ପରିଚୟ ହରାଇବାରେ ଲାଗିଛି ଭବାନୀପାଟଣା ସହରର ଆଶା ସାଗର

    0
    1462

    ସହରରେ ଦିନକୁ ଦିନ ଆଶା ସାଗର ର ଐତିହ୍ୟ ଓ ପରିଚୟକୁ ହରାଇବା ଓ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ୧ କୋଟି ୭୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଆଶା ସାଗର ମଧ୍ୟରେ ବନ୍ଧ ଖୋଳାଯିବାକୁ ନେଇ ସାଧାରଣରେ ଆଲୋଡନ ସୃଷ୍ଟି ହୋଇଛି । ସେହିଭଳି ସାଗର ମଧ୍ୟରେ କମ ପରିମିତ ଜମିରେ ବନ୍ଧଖୋଳା ଯାଇ ସୁଖି ଯାଇଥିବା ଅଞ୍ଚଳରେ ଜବରଦଖଲକାରୀଙ୍କୁ ସୁହାଇବା ପାଇଁ ଏକ ଷଡଯନ୍ତ୍ରବୋଲି ସହରବାସୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି । ଭବାନୀପାଟଣା ସହର ଅଞ୍ଚଳବାସୀଙ୍କ ପାନୀୟଜଳ ସମସ୍ୟା ପାଇଁ ୯୧ ହେକ୍ଟର ଅଞ୍ଚଳ ପରିମିତ ଜମି ଉପରେ ଆଶା ସାଗର ଖନନ୍ କରାଯାଇଥିଲା । ଯାହାକି କଳାହାଣ୍ଡି ଜିଲ୍ଲାବାସୀଙ୍କ ଜୀବନ ଜୀବିକା ତଥା ସୌନ୍ଦର୍ଯ୍ୟର ଅନ୍ୟତମ ଆଧାର । କିନ୍ତୁ ଏହାର ଅଧାରୁ ଅଧିକ ଏବେ ଜବରଦଖଲକାରୀଙ୍କ କବ୍ଜାରେ । ସାଗର ଚାରିପାଖରେ ଗଢିଉଠିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ବସ୍ତି । ବର୍ତ୍ତମାନ ୨୦ରୁ ୨୫ ଏକର ଜମି ରହିଛି ଜଳଧାରଣ କ୍ଷମତା, ଏହା ମଧ୍ୟ ଏବେ ଗଛବୁଦା, ପଙ୍କରେ ସମାଧି ପାଲିଟିଛି । ତେବେ ଏହି ବଞ୍ଚିଥିବା ୨୦ ରୁ ୨୫ ଏକର ଜମିର ଜଳଧାରଣା କୁ ମଧ୍ୟ ଯତ୍ନ ନିଆଯାଉନାହିଁ । ଫଳରେ ଏବେ ତାହା ସହର ବାସିଙ୍କ ପାଇଁ ପାଲିଟିଛି ଅଘୋଷିତ ଡମ୍ପିଂ ୟାର୍ଡ । ଏହାର ସୌନ୍ଦର୍ଯ୍ୟକରଣ କରାଯିବା ପାଇଁ ଗତ ୨୦୦୯-୧୦ ଓ ୨୦୧୦-୧୧ ମସିହାରେ କଳାହାଣ୍ଡି କ୍ଷୁଦ୍ରଜଳ ସେଚନ ବିଭାଗ ତରଫରୁ ୨କୋଟିରୁ ଉର୍ଦ୍ଧଟଙ୍କା ଖର୍ଚ୍ଚ ହୋଇସାରିଛି । ହେଲେ ମୁନାଫାଖୋର ମନବୃତ୍ତି ଯୋଗୁଁ ଏହି ସାଗର ଯେଉଁ ଅବସ୍ଥାକୁ ସେହି ଅବସ୍ଥାରେ ରହିଛି । ୧୮୫୭ ସିପାହୀ ବିଦ୍ରୋହ ସମୟରେ ଏହାକୁ ଖନନ କରିଥିଲେ କଳାହାଣ୍ଡିରର ତକ୍ରାଳୀନ ରାଜା ଉଦିତ ପ୍ରତାପ ଦେଓ । ଭବାନୀପାଟଣା ପ୍ରସିଦ୍ଧ ମହାକାଳୀ ମନ୍ଦିର ନିକଟରୁ ଏହାର ନିର୍ମାଣ କାମ ଆରମ୍ଭ ହୋଇଥିଲା । ଖନନ୍ ପାଇଁ ଶତାଧିକ ଶ୍ରମିକଙ୍କୁ ଦୀର୍ଘ ୧୭ ବର୍ଷ ବର୍ଷ ଲାଗିଥିବାବେଳେ ୯୦ ଏକର ପରିମିତ ପୁଷ୍କରିଣୀର ଗଭୀରତା ଥିଲା ପ୍ରାୟ ୪୦ ଫୁଟ । ପରବର୍ତ୍ତୀ ସମୟରେ ସେ ନିଜର ପତ୍ନୀ ଆଶାମଞ୍ଜରୀ ଦେବୀଙ୍କ ସ୍ମୃତିକୁ ଜୀବନ୍ତ ରଖିବା ପାଇଁ ପୁଷ୍କରିଣୀର ନାମକରଣ କରିଥିଲେ ଆଶା ସାଗର । ଆଶାସାଗର ଜଳଧାରଣ ଓ ସେଚନ କ୍ଷମତା ମଧ୍ୟ ହରାଇ ବସିଛି । ପୂର୍ବରୁ ୧୪୦ ହେକ୍ଟର ଜମିରୁ କେବଳ ୨୫ ଏକର ଜଳସେଚନକୁ ହ୍ରାସ ପାଇଛି । ପୋଖରୀର ପୋତି ହୋଇପଡିଥିବା ଦୃଷ୍ଟିରୁ କେତେ ଅସାମାଜିକ ବ୍ୟକ୍ତିଙ୍କ ଲୋଲୁପ ଦୃଷ୍ଟିରେ ଏବେ ଆଶା ସାଗର । ମୂଲ୍ୟବାନ ଜମି ସବୁ ଏବେ ଜବରଦଖଲକାରୀଙ୍କ କବଜାରେ । ୨୦୦୭ ମସିହାରେ ୧କୋଟି ୭୬ ଲକ୍ଷ ଟଙ୍କା ଅନୁଦାନରେ ଆଶା ସାଗର ରୁ ଖୋଲାଯାଇ ପଙ୍କ ଉଦ୍ଧାରସହ ଭାଙ୍ଗିଯାଇଥିବା ପାହାଚ ଗୁଡିକ ମରାମତି କରାଯିବାର ଥିଲା । କିନ୍ତୁ ଠିକ ଭାବରେ କାମ ହୋଇପାରିଲା ନାହିଁ । ବର୍ତ୍ତମାନ ୧କୋଟି ୭୮ ଲକ୍ଷ ଟଙ୍କାରେ ୯୭ ସିଏମ ମାଟିକାମ , ବାଥିଂଘାଟ, ସରପ୍ଲସ ଓ ଏଚଆର ସରପ୍ଲସ କାମ ସମେତ ଆନୁସଙ୍ଗିକ କାମ କରାଯାଇ ଆଶା ସାଗର ମଧ୍ୟରେ ତରବରିଆ ଭାବରେ ଏକ ବନ୍ଧ ନିର୍ମାଣ କରାଯାଉଥିବା ନେଇ ଗତ କିଛି ଦିନ ତଳେ ଜଳ ସମ୍ପଦ ମନ୍ତ୍ରୀ ନିର୍ମାଣଧୀନ ଅଞ୍ଚଳ ପରିଦର୍ଶନ କରି କ୍ଷୋଭ ପ୍ରକାଶ କରିଥିଲେ । ଏନେଇ ବିଭାଗୀୟ ଅଧିକାରୀ ମାନଙ୍କୁ ତାଗିଦ କରିଥିବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି ହୋଇଛି । ସାଗରର ସମସ୍ତ ଅଞ୍ଚଳର ପୁନଃଉଦ୍ଧାର ନ କରି କିଛି ଅଂଶରେ ବନ୍ଧ ନିର୍ମାଣ ନେଇ ବିଭାଗୀୟ କାର୍ଯ୍ୟଶୈଳୀ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୂର୍ବରୁ ଜବରଦଖଲ ଥିବାବେଳେ ବର୍ତ୍ତମାନ ମଧ୍ୟ ଆହୁରି ଜବରଦଖଲକୁ ପ୍ରଶ୍ରୟ ଦେବା ପାଇଁ ଏହା ଏକ ସୁପରିକଳ୍ପିତ ଷଡଯନ୍ତ୍ର ବୋଲି ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି । ଏନେଇ କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀଯନ୍ତ୍ରୀଙ୍କୁ ପଚାରିବାରୁ ସେ କହିଥିଲେ ଯେ, ୧କୋଟି ୭୮ ଲକ୍ଷ୍ୟ ବ୍ୟୟରେ କେବଳ ୯୭ ସିଏମ ମାଟି ଖୋଳା ଯିବ ଓ ପର୍ଯ୍ୟାୟ କ୍ରମେ ଏଷ୍ଟିମେଟ ଅଟକଳ ବୃଦ୍ଧି ପାଇଁ ପ୍ରସ୍ତାବ ରହିଛି ବୋଲି କହିଥିଲେ ।

    LEAVE A REPLY

    Please enter your comment!
    Please enter your name here