ନାମ ପରିବର୍ତ୍ତନରେ ବଦଳି ଯାଏନି ଭାଗ୍ୟ

    0
    459

    ଭୁବନେଶ୍ବର: ବ୍ୟକ୍ତି ହେଉ ଅବା ସ୍ଥାନ, ଅଥବା କୌଣସି ଜିନିଷର ନାମ ଏହାର ସ୍ବତନ୍ତ୍ରତାକୁ ପିରଚୟ ଦେଇଥାଏ। ଭଲ ରଖିଦେଲେ, ଏଥିରୁ ସକରାତ୍ମକ ଫଳ ମିଳିବ, ତା’ର କୌଣସି ନିଶ୍ଚିତତା ନାହିଁ। ଅନ୍ୟପଟରେ ଭଲ ନାମ ନଥିବା ଲୋକ ମଧ୍ୟ ବହୁତ ପ୍ରଶଂସନୀୟ କାମ କରିଥାନ୍ତି। ଧରାଯାଉ ରାମ, ଭଗବାନ, ପବିତ୍ର, ମହମ୍ମଦ ନାମରେ ପରିଚିତ ମନୁଷ୍ୟ ମଧ୍ୟ ଆଜିକାଲିର ସମାଜରେ ଚୋରି, ଡକାୟତି, ରାହଜନୀ ଭଳି ହିଂସାତ୍ମକ କାମରେ ନିୟୋଜିତ ରହୁଛନ୍ତି। ଅନେକଙ୍କ ମନରେ ଧାରଣା ରହିଛି ଯେ, ଭଲ ନାମ ରଖିବା ଦ୍ବାରା ସକରାତ୍ମକ କାର୍ଯ୍ୟ ସଂପାଦନ ହୋଇପାରିବ। କିନ୍ତୁ ବାସ୍ତବରେ ଏହାର କୌଣସି ସୁନିଶ୍ଚିତତା ନଥାଏ।

    ବ୍ୟକ୍ତିଗତ କଥା ଛାଡ଼ନ୍ତୁ। ନାମ ପରିବର୍ତ୍ତନକୁ ନେଇ ଦେଶରେ ରାଜନୀତି ହେଉଛି। କ୍ଷମତାରେ ଥିବା ଦଳ ନିଜ ଇଚ୍ଛାଅନୁସାରେ କୌଣସି ସ୍ଥାନର ନାମ ପରିବର୍ତ୍ତନ କରୁଛନ୍ତି। ମୋଦୀ ସରକାର ଅତୀତରେ ଉତ୍ତର ପ୍ରଦେଶର ଆହ୍ଲାବାଦ୍‌ ରେଳ ଷ୍ଟେସନ୍‌ର ନାମ ପରିବର୍ତ୍ତନ କରି ପ୍ରୟାଗରାଜ ରଖିଛନ୍ତି। ସେହିଭଳି ମୁଗଲସରାଇ ରେଳ ଜଙ୍କସନ୍‌ର ନାମ ବଦଳାଇ ପଣ୍ଡିତ ଦୀନଦୟାଳ ଉପାଧ୍ୟାୟ ରେଳ ଷ୍ଟେସନ୍ କରିଛନ୍ତି। ଗତ ସପ୍ତାହରେ ଉତ୍ତରପ୍ରଦେଶର ଫଇଜାବାଦ୍‌ ଜଙ୍କସନ୍‌ର ନାମ ଅଯୋଧ୍ୟା କ୍ୟାଣ୍ଟ କରାଯିବା ପରେ ଯାତ୍ରୀ ଦ୍ବନ୍ଦରେ ରହୁଛନ୍ତି। କାରଣ ରାଜ‌୍ୟରେ ଅଯୋଧ୍ୟା ନାଁରେ ପୂର୍ବରୁ ଏକ ରେଳ ଷ୍ଟେସନ ରହିଛି।

    ମଧ୍ୟପ୍ରଦେଶରେ ରେଳ ଷ୍ଟେସନର ନାମ ପରିବର୍ତ୍ତନ

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ମାସ ୧୫ ତାରିଖରେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳସ୍ଥିତ ହବୀବ୍‌ଗଂଜ ରେଳ ଷ୍ଟେସନ୍‌କୁ ରାଣୀ କମଳାପତି ରେଳ ଷ୍ଟେସନ୍‌ ନାମରେ ନିର୍ମିତ ହୋଇଥିବା ଅତ୍ୟାଧୁନିକ ରେଲ ଷ୍ଟେସନ୍‌କୁ ଉଦ୍‌ଘାଟନ କରିବେ। ଏଥି ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଶିବରାଜ ସରକାର କେନ୍ଦ୍ର ସରକାରଙ୍କୁ ଏ ନେଇ ପତ୍ର ମଧ୍ୟ ଲେଖିଛନ୍ତି। ବର୍ତ୍ତମାନ ରେଳ ଷ୍ଟେସନ୍‌ର ନାଁ ହବୀବଗଂଜରୁ ରାଣୀ କମଳାପତି ରେଳ ଷ୍ଟେସନ କରାଯାଉ ବୋଲି  ପରିବହନ ବିଭାଗ ତରଫରୁ ଚିଠି ଲେଖାଯାଇଛି।

    ୪୦ ବର୍ଷରେ ୩ ଥର ନାମ ପରିବର୍ତ୍ତନ

    ଅତ୍ୟାଧୁନକ ସୁବିଧାରେ ପରିପୂର୍ଣ୍ଣ ହବୀବଗଂଜ ରେଳ ଷ୍ଟେସନର ବିକାଶ ପାଇଁ ୪୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଯାତ୍ରୀମାନେ ଯେପରି କୌଣସି ଅସୁବିଧାର ସାମ୍ନା ନ କରନ୍ତି, ସେଥିପାଇଁ ବ୍ୟବସ୍ଥା କରାଯାଇଛି।‌ ତେବେ ପ୍ରଶ୍ନ ଉଠୁଛି ଯେ, ନାମ ପରିବର୍ତ୍ତନ କରା ନଯାଇ ଏତେ ସୁବିଧା ରଖିଥିଲେ ମଧ୍ୟ କୌଣସି ପ୍ରକାରର ଅସୁବିଧା ହୋଇ ନଥାନ୍ତା। କିନ୍ତୁ ନାମ ପରିବର୍ତ୍ତନ କରାଯିବା ଦ୍ବାରା ନିର୍ଦ୍ଦିଷ୍ଟ ଏକ ଗୋଷ୍ଠୀର ମନରେ କଷ୍ଟ ଜାତ ହେଉଛି। ଯଦି ନାମ ପରିବର୍ତ୍ତନ କରାଗଲେ ଲୋକଙ୍କର ଭାଗ୍ୟ ବଦଳି ଯାଉଥାନ୍ତା, ତା’ହେଲେ ଠିକ୍‌ କଥା। ଅତୀତରେ ଶାହାପୁର ଷ୍ଟେସନ୍‌ର ନାମ ପରିବର୍ତ୍ତନ କରାଯାଇ ଏହି ରେଳ ଷ୍ଟେସନର ନାମ ହବୀବ୍‌ ମିଆଁ ରଖାଯାଇଥିଲା। ୧୯୭୯ ମସିହାରେ ହବୀବ ମିଆଁ ନାମରେ ଜଣେ ବ୍ୟକ୍ତି ନିଜର ବ୍ୟକ୍ତିଗତ ଜମୀ ରେଳବାଇକୁ ହସ୍ତାନ୍ତର କରିଥିଲେ। ଏହି ଜମି ଉପରେ ରେଳ ଷ୍ଟେସନର ସଂପ୍ରସାରିତ ହୋଇଥିଲା। ପରେ ସରକାର ହବୀବ୍‌ଙ୍କ ନାମରେ ଏହି ଷ୍ଟେସନ ନାମକରଣ କରାଯାଇଥିଲା। ଭୋପାଳ ଲୋକସଭା ଆସନରୁ ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର ହବୀବଗଂଜ ରେଳ ଷ୍ଟେସନର ନାମ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ରଖିବାକୁ ଦାବି କରିଥିଲେ।  

    କ୍ରିକେଟ୍‌ ଷ୍ଟାଡିୟମ୍‌-ଖେଳରତ୍ନ ପୁରସ୍କାର ନାମ ପରିବର୍ତ୍ତନ

    ଗୁଜରାଟ କ୍ରିକେଟ ଆସୋସିଏଶନ ଦ୍ବାରା ପରିଚାଳିତ ମୋଟେରାସ୍ଥିତ ସର୍ଦ୍ଦାର ପଟେଲ କ୍ରିକେଟ୍‌ ଷ୍ଟାଡିୟମ୍‌ର ନାମ ଚଳିତ ବର୍ଷ ଫେବୃଆରୀରେ ନରେନ୍ଦ୍ର ମୋଦୀଙ୍କ ନାଁରେ ପରିବର୍ତ୍ତନ କରାଯାଇଥିଲା। ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଶ୍ବର ଏହି ଅନ୍ୟତମ ବୃହତ୍ତ କ୍ରିକେଟ୍‌ ଷ୍ଟାଡିୟମ୍‌କୁ ଉଦ୍‌ଘାଟନ କରିଥିଲେ। ହଠାତ୍‌ ଘୋଷଣାକୁ ନେଇ ଦେଶବାସୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ନାମ ପରିବର୍ତ୍ତନ କ’ଣ ପାଇଁ କରାଗଲା ଓ ଏହାର କ’ଣ ଆବଶ୍ୟକତା ଥିଲା, ତାହା ଜଣାପଡ଼ି ନାହିଁ। କେନ୍ଦ୍ର ସରକାର ଗତ ଅଗଷ୍ଟ ମାସରେ ରାଜୀବ ଗାନ୍ଧୀ ଖେଳ ରତ୍ନର ନାମ ପରିବର୍ତ୍ତନ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଏହି ପୁରସ୍କାରର ନାମ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର ରଖିବାକୁ ଘୋଷଣା କରିଥିଲେ।

    LEAVE A REPLY

    Please enter your comment!
    Please enter your name here