ନିଜ ଖୁସି ପାଇଁ ଭାଙ୍ଗିଦେଲେ ପରଘର

    0
    308

    ଭୁବନେଶ୍ବର: ଅତ୍ୟାଧୁନିକ ଯୁଗରେ ଲୋକଙ୍କର ଜୀବନ ଶୈଳୀରେ ଢେର ପରିବର୍ତ୍ତନ ଦେଖାଯାଇଛି। ଅନେକ ଲୋକ ଜୀବନକୁ ଖେଳ ଓ କୌତୁକ ଭାବୁଛନ୍ତି। କିଛି ଲୋକ ଅନ୍ୟ ଜୀବନକୁ ଖେଳ ବୋଲି ମଧ୍ୟ ମନେ କରୁଛନ୍ତି। ପାରଂପରିକ ମୂଲ୍ୟର ଅର୍ଥ ଆଉ ପୂର୍ବ ଭଳି ରହୁନାହିଁ। ସଂପର୍କର ମୂଲ୍ୟ ମଧ୍ୟ ଫିକା ପଡୁଛି। ଏଥିରେ ଅଧିକ ବଳି ପଡୁଛନ୍ତି ନିରୀହ ଲୋକ। ମଣିଷ ସରଳ ଓ ନିଷ୍କପଟ ହେଲେ ଧୋକ୍କା ଖାଉଛି। ବିବାହ ଭଳି ପବିତ୍ର ପରଂପରାରେ ମଧ୍ୟ କଳଙ୍କ ଲାଗୁଛି। ଲୋକେ ମନଇଛା ବିବାହ କରୁଛନ୍ତି। କିଛି ଲୋକଙ୍କର ବିବାହ ଖୁବ୍ କମ ଦିନରେ ଭାଙ୍ଗି ଯାଉଛନ୍ତି। କିଛି ଲୋକ ପର ଘର ଭାଙ୍ଗି ଦେଉଥିବା ନଜରକୁ ଆସୁଛି। ନିକଟରେ ଗଂଜାମ ଜିଲ୍ଲା ବେଗୁନିଆପଡ଼ା ଓ ସୋନପୁର ଜିଲ୍ଲା ସୁବଳୟା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି।

    ସ୍ବାମୀଙ୍କ ଠାରୁ ଛଡ଼ାଇ ଆଣିଲା ପ୍ରେମିକ

    ବେଗୁନିଆପଡ଼ା ବାଲିସାହିରେ କସ୍ତୁରୀ ଘୋଷ ନାମକ ଜଣେ ମହିଳା ଶ୍ବଶୁର ଘର ସାମ୍ନାରେ ବସି ବୋହୂର ମାନ୍ୟତା ଦାବି କରିଛନ୍ତି। ବାଲିସାହିର ବିଶ୍ୱଜିତ ଜଗନ୍ନାଥ ସାହୁଙ୍କ ସହିତ ତାଙ୍କର ପ୍ରେମ ସଂପର୍କ ଥିଲା। ଶାରୀରିକ ସଂପର୍କ ମଧ୍ୟ ହୋଇଥିଲା ବୋଲି ଅଭିଯୋଗ ଆଣିଛନ୍ତି। କିନ୍ତୁ ପରିବାର ଲୋକଙ୍କ ଚାପରେ ପଡ଼ି କସ୍ତୁରୀ ମର୍ଡକୋଟରେ ଆଉ ଜଣେ ଯୁବକଙ୍କୁ ବିବାହ କରିଥିଲେ, ଯାହାକୁ ବିଶ୍ବଜିତ ସହିପାରି ନଥିଲେ। ତେଣୁ ସେ କସ୍ତୁରୀଙ୍କ ସ୍ଵାମୀଙ୍କ ପାଖକୁ ଅଶ୍ଳୀଳ ଫଟୋ ପଠାଇଥିଲେ। ସ୍ତ୍ରୀଙ୍କ ଅନ୍ୟ ପୁରୁଷ ସହିତ ସଂପର୍କ ଜାଣିବା ପରେ କସ୍ତୁରୀଙ୍କ ଠାରୁ ଅଲଗା ହୋଇଯାଇଥିଲେ। କସ୍ତୁରୀ ତାଙ୍କ ସ୍ବାମୀଙ୍କୁ ଛାଡି ଆସିବା ପରେ ବିଶ୍ୱଜିତ ତାଙ୍କୁ ଭୁବନେଶ୍ବର ଲିଙ୍ଗରାଜ ମନ୍ଦିରରେ ବିବାହ କରିଥିଲେ। କିଛି ଦିନ ବୈବାହିକ ସଂପର୍କ ଠିକ୍ଠାକ ଚାଲିଥିଲା। ଉଭୟ ବିଶ୍ବଜିତ ଓ କସ୍ତୁରୀ ଗଂଜାମ ଜିଲ୍ଲା କୋଦଳା ଓ ଖଲିକୋଟରେ ବିଭିନ୍ନ ସମୟରେ ଭଡ଼ା ଘରେ ରହିଥିଲେ। କିନ୍ତୁ ଏବେ କିଛି ଦିନ ହେଲା ବିଶ୍ୱଜିତ ତାଙ୍କୁ ଖଲିକୋଟ ଭଡ଼ା ଘରେ ଛାଡ଼ି ଫେରାର ହୋଇଯାଇଛନ୍ତି।

    ଭାଉଜଙ୍କୁ ବିବାହ କଲା ଦିଅର

    ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ପରିସରରେ ଚଳିତ ମାସ ୨୨ ତାରିଖ ରାତିରେ ଏକ ପ୍ରେମୀ ଯୁଗଳଙ୍କ ବିବାହ ହୋଇଥିଲା। ପ୍ରେମୀ ଯୁଗଳ ସଂପର୍କରେ ଦିଅର ଓ ଭାଉଜ ଥିଲେ। ଅନୁଗୁଳ ଜିଲ୍ଲା କିଆକଟା ଥାନା ଅନ୍ତର୍ଗତ ସାମସିଙ୍ଗା ଗାଁର ଝିଲି ପ୍ରଧାନ (୨୨)ଙ୍କ ସୁବଳୟା ଥାନା ସାନକିରାସିରା ଗାଁର ମାଧବ ପ୍ରଧାନଙ୍କ ସହିତ ବିବାହ ହୋଇଥିଲା। ସୁବଳୟା ଥାନା ଅଧୀନ ଖଣ୍ଡହତା ପଞ୍ଚାୟତ ବରଘାଟ ଗାଁର ପରେମେଶ୍ବର ପ୍ରଧାନ (୨୩) ତାଙ୍କ ମାଉସୀ ପୁଅ ଭାଇ ମାଧବଙ୍କ ଘରକୁ ଯିବାଆସିବା କରିବା ଭିତରେ ଝିଲିଙ୍କ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟ କିଛି ଦିନ ପୂର୍ବରୁ ଘରୁ ଫେରାର ହୋଇଯାଇଥିଲେ। ପରେ ଥାନାରେ ଆତ୍ମ ସମର୍ପଣ କରି ବିବାହ କରିଥିଲେ।  

    ମାଇଁ ଓ ଭଣଜାଙ୍କ ବିବାହ

    ସେହିପରି ଗତ କିଛି ଦିନ ପୂର୍ବରୁ ବିହାରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଥିଲା। ଏଠାରେ ମାଇଁ ଓ ଭଣଜାଙ୍କ ବିବାହ ହୋଇଥିଲା। ସ୍ବାମୀ ତାଙ୍କ ଭଣଜାଙ୍କ ସହ ସ୍ତ୍ରୀଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିଥିଲେ। ଏଦୃଶ୍ୟ ଦେଖି ତାଙ୍କ ପାଦତଳୁ ମାଟି ଖସିଯାଇଥିଲା। ସେ କ’ଣ କରିବେ କିଛି ବୁଝି ପାରି ନଥିଲେ। ସ୍ତ୍ରୀଙ୍କୁ ଗ୍ରହଣ କରିବେ ନା ଘରୁ ବାହାର କରିବେ ସ୍ଥିର କରି ପାରି ନଥିଲେ। ସ୍ତ୍ରୀ ଯଦି ଭଣଜାଙ୍କ ସହିତ ଏଭଳି ସମ୍ପର୍କ ରଖି ପାରିଲେ ତାଙ୍କୁ ଆଉ ଜୋରଜବରଦସ୍ତି ପାଖରେ ରଖି କିଛି ଲାଭ ନାହିଁ ବୋଲି ସ୍ବାମୀ ସ୍ଥିର କରିଥିଲେ। ଏହାପରେ ସେ ପଞ୍ଚାୟତ ସହିତ ୪୦ବର୍ଷୀୟ ସ୍ତ୍ରୀ ଓ ୨୦ବର୍ଷୀୟ ଭଣଜାଙ୍କ ସମ୍ପର୍କ ବିଷୟରେ ଆଲୋଚନା କରିଥିଲେ। ଅନେକ ଆଲୋଚନା ପରେ ସ୍ବାମୀ ଭଣଜା ସହିତ ସ୍ତ୍ରୀଙ୍କ ବିବାହ କରିବାକୁ ପଞ୍ଚାୟତ ସାମ୍ନାରେ ସର୍ତ୍ତ ରଖିଥିଲେ। ପଞ୍ଚାୟତ ସ୍ବାମୀ କଥାରେ ରାଜି ହେବାରୁ ଏକ ମନ୍ଦିରକୁ ନେଇ ଭଣଜା ଓ ସ୍ତ୍ରୀଙ୍କ ବିବାହ କରାଇଥିଲେ।  

    LEAVE A REPLY

    Please enter your comment!
    Please enter your name here