ବିଦ୍ୟୁତ ବିଭ୍ରାଟ: ଗରମରେ ଲୋକେ ଛଟପଟ 

    0
    248

    ଭୁବନେଶ୍ବର: ତ୍ରିପୁରା, ମହାରାଷ୍ଟ୍ର, ରାଜସ୍ଥାନ, ପଶ୍ଚିମବଙ୍ଗ ଓ ଛତିଶଗଡ଼ରେ ପ୍ରାୟ ୨୪ ଘଣ୍ଟା ବିଦ୍ୟୁତ ଯୋଗାଣ ହେଉଛି। ଏହି ସବୁ ରାଜ୍ୟରେ ବିଦ୍ୟୁତଜନିତ ଯାନ୍ତ୍ରିକ ତ୍ରୁଟି ଦେଖାଗଲେ କମ ସମୟ ମଧ୍ୟରେ ଏହାର ସମାଧାନ କରାଯାଇଥାଏ। ମାତ୍ର ଓଡ଼ିଶାରେ ସେମିତି ବ୍ୟବସ୍ଥା ନାହିଁ। ବିକାଶର ଡାଙ୍ଗରା ବଜାଉଥିବା ନବୀନ ସରକାରଙ୍କ ରାଜ୍ୟର କୋଟି କୋଟି ଜନତା ପ୍ରବଳ ଗରମରେ ଛଟପଟ ହେଉଛନ୍ତି। ରାଜ୍ୟରେ ଗତ କିଛି ଦିନ ହେଲା ଚାଲିଥିବା ଘନଘନ ବିଦ୍ୟୁତ କାଟ, ଲୋ ଭୋଲଟେଜ୍ ଏବଂ କାଳବୈଶାଖୀ ଯୋଗୁଁ ବିଦ୍ୟୁତ ଗୁଲ ହୋଇଯାଉଥିବା ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି। ଏହା ରାଜ୍ୟ ସରକାରଙ୍କ ଶାସନଗତ ବିଫଳତାର ଚରମ ନିର୍ଦଶନ। ଓଡ଼ିଶାରେ ଦୀପ ତଳ ଅନ୍ଧାର ଭଳି ଅବସ୍ଥା। ଓଡ଼ିଶାର କୋଇଲାରେ ଭାରତର ଅନେକ ରାଜ୍ୟରେ ବିଜୁଳି ଉତ୍ପାଦିତ ହୁଏ। କିନ୍ତୁ ରାଜ୍ୟରେ  ଅଘୋଷିତ ବିଦ୍ୟୁତ କାଟ ହେଉଛି। ଏତେ କୋଇଲା ଆଉ ଜଳ ଥିବା ପରେ ବି ରାଜ୍ୟ ସରକାରଙ୍କ ଅବ୍ୟବସ୍ଥା କାରଣରୁ ଗଭର୍ଣ୍ଣାନ୍ସ ଡେଫିସିଟି ଦେଖାଯାଉଛି।

    ରାଜ୍ୟରେ ପ୍ରାୟ ୧ ଲକ୍ଷ ବିଦ୍ୟୁତ ଉପଭୋକ୍ତା ଅଛନ୍ତି। ଆବଶ୍ୟକତା ଅନୁସାରେ ଅଧିକ ବିଦ୍ୟୁତ୍ ଉତ୍ପାଦନ ମଧ୍ୟ ହେଉଛି। କିନ୍ତୁ ବ୍ୟବସ୍ଥାଗତ ସମସ୍ୟା କାରଣରୁ ଲୋକଙ୍କୁ ଭଲ ଭାବରେ ବିଦ୍ୟୁତ ମିଳିପାରୁ ନାହିଁ। ବିଦ୍ୟୁତ୍ କାଟ ନୂଆ ନୁହେଁ। କିନ୍ତୁ ରାଜ୍ୟର ଜନତା ଏହି ଅସୁବିଧା ସହିତ ଅଭ୍ୟସ୍ତ ହୋଇଯାଇଛନ୍ତି। ଭୁବନେଶ୍ବର ଓ କଟକ ଭଳି ସହରାଞ୍ଚଳରେ ଅବସ୍ଥା ଏକ ପ୍ରକାର ଠିକ୍ ଠାକ ରହିଛି। କିନ୍ତୁ ସଂପୂର୍ଣ୍ଣ ଭାବେ ଭଲ ନୁହେଁ। କାରଣ ଏଠାରେ ମଧ୍ୟ ଅଘୋଷିତ ବିଦ୍ୟୁତ କାଟ ହେଉଛି। ଗ୍ରାମାଞ୍ଚଳରେ ଲୋକେ କିପରି ରହୁଛନ୍ତି ବୋଲି ପଚାରଯିବାରୁ ଜାଣିବାକୁ ମିଳିଛି ଯେ, ଲୋ ଭୋଲଟେଜ କାରଣରୁ ବିଦ୍ୟୁତ ସାମଗ୍ରୀର ସଠିକ ବ୍ୟବହାର ହୋଇପାରୁ ନାହିଁ। ଦୁର୍ଗମ ଗ୍ରାମରେ ବିଦ୍ୟୁତ ସେବା ଯେପରି ଭାବେ ରହିଛି, ତାହା ନକହିବା ଭଲ। ଦୁର୍ଗମ ଗ୍ରାମଗୁଡିକରେ ବିଦ୍ୟୁତ ସେବା ଚାଲିଗଲେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ ସେବା ଯୋଗାଇ ଦିଆଯାଉନଥିବା କୁହାଯାଇଛି। ଏପରିକି ଦୁଇ/ତିନି ଦିନ ବିଦ୍ୟୁତ ଆସି ନଥାଏ। ପଶ୍ଚିମ ଓଡ଼ିଶାରେ ପ୍ରବଳ ଖରାକୁ ଗରମରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ବିଦ୍ୟୁତ କାଟ ଲୋକଙ୍କ ଯନ୍ତ୍ରଣା ବଢ଼ାଇ ଦେଇଛି।

    ବିଜେପିର ବିକ୍ଷୋଭ

    ରାଜ୍ୟରେ ଅଘୋଷିତ ବିଦ୍ୟୁତ୍ କାଟକୁ ନେଇ ବିଜେପି ବିକ୍ଷୋଭ ପ୍ରଦର୍ଶନ କରୁଛି। ଦଳୀୟ କର୍ମୀମାନେ ହାତରେ ପ୍ଲାକାର୍ଡ ଧରି ବିଦ୍ୟୁତ କାର୍ଯ୍ୟାଳୟ ଘେରୁଛନ୍ତି। ବାଲେଶ୍ବର ଜିଲ୍ଲା ଭୋଗରାଇ, ବରଗଡରେବି ବିକ୍ଷୋଭ ଓ ପ୍ରତିବାଦ ଦେଖାବକୁ ମିଳିଛି। ବିଜେପି ପକ୍ଷରୁ କୁହାଯାଇଛି ଯେ, ବଢୁଥିବା ତାପମାତ୍ରା ଓ ଗରମ ଭିତରେ ଲୋକଙ୍କ ସମସ୍ୟା ଆହୁରି ବଢାଇ ଦେଇଛି ବିଦ୍ୟୁତକାଟ୍। ବଲାଙ୍ଗୀର ମଣ୍ଡଳ ବିଦ୍ୟୁତ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଜିଲ୍ଲା ବିଜେପି। ବିଜେପି କର୍ମୀମାନେ ଅଭିଯୋଗ ଆଣିଛନ୍ତି ଯେ, ରାଜ୍ୟରେ ଏବେ ବିଦ୍ୟୁତ ବ୍ୟବସ୍ଥା ବିଗିଡି ଯାଇଛି । ରାଜ୍ୟ ସରକାରଙ୍କ ହାତରେ ଏବେ ବିଦ୍ୟୁତ ବିଭାଗର କୌଣସି ନିୟନ୍ତ୍ରଣ ନାହିଁ। ଟାଟା ପାୱାର ସାରା ରାଜ୍ୟର ବିଦ୍ୟୁକ ସରବରାହର ମାଲିକ ସାଜିଥିବା ଅଭିଯୋଗ କରିଛନ୍ତି।  

    କଂଗ୍ରେସର ଚେତାବନୀ

    ପ୍ରବଳ ଖରା ଯୋଗୁଁ ରାଜ୍ୟବାସୀ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି। ସହରାଞ୍ଚଳ ତୁଳନାରେ  ଗ୍ରାମାଞ୍ଚଳରେ ସ୍ଥିତି ସଂଗୀନ ହୋଇଛି। ବିଜୁଳି ସମସ୍ୟା ନେଇ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବାକୁ ଅଣ୍ଟା ଭିଡ଼ିଛି। ଦଳ ଆସନ୍ତା ୧୯ ତରିଖରେ ଗ୍ରିଡକୋ ଅଫିସ ଘେରାଉ କରାଯିବ। ପରେ ସମସ୍ତ ଜିଲ୍ଲାସ୍ତରରେ ଆନ୍ଦୋଳନ ଜାରି ରଖିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି। ରାଜ୍ୟ ସରକାର ୨୦ ହଜାର କୋଟି ଟଙ୍କା ଭିତ୍ତିଭୂମି ସଜାଡିବାକୁ ଦେଇଛନ୍ତି। ୫ ହଜାର କୋଟି ଟଙ୍କା ଟାଟାକୁ ଦିଆଯାଇଛି। ଆଉ ୧୫ ହଜାର କୋଟି କୁଆଡେ ଗଲା। ପୁରୁଣା ଭିତ୍ତିଭୂମିରେ ସେବା ଚାଲିଛି। ୧୫ ହଜାର କୋଟି ଖର୍ଚ୍ଚ ହୋଇଥିଲେ ସ୍ଥିତି ସୁଧୁରି ଥାଆନ୍ତା। ରାଜ୍ୟର ବିଦ୍ୟୁତ ବିତରଣ ଦାୟିତ୍ବ ଟାଟା ନେବା ପୂର୍ବରୁ ଯେଉଁ ବକେୟା ଅର୍ଥ ଥିଲା ତାହାକୁ ଆଦାୟ ପାଇଁ ଚାପ ପ୍ରୟୋଗ କରାଯାଉଛି। ଲାଇନ୍ କାଟିବାକୁ ଧମକ ଦିଆଯାଉଛି। ଜୋର୍ ଜବରଦସ୍ତ ବିଦ୍ୟୁତ୍ ବିଲ ସଂଗ୍ରହ କରାଯାଉଛି। ଗୋଟିଏ ତାରିଖରେ ବିଲ ସଂଗ୍ରହ କରାଯାଉ। ଭିନ୍ନ ଭିନ୍ନ ତାରିଖରେ ବିଲ ସଂଗ୍ରହ କରି ଚଞ୍ଚକତା କରୁଛନ୍ତି। ଏମିତି କଲେ ଜନସାଧାରଣ ସହିବେନି।

    କ’ଣ କହିଥିଲେ ଶକ୍ତିମନ୍ତ୍ରୀ

    ଅନ୍ୟପଟରେ ଗତ ଏପ୍ରିଲ ୧୨ ତାରିଖରେ ଶକ୍ତିମନ୍ତ୍ରୀ ପ୍ରତାପ ଦେବ କହିଥିଲେ ଯେ, ‘ରାଜ୍ୟରେ ଏବର୍ଷ ପାୱାର୍ କଟ୍  ହେଇନି କି ହେବାର ସମ୍ଭାବନା ବି ନାହିଁ। ବିଦ୍ୟୁତ କାଟ ନ ହେଉଣୁ ହେବାର ଆଶଙ୍କା କରୁଛନ୍ତି। ନଈ ନ ଦେଖୁଣୁ ଖାଲି ଲଙ୍ଗଳା ହେଉଛନ୍ତି। ଯଦି ବିଜୁଳି କଟୁଛି ତାର ଅର୍ଥ ନୁହଁ କି ପାୱାର୍ କଟ୍ ହେଉଛି। ଅନେକ କାରଣରୁ ନେଇ ବିଜୁଳି କଟା ହୋଇଥାଏ। ହୁଏତ ଆପଣଙ୍କ ଅଞ୍ଚଳର ଟ୍ରାନ୍ସଫର୍ମର ପୋଡିଯାଇଥିବ, ଯେଉଁ କାରଣରୁ ବିଜୁଳି ନଥାଇପାରେ। କୋଉଠି କେଉଁ ପ୍ରକାରର ଯାନ୍ତ୍ରିକ ତ୍ରୁଟି ଥାଇପାରେ କାଳବୈଶାଖୀ ପାଇଁ। ଲୋକଙ୍କ ଦାବି ଅନୁଯାୟୀ ବିଦ୍ୟୁତ ଯୋଗାଇ ଦିଆଯାଉଛି।’

    LEAVE A REPLY

    Please enter your comment!
    Please enter your name here