ଲକ୍ଷାଧିକ ଟଙ୍କାର ପେଟ୍ରୋଲ ଚୋରି

    0
    310

    ଭୁବନେଶ୍ବର: ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଉନାହିଁ। ତେଲ ଦର ବୃଦ୍ଧି କାରଣରୁ ଅନ୍ୟ ଜିନିଷର ଦାମ୍ ମଧ୍ୟ ବଢ଼ିବାରେ ଲାଗିଛି। ଦର ବୃଦ୍ଧି ଯୋଗୁଁ ଗରିବ, ଖଟିଖିଆ ତଥା ସମାଜର ତୃଣମୂଳ ସ୍ତରରେ ବସବାସ କରୁଥିବା ଜନତା ପ୍ରଭାବିତ ହେଉଛନ୍ତି। ମାଲକାନଗିରି ଜିଲ୍ଲାରେ ପେଟ୍ରୋଲ ଲିଟର ପିଛା ୧୦୯ ଟଙ୍କା ୨୦ ପଇସା ଥିବା ବେଳେ ଡିଜେଲ ଲିଟର ପିଛା ମୂଲ୍ୟ ୧୦୦ ଟଙ୍କା ୯୬ ପଇସା ହୋଇଛି। ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ପେଟ୍ରୋଲି ଲିଟର ୧୨୫ ଓ ଡିଜେଲ ୧୧୫ ଟଙ୍କାରେ ବିକ୍ରି ହେଉଥିବା ଦୃଷ୍ଟିଗୋଚର ହେଉଛି।

    ତେବେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କାରଣରୁ ଅସାମାଜିକ ଲୋକଙ୍କର ଖରାପ ଚିନ୍ତା ପାଇପ୍ଲାଇନ୍ ଉପରେ ପଡୁଛି। କମ୍ ପରିଶ୍ରମରେ ଏବଂ ଅଳ୍ପ ସମୟ ମଧ୍ୟରେ ଲକ୍ଷାଧିକ ଟଙ୍କା ରୋଜଗାର କରିବା ଲକ୍ଷ୍ୟରେ ପାଇପ୍ଲାଇନ୍ରୁ ପେଟ୍ରୋଲ ଏବଂ ଡିଜେଲ ଚୋରି କରିବା ଅଭିଯୋଗ ଆସିଛି। ପାଇପ୍‌ଲାଇନ୍‌ରୁ ପେଟ୍ରୋଲ ଚୋରି କରିବା ଏକ ସମ୍ବେଦନଶୀଳ ମାମଲା। ଜଣେ ଦୁଇ ଜଣ ପାଇପ୍‌ଲାଇନ୍‌ରୁ ଚୋରି କରିବା ସହଜ ନୁହେଁ, ତେଣୁ ଅଧିକ ସଂଖ୍ୟାରେ ଚୋର ଏହି କାମରେ ନିୟୋଜିତ ହେଉଛନ୍ତି।

    ୨୫ ଲକ୍ଷ ଟଙ୍କାର ପେଟ୍ରୋଲ ଚୋରି

    ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ଯୁଯୁମୁରା ଥାନା ଅଞ୍ଚଳ ଦେଇ ଯାଇଥିବା ଜଟଣୀ-ସମ୍ବଲପୁର ପାଇପଲାଇନ୍ ସେକ୍ସନ୍ରୁ ଦୁର୍ବୃତ୍ତମାନେ ୨୪ ହଜାର ପେଟ୍ରୋଲ ଏବଂ ଡିଜେଲ ଚୋରି କରି ନେଇ ପୁଲିସ ହାତରେ ଧରାପଡ଼ିଛନ୍ତି। ପୁଲିସ କହିଛି ହାତୀବାରି ଜଙ୍ଗଲ ଭିତର ଦେଇଯାଇଥିବା ପାଇପ୍ଲାଇନ୍ରୁ ପେଟ୍ରୋଲ ଏବଂ ଡିଜେଲ ଚୋରି ହୋଇଥିଲା। ସମ୍ବଲପୁର, ବରଗଡ଼ ଏବଂ କଳାହାଣ୍ଡିର ୭ ଜଣ ଚୋର ୧୨ ହଜାର ଲିଟର ପେଟ୍ରୋଲ ଏବଂ ସମାନ ପରିମାଣର ଡିଜେଲ ଚୋରି କରିଛନ୍ତି। ଚୋରି ହୋଇଥିବା ତଲେର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ହେବ। ଇଣ୍ଡିଆନ ଅଏଲ କର୍ପୋରେସନ ପକ୍ଷରୁ ଥାନାରେ ଅଭିଯୋଗ ହେଲା ପରେ ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ଏକ ଟ୍ୟାଙ୍କର, ଏକ କାର, ଛୁରୀ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି।

    ବାରମ୍ବାର ପାଇପ୍‌ଲାଇନ୍ରୁ ଚୋରି

    ପାଇପ୍ ଲାଇନ୍ରୁ ଡିଜେଲ୍ ଚୋରି କରୁଥିବା ଏକ ରାକେଟର ପର୍ଦାଫାଶ କରିବାରେ ସମ୍ବଲପୁର ପୁଲିସ ଗତବର୍ଷ ସଫଳ ହୋଇଥିଲା। ପୁଲିସ ଗ୍ୟାଙ୍ଗ ଲିଡର୍ ଅନୁଗୁଳ ହେମସରପଡ଼ାର ସୋନୁ କୁମାର ଜେନା ଓ ତାର ୧୦ ସହଯୋଗୀକୁ ଗିରଫ କରିଥିଲା। ସେମାନେ ୨୦୨୧ ମସିହା ୨୨ ସେପ୍ଟେମ୍ବର ମାସରେ ରେଢ଼ାଖୋଲ ଥାନା ଏବଂ ୨୦ ଜାନୁଆରି ୨୦୨୨ରେ କତରବଗା ଥାନା ଅଂଚଳରେ ହୋଇଥିବା ପେଟ୍ରୋଲ ଚୋରି ମାମଲାରେ ସଂପୃକ୍ତ ଥିଲେ। ତାଳଚେର ବଡ଼ଦାଣ୍ଡସାହିର ଶିବ ଓରଫ ଦିବ୍ୟ ସାମଲ, ଅନୁଗୁଳ କୁମଣ୍ଡର ଲିପୁ ଓରଫ ଲିପକ କୁମାର ସାହୁ, ଉତ୍ତର ପ୍ରଦେଶର ମୈନପୁରୀ ଜିଲ୍ଲା ଉବାୟେନ୍ ଗାଁର ସୋନୁ ଓରଫ ସୁଖେନ୍ଦ ସିଂହ ଓ କନୌଜ ଜିଲ୍ଲା ଛେବ୍ରାମାଉ ଗାଁର ସୁନୀଲ କୁମାର ଶର୍ମାଙ୍କୁ ରେଢ଼ାଖୋଲ ଥାନା ପୁଲିସ ଗିରଫ କରିଥିଲା। 

    ଆଇପିଏସ୍ ଅଧିକାରୀଙ୍କ ଘରୁ ପେଟ୍ରୋଲ ଚୋରି

    ଗତ ଜାନୁଆରି ମାସରେ ମଧ୍ୟପ୍ରଦେଶର ସମନାରେ ଜଣେ ଚୋର ପୁଲିସ୍ ଅଧିକାରୀଙ୍କ ଘରେ ପଶି ତାଙ୍କ ଗାଡ଼ିରୁ ପେଟ୍ରୋଲ୍ ଚୋରି କରିଥିଲା। ଏହି ଘଟଣା ସିସିଟିଭି ଫୁଟେଜ୍ରେ ଦେଖିବାକୁ ମିଳିଥିଲା। ରାଜେନ୍ଦ୍ର ନଗରର ୩ ନମ୍ବର ଗଲିରେ ଆପିଏସ୍‌ ଅଧିକାରୀଙ୍କ ଘର ଭିତରକୁ ଚୋର ପଶି ଆସିଥିଲା। ବାରଣ୍ଡା ଭିତରେ ଥିବା ୪-୫ଟି ବାଇକ୍ରୁ ପେଟ୍ରୋଲ୍ କାଢ଼ିଥିଲା ଓ ଏହାକୁ ୪ରୁ ୫ଟି ବୋତଲରେ ରଖିଥିଲା। ଏହା ପରେ ଚୋର ସେ ସ୍ଥାନ ଛାଡ଼ି ପଳାଇଥିଲା। ସେହିପରି ଜବଲପୁରରେ ପୁଲିସ ୫ ଜଣ ପେଟ୍ରୋଲ ଚୋରଙ୍କୁ ନିକଟରେ ଗିରଫ କରିଥିଲା। ଅଭିଯୁକ୍ତମାନେ ଏକ ତେଲ କାରଖାନାରୁ ୪୦୦ ଲିଟର ପେଟ୍ରୋଲ ଚୋରି କରିଥିଲେ।  

    LEAVE A REPLY

    Please enter your comment!
    Please enter your name here