଃ ହ୍ରାସ ପାଇବାକୁ ବସିଲାଣି।  ଏଭଳି ସମୟରେ ସବୁଜ ବିକଳ୍ପ ପାଇଁ ବିଭିନ୍ନ ପ୍ରୟାସ ଜାରି ରଖିଛନ୍ତି ଜାତିସଂଘ ପୁରସ୍କାର ପ୍ରାପ୍ତ ଯୁବ ପରିବେଶବିତ୍ ଶୁଭ୍ରାଂଶୁ ଶତପଥୀ। ବୃକ୍ଷର ଦୀର୍ଘାୟୁ ମନାସୀ ସେ ଆଜି ଗଛରେ ରାକ୍ଷୀ ବାନ୍ଧିଛନ୍ତି। ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କୋଟପାଳ ଗ୍ରାମରେ ଵୃକ୍ଷ ବନ୍ଧନ ଭଳି ଏକ ନିଆରା କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି ଶୁଭ୍ରାଂଶୁ। ଗ୍ରାମ ନିକଟରେ ଥିବା ଗଛଗୁଡିକରେ ସେ ସିଡ୍( ମଞ୍ଜି)ରେ ନିର୍ମିତ ରାକ୍ଷୀ ବାନ୍ଧି ଭାଇଚାରାର ପ୍ରତିକ ସୃଷ୍ଟି କରିଛନ୍ତି।

    ଯବାନଙ୍କୁ ରାକ୍ଷୀ ବାନ୍ଧିଲେ ସ୍କୁଲ ଛାତ୍ରୀ

    ପବିତ୍ର ରକ୍ଷାବନ୍ଧନ ପର୍ବରେ ସେନାରେ ମୁତୟନ ଯବାନ ଓ ଥାନାରେ ପଦସ୍ଥ କର୍ମଚାରୀମାନେ ମଧ୍ୟ ଯୋଡ଼ି ହୋଇଯାଉଛନ୍ତି। ସେମାନଙ୍କର ଆଖପାଖ ଅଞ୍ଚଳରେ ରହୁଥିବା ଭଉଣୀମାନେ ରାକ୍ଷୀ ବାନ୍ଧୁଛନ୍ତି। ମାଲକାନଗିରି ଜିଲ୍ଲାରେ ବିଏସଏଫ କ୍ୟାମ୍ପଗୁଡିକରେ ସ୍କୁଲ ଛାତ୍ରୀ ଏବଂ ଓମ ଶାନ୍ତି ସଂଗଠନର ମହିଳାମାନେ ବିଏସଏଫ ଯବାନଙ୍କୁ ରାକ୍ଷୀ ବାନ୍ଧିଛନ୍ତି। ଯବାନମାନେ ପରିବାର ସହ ରକ୍ଷାବନ୍ଧନ ପାଳନ କରିପାରିନଥିଲେ ମଧ୍ୟ ନିଜ ପାଖରେ ଶତାଧିକ ଭଉଣୀମାନଙ୍କୁ ପାଇ ବେଶ ଖୁଶି ବୋଲି କହିଛନ୍ତି। ତେଣୁ ଏମାନଙ୍କର ସୁଖ ଓ ସମୃଦ୍ଧି କାମନା କରୁଛୁ। ଏହି ସଂପର୍କ ଅତୁଟ ରହୁ ବୋଲି ବିଏସଏଫ ଯବାନ ରାକ୍ଷୀ ବାନ୍ଧୁଥିବା ଭଉଣୀମାନଙ୍କୁ କହୁଥିବା ଦେଖିବାକୁ ମିଳିଛି। ସେହିପରି ମାଲକାନଗିରି ଏସ୍ପିଙ୍କୁ ପୂର୍ବରୁ ପର୍ବତନ ୨ ମାଓନେତ୍ରୀ ରାକ୍ଷୀ ବାନ୍ଧିଛନ୍ତି।

    LEAVE A REPLY

    Please enter your comment!
    Please enter your name here